ମାଲ୍ୟବନ୍ତରେ ଶରତ ଋତୁ (ରାମାୟଣ କଥା)
ମାଲ୍ୟବନ୍ତରେ ଶରତ ଋତୁ (ରାମାୟଣ କଥା)
ମାଲ୍ୟବନ୍ତରେ ଶରତ ଋତୁ
==============
କିଷ୍କିନ୍ଧ୍ୟାରେ ବାନରରାଜ ସୁଗ୍ରୀବଙ୍କ ସହିତ ପ୍ରଭୁ ଶ୍ରୀରାମଙ୍କ ମିତ୍ରତା ସ୍ଥାପନ ହେଲା । ବାଳି ନିଧନ ପରେ ରାମଙ୍କ ସହାୟତାରେ ସୁଗ୍ରୀବ କିଷ୍କିନ୍ଧ୍ୟାର ରାଜାହେଲେ। ମିତ୍ରତାର ପ୍ରତିଦାନ ସ୍ୱରୂପ ସୁଗ୍ରୀବ ପ୍ରତିଶ୍ରୁତ ହେଲେ, ସୀତା ଯେଉଁଠି ଥାଆନ୍ତୁ ପଛେ ସେ ତାଙ୍କୁ ଖୋଜି ଆଣିଦେବେ। କିନ୍ତୁ ସେତେବେଳକୁ ବର୍ଷାକାଳ ଆସି ଯାଇଥାଏ । ତେଣୁ ସ୍ଥିର ହେଲା ବର୍ଷାକାଳ ଅନ୍ତେ ଏହି ଅଭିଯାନ ଆରମ୍ଭ ହେବ। ଶ୍ରୀରାମ ଏଥିରେ ସମ୍ମତ ହେଲେ ଏବଂ ସେ ନିଜେ ଯାଇ ବର୍ଷାକାଳ ବିତାଇବାକୁ ନିକଟସ୍ଥ ପ୍ରଶ୍ରବଣ ଗିରିରେ ଅନୁଜ ଲକ୍ଷ୍ମଣଙ୍କ ସହ ବାସ କଲେ।
ସୁଗ୍ରୀବ ରାଜ୍ୟଲାଭ କରି ଖୁବ୍ ବିଳାଶରେ କାଳ କାଟିଲେ। ସେ ପତ୍ନୀ ରୁମା ଓ ତାରା ଏଵଂ ଅନ୍ୟ ସ୍ତ୍ରୀମାନଙ୍କ ସହ ବିହାର ରତ ହୋଇ ରାଜ କାର୍ଯ୍ୟ ଭୁଲିଗଲେ। ଏହିପରି ବର୍ଷାଋତୁ କଟିଯାଇ ଶରତ ଉପସ୍ଥିତ ହେଲା। ସୁନିର୍ମଳ ମେଘ ମୁକ୍ତ ଆକାଶ ଓ ନିର୍ମଳ ଜ୍ୟୋତ୍ସ୍ନା ଶରତ ଆଗମର ସୂଚନା ଦେଲା। ହନୁମାନ ଯାଇ, ସୁଗ୍ରୀବଙ୍କୁ କହିଲେ, ଏବେ ବର୍ଷା କାଳ ଗତ ହୋଇଛି। ବର୍ତ୍ତମାନ ସବୁ କାର୍ଯ୍ୟ ଛାଡ଼ି ଆପଣ ମିତ୍ରଙ୍କୁ ଦେଇଥିବା କଥା ଅନୁସାରେ କାର୍ଯ୍ୟ କରନ୍ତୁ। ଏହା ହିଁ ବର୍ତ୍ତମାନ ଆପଣଙ୍କର ଏକମାତ୍ର କର୍ତ୍ତବ୍ୟ। ସୀତାଙ୍କ ଅନ୍ୱେଷଣ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ହେବ। ସେଥିପାଇଁ ଶ୍ରୀରାମ ଅତ୍ୟନ୍ତ ବ୍ୟଗ୍ର ଥିଲେ ମଧ୍ୟ ସ୍ନେହାବିଷ୍ଟ ହୋଇ ସେ ଆପଣଙ୍କୁ କିଛି କହି ନାହାଁନ୍ତି। ତାଙ୍କ କହିବା ପୂର୍ବରୁ ଆମକୁ ଏ କାମ କରି ନେବା ହିଁ ବିଜ୍ଞତା ହେବ।
ହନୁମାନ କହିବାରୁ ସୁଗ୍ରୀବଙ୍କର ଚେତା ପଶିଲା। ସେନାପତି ନୀଳଙ୍କୁ ସେ ଡକାଇ କହିଲେ, ତୁମେ, ସୈନ୍ୟ ସଂଗ୍ରହରେ ଲାଗି ପଡ଼। ବୃଦ୍ଧ ବାନର, ସୀମାନ୍ତ ରକ୍ଷୀ ବାନର ମାନଙ୍କୁ ଏଠାକୁ ଡକାଅ। ସମସ୍ତଙ୍କୁ କହିଦିଅ ଯେପରି ପନ୍ଦରଦିନ ମଧ୍ୟରେ ଏଠାରେ ଆସି ପହଞ୍ଚିବେ। ଏହା ଯିଏ ପାଳନ ନକରିବ ସିଏ ପ୍ରାଣଦଣ୍ଡରେ ଦଣ୍ଡିତହେବ ନିଶ୍ଚୟ। ଏପରି ନିର୍ଦ୍ଦେଶ ଦେଇ ସେ ରାଜଅନ୍ତଃପୁରକୁ ଚାଲି ଗଲେ ଓ ପୁନଶ୍ଚ ଆମୋଦ ପ୍ରମୋଦରେ ମଜ୍ଜି ଗଲେ।
ଏପଟେ ରାମ ଅପେକ୍ଷା କରି ରହିଥିଲେ ଏ ବର୍ଷା କାଳ କିପରି କଟିବ ଏଵଂ ସୁଗ୍ରୀବ ପ୍ରତ୍ୟୁପକାର ଦ୍ୱାରା ଆମର କାର୍ଯ୍ୟ ସାଧନ କରିବେ। ବର୍ଷାକାଳ ଯାଇ ଶରତ କାଳ ଉପସ୍ଥିତ ହେବାରୁ ମେଘମୁକ୍ତ ଆକାଶ, ନିର୍ମଳ ଚନ୍ଦ୍ର ମଣ୍ଡଳ, ଜ୍ୟୋତ୍ସ୍ନା ବିଧୌତ ରଜନୀ, ରାମଙ୍କ ଶୋକ ଓ ଉଦବେଗକୁ ଆହୁରି ବଢ଼ାଇବାକୁ ଲାଗିଲା। ଶୋକାର୍ତ୍ତ ଶ୍ରୀରାମ ପର୍ବତ ଶିଖରରେ ବସି ମନେ ମନେ ଚିନ୍ତା କରି କହିଲେ, ଆଶ୍ରମରେ ଯାହାଙ୍କ ହଂସ ପରି ମଧୁର ସ୍ୱର ଶୁଣି ହଂସମାନେ କଳଧ୍ୱନୀ କରୁଥିଲେ, ଯିଏ ବନପୁଷ୍ପ ମାନଙ୍କୁ ଦେଖି ମୋହିତହେଉଥିଲେ। ଚକ୍ରବାକ ଚକ୍ରବାକୀଙ୍କ ମଧୁର ରାଗିଣୀ ଶୁଣି ଯାହାଙ୍କ ଚିତ୍ତ ଉନ୍ମାଦିତ ହେଉଥିଲା, ନିରୀମାଖି ସେହି ଜାନକୀ ବର୍ତ୍ତମାନ ମୋ ବିରହରେ କିପରି ପ୍ରାଣ ଧରି ରହିଥିବେ। ମୋତେ ଏ ସୁନ୍ଦର ନଦୀ, ନିର୍ଝର, ପର୍ବତ, କାନନ, ସରୋବର କିଛି ସୁଖଲାଗୁ ନାହିଁ। ଏପରି କହି ରାମ ବିଳାପ କରିବାକୁ ଲାଗିଲେ।
ଏହିସମୟରେ ଫଳମୂଳ ଆଣିବାକୁ ବନକୁ ଯାଇ ଥିବା ଲକ୍ଷ୍ମଣ ଫେରି ଆସିଲେ । ସେ ଅଗ୍ରଜଙ୍କ ଏପରି ଅବସ୍ଥା ଦେଖି ଖୁବ୍ ବ୍ୟଥିତ ହୋଇ ପଡ଼ିଲେ। ସେ ରାମଙ୍କୁ ସାନ୍ତ୍ୱନାଦେଇ କହିଲେ, ଅଗ୍ରଜ ! ଆପଣ ଏପରି ଦୁଃଖ ଓ ଶୋକରେ ଭାଙ୍ଗି ପଡ଼ିଲେ ଚଳିବ ନାହିଁ। ଯେଉଁ ଜାନକୀ ରାମଙ୍କୁ ପତିରୂପେ ବରଣ କରିଛନ୍ତି ସେ କେବେ ମଧ୍ୟ ଅନ୍ୟ ଦ୍ୱାରା ପ୍ରଭାବିତ ହେବେ ନାହିଁ। ଏହା ମଧ୍ୟ ମୁଁ ଜାଣେ, ଅଗ୍ନୀତୁଲ୍ୟା ଜାନକୀଙ୍କୁ ସ୍ପର୍ଶ କରିବାକୁ କେହି ସାହସ କରିବ ନାହିଁ। ଲକ୍ଷ୍ମଣଙ୍କ କଥାରେ ଶ୍ରୀରାମ ଟିକିଏ ଶାନ୍ତ ହେଲେ। କିନ୍ତୁ ପର ମୁହୂର୍ତ୍ତରେ ଜାନକୀଙ୍କ କଥା ଚିନ୍ତା କରି, ତାଙ୍କ ମୁଖ ମଣ୍ଡଳ ମଳିନ ପଡ଼ିଗଲା। ସେ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ, ବର୍ଷାଋତୁ ଯାଇ ଶରତ ଋତୁ ଆସିବାପରେ ଧରଣୀ ରାଣୀ କିପରି ଅପରୂପ ଶୋଭା ଧାରଣ କରିଛି। କାଶତଣ୍ଡି ଫୁଲ ସମସ୍ତ ମହୀରେ ଛାଇ ହୋଇ ଯାଇଛି। ବର୍ତ୍ତମାନ ବର୍ଷା ଜଳଦ୍ୱାରା ପୃଥିବୀ ତୃପ୍ତ। ଶସ୍ୟମାନେ ପକ୍ୱ ହୋଇଛନ୍ତି। ଦେଖ, ଅଗସ୍ତି ନକ୍ଷତ୍ର ଉଦିତ ହୋଇ କିପରି ନଦୀ, ପୁଷ୍କରିଣୀର ଜଳ ଶୋଷଣ କରିବା ଦ୍ୱାରା ତହିଁରୁ ପଙ୍କ, ମଳ ସବୁ ଅପସାରିତ ହୋଇ ସେମାନେ ଧିରେ ଧିରେ ଶୁଷ୍କ ହେବାରେ ଲାଗିଛନ୍ତି ଯେପରି ଲୋଭ ସନ୍ତୋଷକୁ ଶୋଷଣକରେ। ମଳ ଅପସରି ଯାଇ ସନ୍ଥମାନଙ୍କ ହୃଦୟରୁ ମଦ ମୋହ ଦୂରହୋଇଗଲା ପରି ସମସ୍ତ ନଦୀ ସରିତର ଜଳ କେତେ ପରିଷ୍କାର ହୋଇ ଗଲେଣି। ସନ୍ଥ ତୁଳସୀ ଶ୍ରୀରାମଚରିତ ମାନସରେ ଶରତ ଋତୁର ଅତୀବ ସୁନ୍ଦର୍ ବର୍ଣ୍ଣନା କରିଛନ୍ତି :-
ବରଷା ବିଗତ ଶରଦ ଋତୁ ଆଇ l
ଲଛିମନ ଦେଖହୂ ପରମ ସୁହାଇ ll
ଫୁଲେ କାସ ସକଲ ମହୀ ଛାଇ l
ଜନୁ ବରଷା କୃତ ପ୍ରଗଟ ବୁଢ଼ାଇ ll
ଉଦିତ ଅଗସ୍ତି ପଂଥ ଜଲ ଶୋଷା l
ଜିମି ଲୋଭହି ଶୋଷଇ ସନ୍ତୋଷା ll
ସରିତା ସର ନିର୍ମଲ ଜଲ ସୋହା l
ସନ୍ତହୃଦୟ ଜସ ଗତ ମଦ ମୋହା ll
ଏପରି ଭାବେ ଶ୍ରୀରାମ ସୀତାଙ୍କ ବିରହ ଓ ଶରତ ଋତୁର ବର୍ଣ୍ଣନା କରି ଭାଇ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ! ମୋତେ ଏହି ବର୍ଷା ଚାରି ମାସ, ଶହେ ବର୍ଷ ପରି ଲାଗିଲାଣି। ସୀତାଙ୍କୁ ହରାଇ ମୁଁ କିପରି ନିଶ୍ଚିନ୍ତ ରହିଛି ! ମୁଁ ଦୁଃଖୀ, ସୁଗ୍ରୀବଙ୍କ ଶରଣାପନ୍ନ। କିନ୍ତୁ ଜାନକୀଙ୍କ ଉଦ୍ଧାର ପାଇଁ ସେ କିଛି ଉଦ୍ୟମ କରୁଛନ୍ତି ବୋଲି ମୋର ବୋଧ ହେଉ ନାହିଁ। ନିଜର କାର୍ଯ୍ୟ ହୋଇଗଲା ପରେ ସେ ବୋଧହୁଏ ତାର ପ୍ରତିଶ୍ରୁତି ଭୁଲି ଯାଇଛି। ତୁମେ ଯାଇ ଶୀଘ୍ର ସୁଗ୍ରୀବଙ୍କୁ କୁହ ସେ ତାର ପ୍ରତିଶ୍ରୁତି ରକ୍ଷାକରି ସମୟ ଅନୁସାରେ କାର୍ଯ୍ୟକରୁ। ଅନ୍ୟଥା ସେ ମୋ କ୍ରୋଧର ଶିକାର ହେବା ପାଇଁ ସମୟ ଲାଗିବ ନାହିଁ।
ରାମଙ୍କ ଶୋକ ଓ କ୍ରୋଧକୁ ଦେଖି ଲକ୍ଷ୍ମଣ କହିଲେ, ସେ ସୁଗ୍ରୀବ ଭଲରେ ଆମ କାମ କରିବ ନାହିଁ । ସେ ଆମ କାର୍ଯ୍ୟ ପାଶୋରି ବର୍ତ୍ତମାନ, ସମସ୍ତ ଭୋଗ ବିଳାସରେ ଲିପ୍ତ। ମୁଁ ଚାଲିଲ ! ସତ୍ୟଭଙ୍ଗ କାରୀ ସୁଗ୍ରୀବକୁ ମୁଁ ଆଜି ନିଶ୍ଚୟ ବଧକରିବି। ଲକ୍ଷ୍ମଣଙ୍କୁ ଏପରି କ୍ରୋଧିତହେବା ଦେଖି ଦୟାଳୁ ରାମ ତାଙ୍କୁ ବୁଝାଇ କହିଲେ, 'ଆରେ ବାବୁ ! ସୁଗ୍ରୀବ ହେଲେ ମୋର ସଖା, ତାଙ୍କୁ କେବଳ ଭୟ ଦେଖାଇ ଏଠିକୁ ନେଇ ଆସିବୁ। ମାର ଧର କରିବୁ ନାହିଁ। ଭାଇଙ୍କ ପ୍ରେମପୂର୍ଣ୍ଣ କଥାରେ ଲକ୍ଷ୍ମଣ ଟିକିଏ ଶାନ୍ତପଡ଼ିଲେ ଏବଂ ଏକ ଧନୁ ଧାରଣ କରି କିଷ୍କିନ୍ଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କଲେ।
ବାଲ୍ମିକୀ ରାମାୟଣ, କିଷ୍କିନ୍ଧ୍ୟା କାଣ୍ଡର ତ୍ରିଂଶ ତମ ସର୍ଗରେ ଶରତ ଋତୁର ମନୋଜ୍ଞ ବର୍ଣ୍ଣନା ରହିଛି। ଏହି ସର୍ଗ ଆରମ୍ଭରେ ବାଲ୍ମିକୀ ଶରତର ଶୋଭା ଅବଲୋକନରେ ରାମଙ୍କ ମନୋଭାବକୁ ବର୍ଣ୍ଣନା କରି ଲେଖିଛନ୍ତି, ପାଣ୍ଡୁରଂ ଗଗନଂ ଦୃଷ୍ଟ୍ବା ବିମଲଂ ଚନ୍ଦ୍ରମଣ୍ଡଲଂ ଶାରଦୀଂ ରଜନୀଂ ଚୈବ ଦୃଷ୍ଟ୍ବା ଜ୍ୟୋତ୍ସ୍ନାନୁଲେପନମ୍।
ଅର୍ଥାତ୍, ପାଣ୍ଡୁର ବର୍ଣ୍ଣର ଗଗନରେ ନିର୍ମଳ ଚନ୍ଦ୍ର ମଣ୍ଡଳ ଓ ଜ୍ୟୋତ୍ସ୍ନାବିଧୌତ ଶାରଦୀ ରଜନୀର ଶୋଭା ଦେଖି ରାମ ସୀତାଙ୍କ ବିରହ ଦୁଃଖରେ ଦୁଃଖୀ ହୋଇ ପଡ଼ିଲେ।
କବିବର ରାଧାନାଥ ମଧ୍ୟ ମାଲ୍ୟବନ୍ତରେ ଶରତ କାଳର ସୁନ୍ଦର ବର୍ଣ୍ଣନା କରିଛନ୍ତି। ସନ୍ଥ ତୁଳସୀ ଦାସଙ୍କ ଉପରୋକ୍ତ ବର୍ଣ୍ଣନାର ପ୍ରଥମ ଦୁଇ ପଦକୁ ସେ ଅନୁସରଣ କରି ବର୍ଣ୍ଣନା କରିଛନ୍ତି:-
ବର୍ଷା ଗତେ ଆସିଲା ଋତୁ ବିମଳ l
ଦିଶନ୍ତି କାନ୍ତି ବାସେ ଦିଶେ ଉଜ୍ଜଳ ll
ଜରତୀ ବରଷାର ଧବଳ ଜଟା l
କାଶ କୁସୁମେ ଶୁକ୍ଳ ତଟିନୀ ପଠା ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
