STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାଜା ଜନ୍ମେଜୟଙ୍କ ନବରାତ୍ର 

ରାଜା ଜନ୍ମେଜୟଙ୍କ ନବରାତ୍ର 

3 mins
6

      ରାଜା ଜନ୍ମେଜୟଙ୍କ ନବରାତ୍ର 

        ===============

ତକ୍ଷକ ଦଂଶନରେ ମହାରାଜ ପରୀକ୍ଷିତଙ୍କ ମୃତ୍ୟୁ ପରେ ତାଙ୍କପୁତ୍ର ଜନ୍ମେଜୟ ହସ୍ତିନା ସିଂହାସନରେ ଅଧିଷ୍ଠିତ ହେଲେ l ସେ ପିତୃ ହତ୍ୟାର ପ୍ରତିଶୋଧ ନେବା ପାଇଁ ଉତ୍ତଙ୍କ ମୁନିଙ୍କ ପରାମର୍ଶରେ ସମସ୍ତ ନାଗକୁଳର ବିନାଶ ପାଇଁ, ଏକ ବିରାଟ ସର୍ପଯଜ୍ଞ କଲେ। ମୃତ୍ୟୁ ଭୟରେ, ତକ୍ଷକ ଯାଇ ଦେବରାଜ ଇନ୍ଦ୍ରଙ୍କ ଶରଣ ପଶିଲା l ପୁରୋହିତ ଉତ୍ତଙ୍କ ଏହା ଜାଣିପାରି, ତକ୍ଷକ ସମେତ ଇନ୍ଦ୍ରଙ୍କୁ ଯଜ୍ଞ କୁଣ୍ଡରେ ପଡ଼ିବାପାଇଁ ଆବାହନ କଲେ l ତକ୍ଷକ ଦେଖିଲା ବଞ୍ଚିବାର ଆଉ କୌଣସି ଉପାୟ ନାହିଁ l ଉପାୟ ଶୂନ୍ୟ ହୋଇ ତକ୍ଷକ ଜରତ୍କାରୁଙ୍କ ପୁତ୍ର ଆସ୍ତିକଙ୍କୁ ସ୍ମରଣ କଲା l ଆସ୍ତିକ ଆସି ରାଜା ଜନ୍ମେଜୟଙ୍କୁ ଅନୁରୋଧ କରିବାରୁ ସର୍ପଯଜ୍ଞ ସେହିଠାରେ ବନ୍ଦ ରହିଲା l ଫଳରେ ତକ୍ଷକ, ଇନ୍ଦ୍ର ଓ ସମସ୍ତ ନାଗ କୂଳ ରକ୍ଷା ପାଇଗଲେ l 

ଯଜ୍ଞସ୍ଥଳୀରେ ଉପସ୍ଥିତ ଥିଲେ ବ୍ୟାସଦେବ l ସେ ଶିଷ୍ୟ ବୈଶମ୍ପାୟନଙ୍କୁ କହିବାରୁ ସେ ସେଠାରେ ଥିବା ସମସ୍ତଙ୍କୁ ତାଙ୍କ ରଚିତ ସମ୍ପୂର୍ଣ୍ଣ ମହାଭାରତ ଶୁଣାଇଲେ l ମହାଭାରତ ଶ୍ରବଣ କରିବା ପରେ ରାଜା ଜନ୍ମେଜୟ ବିନୀତ ହୋଇ ବ୍ୟାସଦେବଙ୍କୁ କହିଲେ, ହେ ମହାତ୍ମା, ମୁଁ ଅତ୍ୟନ୍ତ ଭାଗ୍ୟହୀନ l ରଣ ଭୂମିରେ ବୀରଗତି ପ୍ରାପ୍ତ ଆତ୍ମାର ସ୍ୱର୍ଗ ଗତି ହୋଇଥାଏ l ମୋ ପିତାଙ୍କ କ୍ଷେତ୍ରରେ କିନ୍ତୁ ତାହା ହୋଇନାହିଁ l ତାଙ୍କର ଦର୍ପଦଂଶନରେ ଅପମୃତ୍ୟୁ ହୋଇଛି l ଅପମୃତ୍ୟୁ ଯୋଗୁଁ ସେ ସ୍ୱର୍ଗ ଲୋକର ଅଧିକାରୀ ହୋଇ ପାରି ନାହାଁନ୍ତି l ପିତାଙ୍କ ଆତ୍ମା କିପରି ସ୍ୱର୍ଗ ପ୍ରାପ୍ତି ହୋଇ ଶାନ୍ତିରେ ରହିବ ତା'ର ବିହିତ ବ୍ୟବସ୍ଥା ଆପଣ ଦୟାକରି କରନ୍ତୁ l 

ରାଜା ଜନ୍ମେଜୟଙ୍କ ପ୍ରାର୍ଥନା ଶୁଣି ମହର୍ଷି ବ୍ୟାସ କହିଲେ, ହେ ରାଜା, ସମସ୍ତ ଦେବଗଣ ଯାହାଙ୍କ ଆରାଧନା କରିଥାନ୍ତି ସେହି ମହାମାୟା ଭଗବତୀ ଜଗଦମ୍ବାଙ୍କୁ ଆପଣ ଆରାଧନା କରନ୍ତୁ। ତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରନ୍ତୁ । ମହାମାୟା ତୁଷ୍ଟ ହେଲେ ତୁମର ସମସ୍ତ ଅଭୀଷ୍ଠ ପୂର୍ଣ୍ଣ ହେବ। ଦେବୀ ମହାମାୟାଙ୍କ ଲୀଳା ଏବଂ ଯଶ କୀର୍ତ୍ତନ କରି ମୁଁ ଶ୍ରୀମଦ୍ ଦେବୀ ଭାଗବତ ନାମରେ ଏକ ପବିତ୍ର ପୁରାଣ ରଚନା କରିଛି। ଏଥିରେ ବେଦର ସମସ୍ତ ସାରତତ୍ତ୍ୱ ଏଵଂ ବହୁ ପୁରାତନ ଇତିହାସ କଥା ସନ୍ନିବେଶିତ ହୋଇଛି। ତୁମେ ନିଷ୍ଠାର ସହ ମାଆ ମହାମାୟାଙ୍କ ନବରାତ୍ର ବ୍ରତ ପାଳନ କରି ମୋଠାରୁ ସେହି ପବିତ୍ର ଦେବୀ ଭାଗବତ ଶ୍ରବଣ କର। ଏହାଦ୍ୱାରା ତୁମର ସମସ୍ତ ସିଦ୍ଧିପଥ ସୁଗମ ହୋଇଯିବ। ତୁମର ଅସ୍ଥିରଚିତ୍ତ ମଧ୍ୟ ସ୍ଥିର ହୋଇ ତୁମେ ପରମ ଶାନ୍ତି ଲାଭ କରିବ। ନବରାତ୍ର ବ୍ରତ ଶେଷ କରି ତୁମେ ପିତାଙ୍କର ନରକ ଯନ୍ତ୍ରଣା ଦୂର କରିବା ନିମନ୍ତେ ଅମ୍ବାଯଜ୍ଞ ଅନୁଷ୍ଠାନ କରି ଦେବୀ ପରମେଶ୍ୱରୀଙ୍କୁ ତୁଷ୍ଟ କର ।

ବ୍ୟାସଙ୍କ ପରାମର୍ଶ ଅନୁଯାୟୀ ରାଜା ଜନ୍ମେଜୟ ନବରାତ୍ର ବ୍ରତ ପାଳନ କଲେ ଓ ମହର୍ଷିଙ୍କ ଠାରୁ ଦେବୀ ଭାଗବତ ଶ୍ରବଣ କଲେ ଓ ତାପରେ ସେ ଅମ୍ବାଯଜ୍ଞ ଆରମ୍ଭ କଲେ। ପ୍ରଣବସଂଜ୍ଞଜ ମନ୍ତ୍ରରେ ରାଜା ଦୀକ୍ଷିତହୋଇ ବ୍ୟାସଙ୍କ ପୌରୋହିତ୍ୟରେ ଅମ୍ବା ଯଜ୍ଞ ଅନୁଷ୍ଠାନ କଲେ। ଅମ୍ବାଯଜ୍ଞ ଉଦ୍ଜାପିତ ହେବା ପରେ ଦେଖାଗଲା ଦେବର୍ଷି ନାରଦ ତାଙ୍କ ମହତିବୀଣା ଧ୍ୱନି କରି ନଭ ମଣ୍ଡଳରୁ ସେଠାରେ ଅବତରଣ କଲେ। ଦେବର୍ଷିଙ୍କୁ ଦେଖି, ମହାରାଜ ଜନ୍ମେଜୟ, ଅତ୍ୟନ୍ତ ହୃଷ୍ଟ ଚିତ୍ତରେ ମୁନିଙ୍କୁ ପାଦ୍ୟ ଅର୍ଘ୍ୟ ପ୍ରଦାନ କରି ତାଙ୍କୁ ଅଭ୍ୟର୍ଥନା ଜଣାଇଲେ। ଆସନରେ ଉପବିଷ୍ଟ ହେଲାପରେ ନାରଦଙ୍କୁ ସେ କହିଲେ, ମହାତ୍ମନ୍ ! ଆପଣଙ୍କର ଏହି ଆକସ୍ମିକ ଆଗମନରେ ମୁଁ ନିଜକୁ କୃତକୃତ୍ୟ ମନେ କରୁଛି। ହେ ମୁନିବର ! କୁହନ୍ତୁ, ଆପଣଙ୍କ ମୁଁ କଣ ସେବା କରି ପାରେ।

ମହାରାଜ ଜନ୍ମେଜୟଙ୍କ ଭବ୍ୟ ସତ୍କାରରେ ପ୍ରୀତ ହୋଇ ନାରଦ କହିଲେ, ମହରାଜ, ମୁଁ ଆପଣଙ୍କୁ ଏକ ଅଦ୍ଭୁତ ସମାଚାର ଜଣାଇ ଦେବାକୁ ଏଠାକୁ ଆସିଛି। ଆପଣ ଅନୁଷ୍ଠାନ କରି ଥିବା, ଅମ୍ବାଯଜ୍ଞ ଦ୍ୱାରା ଓ ତା' ପୂର୍ବରୁ ଆପଣ ଶ୍ରଦ୍ଧାପୂର୍ବକ ଶ୍ରବଣ କରିଥିବା ଶ୍ରୀମଦ୍ଦେବୀ ଭାଗବତର ପୂଣ୍ୟଫଳରୁ ନରକଯନ୍ତ୍ରଣା ଭୋଗୁଥିବା ଆପଣଙ୍କ ପରଲୋକ ଗତ ପିତା ପରିକ୍ଷୀତ ନରକରୁ ମୁକ୍ତ ହୋଇଛନ୍ତି। ସେ ଏବେ ଦିବ୍ୟ ଶରୀର ଧାରଣ କରି ଦେବତା ତଥା ଦିବ୍ୟାଙ୍ଗନା ମାନଙ୍କ ଦ୍ବାରା ସ୍ତୁତ, ପରିବୃତ୍ତ ଏବଂ ଶଙ୍ଖୋଳିତ ହୋଇ ମାଆ ଭୁବନେଶ୍ୱରୀଙ୍କ ଦିବ୍ୟଧାମ ମଣିଦ୍ୱୀପକୁ ଯାତ୍ରାକରିଛନ୍ତି। ପିତାଙ୍କ ଉପଯୁକ୍ତ ପୁତ୍ରଭାବେ ତୁମର ଜନ୍ମ ଏବଂ ଜୀବନ ସାର୍ଥକ ହୋଇଛି। ଦେବଲୋକ ପର୍ଯ୍ୟନ୍ତ ତୁମର ଯଶ ତଥା ପ୍ରଶଂସା ପ୍ରସାରିତ ହୋଇଛି। ନାରଦ ଏପରି ସମ୍ବାଦ ଦେଇ ହରି ଧ୍ଵନି କରି ବ୍ରହ୍ମଲୋକ ଅଭିମୁଖେ ପ୍ରସ୍ଥାନ କଲେ। 

