STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ହେରା ପଞ୍ଚମୀ କଥା

ହେରା ପଞ୍ଚମୀ କଥା

2 mins
10

            ହେରା ପଞ୍ଚମୀ କଥା
             ===========
ଶ୍ରୀକ୍ଷେତ୍ର ଧାମରେ ବିଜେ କରିଥିବା ମାଆ ମହାଲକ୍ଷ୍ମୀ କେବଳ ଜଣେ ଦେବୀ ନୁହଁନ୍ତି l ଅଧିକନ୍ତୁ ସେ ଜଣେ ଆଦର୍ଶ ଓଡ଼ିଆଣୀ ବୋହୁ l ପ୍ରତି ଓଡ଼ିଆ ଘର ପରି ତାଙ୍କର ଅଛନ୍ତି, ସ୍ବାମୀ, ନଣନ୍ଦ ଏବଂ ଦେଢ଼ସୁର l ପ୍ରତି ଓଡ଼ିଆ ଘର ପରି ସେ ଶାଶୁ ଶ୍ବଶୁରଙ୍କୁ ଶ୍ରାଦ୍ଧ ଦିଅନ୍ତି l ସେ ଛପନ ଭୋଗ ରାନ୍ଧି ବାଢ଼ି ସମସ୍ତଙ୍କୁ ପରସି ଦିଅନ୍ତି l ତାଙ୍କର ରାନ୍ଧଣା, କେବେ ଶେଷ ହୁଏନାହିଁ କି ବଡ଼ଖିଆ ଜଗା ବଳିଆଙ୍କ ହାତ କେବେ ଶୁଖେ ନାହିଁ l ସେ ଲୀଳାମୟୀ l ତାଙ୍କର ମହାପ୍ରଭୁଙ୍କ ପରି ବହୁ ଲୀଳା ଅଛି l ମହାଲକ୍ଷ୍ମୀ ପୁଣି ରାଗନ୍ତି, ରୁଷନ୍ତି, ସ୍ଵାମୀ ଉପରେ ଅଭିମାନ କରନ୍ତି l ସେ ପୁଣି ଘର ବାହୁଡ଼ା ବେଳ ହେଲେ ସ୍ୱାମୀ ଆସିଲେ ନାଁ ନାହିଁ, ଜାଣିବା ପାଇଁ ବାରମ୍ବାର ଏରୁଣ୍ଡି ବନ୍ଧ ପର୍ଯ୍ୟନ୍ତ ଦଉଡ଼ି ଯାଆନ୍ତି l ଦେଢ଼ଶୁରଙ୍କୁ ତାଙ୍କର ଭାରି ଲାଜ l ତାଙ୍କ ଆଗକୁ ହାତେ ଲମ୍ବା ଓଢ଼ଣି ଟାଣି ଯାଆନ୍ତି l ହଳଦୀ ମୁହିଁ ନଣନ୍ଦକୁ ସେ ବହୁତ ସ୍ନେହକରନ୍ତି l ଆକଟ କରି କେତେବେଳେ ପୁଣି ନାନା କଥା ସବୁ କହିଥାନ୍ତି l
ଏଥରକ ଆସନ୍ତୁ ରଥଯାତ୍ରା କଥାକୁ l ଲକ୍ଷ୍ମୀ ଠାକୁରାଣୀଙ୍କୁ ମହାପ୍ରଭୁ ଭୁଲେଇ ଭଣ୍ଡେଇ ଭାଇ ଭଉଣୀଙ୍କୁ ଧରି ବାହାରି ଗଲେ ଗୁଣ୍ଡିଚା ବାଡ଼ିକୁ l ପରେ ଜଣା ପଡ଼ିଲା ମହାପ୍ରଭୂ କି ଆନନ୍ଦରେ ଆଡ଼ପ ମଣ୍ଡପରେ ଭକ୍ତଙ୍କ ମେଳରେ ବସି ଛପନ ଭୋଗ ଗେଫୁଛନ୍ତି l କଳମ ଶାଗ , ବଗଡା ଅନ୍ନରେ ସଂସାରର ପଡ଼ିଦାତ୍ରୀ ପଡ଼ିରହିଛନ୍ତି ଶ୍ରୀମନ୍ଦିରରେ l ଆଉ ସମ୍ଭାଳେ କିଏ l ମାଆ ରାଗ ତମ ତମ ହୋଇ ସବାରି ଚଢ଼ି ଦାସୀ ପରିବାରୀ ଧରି ଚାଲିଲେ ଗୁଣ୍ଡିଚା ମନ୍ଦିରକୁ କଅଣ ସବୁ ଲୀଳା ଲାଗିଛି ଦେଖିବା ପାଇଁ l ବେଦୀରେ ତ ଦେଢ଼ଶୁର ବସିଛନ୍ତି l ଆଉ ଆଗକୁ ଯିବେ କେମିତି l ହାତେ ଓଢ଼ଣା ଟାଣି ନାକଚଣା ଦ୍ଵାରବାଟେ ଟିକେ ପ୍ରଭୁଙ୍କୁ ଚାହିଁ ମାଆ ବିମଳେଇ ଦେଇ ଥିବା ମୋହଚୂର୍ଣ୍ଣ ପକେଇ ଦେଇ ଟାଉକରି ବାହାରି ଆସିଲେ ସେଠାରୁ l ଦେଖିଲେ, ଆଗରେ ନନ୍ଦିଘୋଷ ରଥ ଥୁଆ ହୋଇଛି l ଆରେ, ନାଟର ଗୋବର୍ଦ୍ଧନ ତ ଏହିରେ l ଧାଉଁକରି ପାହାରେ ପିଟିଦେଲେ କାଠଖଣ୍ଡେ ଭାଙ୍ଗିଗଲା l ଲାଜରେ ବଡ଼ଦାଣ୍ଡ ଦେଇ ଆଉ ଆସିବେ କଣ, ହେରାଗୋହିରୀ ସାହି ବାଟେ ସବାରୀ ଚାଲିଲା ଶ୍ରୀମନ୍ଦିର l ସେତିକିରେ ରାଗ ଶାନ୍ତି ହେଲା ନାହିଁ l ମନ୍ଦିରରେ ପହଞ୍ଚି ସିଂହଦ୍ବାର କିଳିଦେଲେ l ଆସ ତୁମେ ତିନି ଭାଇ ଭଉଣୀ l ଦେଖିବି, କିଏ ତୁମ ମାନଙ୍କୁ ମନ୍ଦିରରେ ପୁରୋଉଛି l ପୁଣି ହଳଦୀ ମୁହିଁ ନଣନ୍ଦ ସୁଭଦ୍ରାଙ୍କୁ ଉଲୁଗୁଣା ଦେଇ କୁହନ୍ତି ଏ ଉପର ମୁହିଁ ଭଉଣୀର ଗୁଣ ବି କମ୍ ନୁହେଁ l ଭାଇ ମାନଙ୍କ କାନରେ କହି କଣ କେତେ ନାଟ ସବୁ ଲଗେଇ ଦଉଛି l କହିଲା ବେଳେ ମାଆ ମହାଲକ୍ଷ୍ମୀ ତାଙ୍କ ସ୍ଵାମୀ ଅର୍ଜ୍ଜୁନଙ୍କୁ ବି ଛାଡନ୍ତି ନାହିଁ, "ହାତ ଗୋଡ଼ ନାହିଁ ହଳଦୀ ମୁହିଁଟା ଗଉଡ଼ ଘରର ଝିଅ !!! ଗେରସ୍ତ ନିକମ୍ମା, ରଥରେ ବସିଛି କୋଉ କୂଳକୁ ସେ ନୁହଁ"l
ମହାପ୍ରଭୁ ବାହୁଡ଼ା ଦିନ ଫେରି ଆସୁଛନ୍ତି ମହାଲକ୍ଷ୍ମୀଙ୍କ ରାଗ ଇଆଡ଼େ ପଞ୍ଚମରେ l ମହାପ୍ରଭୁ ଦେଉଳ ନ ଧରୁଣୁ ତାଙ୍କୁ ଟିକେ ଭଲକି ଜବତ କରିବା ପାଇଁ ମାଆ ଯାଇ, ଠାକୁର ରାଜାଙ୍କ ନଅରରେ ହାଜର ଫେରାଦ ହେବାକୁ l ବୁଝେଇ, ବାଝେଇ ମାଆଙ୍କୁ ବିଦା କଲେ ଗଜପତି ମହାରାଜା l ଅସଲ ଖେଳା ଲାଗିଲା ନୀଳାଦ୍ରୀ ବିଜେ ଦିନ l
               🙏🙏🙏
                  ଅର୍ଜୁନୀ
               --------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational