ଦେବୀ ଦୁର୍ଗାଙ୍କ ପୂଜାରେ ପବିତ୍ର ବେଲ ବୃକ୍ଷର ମହତ୍ତ୍ୱ
ଦେବୀ ଦୁର୍ଗାଙ୍କ ପୂଜାରେ ପବିତ୍ର ବେଲ ବୃକ୍ଷର ମହତ୍ତ୍ୱ
ଦେବୀ ଦୁର୍ଗାଙ୍କ ପୂଜାରେ ପବିତ୍ର ବେଲ ବୃକ୍ଷର ମହତ୍ତ୍ୱ
================
ଆମ ହିନ୍ଦୁ ପରମ୍ପରାରେ ବେଲବୃକ୍ଷକୁ ଏକ ପବିତ୍ର ବୃକ୍ଷର ମାନ୍ୟତା ଦିଆ ଯାଇଛି l ଏହି ବୃକ୍ଷର ବହୁ ଔଷଧୀୟ ଗୁଣ ରହିଛି l ଏହା ଉଭୟ ମହାଦେବ ଓ ଦୁର୍ଗାଙ୍କ ପାଇଁ ଅତ୍ୟନ୍ତ ପବିତ୍ର l ତ୍ରିଶାଖା ବେଲ ପତ୍ର ଦେବ ଦେବ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ l ଦୂର୍ଗାପୂଜା ଆସିଲେ ପବିତ୍ର ବେଲ ବୃକ୍ଷର ମହତ୍ତ୍ଵ ବହୁ ଗୁଣିତ ହୋଇ ଯାଏ l
ପୌରାଣିକ କଥା ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ରାବଣ ସହ ଯୁଦ୍ଧ ପୂର୍ବରୁ ବ୍ରହ୍ମାଙ୍କ ଉପଦେଶରେ ଶକ୍ତି ହାସଲ ପାଇଁ ମାଆ ଦୁର୍ଗାଙ୍କୁ ଆବାହନ କରିଥିଲେ l ସେ ସମୟ ଥିଲା ଶରତ କାଳ l ଏହା ସବୁ ଦେବାଦେବୀଙ୍କ ଶୟନକାଳ l ବିଧି ଅନୁଯାୟୀ, କୌଣସି ଦେବା ଦେବୀଙ୍କୁ ଏହି ସମୟରେ ଆବାହନ କରାଯାଇ ନଥାଏ l ସେହି ଅକାଳରେ ପ୍ରଭୁ ଶ୍ରୀରାମ ଦୁର୍ଗାଙ୍କ ଆବାହନ କରି ଥିବାରୁ ଏହାକୁ ଅକାଳବୋଧନ କୁହାଯାଏ l
ଶରତ କାଳର ସେହି ଅକାଳ ସମୟରେ ନିଦ୍ରାରୁ ଦେବୀ ଦୁର୍ଗାଙ୍କୁ ଜାଗ୍ରତ କରାଇବା ପାଇଁ ବ୍ରହ୍ମାଙ୍କୁ ଏକ ସ୍ୱତନ୍ତ୍ର ମନ୍ତ୍ରରେ ମାଆଙ୍କୁ ଆବାହନ କରିବା ପାଇଁ ପଡ଼ିଥିଲା l ବ୍ରହ୍ମା ମାଆଙ୍କ ସେହି ଆବାହନ ପୂଜା ସାରିଲା ପରେ ଦେଖାଗଲା ମା' ଦୁର୍ଗା ଏକ କୁମାରୀକନ୍ୟା ରୂପରେ ଏକ ବେଲବୃକ୍ଷ ମୂଳରେ ଶୟନ କରିଛନ୍ତି l ତାଙ୍କର ସୁବର୍ଣ୍ଣମୟ ରୂପକାନ୍ତି ଦେଖି, ସମସ୍ତ ଦେବଗଣଙ୍କ ସମେତ ବ୍ରହ୍ମା ଜାଣି ଗଲେ ଯେ, ସେ ଆଦ୍ୟାଶକ୍ତି ମହାମାୟାଙ୍କ ଛଡ଼ା ଆଉ କେହି ନୁହଁନ୍ତି l ଚିହ୍ନିପାରି ଭକ୍ତି ଭରେ ବ୍ରହ୍ମା ମାଆଙ୍କୁ ପ୍ରଣାମ କଲେ l ସେହିଦିନ ଠାରୁ ବେଲ ବୃକ୍ଷ ମହାମାୟା ମା ଦୁର୍ଗାଙ୍କ ନିବାସସ୍ଥଳୀ ରୂପେ ପରିଗଣିତ ହେଲା l
ବେଲବୃକ୍ଷ ଅତ୍ୟନ୍ତ ପବିତ୍ର, ଏହା ଭକ୍ତି ଓ ଶକ୍ତିର ପ୍ରତୀକ l ପୌରାଣିକ ମାନ୍ୟତା ଅନୁସାରେ ବିଲ୍ୱ ବୃକ୍ଷର ପତ୍ରରେ ପାର୍ବତୀ, ଫଳରେ କାତ୍ୟାୟନୀ ଫୁଲରେ ଗୌରୀ ଏବଂ ମୂଳରେ ଦେବୀ ଗିରିଜା ବାସ କରନ୍ତି l ତ୍ରିଶାଖା ବେଲପତ୍ର ମହାଦେବଙ୍କ ତ୍ରିଶୂଳର ପ୍ରତୀକ l ଏହାକୁ ବ୍ରହ୍ମା ବିଷ୍ଣୁ ଓ ଶିବଙ୍କ ପ୍ରତୀକ ବୋଲି ମଧ୍ୟ ମାନ୍ୟ କରାଯାଏ l ଦୁର୍ଗାଙ୍କ ପୂଜାରେ ବିଲ୍ୱ ବୃକ୍ଷକୁ ତିନି ମହାଶକ୍ତି ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀଙ୍କ ସମାହାର ଶକ୍ତି ରୂପେ ଗଣ୍ୟ କରାଯାଏ l ଶିବପୁରାଣ ଅନୁସାରେ ଶିବଙ୍କୁ ଗୋଟିଏ ମାତ୍ର ବେଲ ପତ୍ର ଅର୍ପଣ କଲେ, ସମସ୍ତ ପାପର ଖଣ୍ଡନ ହୋଇଥାଏ l ଶିବଙ୍କ ଶକ୍ତି ମାଆ ଦୁର୍ଗା ହୋଇଥିବାରୁ ଏହା ମଧ୍ୟ ତାଙ୍କ ପାଇଁ ପ୍ରଯୁଜ୍ୟ l
ବିଲ୍ୱ ବୃକ୍ଷର ଉତ୍ପତ୍ତି ସମ୍ବନ୍ଧରେ ଏକ ପୌରାଣିକ କଥା ଅଛି l ଥରେ ଶିବ ପାର୍ବତୀ ବ୍ରହ୍ମାଣ୍ଡ ଭ୍ରମଣ କରୁଥିବା ବେଳେ ଖୁବ୍ କ୍ଳାନ୍ତ ହୋଇ ମନ୍ଦରାଚଳ ଉପରେ ବସିପଡ଼ିଲେ l ଏହି ସମୟରେ ପାର୍ବତୀ ତାଙ୍କ କପାଳରୁ ବୋହି ପଡୁଥିବା ସ୍ଵେଦ ବାରିକୁ ପୋଛି ଦେଲେ l ସେଥିରୁ କେତେ ବୁନ୍ଦା ମନ୍ଦର ପର୍ବତ ଉପରେ ପଡ଼ିଲା ଓ ସେଥିରୁ ଏକ ସୁନ୍ଦର ବେଲ ବୃକ୍ଷ ଜନ୍ମ ନେଲା l ପୁଣି ଅନ୍ୟ କେତେକ କଥାରେ ଏହା ମହାଲକ୍ଷ୍ମୀଙ୍କ ସ୍ୱେଦବାରିରୁ ଜାତ ବୋଲି କୁହା ଯାଇଛି l
ବେଲ ବୃକ୍ଷ ଏହିପରି ଏକ ପବିତ୍ର ବୃକ୍ଷ ଓ ସ୍ୱୟଂ ମା' ଦୁର୍ଗାଙ୍କ ବାସ ସ୍ଥାନ ହୋଇ ଥିବାରୁ ମାଆଙ୍କ ପୂଜାର ପ୍ରାରମ୍ଭ ହୋଇଥାଏ, "ବିଲ୍ଵାଧିବାସ" ବା ବେଲ ବରଣରୁ l ଷଷ୍ଠୀତିଥିରେ ଏହି ବିଲ୍ୱବରଣ ବା ବିଲ୍ଵାଧିବାସ ବିଧି ପାଳନ କରା ଯାଏ l ଷଷ୍ଠୀ ଦିନ ସନ୍ଧ୍ୟାରେ ପୂଜକ ଏକ ବେଲ ଗଛକୁ ଯାଇ ପୂଜାର୍ଚ୍ଚନା କରି ବରଣ କରନ୍ତି ଓ ମାଆ ଦୁର୍ଗାଙ୍କୁ ଜାଗ୍ରତ କରି ପୂଜାମଣ୍ଡପକୁ ଆସିବାକୁ ନିମନ୍ତ୍ରଣ କରି ଥାନ୍ତି। ଏହି ବିଧିରେ ଧୂପ ଦୀପ ନୈବେଦ୍ୟ ସହ, ପ୍ରାୟ ଛବିଶ ଗୋଟି ମାଙ୍ଗଳିକ ସାମଗ୍ରୀର ଆବଶ୍ୟକତା ହୋଇଥାଏ l ନକାରାତ୍ମକ ଶକ୍ତିରୁ ରକ୍ଷା ପାଇବା ପାଇଁ ଏହି ସମୟରେ ବେଲଗଛ ତଥା ପୂଜା ସ୍ଥଳୀରେ ନାଲି ରଙ୍ଗର ପବିତ୍ର ସୂତା ରକ୍ଷାସୂତ୍ ଭାବେ ବନ୍ଧାଯାଇଥାଏ l ବିଲ୍ୱାଧିବାସ ବିଧି ସମ୍ପନ୍ନହେବା ପରେ ସପ୍ତମୀ ତିଥିରେ ପୂଜା ମଣ୍ଡପରେ ନବ ପତ୍ରିକା ପୂଜନ ହୋଇ ମା'ଙ୍କର ମହାସ୍ନାନ ଓ ପ୍ରାଣପ୍ରତିଷ୍ଠା କରାଯାଇ ମହାପୂଜା ଆରମ୍ଭହୁଏ । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା ହୁଏ l ଦଶମୀରେ ମାଆଙ୍କ ଅପରାଜିତା ପୂଜନ ହୋଇ ପୂଜା ଉଦଯାପନ ହୋଇଥାଏ l
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