ଦେବର୍ଷିଙ୍କ ଠାରୁ ଏ ସମ୍ବାଦ ପାଇ ଜନ୍ମେଜୟଙ୍କ ତନୁ ମନ ପୁଲକିତ ହୋଇ ଉଠିଲା। କୃତାଞ୍ଜଳୀ ପୁଟ ହୋଇ ସେ ମହାମୁନି ବ୍ୟାସଙ୍କୁ ପ୍ରଣାମ କରି କହିଲେ, ହେ ମହାତ୍ମା ! ଆପଣଙ୍କ ଅପାରକୃପାରୁ ମୁଁ ଆଜି କୃତାର୍ଥ ହେଲି। ଆପଣଙ୍କ ନିକଟରେ ମୁଁ ଚିରକୃତଜ୍ଞ। ଆପଣଙ୍କ କୃପା ଏହିପରି ସଦା ମୋ ଉପରେ ଲାଗିରହିଥାଉ। ମୁଁ ଆପଣଙ୍କୁ ବାରମ୍ବାର ପ୍ରଣାମ କରୁଛି।

ରାଜା ଜନ୍ମେଜୟଙ୍କୁ ଆଶୀର୍ବାଦକରି ବ୍ୟାସଦେବ କହିଲେ,ମହାରାଜ ! ଆପଣ ସଦା ପରମେଶ୍ଵରୀ ମାଆ ଭଗବତୀଙ୍କ ଉପାସନାକରନ୍ତୁ ଏବଂ ତାଙ୍କ ଉଦ୍ଦେଶ୍ୟରେ, ନିଷ୍ଠାର ସହ ଯଜ୍ଞାନୁଷ୍ଠାନ କରନ୍ତୁ। ତତ୍ ସହିତ ଆପଣ ପରମ କଲ୍ୟାଣକରୀ ଦେବୀ ଭାଗବତକୁ ନିୟମିତ ପାଠ କରନ୍ତୁ। ଭଗବତୀଙ୍କ ସଭକ୍ତି ପୂଜାଅର୍ଚ୍ଚନା କଲେ ଆପଣ ନିଶ୍ଚିନ୍ତ ଭାବେ ଏହି ଭବ ବନ୍ଧନରୁ ମୁକ୍ତି ଲାଭ କରିବେ । ଦେବୀ ଭାଗବତ ପରି ସଂସାରରେ ଆଉକିଛି ଗ୍ରନ୍ଥ ନାହିଁ। ଏହି ଗ୍ରନ୍ଥରେ ଆଦ୍ୟା ପ୍ରକୃତିଙ୍କୁ ପ୍ରତିପାଦନ କରା ଯାଇଛି । ଶ୍ରୀମଦ୍ଦେବୀ ଭାଗବତ ପାଠରେ ବେଦ ପାଠର ପୁଣ୍ୟ ପ୍ରାପ୍ତ ହୋଇଥାଏ।

ଏପରି କହି ବ୍ୟାସଦେବ ମହାରାଜ ଜନ୍ମେଜୟଙ୍କୁ ଆଶୀର୍ବାଦ କରି ପ୍ରସ୍ଥାନକଲେ। ତାଙ୍କ ଉପଦେଶ ଶିରୋଧାର୍ଯ୍ୟ କରି, ରାଜା ଜନ୍ମେଜୟ ଆନନ୍ଦରେ ପୃଥିବୀକୁ ଶାସନ କରିବାରେ ଲାଗିଲେ। ଶ୍ରୀମଦ୍ ଦେବୀ ଭାଗବତ ଦଶମସ୍କନ୍ଧ ପଚାଶ ଅଧ୍ୟାୟରେ ଜନ୍ମେଜୟଙ୍କ ଅମ୍ବାଯଜ୍ଞ କଥା ବର୍ଣ୍ଣିତ ହୋଇଛି।

           ! ଜୟ ମାଆ ଭଗବତୀ !

                   🙏🙏🙏

                      ଅର୍ଜୁନୀ 

                 -----------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational