ଗଦାର ନାମ କୌମୋଦକୀ
ଗଦାର ନାମ କୌମୋଦକୀ
ଗଦାର ନାମ କୌମୋଦକୀ
===============
ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ହେଉଛନ୍ତି, ଭଗବାନ ବିଷ୍ଣୁଙ୍କର ଚାରିଗୋଟି ଆୟୁଧ l ସେମାନଙ୍କ ନାମ ଯଥାକ୍ରମେ, ପାଞ୍ଚଜନ୍ୟ, ସୁଦର୍ଶନ, କୌମୋଦକୀ
ଓ ଦୃଢ଼ଶ୍ରବା l ଭଗବାନଙ୍କ ଏହି ଆୟୁଧମାନଙ୍କ ସମ୍ବନ୍ଧରେ ବିଭିନ୍ନ ପୌରାଣିକ କାହାଣୀମାନ ରହିଛି l ଆସନ୍ତୁ ଜାଣିବା ଶ୍ରୀବିଷ୍ଣୁଙ୍କ ମହାଶକ୍ତିଶାଳୀ ଗଦା
କୌମୋଦକୀ ବିଷୟରେ l
କୌମୋଦକୀ, ଏହି ଶବ୍ଦର ଉତ୍ପତ୍ତି କୁମୁଦ ଶବ୍ଦରୁ ହୋଇଛି । କୁମୁଦ କଇଁ ଫୁଲକୁ ବୁଝାଏ। କଇଁ ଓ ଚନ୍ଦ୍ରଙ୍କର ପ୍ରୀତି ଅଭେଦ। ସେଥି ପାଇଁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ପ୍ରେମ ସୁଧାନିଧି କାବ୍ୟରେ କହିଛନ୍ତି,
କେତେ ଦୂରେ ଚନ୍ଦ୍ର କେତେଦୂରେ କୁମୁଦିନୀ
ପ୍ରିତି ଅଭେଦ ତାଙ୍କର,
ଯେତେଦୂରେ ଥିଲେ ଯେ ଯାହାର ସେ ତାହାର । ଆକାଶରେ ଚନ୍ଦ୍ରମା ଉଦିତ ହେଲେ, ପୃଥିବୀରେ କୁମୁଦ ତାର ପାଖୁଡ଼ା ମେଲେଇ ବିକଶିତ ହୋଇଥାଏ। ଏଥିପାଇଁ ଚନ୍ଦ୍ରର ଜ୍ୟୋତ୍ସନାକୁ କୌମୁଦୀ କୁହାଯାଏ। କୌମୁଦୀ ଦ୍ୱାରା, ପୃଥିବୀରେ ଆନନ୍ଦ ପ୍ରସରିତ ହୋଇଥାଏ।
ଗଦା ମହାଶକ୍ତିର ପ୍ରତୀକ। ତେଣୁ ଏହାକୁ ଭୀମ, ଦୂର୍ଯ୍ୟୋଧନ, ବଳରାମ, ହନୁମାନ, ଦେବୀ ଦୁର୍ଗା ଏବଂ ରାକ୍ଷସମାନେ ଧାରଣ କରି ଥିବାର ଦେଖା ଯାଏ। ପ୍ରଭୁ ବଳରାମ ହେଉଛନ୍ତି ଗଦା ଯୁଦ୍ଧରେ ପ୍ରବୀଣ ଓ ଗୁରୁ। ମହାଭାରତ ଅନୁଯାୟୀ ପ୍ରଭୁ ବଳରାମ ଥିଲେ ଭୀମ ଓ ଦୂର୍ଯୋଧନଙ୍କ ଗୁରୁ। କିନ୍ତୁ ବିଷ୍ଣୁଙ୍କ ଗଦା ଆନନ୍ଦର ପ୍ରତୀକ। ବୈଷ୍ଣବ ମାନେ ଏହାକୁ ଜ୍ଞାନର ଶକ୍ତି ଭାବେ ବର୍ଣ୍ଣନା କରି ଥାନ୍ତି। ବିଷ୍ଣୁଙ୍କ ଗଦାକୁ ‘ବିଷ୍ଣୁ ଧର୍ମୋତ୍ତର ପୁରାଣ’, ସୌନ୍ଦର୍ଯ୍ୟର ଏବଂ ଧନର ପ୍ରତୀକ ଭାବେ ବର୍ଣ୍ଣନା କରନ୍ତି। କିନ୍ତୁ ‘ବିଷ୍ଣୁପୁରାଣ’ ଏହାକୁ ମହାକାଳୀ ବୋଲି ବର୍ଣ୍ଣନା କରିଛନ୍ତି ଅର୍ଥାତ୍ ଏହା ଅଧର୍ମର ବିନାଶ ନିମନ୍ତେ ଉଦ୍ଦିଷ୍ଟ। ସେଇଥି ପାଇଁ ଆମ ଭାରତୀୟ ଭାସ୍କର୍ଯ୍ୟରେ କେତେକ ବିଷ୍ଣୁଙ୍କ ମୂର୍ତ୍ତିରେ ଗଦା ଏକ ନାରୀମୂର୍ତ୍ତି ଭାବେ ଦେଖାଯାଏ, ଯାହାଙ୍କୁ ଗଦାଦେବୀ ବୋଲି ଆଖ୍ୟାୟିତ କରାଯାଏ ।
କୌମୋଦକୀ ଗଦାର ଜନ୍ମ ସଂପର୍କରେ ଏକ ସୁନ୍ଦର ପୌରାଣିକ କାହାଣୀ ରହି ଛି। ବହୁ ପ୍ରାଚୀନ କାଳରେ ଏକ ରାକ୍ଷସ ଥିଲା ଯାହାର ନାମ ଗଦା। ସେ ପ୍ରାଣୀମାନଙ୍କର ବହୁତ କ୍ଷତି କରୁଥିଲା ଏବଂ ସମସ୍ତଙ୍କୁ ଭୟଭୀତ କରି ରଖୁଥିଲା। କିନ୍ତୁ ସେହି ରାକ୍ଷସର ଏକ ଭଲ ଗୁଣ ଥିଲା, କେହି ଯଦି ତାକୁ କିଛି ଦେବା ପାଇଁ ଅନୁରୋଧ କରୁଥିଲେ, ଯେତେ ଅସାଧ୍ୟ ହେଉ ପଛକେ, ସେ ତାହା ଦେବାକୁ କୁଣ୍ଠା ବୋଧ କରୁ ନଥିଲା।
ତାର ଅତ୍ୟାଚାର ବହୁମାତ୍ରାରେ ବଢ଼ି ଯାଇଥିଲା। ଏଣୁ ସେହି ରାକ୍ଷସର ସଂହାର ପାଇଁ ବିଷ୍ଣୁ ଦିନେ ଏକ ବ୍ରାହ୍ମଣ ବେଶରେ ତା' ନିକଟକୁ ଯାଇ ତାକୁ ତା'ର ଅସ୍ଥି ମାଗିଲେ । ରାକ୍ଷସ ଖୁବ୍ ଖୁସି ହୋଇ ଯୋଗ ବଳରେ, ନିଜ ଶରୀରର ସମସ୍ତ ମାଂସକୁ ଅସ୍ଥିରୁ ଅଲଗା କରିଦେଇ, ବ୍ରାହ୍ମଣଙ୍କୁ ଅସ୍ଥି ଦାନ କଲା। ବିଷ୍ଣୁ ସେହି ରାକ୍ଷସର ଅସ୍ଥିରୁ, ବିଶ୍ୱକର୍ମାଙ୍କ ଦ୍ୱାରା ଗଦା ନିର୍ମାଣ କଲେ। ସେହି ରାକ୍ଷସ ଅତ୍ୟାଚାରୀ ଥିଲେ ମଧ୍ୟ ନିଜ ମୃତ୍ୟୁକୁ ଖାତର ନକରି ସତ୍ୟର ଅପଳାପ କରି ନଥିଲା। ତେଣୁ ତା' ଅସ୍ଥିରୁ ନିର୍ମିତ ସେହି ଗଦା ସର୍ବଦା ସତ୍ୟ ଓ ସଦ୍ଜ୍ଞାନର ପ୍ରତୀକ ଭାବେ ଶ୍ରୀବିଷ୍ଣୁଙ୍କ କର ମଣ୍ଡନକଲା। ଗଦା ରାକ୍ଷସର ଅସ୍ଥିରୁ ନିର୍ମାଣ ହୋଇ ଥିବାରୁ, ଏହାର ନାମ ଗଦା ବୋଲି ସର୍ବଜନ ବିଦିତ ହେଲା।
ଗଦାର ଆକାର ଏକ ଖୁଆ ଦଣ୍ଡ ପରି । ଯେପରି ଦଧି ମନ୍ଥନକରି ଖୁଆଦଣ୍ଡ ଲହୁଣି ବାହାର କରେ, ଠିକ୍ ସେହିପରି ବିଷ୍ଣୁଙ୍କ ଗଦା, ପ୍ରାଣୀର ଅବିଦ୍ୟା ରୂପକ ଅନ୍ଧକାରକୁ ମନ୍ଥନ କରି ଜ୍ଞାନର ଆଲୋକ ପ୍ରଦାନ କରି ଥାଏ । ତେଣୁ ଗଦା ଦେବୀଙ୍କ ନାମ କୌମୋଦକୀ, କଳ୍ମଷ ନାଶିନୀ ବା ମହାକାଳୀ । ଅନ୍ୟ ଅର୍ଥରେ ଚନ୍ଦ୍ରର ଆଲୋକ କୌମଦୀ ସଦୃଶ ଏହା ପ୍ରାଣୀର ଆନନ୍ଦ ବର୍ଦ୍ଧନକାରୀ। ଦୁଷ୍ଟ ମାନଙ୍କୁ ମର୍ଦ୍ଦନ କରିବାକୁ,କୌମୋଦକୀ ଗଦା, ଭଗବାନ ବିଷ୍ଣୁଙ୍କ ହସ୍ତରେ ଏକ ଦିବ୍ୟ ଓ ଶକ୍ତିଶାଳୀ ଆୟୁଧ। ତେଣୁ କୁହାଯାଏ :-
ଗଦା ସେ ନାମ କୌମୋଦକୀ।
ସାଥେ କେ ସମର୍ଥ ହେବ କି ।।
! ଓଁ ଶ୍ରୀ ବିଷ୍ଣବେ ନମଃ !
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
