STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାମାୟଣରେ ଦୀପାବଳି

ରାମାୟଣରେ ଦୀପାବଳି

4 mins
3

           ରାମାୟଣରେ ଦୀପାବଳି
            =============
ଲଙ୍କାରେ ରାବଣ ନିଧନ ହେଲା l ରାକ୍ଷସ ପୁରରେ ବନ୍ଦିନୀ ମାଆ ଜାନକୀ ଉଦ୍ଧାର ହେଲେ l ଏପଟେ ପ୍ରଭୁ ଶ୍ରୀରାମଙ୍କ ଚଉଦ ବର୍ଷର ବନବାସ ଅବଧି ଶେଷହୋଇଗଲା, ବର୍ତ୍ତମାନ ପ୍ରଭୁ ଅଯୋଧ୍ୟାକୁ ଫେରି ଯିବେ l ଭାଇଙ୍କ ଆଗମନକୁ ନନ୍ଦୀଗ୍ରାମରେ ଭରତ ଉଦ୍ଗ୍ରୀବ ହୋଇ ଚାହିଁ ବସିଛନ୍ତି l ଶ୍ରୀରାମ ବିଭୀଷଣଙ୍କୁ କହିଲେ, ଚଉଦବର୍ଷ ହେଲା ଭ୍ରାତା ଭରତ ବହୁ ଦୁଃଖ ସହି ଅଯୋଧ୍ୟାକୁ ଶାସନ କରୁଛନ୍ତି l ତାଙ୍କୁ ଦେଖିବାକୁ ମୋ ମନରେ ପ୍ରବଳ ଉତ୍କଣ୍ଠା ଜାତ ହେଉଛି l ତୁମେ ଅତି ଶୀଘ୍ର ମୋର ଅଯୋଧ୍ୟା ଫେରି ଯିବାର ବ୍ୟବସ୍ଥା କର l ବିଭୀଷଣ ରାବଣର ପୁଷ୍ପକ ବିମାନଟି ଆଣି, ବହୁ ଅଳଙ୍କାର, ତଥା ସୁନ୍ଦର ପୁଷ୍ପରେ ସଜ୍ଜିତ କରିଦେଲେ l ସେହି ବିମାନରେ ଶ୍ରୀରାମ ଲକ୍ଷ୍ମଣ ସୀତା ବସିଲେ l ଅଯୋଧ୍ୟା ଯିବା ପାଇଁ ଆଗ୍ରହପ୍ରକାଶ କଲାରୁ  ସେମାନଙ୍କ ସହ ପୁଷ୍ପକ ବିମାନରେ ବସିଲେ ବିଭୀଷଣ, ସୁଗ୍ରୀବ,ହନୁମାନ ଓ ବାନର ବୀର ମାନେ l ବିମାନ ଅଯୋଧ୍ୟା ଅଭିମୁଖେ, ଉଡ଼ାଣ ଆରମ୍ଭ କଲା l ଉଡ଼ାଣ ପଥରେ, ଶ୍ରୀରାମ ଜାନକୀଙ୍କୁ ସେତୁବନ୍ଧ, କିଷ୍କିନ୍ଧ୍ୟା, ପମ୍ପାସର, ପୂତ ସଲୀଳା ଗୋଦାବରୀ, ୠଷି ଅଗସ୍ତ୍ୟଙ୍କ ଆଶ୍ରମ ଆଦି ଦେଖାଇ, ସେ ସବୁ ସ୍ଥାନରେ ଅତୀତରେ ଘଟି ଯାଇଥିବା ଘଟଣାବଳୀ ବର୍ଣ୍ଣନା କରିକରି ଚାଲିଲେ l ସୀତା ବାନର ପତ୍ନୀ ମାନଙ୍କୁ ସାଙ୍ଗରେ ନେବାକୁ ଇଚ୍ଛା କରନ୍ତେ ବିମାନ କିଷ୍କିନ୍ଧ୍ୟାରେ ଅବତରଣକରି ତାଙ୍କୁ ସାଥିରେ ଘେନି ପୁନଃ ଉଡ଼ାଣ କଲା l କିଛି ସମୟ ପରେ ଚିତ୍ରକୂଟ ନିକଟରେ ପହଞ୍ଚି ଯିବାରୁ ମନୋରମ ଅଯୋଧ୍ୟା ନଗରୀ ଓ ପୁଣ୍ୟ ସରଜୁ ନଦୀ ଦୃଶ୍ୟମାନ ହେଲା l ଶ୍ରୀରାମ ସୀତାଙ୍କୁ କହିଲେ ଆମେ କ୍ଷଣିକ ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିଯିବା l ସେଠାରେ ସେ ମାଆ ସୀତାଙ୍କୁ ଭରତଙ୍କ ପୂଣ୍ୟ ଚରିତ ଶୁଣାଇଲେ l ପ୍ରଭୁ ଶ୍ରୀରାମ ହନୁମାନଙ୍କୁ କହିଲେ,"ତୁମେ ଆଗେ ଅଯୋଧ୍ୟା ଯାତ୍ରା କରି ଭରତଙ୍କୁ ମୋର କୁଶଳବାର୍ତ୍ତା ଜଣାଇ ଦିଅ l ହନୁମାନ ଆଜ୍ଞା ପାଇ ନନ୍ଦିଗ୍ରାମରେ ପହଞ୍ଚି ଭରତଙ୍କୁ ସୁ ସମାଚାର ଜଣାଇ କହିଲେ, "ଆପଣଙ୍କ ଦୁଃଖର ଦିନ ଶେଷ ହୋଇଛି l ପ୍ରଭୁ ଶ୍ରୀରାମ, ମାଆ ସୀତା ଓ ଲକ୍ଷ୍ମଣଙ୍କ ସହ ଫେରି ଆସିଛନ୍ତି, ବର୍ତ୍ତମାନ ଚିତ୍ରକୁଟର ଋଷି ଭରଦ୍ୱାଜଙ୍କ ଆଶ୍ରମରେ ଅବସ୍ଥାନ କରୁଛନ୍ତି"l ହନୁମାନ ପ୍ରଭୁଙ୍କ ଚଉଦ ବର୍ଷ ବନ ବାସ କାହାଣୀ ଭରତଙ୍କୁ ବିସ୍ତୃତ ଭାବେ ବର୍ଣ୍ଣନାକରି କହିଲେ, ଆସନ୍ତା କାଲି ପୁଷ୍ୟା ନକ୍ଷତ୍ରରେ ପ୍ରଭୁ ଏଠାକୁ ଫେରି ଆସିବେ l ମହାମନା ଭରତ କୃତାଞ୍ଜଳୀ ହୋଇ ହନୁମାନଙ୍କୁ ପ୍ରଣାମ କରି କହିଲେ, ବହୁ ଦିନର ପ୍ରତୀକ୍ଷା ପରେ ଆଜି ମୋର ମନୋରଥ ପୂର୍ଣ୍ଣ ହୋଇଛି l
ଭରତ ଅଯୋଧ୍ୟାରେ ଶ୍ରୀରାମଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଶତ୍ରୁଘ୍ନଙ୍କୁ ସବୁ ଆୟୋଜନ କରିବା ନିମନ୍ତେ ନିର୍ଦ୍ଧେଶ ଦେଲେ l ରାଜପଥ, ଅଟ୍ଟାଳିକା ଓ ମନ୍ଦିର ମାନ ଅତି ସୁନ୍ଦରଭାବେ ସଜା ହେଲା l ପ୍ରଜାମାନେ ହର୍ଷ ଉଲ୍ଲାସରେ ନାଚି ଉଠିଲେ l ବ୍ରାହ୍ମଣ, ଅମାତ୍ୟ ଓ ଆଠ ଜଣ ମନ୍ତ୍ରୀଙ୍କ ସହ ସହସ୍ର ସହସ୍ର ସଂଖ୍ୟକ ଅଯୋଧ୍ୟାର ନାଗରିକ ଆସି ନନ୍ଦି ଗ୍ରାମରେ ପହଞ୍ଚିଲେ l ଦୁନ୍ଦୁଭି ନାଗରା ବାଜି ଉଠିଲା l ମାଗଧ ମାନଙ୍କ ସ୍ତୁତି ଗାୟନ ସହିତ ଭରତ ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ମସ୍ତକରେ ଧାରଣ କରି, ଶ୍ୱେତଛତ୍ର ଓ ଚାମର ଧାରଣ କରି ରାଜପ୍ରାସାଦ ଆଡ଼େ ଆଗକୁ ଚାଲିଲେ l ଏହି ସମୟରେ ନୀଳ ଆକାଶରେ ପୁଷ୍ପକ ବିମାନ ଦେଖା ଗଲା l ସମସ୍ତେ ମିଶି କୋଳାହଳ କରିବାକୁ ଲାଗିଲେ, "ରାମ ଆସିଗଲେ ! ରାମ ଆସିଗଲେ"l ପୁଷ୍ପକବିମାନ ଅବତରଣକରିବା ମାତ୍ରକେ ଭରତ ଯାଇ ଶ୍ରୀରାମଙ୍କୁ ପ୍ରଣାମ କଲେ l ଜାନକୀଙ୍କ ପାଦବନ୍ଦନା,ଲକ୍ଷ୍ମଣଙ୍କୁ ଅଭିନନ୍ଦନ, ବିଭୀଷଣ, ସୁଗ୍ରୀବ, ଜାମ୍ବବାନ ଓ ଅଙ୍ଗଦ ଆଦିଙ୍କୁ ଆଲିଙ୍ଗନ କଲେ l ଶ୍ରୀରାମ ଭରତଙ୍କୁ ଗାଢ଼ ଆଲିଙ୍ଗନ କରି ଛାତିରେ ଜଡ଼ାଇ ଧରିଲେ l ମାତାମାନଙ୍କୁ ଯାଇ ପ୍ରଣାମ କରି ପ୍ରଭୁ ନାଗରିକ ମାନଙ୍କ ଅଭିବାଦନ ଗ୍ରହଣ କଲେ l ଭରତ ପାଦୁକା ଦ୍ବୟକୁ ଅତ୍ୟନ୍ତ ଶ୍ରଦ୍ଧା ସହକାରେ ରାମଙ୍କୁ ପିନ୍ଧାଇ ଦେଇ କହିଲେ, ପ୍ରଭୁ ! ଆପଣ ଯେଉଁ ରାଜ୍ୟ ମୋତେ ଦେଇ ଥିଲେ ତାହା ମୁଁ ଆପଣଙ୍କୁ ଫେରାଇଦେଉଛି l ରାମଙ୍କ ଅଭିଷେକ ପାଇଁ ପ୍ରସ୍ତୁତି ଚାଲିଲା l ରାମଙ୍କ ଜଟା ଏବଂ ଶ୍ମଶ୍ରୁକୁ କ୍ଷୋର କରିବା ପାଇଁ ଶତ୍ରୁଘ୍ନଙ୍କ ଆଦେଶରେ ନାପିତମାନେ ଘେରିଗଲେ l ଜଟା ଓ ଶ୍ମଶ୍ରୁ ମୁକ୍ତ ହୋଇ ରାମ ସ୍ନାନ ଉପରାନ୍ତେ ଦେହରେ ଚନ୍ଦନ, ଅଗୁରୁ ଆଦି ଅଙ୍ଗରାଗ ମାନ ଘେନିଲେ l ସୁମିତ୍ରା ଏବଂ କୈକେୟୀ ସୀତାଙ୍କୁ ଭୂଷଣ କଲେ l ମାତା କୌଶଲ୍ୟା, ବାନର ପତ୍ନୀ ମାନଙ୍କୁ ଅଳଙ୍କୃତ କଲେ l ଶ୍ରୀରାମ ଏକ ସୁନ୍ଦର ରଥରେ ପ୍ରାସାଦ ଅଭିମୁଖେ ଯାତ୍ରା କଲେ l ରାସ୍ତାରେ ଶ୍ରୀରାମ ତାଙ୍କ ବନବାସ, ବାନର ମାନଙ୍କ ସହଯୋଗ, ସେତୁବନ୍ଧ, ରାବଣ ନିଧନ ଇତ୍ୟାଦି କାହାଣୀ ମାନ କହି ପ୍ରଜା ମାନଙ୍କୁ ଆନନ୍ଦିତ କରୁଥାନ୍ତି l ପ୍ରଭୁଙ୍କ ଅଭିଷେକ ପାଇଁ, ଭରତଙ୍କ ଅନୁରୋଧରେ ସୁଗ୍ରୀବ ଚାରି ସାଗରରୁ ଚାରୋଟି ଜଳ ପୂର୍ଣ୍ଣ ସ୍ବର୍ଣ୍ଣ ଘଟ ଆଣି ପହଞ୍ଚାଇ ଦେଲେ l ପାଞ୍ଚ ଶହ ନଦୀରୁ ପବିତ୍ର ଜଳ ସଂଗ୍ରହ ହୋଇ ଆସିଲା l ଶତ୍ରୁଘ୍ନ କୂଳ ଗୁରୁ ବଶିଷ୍ଠଙ୍କୁ ରାମଙ୍କ ଅଭିଷେକ ପାଇଁ ନିମନ୍ତ୍ରିତ କଲେ l ବଶିଷ୍ଠ ସୀତା ଓ ରାମଙ୍କୁ ଏକ ରତ୍ନମୟ ବେଦୀକା ଉପରେ ବସାଇ ବାମଦେବ, ଗୌତମ, ଜାବାଳି, କାଶ୍ୟପ ଆଦି ମୁନି ମାନଙ୍କ ମନ୍ତ୍ର ଉଚ୍ଚାରଣରେ ସୁଗନ୍ଧ ଜଳ ସିଞ୍ଚନ କରି ଅଭିଷେକ ସମାପ୍ତକଲେ l ପୂର୍ବେ ଇକ୍ଷାକୁ ବଂଶ ପାଇଁ, ବ୍ରହ୍ମାଙ୍କ ଦ୍ୱାରା ନିର୍ମିତ ରତ୍ନ କିରୀଟ ଶ୍ରୀରାମ ମସ୍ତକରେ ଧାରଣ କଲେ l ଶତ୍ରୁଘ୍ନ ଶ୍ୱେତଛତ୍ର ଧାରଣକଲେ l ସୁଗ୍ରୀବ ଆଲଟ ଚାମର ପକାଇଲେ l ବିଭୀଷଣ ପିନ୍ଧାଇ ଦେଲେ, ଶ୍ୱେତପଦ୍ମ ଯୁକ୍ତ କାଞ୍ଚନର ମାଳା l ଇନ୍ଦ୍ରଙ୍କ ପ୍ରଦତ୍ତ ଏକ ମୁକ୍ତାହାର ପବନ ଆଣି ଶ୍ରୀରାମଙ୍କ ଗଳାରେ ଲମ୍ବାଇ ଦେଲେ l ଏପରି ଅଯୋଧ୍ୟା ସିଂହାସନରେ ଶ୍ରୀରାମଙ୍କ ଅଭିଷେକ ସମାପ୍ତ ହେଲା l ରାମ ବ୍ରାହ୍ମଣ ମାନଙ୍କୁ ଶତ ସହସ୍ର ଅଶ୍ୱ, ଧେନୁ, ବୃକ୍ଷ ଓ ସ୍ବର୍ଣ୍ଣମୁଦ୍ରା ପ୍ରଦାନକଲେ l ସୁଗ୍ରୀବ ଅଙ୍ଗଦ ତଥା ଅନ୍ୟ ବାନର ବୀର ମାନଙ୍କୁ ସୁବର୍ଣ୍ଣ ଓ ରତ୍ନ ହାର ମାନ ଉପହାର ଦିଆଗଲା l ଜାନକୀ ହନୁମାନଙ୍କୁ ନିଜ ଗଳାରୁ କାଢ଼ି, ଏକ ସୁନ୍ଦର ମୂଲ୍ୟବାନ ହାର ପିନ୍ଧାଇ ଦେଲେ l ରାମ ଅଭିଷେକ ସମାପନାନ୍ତେ ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ ଓ ବିଭୀଷଣ ବିଦାୟ ନେଇ ଚାଲିଗଲେ l ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ତୁମେ ରାଜ୍ୟଶାସନ ପାଇଁ ଯୁବରାଜ ପଦ ଗ୍ରହଣ କର l ଲକ୍ଷ୍ମଣ ବିନମ୍ର ହୋଇ ତାହା ଗ୍ରହଣ କଲେ ନାହିଁ l ଏଣୁ ଶ୍ରୀରାମ ଭରତଙ୍କୁ ଯୁବରାଜପଦରେ ଅଭିଷିକ୍ତକଲେ l ଶ୍ରୀରାମ ଅଶ୍ୱମେଧ, ବାଜପେୟ ଆଦି ବହୁ ଯଜ୍ଞକରି ଦୀର୍ଘକାଳ ପର୍ଯ୍ୟନ୍ତ ଶାସନ କଲେ l ରାମ ରାଜ୍ୟରେ ନଥିଲା କୌଣସି ଦୈନ୍ୟ ଦୁଃଖ, ଅସାଧୁତା, ହିଂସା, କପଟାଚାର କିମ୍ବା ଅନ୍ୟାୟ ଓ ଅନାଚାର l ସୁଖଶାନ୍ତି, ସନ୍ତୋଷ ଓ ଆନନ୍ଦ ସର୍ବତ୍ର ବିରାଜମାନ କରୁଥିଲା ଓ ସମସ୍ତ ଜଗତ ହୋଇଯାଇ ଥିଲା ରାମମୟ l ରାମରାଜ୍ୟର ସୁଖ ବର୍ଣ୍ଣନା କରି ଶ୍ରୀମଦ ଭାଗବତ, ଶ୍ରୀରାମ ଚରିତରେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଲେଖିଲେ :- ରାମଙ୍କୁ ପାଇ ପ୍ରଜାଜନେ l ସକଳ ହରଷିତ ମନେ ll ପିତାକୁ ପାଇ ପୁତ୍ର ଯେହ୍ନେ l ଆନନ୍ଦେ ହରଷ ବଦନେ ll ତ୍ରେତୟା ବର୍ତ୍ତମାନ କାଳେ l ଯେସନେ ସତ୍ୟଯୁଗ ମିଳେ ll
ତ୍ରେତାଯୁଗର ସେହି ଆନନ୍ଦମୟ ମୁହୂର୍ତ୍ତ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନରେ ଆଯୋଧ୍ୟାର ନାଗରିକ ମାନେ ଅତ୍ୟନ୍ତ ଉଲ୍ଲସିତ ହୋଇପଡ଼ିଥିଲେ l ଘରେ ଘରେ ସୁବର୍ଣ୍ଣ ଘଟ ସ୍ଥାପନ କରି ସେମାନେ ସମସ୍ତ ଆଯୋଧ୍ୟା ନଗରୀକୁ ଆଲୋକ ମାଳାରେ ସଜାଇ ଶ୍ରୀରାମଙ୍କୁ ସ୍ବାଗତ କରିଥିଲେ l ତ୍ରେତୟା ଯୁଗର ସେହି ଉଲ୍ଲାସ ଓ ଆନନ୍ଦ ମୟ ଉତ୍ସବ ଅଦ୍ୟାବଧି ପାଳନ ହୋଇ ଆସୁଛି ଦୀପାବଳି ରୂପରେ l
               🙏🙏🙏
                  ଅର୍ଜୁନୀ 
                ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational