STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାବଣର ଛତ୍ରଭଙ୍ଗ

ରାବଣର ଛତ୍ରଭଙ୍ଗ

4 mins
4

            ରାବଣର ଛତ୍ରଭଙ୍ଗ
           ============
ଆମ ଉତ୍କଳର କବି ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣରୁ ଏହି ସୁନ୍ଦର କାହାଣୀ। ଲଙ୍କା ଅଭିଯାନ କରି ପ୍ରଭୁ ଶ୍ରୀରାମ ତାଙ୍କର ସମସ୍ତ ବାନର ସେନା ସହ ସେଦିନ ଯାଇ ଲଙ୍କାରେ ପହଞ୍ଚିଯାଇଥାନ୍ତି। ସୁବଳ ଓ ତ୍ରିକୂଟ ଲଙ୍କାର ସମୁଦ୍ର ତଟରେ ଥିବା ଦୁଇଟି ପର୍ବତ। ତ୍ରିକୂଟ ପର୍ବତ ଉପରେ ରାବଣର ଲଙ୍କା ନଗରୀ ଅବସ୍ଥିତ। ରାମ ସେତୁବନ୍ଧ ଦେଇ ବାନରସେନାଙ୍କୁ ଧରି ଯାଇ ସମୁଦ୍ର କୂଳେ ସୁବଳପର୍ବତ ଉପରେ ଶିବିର ସ୍ଥାପନ କଲେ। ସଙ୍ଗରେ ଥିବା, ସମସ୍ତ ବାନର ବୀର, ସୁଗ୍ରୀବ, ଜାମ୍ବବାନ ଆଦିଙ୍କ ସହ ଯୁଦ୍ଧର ପ୍ରସ୍ତୁତି ନେଇ ପ୍ରଭୁ ବିଚାର ବିମର୍ଶ କରୁଥାନ୍ତି। ଗଗନରେ ନିର୍ମଳ ଜହ୍ନ ତା’ର ରୂପେଲି ଜ୍ୟୋତ୍ସ୍ନାରେ ସମଗ୍ର ପୃଥିବୀକୁ ଉଦ୍ଭାସିତ କରୁଥାଏ। ଅନୁଜ ଲକ୍ଷ୍ମଣଙ୍କ ନିର୍ମିତ କୋମଳପତ୍ର ଓ ପୁଷ୍ପ ଶଯ୍ୟା ଉପରେ ମୃଗଛାଲ ବିଛାଇ ଦିଆ ଯାଇଥାଏ। ସୁଗ୍ରୀବଙ୍କ କୋଳରେ ମଥାରଖି ପ୍ରଭୁ ଶ୍ରୀରାମ ଶୟନ କରିଥାନ୍ତି। ତାଙ୍କ ବାମ ପାର୍ଶ୍ବରେ ଧନୁତୀର, ଦକ୍ଷିଣପାର୍ଶ୍ବରେ ତୂଣୀର ଶୋଭାୟ ମାନ ଥାଏ। ହନୁମାନ ଓ ଅଙ୍ଗଦ ତାଙ୍କର ଚରଣ ସେବା କରୁଥାନ୍ତି। ପାଖରେ ବିଭୀଷଣ ବସି କିଛି ପରାମର୍ଶ ଦେଉଥାନ୍ତି। ଅପୂର୍ବ ସେହିଦୃଶ୍ୟ ଦେଖି ସ୍ୱର୍ଗରେ ଦେବତା ମାନେ ଆନନ୍ଦିତ ହେଉ ଥାନ୍ତି।
ଆକାଶରେ ନିର୍ମଳ ଚନ୍ଦ୍ରମାକୁ ଦେଖି ପ୍ରଭୁ ଟିକିଏ ରହସ୍ୟ କରି କହିଲେ, ଦେଖ ! ଏହି ନିର୍ମଳ ଚନ୍ଦ୍ର କେଡ଼େ ନିର୍ଭୀକ ହୋଇ ଏ ସମଗ୍ର ନଭମଣ୍ଡଳରେ ନିର୍ଭୟରେ ବିଚରଣ କରୁଛି। କିନ୍ତୁ ତା' ଦେହରେ ଏ କାଳିମା କେଉଁଥି ପାଇଁ !
ପ୍ରଭୁଙ୍କ କଥାରେ ସେଠାରେ ଥିବା ବାନର ମାନଙ୍କ ମଧ୍ୟରେ ଏକ ଶିହରଣ ଖେଳିଗଲା। ନିଜ ନିଜର ଭାବ ଏବଂ ଭାଷାରେ ସେମାନେ ଚନ୍ଦ୍ରର କାଳିମା ବିଷୟରେ ତର୍ଜମା କରିବାକୁ ଲାଗିଲେ। ବିଭିନ୍ନ ତର୍ଜମା ଚାଲିଥାଏ, ଏହି ସମୟରେ ହନୁମାନ ହାତ ଯୋଡ଼ି କହିଲେ, ପ୍ରଭୁ ! ମୋ ମତରେ ଆପଣଙ୍କ ଶ୍ୟାମଳ ସୁନ୍ଦର ତନୁକୁ ଚନ୍ଦ୍ର ହୃଦୟରେ ଧାରଣ କରି ଥିବାରୁ ତାଙ୍କ ହୃଦୟ ସେହି ଶ୍ୟାମଳିମାରେ ପୂର୍ଣ୍ଣ ହୋଇ ଉଠିଛି । ହନୁମାନଙ୍କ ଏ କଥା ଶୁଣି ସମସ୍ତେ ପୁଲକିତ ହୋଇ ଉଠିଲେ। ସମସ୍ତେ ଏକ ସ୍ୱରରେ କହି ଉଠିଲେ, ହଁ ! ହନୁମାନ ଯାହା କହିଲେ ତାହା ହିଁ ଠିକ୍ ! ତାହା ହିଁ ଠିକ୍ !
ଇଆଡ଼େ ଶ୍ରୀରାମ ଆସି ଯୁଦ୍ଧପାଇଁ ଲଙ୍କାରେ ପହଞ୍ଚି ଗଲେଣି ଓ ସୁବଳ ଗିରି ଉପରେ ତାଙ୍କ ଶିବିର ସ୍ଥାପନକଲେଣି ବୋଲି ଜଣେ ମନ୍ତ୍ରୀ ଠାରୁ ଶୁଣି ରାବଣ କୋପରେ ପ୍ରଜ୍ୱଳିତ ହୋଇ ଉଠିଲା। ସେ ତାତ୍ସଲ୍ୟଭରା କଣ୍ଠରେ କହିଲା, ଆଚ୍ଛା ! ସେ ରାମର ଏତେ ସାହସ ତ୍ରିପୁରବିଜୟୀ ଏ ରାବଣସହ ଯୁଦ୍ଧ କରିବାକୁ ଆସିଛି। ହେଉ, ମୁଁ ଦେଖୁଛି ସେ କେତେ ବଡ଼ ଯୋଦ୍ଧା। ଏପରି କହି ସେ ଅତି କୋପାବିଷ୍ଟ ହୋଇ ହସ୍ତରେ ଧନୁଶରଧରି ପୁଷ୍ପକଯାନରେ 
ବିଜେ କରି, ଆକାଶ ମାର୍ଗରୁ ସୁବଳ ଗିରିକୁ ନିରୀକ୍ଷଣ କଲା। ଶ୍ରୀରାମ ଇଆଡ଼େ ଚନ୍ଦ୍ରକଥା କହୁଁ କହୁଁ ସ୍ମିତ ହସି ଟିକେ ଆକାଶକୁ ଚାହିଁ ଦେଲା ବେଳକୁ ଦେଖିଲେ, ଦକ୍ଷିଣ ଦିଗରେ ଏକ ବିରାଟ କଳାବାଦଲ ଘଡ଼ ଘଡ଼ କରୁଛି । ଖୁବ୍ ଜୋରରେ ବିଜୁଳି ଚମକାଇ ଦେଉଛି। ପ୍ରଭୁ ଶ୍ରୀରାମ ପ୍ରଶ୍ନିଳ ଦୃଷ୍ଟିରେ ବିଭୀଷଣଙ୍କୁ ଚାହିଁଲେ। ବିଭୀଷଣ ନମ୍ର ହୋଇ କହିଲେ, ପ୍ରଭୁ, ଇଏ ବିଜୁଳି ନୁହେଁ କି ମେଘ ବାଦଲ ମଧ୍ଯ ନୁହେଁ। ମାୟାବୀରାବଣ ଆକାଶ ମାର୍ଗରୁ ଆପଣଙ୍କ ରଣ ସଜ୍ଜାକୁ ନିରୀକ୍ଷଣ କରୁଛି। ଆପଣଙ୍କ ବଳକୁ ସେ କଳନା କରୁଛି। ପୁଣି ସେ ଜଣାଇ ଦେବା ପାଇଁ ଚାହୁଁଛି ଯେ ଆପଣଙ୍କ ଯୁଦ୍ଧ ପ୍ରସ୍ତୁତି ତା ମନରେ କୌଣସି ପ୍ରଭାବ ପକାଉ ନାହିଁ। ଶ୍ରୀରାମ ବିଭୀଷଣଙ୍କ କଥା ଶୁଣି, ଦଶାନନର ଏ ଅହଂକାର ନାଶ ନିମିତ୍ତ ଧନୁରେ ଗୁଣ ଚଢ଼ାଇ ତା’ ଉପରେ ଏକ ଶର ନିକ୍ଷେପ କଲେ । ସେହି ଏକ ମାତ୍ର ବାଣରେ ରାବଣର ଛତ୍ର ମୁକୁଟ କଟି ଯାଇ ଆକାଶରୁ ଗ୍ରହ ନକ୍ଷତ୍ର ଛିଡ଼ି ପଡ଼ିଲା ପରି ସାଗର ବକ୍ଷରେ ଖସିପଡ଼ିଲା। ଭୀଷଣ ଲଜ୍ଜା ଓ ଭୟରେ ରାବଣ ଲଙ୍କାଗଡ଼କୁ ଫେରି ଗଲା ଓ ଚିନ୍ତାରୂପକ ଜଳରେ ବୁଡ଼ି ଭାବିଲା, ମୁଁ, ଏ ରାମବଧୂ ସୀତାକୁ ହରଣ କରି କି କର୍ମ କଲି ! କି ପୌରୁଷ ଅର୍ଜିଲି !! ଆହା, ମୋତେ ତ ଏବେ ଦଇବ ଛାଡ଼ିଲା !!
ଏହି ପ୍ରସଙ୍ଗଟିକୁ କବି ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ ସୁନ୍ଦର କାବ୍ୟିକ ଛନ୍ଦରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବର୍ଣ୍ଣନାର କିୟଦଂଶ:- ମନ୍ତ୍ରୀ ମୁଖୁ ଶୁଣି କୋପେ ବିଂଶପାଣି ପୁଷ୍ପକଯାନେ ବିଜେ କଲା । ଧନୁଶର ଧରି ଆକାଶେ ରହିଣ ସୁବଳ ଗିରିକି ଚାହିଁଲା । ଡୋଳେ ଦେଖିଲା ଦୂର୍ବାଦଳ ରାମ ଶରୀର । ବ୍ରହ୍ମାଣ୍ଡଶୋଭା କି ଘେନି ଅବତାର ମଦନ ଯାର ପରିଚାର ।। ବିଚିତ୍ର ମୃଗଛାଲ ପରେ ବିଜୟ ସୁଗ୍ରୀବ ଉରେ ଆଉଜିଣ । ଦକ୍ଷିଣ ଭୁଜ ତାରାସୁତ କନ୍ଧରେ ହନୁ ଚାପେ ବାମ ଚରଣ। ଲଙ୍କାଗଡରେ ପଡିଛି କୋପ ନେତ୍ର କୋଣ । ଶ୍ରୀରାମ ବାମ ପାରୁଶରେ ବସିଣ ଶର ସଳଖନ୍ତି ଲକ୍ଷ୍ମଣ ।
             ******
ଶ୍ରୀରାମ ଶ୍ରବଣେ ଏମନ୍ତ କହନ୍ତେ ଅନାଇ ଥିଲା ଦଶଶିର । ବୁଲାଇଣ ଗଦା ପ୍ରହାର କରନ୍ତେ ଧଇଲା ମରୁତ କୁମର । ଦେଖି ଶ୍ରୀରାମ କୋଦଣ୍ଡେ କାଣ୍ଡ ବସାଇଲେ । ରାବଣ ଧନୁ ମୁକୁଟ ସର୍ବଛତ୍ର ଛେଦ ବୋଲିଣ ଆଜ୍ଞା ଦେଲେ । ଆଜ୍ଞା ପାଇଣ, ଶର ଧନୁ ମୁକୁଟ କାଟିଲା ତାହାର ସର୍ବତ୍ର । ଏକା ବେଳକେ ଛିଡ଼ିଣ କି ପଡ଼ିଲା ଗ୍ରହସଙ୍ଗେ ସର୍ବ ନକ୍ଷତ୍ର । ତହିଁ କି ଅବା, ଗଜ ମୁକୁତା ହେଲା ବୃଷ୍ଟି । କିଅବା ମଲ୍ଲିକା କୁସୁମେ ରାମଙ୍କୁ ଅଞ୍ଜଳି ଦେଲେ ପରମେଷ୍ଟୀ । ରାମ ବାଣ ଟାଣ ଦେଖିଣ ରାବଣ ଲାଜ ଭୟରେ ପଳାଇଲା । ଛେଦନ କଲେ ଯେତେ ଛତ୍ର ତାହାର ସିନ୍ଧୁ ଗର୍ଭରେ ସେ ପଡ଼ିଲା । ଚିନ୍ତା ଜଳରେ ମନ ମୀନ ତାର ବୁଡ଼ିଲା ବୋଲେ ବିଶି ସୀତା ହରିଲା ଦିନରୁ ଦଇବ ତାହାକୁ ଛାଡ଼ିଲା ।।
            !!! ଜୟ ଶ୍ରୀରାମ !!!
                 🙏🙏🙏
                    ଅର୍ଜୁନୀ
               ----------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational