STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦୁର୍ଗା ସପ୍ତଶତୀ କଥା

ଦୁର୍ଗା ସପ୍ତଶତୀ କଥା

3 mins
1

            ଦୁର୍ଗା ସପ୍ତଶତୀ କଥା

            ============

ବହୁଦିନ ତଳର କଥା ସେତେବେଳେ ପୃଥିବୀକୁ ଶାସନ କରୁଥାନ୍ତି ଚୈତ୍ରବଂଶର ନରପତି ପରମ ଧାର୍ମିକରାଜା ସୁରଥ l ସେ ପ୍ରଜାମାନଙ୍କୁ ପୁତ୍ରବତ ପାଳନ କରୁ ଥାନ୍ତି l ତାଙ୍କ ସୁ ଶାସନରେ ସମସ୍ତ ପ୍ରଜା ସୁଖରସହ ବାସ କରୁଥାନ୍ତି l ସମସ୍ତ ରାଜ୍ୟ ଧନ, ଧାନ୍ୟରେ ପୂର୍ଣ୍ଣ ହୋଇ ଉଠି ଥାଏ l ତାଙ୍କର ସୁଖ କିନ୍ତୁ ଆଉ ବେଶି ଦିନ ରହିଲା ନାହିଁ l ତାଙ୍କ ସମୃଦ୍ଧି ଦେଖି କ୍ରମେ ସବୁ ପଡ଼ୋଶୀ ରାଜାମାନେ ଈର୍ଷାଳୁ ହୋଇ ଉଠିଲେ ଏବଂ ସୁରଥଙ୍କ ରାଜ୍ୟ ଉପରେ ଲୋଲୁପଦୃଷ୍ଟି ପକାଇଲେ l 

ଚତୁର୍ଦ୍ଦିଗରୁ କ୍ଷତ୍ରିୟ ମାନେ ମହାରାଜା ସୁରଥଙ୍କୁ ଆକ୍ରମଣ କଲେ l ସୁରଥ ସେମାନଙ୍କ ସହ ଲଢ଼ି ଲଢ଼ି ସର୍ବ ଶେଷକୁ କୋଳ କ୍ଷତ୍ରିୟମାନଙ୍କ ଦ୍ଵାରା ପରାଜିତହୋଇ ନିଜ ରାଜ୍ୟ ହରାଇଲେ l ତାଙ୍କ କୁଚକ୍ରୀ ମନ୍ତ୍ରୀମାନେ ମଧ୍ଯ ଶତ୍ରୁମାନଙ୍କ ସହ ହାତ ମିଳାଇଲେ l ରାଜା ସୁରଥ ଦୁଃଖୀ ହୋଇ ଦିନେ ନିଶାର୍ଦ୍ଧରେ ନିଜର ପତ୍ନୀ ପୁତ୍ରଙ୍କୁ ଛାଡ଼ି ଅରଣ୍ୟକୁ ପଳାୟନ କଲେ l

ଅରଣ୍ୟରେ ପାଗଳ ପ୍ରାୟ ବୁଲି ବୁଲି ସେ ଯାଇ ମେଧା ଋଷିଙ୍କ ଆଶ୍ରମରେ ପହଁଚିଲେ l ରାଜାଙ୍କୁ ଦେଖି, ମୁନି ତାଙ୍କୁ ପାଛୋଟି ନେଇ, ଆଶ୍ରମରେ ରହିବାକୁ ଦେଲେ l ରାଜା ସେଠାରେ ରହୁଥାନ୍ତି, ସେଇଠି ଦିନେ ଆସି ପହଁଚିଲେ ସମାଧି ବୈଶ୍ୟ l ରାଜା କଥାବାର୍ତ୍ତା କରି ଜାଣିଲେ, ସମାଧିଙ୍କ ମଧ୍ଯ ରାଜା ସୁରଥଙ୍କ ପ୍ରାୟ ସମଦଶା l ସମାଧି ଥିଲେ ଜଣେ ଧନୀ ବଣିକ ଓ ବ୍ୟବସାୟ ବାଣିଜ୍ୟ କରି ବହୁ ସମ୍ପତ୍ତିର ମାଲିକ ହୋଇଥିଲେ l ଦୁର୍ଭାଗ୍ୟକୁ ତାଙ୍କ ସ୍ତ୍ରୀ ପିଲା ମାନେ ତାଙ୍କର ସବୁ ଧନ ହରଣ କରି ନେଇ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି l ସମାଧି ମଧ୍ୟ ମେଧାୠଷିଙ୍କ ଅନୁଗ୍ରହରୁ ସେହି ଆଶ୍ରମରେ ଆଶ୍ରୟ ନେଲେ l

ସମଦୁଃଖୀ ମହାରାଜ ସୁରଥ ଓ ସମାଧିବୈଶ୍ୟ ପରସ୍ପର ଭିତରେ ନିଜ ଦୁଃଖ କାହାଣୀ ସୁମରି ମେଧା ଋଷିଙ୍କ ଆଶ୍ରମରେ କାଳ କଟାଉ ଥାନ୍ତି l ଦିନେ ସେମାନେ ମେଧାଋଷିଙ୍କୁ ପଚାରିଲେ, ହେ ମହାତ୍ମନ୍ ! ଆମେ ତ ସର୍ବଦା ଧର୍ମ ପଥରେ ରହି ଜୀବନ ନିର୍ବାହ କରୁଥିଲୁ l ତାହା ସତ୍ତ୍ୱେ ଆମର ଏପରି ଦୁର୍ଭାଗ୍ୟ କାହିଁକି ହେଲା?

ମହର୍ଷି ମେଧା କହିଲେ,ଏସବୁ ମାଆ ମହାମାୟାଙ୍କ ମାୟା l ମାୟାଗ୍ରସ୍ତ ଜୀବକୁ ଏହା ଭୋଗିବାକୁ ପଡ଼ି ଥାଏ l ସଂସାରରେ ସୁଖ ଦୁଃଖ ଚକ୍ର ବତ ଘୁରୁଛି l ତୁମେମାନେ ଦେବୀ ଭଗବତୀଙ୍କ ମାହାତ୍ମ୍ୟ ଶ୍ରବଣ କର ତୁମର ଏ ଦୁଃଖ କଟିଯିବ l ଏହାକହି ମହର୍ଷି ମେଧା ତାଙ୍କୁ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦେବୀ ମହାତ୍ମ୍ୟ ଶୁଣାଇବାକୁ ଲାଗିଲେ l ସେ ତାଙ୍କୁ ମାଆ ମହାମାୟା କିପରି ମଧୁ ଓ କୈଟଭ, ମହିଷାସୁର, ଚଣ୍ଡମୁଣ୍ଡ, ଧୁମ୍ର ଲୋଚନ, ଆଦି ଭୟଂକର ଦୈତ୍ୟ ମାନଙ୍କୁ ନିଜ ମାୟା ବିସ୍ତାର କରି ବଧ କରିଥିଲେ ଆଦି କାହାଣୀମାନ କହିଲେ l ମାଆ ଭଗବତୀଙ୍କ ଲୀଳା ଶ୍ରବଣକରିକରି ସେମାନଙ୍କ ମନରେ କ୍ରମେ ଶକ୍ତିମୟୀ, ମାଆ ମହାମାୟାଙ୍କ ପ୍ରତି ଅଟଳ ଭକ୍ତି ଓ ବିଶ୍ବାସ ଜାଗ୍ରତ ହେଲା l

ମାଆଙ୍କ ଭକ୍ତିଭାବନେଇ ଦିନେ ସେମାନେ ମୁନିଙ୍କ ଆଶ୍ରମ ପରିତ୍ୟାଗ କରି ଅରଣ୍ୟକୁ ଚାଲିଗଲେ ଓ ସେଠାରେ ରହି ମୁନିଙ୍କ ଠାରୁ ଲାଭକରିଥିବା ମନ୍ତ୍ର ଓ ପୂଜା ବିଧିରେ ମା' ମହାମାୟାଙ୍କ ଆରାଧନାରେ ଲାଗିରହିଲେ l ତିନିବର୍ଷ କାଳ ସେମାନେ ମାଆଙ୍କୁ ନିଷ୍ଠାର ସହ ଆରାଧନା କରି ଲୋକମାନଙ୍କୁ ମାଆ ଯୋଗମାୟାଙ୍କ ମାହାତ୍ମ୍ୟଶୁଣାଇଲେ l ସେମାନଙ୍କ ଭକ୍ତିରେ ତୁଷ୍ଟହୋଇ ଦିନେ ମାଆ ପ୍ରକଟହେଲେ l ମାଆ ପରମାତ୍ମିକା, ରାଜା ସୁରଥଙ୍କୁ ବର ଦେଲେ, ଯାଅ ! ରାଜ୍ୟକୁ ଫେରି ଯାଅ ଓ ସୁଖରେ ପ୍ରଜାଙ୍କୁ ପାଳନକର l ତୁମେ ଏହି ପୃଥିବୀରେ ଦଶହଜାର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବ ଏଵଂ ପରେ ତୁମେ ସୂର୍ଯ୍ୟଙ୍କର ପୁତ୍ର ଭାବେ ଜନ୍ମ ହୋଇ ସାବର୍ଣ୍ଣୀମନୁ ନାମରେ ଖ୍ୟାତ ହେବ l ସମାଧି ବୈଶ୍ୟଙ୍କୁ ମାଆ ତାଙ୍କ ଇଚ୍ଛାନୁସାରେ ମୋକ୍ଷ ଲାଭର ବର ପ୍ରଦାନ କରି ଅନ୍ତର୍ଧ୍ୟାନ ହେଲେ l

ମାଆଙ୍କ କୃପାରୁ ରାଜା ସୁରଥ ତାଙ୍କ ହୃତ ରାଜ୍ୟ ଫେରି ପାଇଲେ ଏବଂ ଦୀର୍ଘ କାଳ ଯାଏ ଶାସନ କରି ଅନ୍ତଃ କାଳରେ ପରମ ଗତି ପ୍ରାପ୍ତ ହେଲେ l ସମାଧି ଵୈଶ୍ୟ ତାଙ୍କର ଅବଶିଷ୍ଟ ଜୀବନ ବିଭିନ୍ନ ତୀର୍ଥାଟନ କରି ଓ ମାଆଙ୍କ ମହିମା କୀର୍ତ୍ତନ କରି କଟାଇ ଶେଷକୁ ପରମଗତି ପାଇଲେ l

ରାଜା ସୁରଥ ଓ ସମାଧି ଵୈଶ୍ୟଙ୍କ ଦ୍ଵାରା ଏପରି ପୃଥିବୀରେ ମାଆ ଭଗବତୀଙ୍କ ପୂଜା ପ୍ରଥମକରି ଆରମ୍ଭ ହୋଇଥିଲା l ଦୁର୍ଗତିକାଳରେ ସହାୟ ଓ ଦୁର୍ଗମ ନାମକ ଏକ ଅସୁର ସଂହାର କରିଥିବାରୁ ମାଆଙ୍କର ନାମ ହେଲା,"ଦୂର୍ଗା" l ମେଧା ଋଷିଙ୍କ ନିକଟରୁ, ସମାଧି ଵୈଶ୍ୟ ଓ ରାଜା ସୁରଥ ଯେଉଁ ଦେବୀମାହାତ୍ମ୍ୟ ଶ୍ରବଣ କରିଥିଲେ, ତାହା 'ଦୁର୍ଗା ସପ୍ତଶତୀ" ନାମରେ ବିଖ୍ୟାତ ହୋଇଛି l ପରମ ମୋକ୍ଷଦାୟୀ ପବିତ୍ର ଦୁର୍ଗାସପ୍ତଶତୀ ପଠନ ତଥା ମନନରେ, ମନୁଷ୍ୟର ସମସ୍ତ କ୍ଳେଶ ଦୂର ହୋଇ ସେ ଅକ୍ଷୟ ଯଶର ଅଧିକାରୀ ହୋଇଥାଏ l

              !!! ଜୟ ମାଆ ଦୁର୍ଗା !!!

                    🙏🙏🙏

                        ଅର୍ଜୁନୀ

              -----------------

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational