STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୀର୍ତ୍ତିମୁଖ ଉପାଖ୍ୟାନ 

କୀର୍ତ୍ତିମୁଖ ଉପାଖ୍ୟାନ 

4 mins
5

            କୀର୍ତ୍ତିମୁଖ ଉପାଖ୍ୟାନ 

             ============

ପଦ୍ମପୁରାଣ ଅନ୍ତର୍ଗତ ମହାଦେବ ଦାସ କୃତ  କାର୍ତ୍ତିକ ମାହାତ୍ମ୍ୟର କଥା l ବ୍ରହ୍ମାଙ୍କ ଠାରୁ ଅଭୟବର ପାଇ ସିନ୍ଧୁସୂତ ଦୈତ୍ୟ ଜଳନ୍ଧର ଆନନ୍ଦରେ ରାଜତ୍ୱ କରୁଥାଏ l ଶୁକ୍ରାଚାର୍ଯ୍ୟ ଥାନ୍ତି ତାର ମନ୍ତ୍ରୀ l ଏହି ସମୟରେ ଦିନେ ଦେବର୍ଷି ନାରଦ ଜଳନ୍ଧର ରାଜ ନବରରେ ଆସି ପହଞ୍ଚିଲେ l ମୁନିଙ୍କୁ ଦେଖି ଜଳନ୍ଧର ଅତ୍ୟନ୍ତ ଖୁସି ହୋଇ, ତାଙ୍କର ଉପଯୁକ୍ତ ସତ୍କାର କଲା l ମୁନି ଆସନରେ ଉପବିଷ୍ଟ ହେବା ପରେ, ଜଳନ୍ଧର ଆପଣା ଆତ୍ମ ବଡ଼ିମା ଦେଖାଇ କହିଲା, ହେ ମହାତ୍ମନ୍ ! ଆପଣ ତ ତ୍ରିଲୋକରେ ଭ୍ରମଣ କରୁଛନ୍ତି l ଆପଣଙ୍କୁ ତିନିପୁରର କୌଣସି ସମ୍ବାଦ ଅଜଣା ନାହିଁ l ଆପଣ କୁହନ୍ତୁତ, ମୋ ଏହି ରାଜନବରରେ ଏତେ ସୁନ୍ଦରୀ କନ୍ଯା ଥାଇ, ଏତେ ସମ୍ପଦ ଥାଇ ଆଉ କିଛି ଉଣା ରହି ଯାଉଛି କି? କେଉଁଥିରେ ଯଦିକିଛି କମ୍ ଦେଖୁଛନ୍ତି ତାହା ମୋତେ ଦୟାକରି କୁହନ୍ତୁ l 

ଦୈତ୍ୟର କଥା ଶୁଣି, ନାରଦ ହସି ହସି କହିଲେ, ଦୈତ୍ୟରାଜ,ତୁମର ସବୁ ଠିକଅଛି l କିନ୍ତୁ ତୁମ ପାଖରେ ଯୁବତୀ ରତ୍ନ ଉଣା ଥିଲା ଭଳି ମୋତେ ଲାଗୁଛି l ଦୈତ୍ୟରାଜ ଜଳନ୍ଧର ଆଶ୍ଚର୍ଯ୍ୟ ହୋଇ କହିଲା, ଏ କଅଣ କହୁଛନ୍ତି ଆପଣ l ବୃନ୍ଦା ଭଳି ସୁନ୍ଦରୀ ସ୍ତ୍ରୀ ଓ କେତେ ସୁନ୍ଦରୀ ରାଜକନ୍ଯା ମୋ ପାଖରେ ଥାଇ, ଆପଣ କହୁଛନ୍ତି, ମୋ ପାଖରେ କନ୍ୟାରତ୍ନ କମ୍ ଅଛନ୍ତି l ହେ ମୁନିବର ! ଆପଣ ତା' ହେଲେ କୁହନ୍ତୁ, ଏମାନଙ୍କ ଠାରୁ ଅଧିକ ସୁନ୍ଦରୀ ଆଉ କିଏ ଅଛନ୍ତି l 

ମୁନି ନାରଦ କହିଲେ, ହଁ, ସେପରି ଜଣେ ସୁନ୍ଦରୀ ଅଛନ୍ତି l ସେ ହେଉଛନ୍ତି ପର୍ବତରାଜ ହିମାଳୟଙ୍କ  କନ୍ୟା ପାର୍ବତୀ l ତାଙ୍କ ପରି ସୁନ୍ଦରୀ ଏ ତ୍ରିଜଗତରେ ଆଉ କେହି ନାହିଁ l ଦେବଦେବ ମହାଦେବ ପତ୍ନୀ ରୂପେ ତାଙ୍କୁ ଗ୍ରହଣ କରିଛନ୍ତି l ମାଣିକ୍ଯ ସଙ୍ଗରେ ଯେପରି ଯଉମୁଦ ସମାନ ନୁହେଁ l ଅମୄତର ସଙ୍ଗେ ଯେପରି ଗୁଡ଼ର ସ୍ବାଦ ସମାନ ନୁହେଁ l ସେହି ପରି ପାର୍ବତୀଙ୍କ ସୌନ୍ଦର୍ଯ୍ୟକୁ କିଏ ମଧ୍ୟ ସମାନ ହେବେ ନାହିଁ l ଏହାକହି ନାରଦ ପ୍ରସ୍ଥାନ କଲେ l 

ନାରଦ ଗଲା ଦିନରୁ ଜଳନ୍ଧର ସବୁବେଳେ ଖାଲି ପାର୍ବତୀଙ୍କ ରୂପକୁ ଭାଳି ହେଉ ଥାଏ l ସେ ଦିନେ ଅନୁଚର ରାହୁକୁ ଡାକି କହିଲା, ଯା ହିମାଳୟରେ ଶିବଙ୍କୁ କହିବୁ, ତାଙ୍କଭଳି ମହାଯୋଗୀଙ୍କୁ ପାର୍ବତୀ ପରି ନାରୀ ରତ୍ନ ଶୋଭା ପାଉନାହିଁ l ଏଣୁ ଆପଣ ପାର୍ବତୀଙ୍କୁ ଅବିଳମ୍ବେ ଆମର ରାଜା ଜଳନ୍ଧରଙ୍କୁ ସମର୍ପଣ କରନ୍ତୁ l 

ଦୂତପଣେ ରାହୁ ପହଞ୍ଚିଲାଯାଇ ଶିବଙ୍କ ପାଖରେ l ହିମାଳୟରେ ପହଞ୍ଚି ରାହୁ ଦେଖିଲା ରୁଦ୍ର ଗଣଙ୍କ ସହ ଶିବ ପାର୍ବତୀ ବିରାଜମାନ କରିଛନ୍ତି l ତାଙ୍କ ପାଖକୁ ଯାଇ, ସେ କହିଲା, ହେ ମହାଦେବ ! ମୁଁ ହେଉଛି ଦୈତ୍ୟରାଜ ଜଳନ୍ଧରଙ୍କର ଦୂତ, ରାହୁ l ମୋତେ ଆମ ମହାରାଜ କହି ପଠାଇଛନ୍ତି ତୁମ୍ଭେ ତ ମହାଯୋଗୀ ଶ୍ମଶାନବାସୀ, ସାରା ଶରୀରରେ ବିଭୁତି ବୋଳି ହୋଇ ଡିବି ଡିବି ଡମ୍ବରୁ ନାଦକରି ବୁଲୁଛ l ଗଳାରେ ତୁମର ସର୍ପ ମାଳ l ବାଘଛାଲ ତୁମର ବସନ l ତୁମେ ପାଖରେ ପାର୍ବତୀଙ୍କ ଭଳି ଯୁବତୀ ରତ୍ନଟିଏ ପୁଣି କାହିଁକି ରଖିଛ l ତୁମ୍ଭଙ୍କୁ ଏ ଯୁବତୀରତ୍ନ ଶୋଭା ପାଉନାହିଁ l ରାଜା ଜଳନ୍ଧର କହିଛନ୍ତି ତୁମ୍ଭେ ସେ ଯୁବତୀରତ୍ନଟି ତାଙ୍କୁ ପ୍ରଦାନ କରି ସୁଖରେ ରହିଥାଅ l 

ଅସୁରର ଏହି ଆସ୍ପର୍ଦ୍ଧା ସନ୍ଦେଶ ଶୁଣି ଦେବ ଦେବ ମହାଦେବ ସ୍ତମ୍ବିଭୂତ ହୋଇ ଗଲେ l ତାଙ୍କର ତୃତୀୟ ନେତ୍ର ପ୍ରଚଣ୍ଡ କ୍ରୋଧରେ ପ୍ରଜ୍ୱଳିତ ହୋଇ ଉଠିଲା l ମହାଦେବଙ୍କର ସେହି କ୍ରୋଧାଗ୍ନିରୁ ଏକ ଭୟଙ୍କର ପୁରୁଷ ଜନ୍ମିଲା l ରାହୁ ତା'ର ଭୟଙ୍କର ରୂପକୁ ଦେଖି, ସେଠାରୁ ପଳାୟନ କଲା l ସେହି ପୁରୁଷ କିନ୍ତୁ ରାହୁକୁ ନଛାଡ଼ି ତାର ପଶ୍ଚାତ୍ ଧାବନ କଲା l ଭୟଭୀତ ରାହୁ ତ୍ରିପୁରରେ ବୁଲି ଆସିଲା l କେହି ତାକୁ ରକ୍ଷା କରି ପାରିଲେ ନାହିଁ l ସର୍ବ ଶେଷକୁ ସେ ଆସି ମହାଦେବଙ୍କ ଶରଣ ପଶି କହିଲା, ପ୍ରଭୁ !   ମୁଁ ଦୂତରୁପେ ଆସିଥିଲି, ଜଳନ୍ଧର ମୋତେ ଯାହା କହିଥିଲା, ମୁଁ ତାହା ହିଁ ଆପଣଙ୍କୁ କହିଛି l ଏଥିରେ ମୋର କିଛି ଦୋଷ ନାହିଁ l ମୋତେ ରକ୍ଷା କରନ୍ତୁ  ପ୍ରଭୁ l ହେ ଶରଣ ରକ୍ଷଣ ଦେବଦେବ ମହାଦେବ, ଆପଣଙ୍କ ଦର୍ଶନମାତ୍ରେ ମହା ମହା ପାପୀମାନେ ମୁକ୍ତ ହୋଇଯାନ୍ତି l ରକ୍ଷା କରନ୍ତୁ ମୋତେ l 

ରାହୁର ଏପରି ସ୍ତବ ଓ ବିନୟ ପ୍ରାର୍ଥନାରେ ପ୍ରଭୁ ସଦାଶିବ ଶାନ୍ତ ହୋଇ, କ୍ରୋଧାଗ୍ନିରୁ ଜାତ ସେହି ପୁରୁଷକୁ ଶାନ୍ତ ହୁଅ, ଶାନ୍ତ ହୁଅ ବୋଲି ନିର୍ଦ୍ଦେଶ ଦେଲେ l ମହାଦେବଙ୍କ କଥା ଶୁଣି ସେହି ପୁରୁଷ ଶାନ୍ତ ପଡି କହିଲେ, ହେ ପ୍ରଭୋ ! ଆପଣ ମୋତେ କ୍ରୋଧାଗ୍ନିରୁ ଜାତ କଲେ l ମୁଁ ଆପଣଙ୍କ ଆଦେଶ ମାନି ଶାନ୍ତ ହେଉଛି l କିନ୍ତୁ ଏବେ ମୋତେ ପ୍ରବଳ କ୍ଷୁଧା ହେଉଛି l ଆପଣ ମୋର ଏ କ୍ଷୁଧା ନିବାରଣ କରନ୍ତୁ l ଭଗବାନ ଶଙ୍କର କହିଲେ, ଶୁଣ, ତୁମ୍ଭର ଏହି କ୍ଷୁଧାକୁ କେହି ବି ଶାନ୍ତ କରି ପାରିବେ ନାହିଁ l ତୁମେ ନିଜ ଶରୀରକୁ ନିଜେ ଭକ୍ଷଣ କର l 

ଶିବଙ୍କ କଥା ଶୁଣି, ସେହି ପୁରୁଷ ନିଜ ଶରୀରକୁ  ପାଦଠାରୁ ଭକ୍ଷଣ କରିବାକୁ ଆରମ୍ଭ କଲେ l ସେ ଯେମିତି ଯାଇ, ଗଳା ପାଖରେ ପହଞ୍ଚିଛନ୍ତି, ଶିବ କହିଲେ ଏବେ ରହିଯାଆ,ରହିଯାଆ l ପ୍ରଭୁ ପୁଣି କହିଲେ, ହେ ପୁରୁଷ, ତୁମେ, ତୁମର ଅତି ପ୍ରୀୟ ଶରୀରକୁ ମୋ କଥାକୁ ମାନି ଭକ୍ଷଣକଲ l ଆଜି ଠାରୁ ତୁମ୍ଭର ନାମ, କିର୍ତ୍ତିମୁଖ ହେବ l ତୁମ୍ଭେ ମୋ ମନ୍ଦିର ଆଗରେ ରହି ପୂଜା ପାଇବ l ମହାଦେବଙ୍କ ବର ଲାଭ କରି, ସେବେ ଠାରୁ ଶିବାଳୟର ଦ୍ୱାର ଉପରେ ବିରାଜମାନ ପୂର୍ବକ କିର୍ତ୍ତିମୁଖ ପୂଜାପାଇ ଆସୁଛନ୍ତି l ଶିବଙ୍କ ଠାରୁ ଅଭୟ ଲାଭକରି ରାହୁ ଯାଇ ଜଳନ୍ଧର ପାଖରେ ସମସ୍ତ କଥା କହିଲା l ଶ୍ରୀ ମହାଦେବ ଦାସ, କାର୍ତ୍ତିକ ମାହାତ୍ମ୍ୟର ଦଶମ ଅଧ୍ୟାୟରେ କୀର୍ତ୍ତିମୁଖ କଥା ଶେଷକରି ସୁନ୍ଦରଭାବେ ଲେଖିଲେ:-

     ଶିବ ବଚନେ କ୍ରୋଧାଙ୍କୁର l 

             ଭକ୍ଷିଲା ଆପଣା ଶରୀର ll 

     ଚରଣୁ ହୃଦ ଯାଏ ଗିଳି l

         ଦେଖି ପ୍ରସନ୍ନ ହେଲେ ଶୂଳୀ ll 

     ବୋଇଲେ ଏହି ଦ୍ୱାର ରଖ l 

         ନାମ ତୋ ହେଉ କୀର୍ତ୍ତିମୁଖ ll 

     ମୋର ନିବାସ ଆଗେ ଥାଅ l 

             ପ୍ରଥମେ ପୂଜାବିଧି ପାଅ ll 

                     🙏🙏🙏

                          ଅର୍ଜୁନୀ 

                      ----------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational