STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାଧା ନାମର ମହିମା

ରାଧା ନାମର ମହିମା

4 mins
3

            ରାଧା ନାମର ମହିମା 

            ============

କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଅର୍ଥାତ୍ ଲୀଳାମୟ ଶ୍ରୀକୃଷ୍ଣ ହେଉଛନ୍ତି, ସ୍ୱୟଂ ଭଗବାନ l ସେ ପରମପୁରୁଷ,ଶ୍ରୀରାଧା ହେଉଛନ୍ତି ତାଙ୍କ ଶକ୍ତି ସ୍ୱରୂପିଣୀ ପରମ ହ୍ଲାଦିନୀଶକ୍ତି l ହ୍ଲାଦିନୀଶକ୍ତି ସ୍ୱରୂପେ ସେ ଶ୍ରୀକୃଷ୍ଣଙ୍କୁ ଆହ୍ଲାଦ ପ୍ରଦାନ କରି ଥାନ୍ତି l ଶ୍ରୀକୃଷ୍ଣଙ୍କ ଆରାଧନା ହିଁ ରାଧା l ଏଣୁ ' ଆରାଧ୍ୟୟେତ୍ ! ଇତି ରାଧା'ବୋଲି କୁହା ଯାଇଛି l ଶ୍ରୀମତୀ ରାଧାରାଣୀ ହେଉଛନ୍ତି, ଆମ ସନାତନ ଧର୍ମରେ କୃଷ୍ଣ ପ୍ରେମର ସର୍ବୋଚ୍ଚ ଅଭିବ୍ୟକ୍ତି l ରାଧା ନାମ, କୌଣସି ଏକ ସାଧାରଣ ଶବ୍ଦ ନୁହେଁ l ପରମେଶ୍ୱର ପରମାତ୍ମାଙ୍କୁ ଆକର୍ଷିତକରିବା ନିମନ୍ତେ ଏହା ଏକ ମହାମନ୍ତ୍ର l ଏଣୁ ବ୍ରଜ ଭୂମିରେ ସମସ୍ତ ପ୍ରମୀ ଭକ୍ତମାନେ ଅତିପ୍ରେମର ସହ ଉର୍ଦ୍ଧ୍ୱବାହୁ ହୋଇ, ରାଧେ, ରାଧେ ! ଉଚ୍ଚାରଣ କରିଥାନ୍ତି l ରାଧାନାମ ଉଚ୍ଚାରଣ ମାତ୍ରେ ଜୀବର ସମସ୍ତ କଳୁଷ ତତକ୍ଷଣାତ୍ ନାଶ ହୋଇ ତାହାର ଗୋଲକ ବୈକୁଣ୍ଠକୁ ମାର୍ଗ ସୁଗମ ହୋଇ ଯାଏ l ରାଧା ନାମର ମହିମା ବର୍ଣ୍ଣନା କରି ଏକ ସୁନ୍ଦର ପୌରାଣିକ କଥା ଅଛି l 

ଦିନେ ଦେବର୍ଷି ନାରଦ ତ୍ରିପୁର ଭ୍ରମଣ କରି ଯାଇ ଯମଲୋକରେ ପହଞ୍ଚି ଗଲେ l ଯମ ପୁରରେ ସେ ଦେଖିଲେ କୋଟି କୋଟି ଜୀବ ସେମାନଙ୍କ ପୂର୍ବ ଜନ୍ମାର୍ଜିତ ଘୋର ପାପ ଓ ଦୁଷ୍କର୍ମ ହେତୁ ଯମଦୂତମାନଙ୍କ ଦ୍ୱାରା ଭୀଷଣ ଯାତନା ଭୋଗ କରୁଛନ୍ତି l କାହାକୁ ଯମଦୂତ ମାନେ ଲୁହା ମୁଦ୍ଗରରେ ପ୍ରହାର କରୁଛନ୍ତି ତ କାହାକୁ ଗଛରେ ବାନ୍ଧିଦେଇ କଣ୍ଟା ପିଟୁଛନ୍ତି l କେଉଁ ପାପୀକୁ ପୁଣି ଯମଦୂତ ମାନେ ଟକ ମକ ଫୁଟୁଥିବା ତେଲ କଡ଼େଇରେ ପକେଇ କୋରଡ଼ା ମାଡ଼ କରୁଛନ୍ତି l ପୁତି ଗନ୍ଧମୟ ନର୍କର ଦୁର୍ଗନ୍ଧରେ ନାକ ଫାଟି ପଡୁଛି l ଭୀଷଣ କଷ୍ଟରେ ଜୀବମାନେ ଆର୍ତ୍ତ ଚିତ୍କାର କରୁଛନ୍ତି l 

ପାପୀମାନଙ୍କ ଭୀଷଣ କଷ୍ଟ ଓ ଯାତନାକୁ ଦେଖି ଦେବର୍ଷିଙ୍କ ହୃଦୟ ଦୟାର୍ଦ୍ର ହୋଇ ଉଠିଲା l ସେ ଯାଇ ସିଧା ଯମରାଜାଙ୍କୁ ପ୍ରଶ୍ନ କଲେ, ହେ ଯନ୍ତୁପତି ! ଜୀବମାନେ ସଂସାର ମାୟାରେ ପଡ଼ି ଅଜ୍ଞାନତା ବଶତଃ ନାନାଦି ପାପ କର୍ମରେ ଲିପ୍ତ ହୋଇ ଆପଣଙ୍କ ଦ୍ୱାରା ଏହି କରୁଣ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି l ଏହି ଯାତନାରୁ କଅଣ ଜୀବ ମାନଙ୍କ ମୁକ୍ତିର କୌଣସି ସରଳ ମାର୍ଗ ନାହିଁ? ସେମାନଙ୍କ ଉଦ୍ଧାର ପାଇଁ କଅଣ ଭଗବାନ କୌଣସି ବିଧାନ କରି ନାହାଁନ୍ତି? ମୁଁ ଏ ଜୀବମାନଙ୍କର କଷ୍ଟ ଦେଖି ବଡ଼ ବ୍ୟଥିତ ହେଉଛି l ଏ ଜୀବ ମାନଙ୍କ ଉଦ୍ଧାର ପାଇଁ ଯଦି କିଛି ଉପାୟ ଅଛି ମୋତେ କୁହନ୍ତୁ l 

ମୁନି ନାରଦଙ୍କ କଥା ଶୁଣି ଯମରାଜ ହାତ ଯୋଡ଼ି  କହିଲେ, 'ହେ ମହାତ୍ମନ୍ ! ପ୍ରକୃତିର ନିୟମ ବଡ଼ ନିଷ୍ଠୁର l ଯିଏ ଯେଉଁଭଳି କର୍ମ କରିବ, ସେହିଭଳି ଫଳ ତାକୁ ଭୋଗିବାକୁ ପଡ଼ିବ l ବିଧାତାଙ୍କ ଏହା ହିଁ ନିୟମ l କିନ୍ତୁ ଏହି ସୃଷ୍ଟିର ସମସ୍ତ ନିୟମ, ଦଣ୍ଡ, ବିଧିବିଧାନ ଠାରୁ ଊର୍ଦ୍ଧ୍ୱରେ, ଏକ ପରମ ଦିବ୍ୟ ମହାଶକ୍ତି ଅଛି l ଏହି ନର୍କକୁଣ୍ଡରେ ଯନ୍ତ୍ରଣା ଭୋଗୁଥିବା କୌଣସି ଜୀବ ପରମ ବ୍ୟାକୁଳତାର  ସହିତ, ଯଦି ନିଜ ଅନ୍ତରରୁ ଭଗବାନଙ୍କ ହ୍ଲାଦିନୀ ଶକ୍ତି ଶ୍ରୀମତୀ ରାଧାରାଣୀଙ୍କ ନାମ ଅର୍ଥାତ୍ 'ରାଧା' ନାମ ଥରେ ମାତ୍ର ଉଚ୍ଚାରଣ କରେ, ତେବେ ଏହି ଯମଲୋକର ସମସ୍ତ ଦଣ୍ଡ, ଶାସନ ଏବଂ ନିୟମ ତତ୍କ୍ଷଣାତ୍ ବନ୍ଦ ହୋଇଯାଏ l କାରଣ ଯେଉଁଠି ରାଧା ନାମର ବାସ ଥାଏ, ସେଠି ମହାକାଳ କିମ୍ବା ଯମଙ୍କର କୌଣସି କର୍ତୁତ୍ତ୍ଵ ରହେ ନାହିଁ l 

ଏହି ସମୟରେ, ଦୁର୍ଗନ୍ଧ, ଅନ୍ଧକାରାଛନ୍ନ ଓ ସବୁଠାରୁ କଷ୍ଟଦାୟକ ରୌରବ ନାମକ ନର୍କରୁ ଅତି ପୀଡ଼ିତ ଜୀବ ଜଣେ ଅତ୍ୟନ୍ତ ବ୍ୟାକୁଳତାର ସହ ନିଜର ପାପ କର୍ମକୁ ସ୍ୱୀକାର ପୂର୍ବକ ଚିତ୍କାର କରି ଉଠିଲା "ହା ରାଧେ ! ରକ୍ଷା କର !"

ସେହି ପବିତ୍ର ନାମ ଉଚ୍ଚାରିତହେବା ମାତ୍ରେ ଯମ ଲୋକରେ ଗୋଟିଏ ଅଲୌକିକ ଘଟଣା ଘଟିଲା l " ରାଧା " ନାମର ଆଦ୍ୟ ଅକ୍ଷର "ରା" ଉଚ୍ଚାରିତ ହେବା କ୍ଷଣି ସେହି ଜୀବର ଜନ୍ମଜନ୍ମାନ୍ତର ସଞ୍ଚିତ ସମସ୍ତ ପାପ କ୍ଷଣକ ମଧ୍ୟରେ ଜଳି ପାଉଁଶ ହୋଇ ଗଲା l ଦ୍ୱିତୀୟ ଅକ୍ଷର 'ଧା' ଉଚ୍ଚାରିତ ହେବା କ୍ଷଣି ବୈକୁଣ୍ଠରୁ ଏକ ଜ୍ୟୋତିର୍ମୟ ଦିବ୍ୟ ବିମାନ ନର୍କଭୂମିରେ ଅବତରଣକଲା l 'ରାଧା' ନାମର ସେହି ଦିବ୍ୟ ଶବ୍ଦର ସ୍ପର୍ଶରେ, ନର୍କକୁଣ୍ଡରେ ଫୁଟୁଥିବା ରକ୍ତ ଓ ପୂଜର ବୈତରଣୀ ତତକ୍ଷଣାତ୍ ଶୀତଳ, ନିର୍ମଳ, ସୁଗନ୍ଧିତ, ଚନ୍ଦନ ସରୋବରରେ ପରିଣତ ହୋଇଗଲା l ଯମଦୂତ ମାନଙ୍କ ହସ୍ତର କ୍ରୂରଲୁହା ମୁଦ୍ଗର ଓ ଚକମକ ଜଳୁ ଥିବା ଧାରୁଆ ଅସ୍ତ୍ର ସବୁ ରଙ୍ଗ ବେରଙ୍ଗ ଫୁଲରେ ପରିଣତ ହୋଇଗଲା l  ନର୍କରେ ମଳୟାଚଳର ଶୀତଳ ଓ ସୁଗନ୍ଧ ବାୟୁ ପ୍ରବାହିତ ହେବାକୁ ଲାଗିଲା l 

ସବୁଠାରୁ ଅଲୌକିକ କଥା ହେଲା ସେହି ଜଣେମାତ୍ର ଜୀବର ଶ୍ରୀରାଧାଙ୍କୁ ବ୍ୟାକୁଳ ପ୍ରାର୍ଥନାରୁ, ତା'ର ଆଖ ପାଖରେ ଥିବା, କୋଟି କୋଟି ଜୀବ ମଧ୍ୟ ନିଷ୍କାପ ହୋଇ ଗଲେ l ବୈକୁଣ୍ଠର ସେହି ବିମାନ  କେବଳ ରାଧା ନାମ ଜପ କରିଥିବା ସେହି ଏକ ମାତ୍ର ଜୀବକୁ ନୁହେଁ, ସବୁ ନର୍କ କୁଣ୍ଡରେ ପତିତ ସମସ୍ତ ମୁକ୍ତ ଜୀବଙ୍କୁ ଧରି, ଗୋଲୋକ ବୈକୁଣ୍ଠ ଅଭିମୁଖେ ପ୍ରସ୍ଥାନ କଲା l 

ସେହି ଅଲୌକିକ ଦୃଶ୍ୟ ଅବଲୋକନ କରି ଯମ ନିଜ ଆସନରୁ ଉଠିପଡ଼ି ଭକ୍ତି ଗଦଗଦ ଚିତ୍ତରେ ସ୍ତୁତି କରିବାକୁ ଲାଗିଲେ l ସେ ପ୍ରକୃତିସ୍ଥ ହୋଇ ନାରଦଙ୍କୁ କହିଲେ, ହେ ଦେବର୍ଷ ! ମୁଁ ଆପଣଙ୍କୁ ଆଉ କଅଣ କହିବି l ଆପଣ ତ ସାକ୍ଷାତ 'ରାଧା' ନାମର ମହିମା ଦର୍ଶନକଲେ l ଜୀବ ଯଦି 'କୃଷ୍ଣ' ନାମ ନିଏ, ଭଗବାନ ତା କର୍ମର ବିଚାର କରନ୍ତି l କିନ୍ତୁ କେହି ଯଦି ପରମ ଆଶ୍ରୟ 'ରାଧେ' ବୋଲି ଥରେ ମାତ୍ର ଆର୍ତ୍ତ ପୁକାର କରେ, ସେତେ ବେଳେ, ପ୍ରଭୁ ତା' ବିଚାରର ସମସ୍ତ ନିୟମ, ନଥି ଫିଙ୍ଗି ନିଜ ହାତରେ, ସେହି ଜୀବର ଉଦ୍ଧାରର ଦାୟିତ୍ୱ ନେଇ ଯାଆନ୍ତି l ରାଧାଙ୍କ ନାମ ସ୍ୱୟଂ ଶ୍ରୀହରିଙ୍କୁ ବନ୍ଧନରେ ପକାଇ ଦିଏ l ଏହି ନାମର ଶରଣରେ ଆସୁଥିବା ଜୀବମାନଙ୍କ ପାଇଁ ନର୍କରେ କୌଣସି ସ୍ଥାନ ନଥାଏ l 

ମୃତ୍ୟୁ ଲୋକରେ "ରାଧା" ନାମର ଅପୂର୍ବ ମହିମା ଅବଲୋକନକରି ଦେବର୍ଷି ଅତୀବ ହୃଷ୍ଟଚିତ୍ତରେ ବ୍ରହ୍ମ ଲୋକକୁ ପ୍ରସ୍ଥାନ କଲେ l ପ୍ରକୃତି ସ୍ୱରୂପିଣୀ ରାଧାରାଣୀ ହେଉଛନ୍ତି ମହାଭାବର ଠାକୁରାଣୀ l କଳିହତ ଜୀବ ଥରୁଟିଏ ରାଧା ଭାବରେ ଭାବିତ ହୋଇଗଲେ ଏହି ଭବସାଗରରୁ ନିଶ୍ଚୟ ଉଦ୍ଧାର ପାଇଯିବ ଏଥିରେ କୌଣସି ସନ୍ଦେହ ନାହିଁ l ଏହି ରାଧା ଭାବକୁ ପାଇଥିଲେ ଆମ ଉତ୍କଳର ମହାକବି ଜୟଦେବ, ଅତିବଡ଼ି ଜଗନ୍ନାଥ ଦାସ ଏବଂ ପ୍ରେମାବତାର ଶ୍ରୀ ଚୈତନ୍ୟ l ରାଧା ପ୍ରେମ ଭାବକୁ ବର୍ଣ୍ଣନାକରି ଚୈତନ୍ୟ ଚରିତାମୃତରେ ସଂକ୍ଷେପରେ କୁହା ଯାଇଛି :-

   ହ୍ଲାଦିନୀର ସାର ଅଂଶ ତାର ପ୍ରେମନାମ l

   ଆନନ୍ଦଚିନ୍ମୟଅଂଶ ପ୍ରେମେର ଆଖ୍ୟାନ ll

   ପ୍ରେମେର ପରମ ସାର, ମହାଭାବ ଜାନି l

   ସେହି ମହାଭାବରୁପା ରାଧା ଠାକୁରାନୀ ll

              !!! ଜୟ ଶ୍ରୀ ରାଧେ !!!

                    🙏🙏🙏

                        ଅର୍ଜୁନୀ 

               ----------------

ଅର୍ଜୁନୀ ଚରଣ ବେହେରା

ମୋ - ୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational