STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭକ୍ତ ବିଭୀଷଣଙ୍କ ଜଗନ୍ନାଥ ଦର୍ଶନ   

ଭକ୍ତ ବିଭୀଷଣଙ୍କ ଜଗନ୍ନାଥ ଦର୍ଶନ   

4 mins
14

   ଭକ୍ତ ବିଭୀଷଣଙ୍କ ଜଗନ୍ନାଥ ଦର୍ଶନ   
    ===================
ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାମୟ l ତାଙ୍କ ଲୀଳା କଥା ତାଙ୍କୁହିଁ ଜଣା l ତ୍ରେତୟା ଯୁଗର କଥା, ପ୍ରଭୁ ରାମ ଅବତାର ଗ୍ରହଣ କରି, ଜାନକୀଙ୍କ ଛଳରେ ଦୁଷ୍ଟ ଦଶାନନକୁ ବଧ କଲେ l ପ୍ରଭୁଙ୍କୁ ଏହି ଦୁସ୍ତର କାର୍ଯ୍ୟ ସାଧନ କରିବାରେ ସହାୟକ ହୋଇଥିଲେ ଖୋଦ ରାବଣର ଭାଇ, ମହାପ୍ରଭୁଙ୍କ ପରମ ଭକ୍ତ, ବିଭୀଷଣ l ରାବଣ ସଂହାର ପରେ ପ୍ରଭୁ ଶ୍ରୀରାମ ପରମ ଭକ୍ତ ବିଭୀଷଣଙ୍କୁ ଲଙ୍କାର ରାଜ ପଦରେ ଅଭିଷିକ୍ତ କଲେ l ଭଗଵାନ ଯେଉଁଠି ତାଙ୍କ ଭକ୍ତ ମଧ୍ଯ ସେଇଠି l ତେଣୁ ବିଭୀଷଣଙ୍କ ରାଜ ଆସନରେ ତିଳେ ମାତ୍ର ଲୋଭ ନଥିଲା l ତାଙ୍କ ଚିତ୍ତ, ଚୈତନ୍ୟ ଲାଗି ରହିଥିଲା ପ୍ରଭୁଙ୍କ ଭକ୍ତିରେ l
ପ୍ରଭୁ ଶ୍ରୀରାମଙ୍କର କ୍ରମେ ଲୀଳାର ଅନ୍ତଃ ସମୟ ଆସି ପହଞ୍ଚିଗଲା l ଦିନେ ବିଭୀଷଣ ପ୍ରଭୁଙ୍କୁ କହିଲେ, ପ୍ରଭୁ, ମୋ ଭାଗ୍ୟରେ କ'ଣ ଆଉ ଆପଣଙ୍କ ଦର୍ଶନର ସୌଭାଗ୍ୟ ଜୁଟିବ ନାହିଁ l ପ୍ରଭୁ ଶ୍ରୀରାମ ତାଙ୍କୁ କହିଲେ:- କିଞ୍ଚାନ୍ୟୟକ୍ତୁମିଛାମି ରାକ୍ଷସେନ୍ଦ୍ର ମହାବଳ l ଆରାଧ୍ୟାୟ ଜଗନ୍ନାଥମିଇକ୍ଷ୍ଵାକୁଳଦୈବତମ୍ ll (ବାଲ୍ମିକୀ ରାମାୟଣ, ଉତ୍ତରାଖଣ୍ଡ ୧୦୮/୨୮) ଅର୍ଥାତ୍ ସେତେବେଳେ ପ୍ରଭୁ ଶ୍ରୀରାମ ତାଙ୍କୁ କଥା ଦେଇଥିଲେ ଏବେ ନୁହେଁ, ମୁଁ କଳି ଯୁଗରେ ମର୍ତ୍ତ୍ୟ ବୈକୁଣ୍ଠ, ନୀଳାଚଳ ଧାମରେ ଜଗନ୍ନାଥ ରୂପରେ ଲୀଳା କରିବି l ତୁମେ ପ୍ରତ୍ୟେକ ଦିନ ମୋର ବଡ଼ ଦେଉଳକୁ ଆସି ମୋତେ ରତ୍ନସିଂହାସନରେ ଦର୍ଶନ କରିବ l ସେହିଦିନ ଠାରୁ ବିଭୀଷଣ ପ୍ରତ୍ୟହ ଛଦ୍ମ ବେଶରେ ମହା ପ୍ରଭୁଙ୍କ ଦର୍ଶନ ନିମନ୍ତେ ବଡ଼ ଦେଉଳକୁ ଆସନ୍ତି l ମହାପ୍ରଭୁଙ୍କର ଜଣେ ସେବକ ତଥା ଭକ୍ତ ଥିଲେ ଶ୍ରୀ ପଟ୍ଟଯୋଶୀ ମହାପାତ୍ର l ଥରେ ଶ୍ରୀକ୍ଷେତ୍ରର କେତେ ଜଣ ଭକ୍ତ ତୀର୍ଥ ଯାତ୍ରାରେ ବାହାରିଲେ l ସେହି ଭକ୍ତ ମାନେ ମିଶି ପଟ୍ଟଯୋଶୀ ମହାପାତ୍ରଙ୍କୁ ସାଥ ହୋଇ ଯିବା ପାଇଁ ଅନୁରୋଧ କଲେ l କିନ୍ତୁ ମହାପ୍ରଭୁଙ୍କ ସେବାରେ ବ୍ୟାଘାତ ହେବ କହି ସେ କଥାକୁ ଟାଳି ଦେଲେ l ମାତ୍ର ନ ଯାଇ ପାରୁଥିବାରୁ ତାଙ୍କ ମନ ଟିକିଏ ଦୁଃଖହେଲା l ବିଷଣ୍ଣ ଚିତ୍ତରେ ଥାଆନ୍ତି ପଟ୍ଟଯୋଶୀ ମହାପାତ୍ରେ ରାତିରେ ତାଙ୍କୁ ମହାପ୍ରଭୁ ସ୍ୱପ୍ନାଦେଶ ଦେଲେ, ତୁମେ ଚନ୍ଦନ ଲାଗି ବେଳେ ଜୟବିଜୟ ଦ୍ୱାରରେ ବେତର ଅଗ୍ର ଭାଗ ଲଗାଇ ଛିଡ଼ାହେବ l ଭକ୍ତଙ୍କ ଭିତରୁ କେହି ଜଣେ ତୁମକୁ ବେତ ଖସାଇ ଦେବା ପାଇଁ କହିବ l ତୁମେ ବେତ ଖସାଇ ଦେଇ ଗୁପ୍ତ ଭାବରେ ଛିଡ଼ା ହେବ l ଫେରି ଆସି, ସେହି ଭକ୍ତ ତୁମକୁ ପୁଣି ବେତ କାଢ଼ି ଦିଅ ବୋଲି କହିବ l ତୁମେ ସେଇଠି ତାଙ୍କର ପରିଚୟ ମାଗିବ l ସେ ତୁମକୁ ନିଶ୍ଚୟ ଏକ ଅମୁଲ୍ୟ ପଦାର୍ଥ ଦେଇ ଚାଲିଯିବେ l ପରଦିନ ପ୍ରଭୁଙ୍କ କଥାନୁସାରେ ମହାପାତ୍ରେ ଯାଇ ଜୟବିଜୟ ଦ୍ୱାରରେ ଠିଆ ହେଲେ l ଚନ୍ଦନ ଲାଗି ସମୟ ହୋଇ ଯିବାରୁ ଏକ ଦିବ୍ୟ ଜ୍ୟୋତିର୍ମୟ ପୁରୁଷ ଆସିଲେ ଓ ତାଙ୍କୁ ବେତ ଖସାଇ ଦେବା ପାଇଁ କହିଲେ l ପଟ୍ଟଯୋଶୀ ବେତକୁ ଖସାଇ ଦେଲେ l ମହାପ୍ରଭୁଙ୍କ ଦର୍ଶନ ସାରି ସେ ଫେରି ଆସିଲେ ଓ ପୁଣି 'ବେତ ଖସାଇ ଦିଅ କହିଲେ' l ପଟ୍ଟଯୋଶୀ ବେତଟିକୁ ଖସାଇ ଦେଇ ତାଙ୍କୁ ଅନୁସରଣ କରି ଯାଇ ତାଙ୍କ ପରିଚୟ ମାଗିଲେ l ସେ ଦିବ୍ୟପୁରୁଷ ଜଣକ ତାଙ୍କ ପରିଚୟ ଦେବାକୁ ଯାଇ କହିଲେ, ମୁଁ ଲଙ୍କପତି, ବିଭୀଷଣ l ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନପାଇଁ ଲଙ୍କାପୁରରୁ ପ୍ରତ୍ୟହ ଶ୍ରୀକ୍ଷେତ୍ର ଆସେ l ଭକ୍ତ ବିଭୀଷଣଙ୍କ ପରିଚୟ ଓ ଦର୍ଶନ ଲାଭ କରି ପଟ୍ଟଯୋଶୀ ନିଜକୁ କୃତାର୍ଥ ମନେ କଲେ ଏବଂ ତାଙ୍କ ହାତରେ ପ୍ରଭୁଙ୍କ ଛଡ଼ା ଚନ୍ଦନ ଓ ତୁଳସୀ ପ୍ରଦାନ କଲେ l ବିଭୀଷଣ ପ୍ରଭୁଙ୍କ ଚନ୍ଦନ ତୁଳସୀ ନେଇ ପଟ୍ଟଯୋଶୀ ମହାଶୟଙ୍କୁ ଦକ୍ଷିଣା ଯାଚନା କଲେ l ପଟ୍ଟଯୋଶୀ କହିଲେ,ମହାତ୍ମନ ! ଆପଣ ମୋତେ ଦକ୍ଷିଣା ସ୍ବରୁପେ ଏମିତି ଗୋଟିଏ ପଦାର୍ଥ ପ୍ରଦାନ କରନ୍ତୁ,ଯେପରି ତାହାଦ୍ୱାରା ମୁଁ ଆପଣଙ୍କ ଦର୍ଶନ ପ୍ରାପ୍ତ ହୋଇଛି ବୋଲି, ଭକ୍ତମାନଙ୍କ ଗହଣରେ ପରିଚିତ ହୋଇ ପାରିବି l ଭକ୍ତ ବିଭୀଷଣ ବହୁ ଚିନ୍ତା କରି ନିଜ ହସ୍ତରୁ ସ୍ବର୍ଣ୍ଣ କଙ୍କଣଟି କାଢି ପଟ୍ଟଯୋଶୀ ମହାପାତ୍ରଙ୍କୁ ବଢାଇ ଦେଲେ l ବିଭୀଷଣଙ୍କ ପ୍ରଦତ୍ତ ସେହି ସୁବର୍ଣ୍ଣ କଙ୍କଣ ଆଜି ପର୍ଯ୍ୟନ୍ତ ପଟ୍ଟଯୋଶୀ ମହାପାତ୍ରଙ୍କ ଗୃହରେ ପୂଜା ହେଉଛି l ଭକ୍ତ ବିଭୀଷଣ ଯେ ମହାପ୍ରଭୁଙ୍କୁ ପ୍ରତ୍ୟହ ଦର୍ଶନ କରିବାକୁ ଆସୁଛନ୍ତି ଏ କଥା ଏ ଘଟଣାରୁ ପ୍ରଘଟ ହୋଇ ଯିବାରୁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, "ପ୍ରଭୁ ! ଆପଣ ଦେଇଥିବା କଥା ଅନୁସାରେ ମୁଁ ପ୍ରତ୍ୟହ ଆପଣଙ୍କୁ ଅତି ସନ୍ତର୍ପଣରେ ଆସି ଦର୍ଶନ ଅରୁଥିଲି l ମୋର ଆସିବା ଏବେ ପ୍ରଘଟ ହେଉଛି l ମୁଁ କିପରି ନିର୍ବିଘ୍ନରେ ଆପଣଙ୍କର ଦର୍ଶନ ପାଇବି, ତାହାର ବ୍ୟବସ୍ଥା ଆପଣ କରିବା ହୁଅନ୍ତୁ"l ଏଥି ପାଇଁ , ବିଭୀଷଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରର ଉପରିସ୍ଥ ଭାଗର ଦକ୍ଷିଣ ପାର୍ଶ୍ଵରେ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ କରା ଯାଇଛି l ସେହି ବିଗ୍ରହଙ୍କୁ ଲଙ୍କାରୁ ଭକ୍ତ ବିଭୀଷଣ ଦର୍ଶନ କରି ତାଙ୍କ ଅଭିଳାଷ ପୂରଣ କରନ୍ତି l ପ୍ରଭୁ ଲଙ୍କପତି ବିଭୀଷଣଙ୍କୁ ଯେଉଁ ବର ଦେଇ ଥିଲେ ତାହାକୁ ବର୍ଣ୍ଣନା କରି ବଳରାମ ଦାସ ତାଙ୍କ ବଟ ଅବକାଶରେ ଲେଖିଛନ୍ତି :- ଶୁଣି ଦାଶରଥି ବୋଇଲେ ବଚନ l ନିତ୍ୟ ନୀଳାଚଳେ ପାଉଥିବୁ ଦର୍ଶନ ll
ପୁଣି ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁ ଯେତେବେଳେ ଦକ୍ଷିଣ ମୋଡ଼ ହୋଇ ମୁଖ୍ୟ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେତେ ବେଳେ ବି ବିଭୀଷଣ ମହାପ୍ରଭୁଙ୍କ ଦର୍ଶନ କରନ୍ତି ଏବଂ ଅନୁଷ୍ଠିତ ହୋଇଥାଏ ବିଭୀଷଣ ବନ୍ଦାପନା ନୀତି l ଏହାମଧ୍ୟ ବଟ ଅବକାଶରେ ଭକ୍ତ ବଳରାମ ଦାସ ବର୍ଣ୍ଣନା କରିଛନ୍ତି :- ଦ୍ୱାଦଶ ଯାତ୍ରା ଆମ୍ଭର ଦକ୍ଷିଣ ମୂର୍ତ୍ତି ବେଳେ l ତୁ ହୋ ବିଭୀଷଣ ଦର୍ଶନ କରିବୁ ତେତେ ବେଳେ l ଆହୁରି ମଧ୍ୟ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ଉପରାନ୍ତେ ମହାପ୍ରଭୁ ଯେତେବେଳେ ଅଣସର ଗୃହକୁ ବାହୁଡ଼ି ଆସନ୍ତି ସେତେ ବେଳେ ମଧ୍ୟ ବିଭୀଷଣଙ୍କ ଦକ୍ଷିଣା ମୂର୍ତ୍ତୀ ବନ୍ଦାପନା ହୋଇଥାଏ l ଏହି ବନ୍ଦାପନା ବିଧି ପତି ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଥାଏ l ନୀଳାଚଳ ମାଧୁରୀ ଗ୍ରନ୍ଥରୁ ଏହାର ପ୍ରମାଣ ମିଳେ :- ସ୍ନାନ ଯାତ୍ରା ସାରି ସ୍ନାନ ମଣ୍ଡପରୁ ମନ୍ଦିର ବିଜେ କାଳରେ l ବିଭୀଷଣ ବନ୍ଦାପନା ଜଗନ୍ନାଥ ହୁଅନ୍ତି ରହି ବାଟରେ ll ପତି ମହାପାତ୍ର ବିଭୀଷଣଙ୍କର ତହିଁ ପ୍ରତିନିଧି ହୋଇ l ବନ୍ଦାପନା ଵିଧି ବତାଇ ଦିଅନ୍ତି ଉପଚାର ମାନ ଥୋଇ ll ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବିଭୀଷଣ ମହାପ୍ରଭୁଙ୍କ ଦକ୍ଷିଣ ମୂର୍ତ୍ତି ଦର୍ଶନକୁ ଲକ୍ଷ୍ୟ କରି କବି ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ ଲେଖିଛନ୍ତି :- ହେମ ଶ୍ରୀପୟରେ ହେମ ଯେ ଭୁଜରେ ଶୋହେ ହେମ ଧନୁର୍ବାଣ l ଯେବଣ ଦକ୍ଷିଣ ମୂର୍ତ୍ତି ଦର୍ଶ‌ନ‌କୁ ଟାକିଥାନ୍ତି ବିଭୀଷଣ ll
           !!! ଜୟ ଜଗନ୍ନାଥ !!!
               🙏🙏🙏
                  ଅର୍ଜୁନୀ
              ----------------
ଅର୍ଜୁନୀ ଚରଣ ବେହେରା
 ମୋ - 7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational