ଶ୍ରୀରାଧାଙ୍କ ପ୍ରତିଦ୍ୱନ୍ଦୀ ଗୋପୀଶ୍ରେଷ୍ଠା ଚନ୍ଦ୍ରାବଳି
ଶ୍ରୀରାଧାଙ୍କ ପ୍ରତିଦ୍ୱନ୍ଦୀ ଗୋପୀଶ୍ରେଷ୍ଠା ଚନ୍ଦ୍ରାବଳି
ଶ୍ରୀରାଧାଙ୍କ ପ୍ରତିଦ୍ୱନ୍ଦୀ
ଗୋପୀଶ୍ରେଷ୍ଠା ଚନ୍ଦ୍ରାବଳି
=============
ଶ୍ରୀମଦ ଭାଗବତ ତଥା ଅନ୍ୟାନ୍ୟ ପୁରାଣମାନଙ୍କ ବର୍ଣ୍ଣନାନୁସାରେ ଶ୍ରୀକୃଷ୍ଣ ଶରତ ପୂର୍ଣ୍ଣିମାର ନିର୍ମଳ ଚନ୍ଦ୍ରବିଧୌତ ରଜନୀରେ ବୃନ୍ଦାବନ ରାସକୁଞ୍ଜରେ ଷୋଳ ଶହସ୍ର ଗୋପୀଙ୍କ ସହ ଦିବ୍ୟ ରାସ କ୍ରୀଡା ରଚନା କରିଥିଲେ l ଶ୍ରୀମଦ୍ଭାଗବତ ମହାପୁରାଣ ଅନୁସାରେ :-
ଗୋବିନ୍ଦ ବିଚାରନ୍ତି ମନେ l
ଆଜ ରମିବା ବୃନ୍ଦାବନେ ll
ଷୋଳଶହସ୍ର ଗୋପନାରୀ l
ମୋତେ ବରିଲେ ତପକରି ll
ଶ୍ରୀକୃଷ୍ଣଙ୍କ ସହ ରାସ ରଚନା କରିଥିବା ଗୋପୀ ମାନଙ୍କ ମଧ୍ୟରେ ପ୍ରମୁଖ ଗୋପୀମାନେ ହେଉଛନ୍ତି ଲଳିତା,ବିଶାଖା,ଇନ୍ଦୁଲେଖା,ତୁଙ୍ଗବିଦ୍ୟା,ସୁଦେବୀ ଚିତ୍ରଲେଖା, ଚମ୍ପକଲତା,ରଙ୍ଗ ଦେବୀ ଆଦି ଅଷ୍ଟ ସଖୀ l ଶ୍ରୀମତୀ ରାଧାରାଣୀଙ୍କ ସହ ଆଉ ଯେଉଁ ପ୍ରମୁଖ ଗୋପୀଙ୍କ ନାମ ଆସେ ସେ ହେଲେ ମାଆ ଚନ୍ଦ୍ରାବଳୀ l ମାତା ଚନ୍ଦ୍ରାବଳୀ ଶ୍ରୀ ରାଧାଙ୍କ ଦାଦା ଝିଅ ଭଉଣୀ ଥିଲେ | ଚନ୍ଦ୍ରାବଳୀ ମଧ୍ୟ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ସଖୀ ଥିଲେ | ଭାଗବତ ମହାପୁରାଣ ମଧ୍ୟରେ ରାଧାଙ୍କ ନାମ ଦେଖିବାକୁ ମିଳେ ନାହିଁ । ତଦ୍ରୁପ ମଧ୍ୟ ଚନ୍ଦ୍ରାବଳୀଙ୍କ ନାମ l କିନ୍ତୁ ଅନ୍ୟାନ୍ୟ ବୈଷ୍ଣବ ଶାସ୍ତ୍ରରେ ତାଙ୍କୁ ଦେଖିବାକୁ ମିଳେ l ଶ୍ରୀ ରାଧା ଓ ଶ୍ରୀକୃଷ୍ଣ ଏକ ଓ ଅଭିନ୍ନ ହୋଇ ଥିବାରୁ ଭାଗବତରେ ତାଙ୍କ ନାମ ଦେଖିବାକୁ ମିଳେନାହିଁ l ବହୁ ଯୁକ୍ତି ଓ ତଥ୍ୟ ରହିଛି ଏ ବାବଦରେ ଯାହା ଏକ ଦୀର୍ଘପ୍ରସଙ୍ଗ l ଗୋପୀ ଚନ୍ଦ୍ରାବଳିଙ୍କୁ ଶ୍ରୀକୃଷ୍ଣ ମାନମୟୀ ଶ୍ରୀରାଧାଙ୍କ ମାନ ଭଞ୍ଜନର ମାଧ୍ୟମ ରୂପେ ବ୍ୟବହାର କରୁଥିଲେ l ଯଦି ମାଆ ରାଧା ରାଣୀ କୌଣସି ଅଭିମାନ କରୁ ଥିଲେ ଶ୍ରୀକୃଷ୍ଣ ଚନ୍ଦ୍ରାବଳିଗୋପି ପୁରକୁ ଚାଲି ଯାଉଥିଲେ l ଏଣୁ ରାଧାରାଣୀ ଚନ୍ଦ୍ରାବଳିଙ୍କୁ ବହୁତ ଇର୍ଷା କରୁଥିଲେ l ସେଥିପାଇଁ ସେ ଅନ୍ୟ ସଖୀମାନଙ୍କୁ ଏହା ଦାୟିକା ଦେଉଥିଲେ l ଭକ୍ତକବି ବନମାଳୀ ଦାସଙ୍କ ଗୀତ ଅନୁସାରେ :-
ଶୁଣିଛି ମୁଁ ପ୍ରସଙ୍ଗରେ,ଚନ୍ଦ୍ରାବଳିର ସଙ୍ଗରେ,
ନାଗରା ବାଜୁଛି ବ୍ରଜ ଦାଣ୍ଡରେ ଯାହାର l
ଶ୍ୟାମକୁ ଜୁହାର ତା'ର ପ୍ରେମକୁ ଜୁହାର
ସେ କରିପାରେପୀରତି ଯାଛାତି ଲୁହାର ll
ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନରେ ଧରି ବିଜେ କରିଛନ୍ତି l ପର୍ବପର୍ବାଣି, ବିଶେଷ କରି ରଥ ଯାତ୍ରାରେ ଭଉଣୀ ସୁଭଦ୍ରାଙ୍କୁ ଧରି ସେ ବୁଲି ଯାଉ ଥିବାରୁ ମାଆ ଲକ୍ଷ୍ମୀ ନଣନ୍ଦ ସୁଭଦ୍ରାଙ୍କୁ ବହୁ ଉଲୁଗୁଣା ଦିଅନ୍ତି l ବେଳେବେଳେ ସେ ସୁଭଦ୍ରାଙ୍କୁ ତୁ ତ ମୋର ସଉତୁଣୀ ହୋଇଛୁ ବୋଲି କହି ଭର୍ଚ୍ଛନା କରନ୍ତି l ମାଆ ସୁଭଦ୍ରା ତାଙ୍କୁ ଏଭଳି କହିବାକୁ ବାରଣ କରି କହିଥାନ୍ତି :-
ସପତଣି ନୁହେଁ ମୁଁ ଗୋ ଗୋପର ଦୁଲଣୀ l
ଗୋପ ପୁରେ ଅଛି ଯେ ଚନ୍ଦ୍ରା ସପତୁଣୀ ll
ରାଧିକା ମାନ ଭଞ୍ଜନ କଲେକ ଶ୍ରୀପତି l
ବଡ଼ଦେଉଳେ ପଶିଲେ ବରଷାରେ ତିନ୍ତି ll
ଶ୍ରୀକୃଷ୍ଣଙ୍କ ସଙ୍ଗରେ ଥିବା ସଖ୍ୟଭାବ ପାଇଁ ମାତା ଚନ୍ଦ୍ରାବଳି ଖୁବ ଗର୍ଵିତା ଥିଲେ l କିନ୍ତୁ ସେ ରାଧାଙ୍କ ଶ୍ରେଷ୍ଠତ୍ବ ବିଷୟରେ ଅବଗତା ଥିଲେ l ଏଥିପାଇଁ ଆମର ପଞ୍ଚସଖା ସାହିତ୍ୟରେ ଅଛି :-
ଚନ୍ଦ୍ରାବଳି ପଚାରନ୍ତି ରାଧାଙ୍କ ଛାମୁର l
ଅନାମ ଭଜନ ମୋତେ କରାଅ ଗୋଚର ll
ଏକଦା ଗୋପି ଚନ୍ଦ୍ରାବଳୀଙ୍କୁ ସାଥିରେ ନେଇ ପ୍ରଭୁ ଶ୍ରୀକୃଷ୍ଣ ଅରଣ୍ୟ ମଧ୍ୟରେ ଗୋଟିଏ ସ୍ଥାନକୁ ଯାଉ ଥିଲେ | ଘଞ୍ଚ ବନାନୀ ମଧ୍ୟରେ ଯାଉ ଯାଉ ଦେବୀ ଚନ୍ଦ୍ରାବଳୀଙ୍କ ମନରେ ସାମାନ୍ୟ ଅହଂଭାବ ଜାତ ହେଲା, ସେ ମନେ ମନେ କହି ହେଲେ," ଆହା ! ପ୍ରଭୁ ମୋତେ କେତେ ଭଲ ନ ପାଆନ୍ତି ସତେ ! ମୋ ଭଳି ପ୍ରେୟସୀ ପ୍ରଭୁଙ୍କର ଆଉ କେହି ନାହିଁ!" ପ୍ରଭୁ ଗର୍ବଗଞ୍ଜନ ନରହରି,ସେ କାହାର ଗର୍ବ ସହି ପାରନ୍ତି ନାହିଁ l
ବନ ମଧ୍ୟରେ ପ୍ରଭୁ ଚନ୍ଦ୍ରାବଳୀଙ୍କୁ କହିଲେ ,"ଚନ୍ଦ୍ରା ତୁମେ ଟିକିଏ ଏହିଠାରେ ଅପେକ୍ଷାକର, ଯାଏ ମୁଁ ପିତାଙ୍କ ନିକଟରୁ କାର୍ଯ୍ୟଟିଏ ସାରି, କିଛି ସମୟ ପରେ ଫେରି ଆସିବି l ହଟ ନାଗର ଗଲେ ଏବଂ ଆଉ ଫେରିଲେ ନାହିଁ | ପ୍ରତୀକ୍ଷା କରି କରି ମାଆ ଚନ୍ଦ୍ରାବଳି ନିରାଶ ହୋଇ କୃଷ୍ଣଙ୍କ ବିରହରେ ପ୍ରାଣ ବିସର୍ଜନ କଲେ l ଚନ୍ଦ୍ରାବଳିଙ୍କ ଦୁଃଖ ସହି ନପାରି ମାଆ ଧରିତ୍ରୀ ତାଙ୍କୁ କୋଳରେ ଆଶ୍ରୟ ଦେଲେ l ଯେଉଁ ସ୍ଥାନରେ ମାତା ଚନ୍ଦ୍ରାବଳୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତୀକ୍ଷାରତା ଥିଲେ ସେ ସ୍ଥାନ ମଥୁରା ନିକଟରେ ରାଓବଲ | ଏଠାରେ ସମୟ କ୍ରମେ ଗଢ଼ି ଉଠିଛି ମାତା ଚନ୍ଦ୍ରାବଳୀ ମନ୍ଦିର l ମାତାଙ୍କ ପାଷାଣମୂର୍ତ୍ତି ମାଟି ତଳେ ପୋତି ହୋଇ ପଡ଼ି ଥିଲେ l ଏକଦା ଜଣେ ସିଦ୍ଧ ପୁରୁଷ ଏ ମୂର୍ତ୍ତିଟିକୁ ପାଇ ମନ୍ଦିରରେ ସ୍ଥାପନ କରି ପୂଜା କରିବା ପାଇଁ ଚାହିଁଲେ l କିନ୍ତୁ ମାଆଙ୍କ ଆଜ୍ଞା ହେଲା,"ମୋ ମନ୍ଦିର ହେବ ନାହିଁ, ମୋ ଆସ୍ଥାନ ସାମ୍ନା ସବୁବେଳେ ଖୋଲା ରହିବ l ମୁଁ ନିତ୍ୟପ୍ରତ ମାଆ ଯମୁନାଙ୍କୁ ଦର୍ଶନ କରିବି ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଫେରିବା ପଥକୁ ଚାହିଁ ରହିବି "l ଏଣୁ ରାଓବଲରେ ଥିବା ମନ୍ଦିରରେ ଦରଜା ନାହିଁ ଓ ଏହା ଯମୁନା ଆଡକୁ ମୁହଁ କରି ରହିଛି l ଭାରତବର୍ଷରେ ବୋଧହୁଏ ଏହା ଚନ୍ଦ୍ରାବଳୀଙ୍କର ଏକ ମାତ୍ର ମନ୍ଦିର, ଯେଉଁଠି ତାଙ୍କ ବିଗ୍ରହ ସ୍ୱତନ୍ତ୍ର ଭାବେ ପୂଜା ପାଉଛନ୍ତି l ଏଠାରେ ପ୍ରତି ସୋମବାର ଦିନ ବିଭିନ୍ନ ସ୍ଥାନରୁ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ l ମାଆଙ୍କୁ ଦର୍ଶନ କରି ସମସ୍ତେ ନିଜକୁ ଭାଗ୍ୟବାନ ମନେ କରିଥାନ୍ତି। ମାଆଙ୍କ ନିକଟରେ କାହାର ମନୋକାମନା ଅପୂର୍ଣ୍ଣ ରହେନାହିଁ ବୋଲି ବିଶ୍ୱାସ ରହିଛି l
ଜୟ ମା ଚନ୍ଦ୍ରାବଳି !
🙏🙏🙏
ଅର୍ଜୁନୀ
*********************
ଅର୍ଜୁନୀ ଚରଣ ବେହେରା,
ପୋଖରୀପୁଟ,ଭୁବନେଶ୍ୱର
ମୋ - 7693091971
