STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବୃନ୍ଦାବନରେ ଶରତ ଋତୁ 

ବୃନ୍ଦାବନରେ ଶରତ ଋତୁ 

3 mins
3

       ବୃନ୍ଦାବନରେ ଶରତ ଋତୁ 

         ==============

ବୃନ୍ଦାବନରେ ପ୍ରବେଶ କରିଛି,ମନୋହର ଶରତ ୠତୁ l ବନଭୂମି ଅପୂର୍ଵ ଶୋଭା ବିମଣ୍ଡିତ l ନଦୀ, ପୁଷ୍କରିଣୀ ଜଳ ନିର୍ମଳ ହୋଇ ସେଥିରେ ପ୍ରସ୍ଫୁଟିତ  ହୋଇଛି ରକ୍ତ,ଶ୍ୱେତ,ନୀଳ କୁମୁଦ ଓ କଇଁ ଫୁଲ l

ଯମୁନା ଜଳ ନିର୍ମଳ ଓ ତହିଁରେ ମଧୁର କ୍ରୀଡ଼ା ରତ ମୀନମାନେ l ମନ୍ଦ ମନ୍ଦ ପ୍ରବାହିତ ହେଉଛି ମଳୟ ମାରୁତ l ପକ୍ଷୀ ମାନଙ୍କ କଳ କୁଜନରେ ବନଭୂମି ମୁଖରିତ ହେଉଛି l ବ୍ରଜସୁନ୍ଦର ଶ୍ରୀକୃଷ୍ଣ ଭାଇ ବଳରାମ ଓ ସଖା ଗୋପାଳ ବାଳକମାନଙ୍କ ସହ ଗାଈ ଚରାଉଚରାଉ ନିଜ ଅପୂର୍ଵ ବଂଶୀଟି ହସ୍ତରେ ଧରି ବଜାଇବାକୁ ଲାଗିଲେ l ସେହି ମନ ମୋହକ, ଚିତ୍ତ ବଶକାରୀ ବଂଶୀସ୍ଵନ ଶୁଣି ଗୋପୀ ମାନଙ୍କ ହୃଦୟ ପ୍ରେମରେ ପରିପୂର୍ଣ୍ଣ ହୋଇଗଲା l ଅତିବଡ଼ି ଜଗନ୍ନାଥ ଦାସଙ୍କ ବର୍ଣ୍ଣନା ଅନୁସାରେ :-

         ବନେ ବୁଲନ୍ତି ନନ୍ଦବାଳ l

         ପ୍ରବେଶ ଶରଦର କାଳ ll

         ଶୁକଳମେଘ ଶୂନ୍ୟେ ଦିଶି l

         ସଧିରେ ପବନ ପ୍ରକାଶି ll

ବଂଶୀସ୍ଵନ ଶୁଣିବାକ୍ଷଣି ସେମାନଙ୍କର ଶ୍ରୀକୃଷ୍ଣଙ୍କ ପ୍ରେମ ପୂର୍ଣ୍ଣ କଥା, ତାଙ୍କ କଟାକ୍ଷ, ତାଙ୍କ ସୁମଧୁର  ମୃଦୁହସ କଥା ମନେ ପଡ଼ିଗଲା l ସେମାନେ ବସି ସଖୀ ମାନଙ୍କ ସହ ଶ୍ରୀକୃଷ୍ଣଙ୍କ ରୂପ, ଗୁଣ, ଲୀଳା ବିଷୟକ କଥାସବୁ କୁହାକୁହି ହେବାକୁ ଲାଗିଲେ l  ସେମାନଙ୍କ ମାନସ ପଟରେ ଭଗବାନଙ୍କ ସହିତ  ମିଳନହେବା ଉତ୍କଣ୍ଠା ଆହୁରି ବଢ଼ିଗଲା l ତାଙ୍କର ମନ ଆଉ ନିଜ ଆୟତ୍ତରେ ରହିଲା ନାହିଁ l ମନେ ମନେ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚି ଗଲେ l ତାଙ୍କ ମୁଖରୁ ଆଉ ବାଣୀ ସ୍ଫୁରିଲା ନାହିଁ l ମାନସ ନେତ୍ରରେ ସେମାନେ ଦେଖିଲେ, ଶ୍ରୀକୃଷ୍ଣ ଗୋପ ବାଳକ ମାନଙ୍କ ସହ ବୃନ୍ଦାବନ ମଧ୍ୟରେ ପ୍ରବେଶ କରୁଛନ୍ତି l ତାଙ୍କ ଶିର ଶୋଭିତ  ମୟୁର ପୁଛରେ ଓ କର୍ଣ୍ଣରେ କନିଅରପୁଷ୍ପ ଶୋଭା ପାଉଛି l କଟି ତଟରେ ତାଙ୍କର ପିତାମ୍ବରୀ ପାଟ  ଗଳାରେ ଲମ୍ବିଛି ପାଞ୍ଚ ପୁଷ୍ପର ବୈଜୟନ୍ତୀ ମାଳ l ଆହା କିସୁନ୍ଦର ସେ ମୋହନବେଶ ! ବଂଶୀ ରନ୍ଦ୍ର ଗୁଡ଼ିକ ତାଙ୍କ ଅଧରାମୃତ ପାନକରୁଛନ୍ତି l ବୈକୁଣ୍ଠ ଠାରୁ ମଧ୍ୟ ଶ୍ରେଷ୍ଠ ସେହି ବୃନ୍ଦାରଣ୍ୟରେ ଅଙ୍କିତ ହୋଇଛି ତାଙ୍କ ଚରଣର ଚିହ୍ନ l ଚେତନ ଜଡ଼ ସମସ୍ତଙ୍କ ମନ ଚୋରାଇ ନେଉଥିବା ତାଙ୍କର ସେ ବଂଶୀସ୍ଵନ ଶୁଣି ଗୋପୀମାନେ ତାଙ୍କ ଭିତରେ କଥା ହେଉଥିବାବେଳେ ଏତେ ତନ୍ମୟ ହୋଇଗଲେ ଯେ, ସେମାନେ କୃଷ୍ଣଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଅନୁଭବ କରି, ତାଙ୍କୁ ଆଲିଙ୍ଗନ କରିବାକୁ ଲାଗିଲେ l

ଗୋପୀମାନେ କହିଲେ ଏହି ବେଣୁ ପୂର୍ବ ଜନ୍ମରେ ବହୁ ପୁଣ୍ୟ କରି ଥିଲା, ବହୁ ସାଧନ ଭଜନ କରି ଥିଲା ଯାହା ଫଳରେ ସେ ଏ ଜନ୍ମରେ ଶ୍ରୀକୃଷ୍ଣଙ୍କ ଅଧରାମୃତ ପାନ କରୁଛି l ଆରେ ଏ ବଂଶୀଟା ତ ଆମର ସମ୍ପତ୍ତି ହରଣ କରି ନେଉଛି l ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵନ ଶୁଣି ମୟୁର ମାନେ ନୃତ୍ୟ କରିବାକୁ ଆରମ୍ଭ କରି ଦେଇଛନ୍ତି,ସବୁ ଗାଈ ଗୋରୁମାନେ ମୁଖରେ ଘାସ ଧରି ଚିତ୍ର ବତ ଛିଡ଼ା ହୋଇଛନ୍ତି l ହରିଣୀମାନେ ତାଙ୍କ କୃଷ୍ଣସାର ମୃଗ ପତି ମାନଙ୍କୁ ଧରି ସେଠାକୁ ଚାଲି ଆସି ମୁଗ୍ଧ ନେତ୍ରରେ କୃଷ୍ଣଙ୍କୁ ଚାହିଁ ରହିଛନ୍ତି l ସେମାନଙ୍କ ଜୀବନ ଧନ୍ୟ, କିନ୍ତୁ ଆମେ ବୃନ୍ଦାବନର ଗୋପୀ ହୋଇ ମଧ୍ୟ ଆମର ସ୍ୱାମୀ ମାନେ ଆମକୁ ଜଗି ରହିଛନ୍ତି l ଏ ହରିଣୀ ମାନଙ୍କ କଥା ଛାଡ଼, ସ୍ୱର୍ଗର ଦେବତା ମାନେ ମଧ୍ୟ ଏ ବଂଶୀ ମୂର୍ଚ୍ଛନାରେ ମୂର୍ଛିତହୋଇ ଯାଉଛନ୍ତି l ପକ୍ଷୀମାନେ ବୃକ୍ଷ ଡାଳରେ ବସି ଚକ୍ଷୁ ବନ୍ଦ କରି ସେହି ଧ୍ୱନୀ ଶୁଣୁଛନ୍ତି,ବ୍ରଜରାଜଙ୍କୁ କାଳେ ଗ୍ରୀଷ୍ମ ତାପରେ କଷ୍ଟ ଲାଗିବ, ସେଥିପାଇଁ ମେଘମାନେ ମଧ୍ୟ ଅମ୍ବର ଢାଙ୍କି ଦେଇ ଛାୟା କରି ଦେଇଛନ୍ତି l ବୃନ୍ଦାବନର ଶବରୀମାନେ ବି ଧନ୍ୟ, ସେମାନେ କୃଷ୍ଣଙ୍କ ଚରଣ ରେଣୁ ବୋଳି ହୋଇ ନିଜର କାମ ପୀଡ଼ାକୁ ଦୂର କରୁଛନ୍ତି l ନିଜ ବଂଶରେ ଭଗବତ ପ୍ରେମୀ ସନ୍ତାନ ଜନ୍ମ ହେଲେ ସମସ୍ତେ ଯେପରି ଆନନ୍ଦିତ ହୁଅନ୍ତି, ଯେଉଁ ବାଉଁଶବୁଦାର ବାଉଁଶରୁ ଶ୍ରୀକୃଷ୍ଣଙ୍କ ଏହି ବଂଶୀଟା ତିଆରି ହୋଇଛି, ସେ ବୃକ୍ଷକୁଳ କିପରି ଆନନ୍ଦିତ ହେଉଛନ୍ତି ଦେଖୁନା, ସଖି l ଏ ବୃନ୍ଦାବନ ମଧ୍ୟ ଧନ୍ୟ l ଏହା ବୈକୁଣ୍ଠ ପର୍ଯ୍ୟନ୍ତ ନିଜର କିର୍ତ୍ତୀ ବିସ୍ତାରିତ କରି ଦେଇଛି l   

  ଏହିପରି ଶ୍ରୀକୃଷ୍ଣଙ୍କ ମୋହନ ବଂଶୀ ସ୍ଵନ ଶୁଣି ଜୀବ, ଜଡ଼ ସଭିଏଁ ତନ୍ମୟ ହୋଇ ଯାଉ ଥିଲେ l ଗୋପୀମାନେ ପୂର୍ଣ୍ଣ ପ୍ରାଣରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ହୋଇ ଯାଇଥିଲେ l ଏହାର କିଛି କାଳ ପରେ ବୃନ୍ଦାବନରେ ସଙ୍ଘଟିତ ହୋଇଥିଲା ଦିବ୍ୟ ରସମୟ ରାସ କ୍ରୀଡ଼ା l ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟରେ ଏହି ବର୍ଣ୍ଣନ ବେଣୁଗୀତ ନାମରେ ବିଦିତ,"ବେଣୁମୁଦ୍ଦିଶ୍ୟ ଗୋପୀଭିର୍ଗୀତଂ ଇତି ବେଣୁ ଗୀତମ୍ "l ଶ୍ରୀମଦ ଭାଗବତର ଏହି ଉପାଖ୍ୟାନକୁ ଉଦ୍ଦିଷ୍ଟ କରି ଭକ୍ତକବି ସାଲବେଗ ଲେଖିଛନ୍ତି :-

       ବୃନ୍ଦାବନେ ବଂଶୀ କେ ବଜାଇଲା,

       ଏକା ରାଧା ରାଧା ନାମ ରାଇଲା ll

             ଛିଡ଼ିଲା ସେ ଛିଦ୍ର ଗଣ୍ଠି

              ନୀବିବନ୍ଧ ଗଲା ଫିଟି,

        ବସନ ପିନ୍ଧନ୍ତେ ତର ନୋହିଲା ll

               !!! ଜୟ ଶ୍ରୀକୃଷ୍ଣ !!!

                    🙏🙏🙏

                        ଅର୍ଜୁନୀ 

                    ----------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational