STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ

ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ

2 mins
1

    ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ
        ================
ଆଜି ଅକ୍ଟୋବର ମାସ ୨ତାରିଖ l ୧୯୦୪ ମସିହା ଆଜିର ଦିନରେ ଉତ୍ତର ପ୍ରଦେଶର ମୋଗଲସରାଇଠାରେ ଭୂମିଷ୍ଟ ହୋଇଥିଲେ ଜଣେ ଆଦର୍ଶ ପୁରୁଷ, ଭାରତର ଦ୍ବିତୀୟ ପ୍ରଧାନ ମନ୍ତ୍ରୀ, ଲାଲ ବାହାଦୁର ଶାସ୍ତ୍ରୀ l ତାଙ୍କ ପିତା ଶାରଦା ପ୍ରସାଦ ଶ୍ରୀବାସ୍ତବ ବୃତ୍ତିରେ ଥିଲେ ଜଣେ ସ୍କୁଲଶିକ୍ଷକ। ତାଙ୍କ ମାତାଙ୍କ ନାମ ଥିଲା ରାମଦୁଲାରୀ ଦେବୀ l ସେ ମାତ୍ର ଦୁଇ ବର୍ଷ ବୟସର ହୋଇଥିବା ବେଳେ ପିତାଙ୍କ ମୃତ୍ୟୁ ହୋଇ ଥିଲା। ସେ ଅଜାଙ୍କ ଘରେ ରହି ବଡ଼ ହୋଇ ଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନ କ୍ରମେ ସେ ମାତ୍ର ଷୋଳ ବର୍ଷ ବୟସରେ ପାଠପଢ଼ାଛାଡ଼ି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ୧୯୨୫ ରେ ସେ କାଶୀ ବିଦ୍ୟା ପୀଠରୁ ଦର୍ଶନରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇ ‘ଶାସ୍ତ୍ରୀ’ ଉପାଧି ପ୍ରାପ୍ତ ହୋଇ ଥିଲେ । ଏହା ପରେ ତାଙ୍କର ମୂଳ ସାଙ୍ଗିଆ ଶ୍ରୀବାସ୍ତବରୁ ଶାସ୍ତ୍ରୀ ହୋଇଥିଲା। ମାତା ଏବଂ ଅଜା ଆଈଙ୍କ ଯତ୍ନରେ ତାଙ୍କ ବାଲ୍ୟ ଜୀବନ ଖୁବ୍ ଶୃଙ୍ଖଳିତ ଥିଲା ଯାହା ତାଙ୍କୁ ପରବର୍ତ୍ତୀ କାଳରେ ଜଣେ ଆଦର୍ଶ ଓ ବଡ଼ ମଣିଷ ହେବାରେ ସାହାଯ୍ୟ କରିଥିଲା। ସ୍ୱାଧୀନତା ସଂଗ୍ରାମରେ ସେ ବିଭିନ୍ନ ଆନ୍ଦୋଳନର ନେତୃତ୍ବ ନେଇ ସମୁଦାୟ ସାତବର୍ଷ କାରା ବରଣ କରିଥିଲେ । ୧୯୪୬ ରେ ସେ ଉତ୍ତର ପ୍ରଦେଶର ସଂସଦୀୟ ସଚିବ ଏବଂ ପରେ ଗୃହମନ୍ତ୍ରୀ ହୋଇ ଥିଲେ। ୧୯୫୧ ରେ ସେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଯୋଗଦେଇ ରେଳ, ପରିବହନ ଓ ଯୋଗାଯୋଗ, ବ୍ୟବସାୟ ଓ ଶିଳ୍ପ, ଗୃହ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ ଭାର ତୁଲାଇ ଥିଲେ l ତାଙ୍କର ସଚ୍ଚୋଟତା ତଥା ସରଳତା ପାଇଁ ସେ ଚିର ସ୍ମରଣୀୟ ହୋଇ ରହିଛନ୍ତି। ରେଳମନ୍ତ୍ରୀ ଥିବା ବେଳେ, ଏକ ରେଳ ଦୁର୍ଘଟଣା ହେବାରୁ ନୈତିକତା ଦୃଷ୍ଟିରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଥିଲେ।
ଆମ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମୃତ୍ୟୁପରେ ୧୯୬୪ ରେ ସେ ଦେଶର ପ୍ରଧାନମନ୍ତ୍ରୀ ହେଲେ। ୧୯୬୫ ଭାରତ--ପାକିସ୍ତାନ ଯୁଦ୍ଧରେ ସେ ଆମ ଦେଶକୁ ଶକ୍ତିଶାଳୀ ନେତୃତ୍ବ ପ୍ରଦାନ କରି ଥିଲେ। ସେହି ଭାରତ ପାକିସ୍ଥାନ ଯୁଦ୍ଧ ସମୟରେ ଦେଶରେ ଉତ୍କଟ ଖାଦ୍ୟାଭାବ ପରିଲକ୍ଷିତହେବାରୁ ସୈନିକ ଓ କୃଷକଙ୍କ ମନୋବଳ ବଢ଼ାଇବା ପାଇଁ ସେ ‘ଜୟ ଯବାନ ଜୟ କିଷାନ’ ଡାକ ଦେଇଥିଲେ। ତାଙ୍କର ସେହି ଧ୍ୱନୀ, ଆଜି ମଧ୍ୟ କୋଟି କଣ୍ଠରେ ଗୁଞ୍ଜରିତ ହେଉଛି। ଶାସ୍ତ୍ରୀଙ୍କ ନେତୃତ୍ୱରେ ଶ୍ବେତ ବିପ୍ଳବ ଓ ସବୁଜ ବିପ୍ଳବ ଆରମ୍ଭ ହୋଇ ଆମ ଦେଶକୁ ଏ ଦିଗରେ ସ୍ୱାବଲମ୍ବୀ ହେବାକୁ ନୂତନ ପଥ ଦେଖାଇ ଥିଲା। ଲାଲବାହାଦୁର ଜଣେ ଧର୍ମନିରପେକ୍ଷ ନେତା ଥିଲେ ଯିଏ ଧର୍ମସହ ରାଜନୀତିର ଅପମିଶ୍ରଣକୁ ଖୋଲାଖୋଲି ଭାବେ ବିରୋଧ କରୁଥିଲେ। ଯୁଦ୍ଧ ପରିବର୍ତ୍ତେ, ସେ ବିଭିନ୍ନ ସମୟରେ ଶାନ୍ତିର ମାର୍ଗ ବାଛି "ଶାନ୍ତିଦୂତ" ନାମରେ ପ୍ରସିଦ୍ଧ ହୋଇଥିଲେ।
୧୯୬୬ ମସିହା, ଜାନୁଆରି ୧୦ ତାରିଖରେ ଭାରତ ପାକିସ୍ତାନ ଯୁଦ୍ଧବିରତି ଚୁକ୍ତିପାଇଁ ସେ ତାସକେଣ୍ଟ ଯାଇଥିଲେ l 'ତାସକେଣ୍ଟ ଚୁକ୍ତି’ ସ୍ବାକ୍ଷରିତ ହେବା ପର ଦିନ ସେହିଠାରେ ତାଙ୍କର ଜୀବନ ଦୀପ ଲିଭି ଯାଇଥିଲା। ୧୯୬୬ରେ ଶାସ୍ତ୍ରୀଜୀଙ୍କୁ ମରଣୋତ୍ତର ‘ଭାରତରତ୍ନ’ ଉପାଧିରେ ଭୂଷିତ କରାଯାଇ ଥିଲା। ସେ ଜଣେ ସରଳ,ସଚ୍ଚୋଟ ଓ ଦକ୍ଷ ଜନନାୟକ ଭାବେ ଚିର ସ୍ମରଣୀୟ ହୋଇ ରହିବେ । ଆଜି ସେହି ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶ ସେବକ ଓ ଜନନେତାଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ସସ୍ରଦ୍ଧ ଶ୍ରଦ୍ଧାଞ୍ଜଳି l   
                 🙏🙏🙏
                    ଅର୍ଜୁନୀ
                 -----------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational