STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ତିନୋଟି ପ୍ରଶ୍ନ

ତିନୋଟି ପ୍ରଶ୍ନ

4 mins
0

              ତିନୋଟି ପ୍ରଶ୍ନ
 (ଟଲଷ୍ଟୟଙ୍କ କାହଣୀର ମାର୍ମନୁବାଦ)     
           ===========
ଗୋଟିଏ ଦେଶରେ ଜଣେ ରାଜା ଥିଲେ। ଏକଦା ତାଙ୍କ ମନରେ କେତେଗୋଟି ପ୍ରଶ୍ନ ଉଙ୍କି ମାରିଲା। ପ୍ରଶ୍ନଗୁଡ଼ିକ ଥିଲା - ​କୌଣସି ଏକ କାର୍ଯ୍ୟ କରିବା ନିମନ୍ତେ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ବା ପ୍ରକୃଷ୍ଠ ସମୟ କେଉଁଟି ? ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଅଣ? ​ପରାମର୍ଶପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି କିଏ? ​ ରାଜା ଭାବିଲେ, ଏହି ତିନିଟି କଥା ମୁଁ ଯଦି ଜାଣି ପାରନ୍ତି, ତେବେ ମୁଁ କୌଣସି କଥା ବା କାର୍ଯ୍ୟରେ ଆଉ ବିଫଳ ହୁଅନ୍ତି ନାହିଁ। ଏହା ଚିନ୍ତାକରି ରାଜା ତାଙ୍କ ରାଜ୍ୟରେ ଘୋଷଣା କରିଦେଲେ ଯେ ଯିଏ ମୋର ଏହି ପ୍ରଶ୍ନ ମାନଙ୍କର ସଠିକ୍ ଉତ୍ତର ଦେଇ ପାରିବ ତାଙ୍କୁ ଉପଯୁକ୍ତ ପୁରସ୍କାର ଦିଆଯିବ।
ରାଜାଙ୍କ ଘୋଷଣା ଶୁଣି ଚତୁର୍ଦ୍ଦିଗରୁ ପଣ୍ଡିତ ମାନେ ଆସି ପହଞ୍ଚିଲେ । ରାଜାଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କିଏ କହିଲା, କୌଣସି କାର୍ଯ୍ୟର ସଠିକ୍ ସମୟ ଜାଣିବା ପାଇଁ ଜଣେ ଆଗରୁ ବର୍ଷ ମାସ, ଦିନ, ବାର, ଆଦିର ଖସଡ଼ା ପ୍ରସ୍ତୁତ କରିବା ଉଚିତ୍। ଆଉ କିଏ କହିଲା ଏପରି ସମୟ ଆଗରୁ ଜାଣିବା ସମ୍ଭବପର ନୁହେଁ। କିଏ କହିଲା ରାଜାଙ୍କୁ ପ୍ରକୃଷ୍ଠ ସମୟ ଜାଣିବା ପାଇଁ ତାଙ୍କ ପାଖରେ ଏକ ବିଜ୍ଞ ବ୍ୟକ୍ତିଙ୍କ ପରିଷଦ ରହିବା ଉଚିତ୍। ସେହିପରି ଦ୍ୱିତୀୟ ପ୍ରଶ୍ନ ଉତ୍ତରରେ କିଏ କହିଲା ଉତ୍ତମ ବ୍ୟକ୍ତିମାନେ ହେଉଛନ୍ତି ରାଜାଙ୍କର ମନ୍ତ୍ରୀ ପରିଷଦ, କିଏ କହିଲା ରାଜ ପୁରୋହିତ ତ କିଏ ପୁଣି କହିଲା ଡାକ୍ତର। ତୃତୀୟ ପ୍ରଶ୍ନର ଉତ୍ତରରେ କିଏ କହିଲା, ବିଜ୍ଞାନ । କିଏ କହିଲା ଯୁଦ୍ଧ ବିଦ୍ୟା ପୁଣି କିଏ କହିଲା ଧାର୍ମିକ ଅନୁଷ୍ଠାନ।
ଏହିପରି ନାନା ମୁନିଙ୍କର ନାନା ମତ ଶୁଣି ରାଜା କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ। ସେ ଶେଷକୁ ନିର୍ଣ୍ଣୟ ନେଲେ ଏ ପ୍ରଶ୍ନ କୌଣସି ଜଣେ ବିଜ୍ଞ ଶିଦ୍ଧସାଧକ ସନ୍ନ୍ୟାସୀଙ୍କୁ ପଚାରିବେ। ଏପରି ବିଚାରକରି ଦିନେ ରାଜା ଯାଇ ଦୂର ଜଙ୍ଗଲରେ ବାସକରୁଥିବା ଜଣେ ତପଚାରୀ ସାଧୁଙ୍କ ପାଖରେ ନିଜର ସୈନ୍ୟ ସାମନ୍ତଙ୍କୁ ଧରି ପହଞ୍ଚିଲେ । ରାଜା ସମସ୍ତ ସୈନ୍ୟ ଓ ଗୁପ୍ତଚର ମାନଙ୍କୁ ସେହି ସାଧୁଙ୍କ କୁଡ଼ିଆଠାରୁ ଦୂରରେ ରହିବାପାଇଁ ନିର୍ଦ୍ଦେଶ ଦେଇ ନିଜେ ଏକା ସାଧାରଣ ପରିଚ୍ଛଦରେ ସାଧୁଙ୍କ କୁଡ଼ିଆ ଆଡ଼କୁ ଚାଲିଲେ। ​ ରାଜା ତାଙ୍କ ପାଖରେ ପହଞ୍ଚି ଦେଖିଲେ ସନ୍ନ୍ୟାସୀ ଆଶ୍ରମ କ୍ଷେତରେ କୋଦାଳ ଧରି କାମ କରୁଛନ୍ତି। କିଛି ସମୟପରେ ତାଙ୍କର ଦୃଷ୍ଟି ରାଜାଙ୍କ ଉପରେ ପଡ଼ିଲା। ସେ ରାଜାଙ୍କୁ ତାଙ୍କର ଆସିବାର କାରଣ ପଚାରିଲେ । ରାଜା ବହୁ ଆଦରର ସହିତ ନିଜର ସେହି ତିନିଟିପ୍ରଶ୍ନ ସନ୍ନ୍ୟାସୀଙ୍କୁ ପଚାରିଲେ। ରାଜା ଖୁବ୍ ବ୍ୟଗ୍ରତା ସହକାରେ ତାଙ୍କ ଉତ୍ତରକୁ ଅପେକ୍ଷା କରି ରହିଲେ । କିନ୍ତୁ ଏ କଣ? ସାଧୁ ଜଣକ ତାଙ୍କୁ ଉତ୍ତରଦେବା ପରିବର୍ତ୍ତେ ରାଜାଙ୍କୁ ତାଙ୍କ ଖଣତିଟି ଧରିବାକୁ ସଙ୍କେତ ଦେଲେ। ରାଜା ସାଧୁଙ୍କ ଖଣତି ଧରି ତାଙ୍କ ବିଲ ଖୋଳିବାକୁ ଲାଗିଲେ। ରାଜାଙ୍କ ସାଧୁଙ୍କ ଠାରୁ ଉତ୍ତର ପାଇବାପାଇଁ ବ୍ୟଗ୍ରତା ବଢ଼ି ବଢ଼ି ଚାଲିଥାଏ। ​ରାଜା ବିଲ ଖୋଳୁ ଖୋଳୁ ସଞ୍ଜ ହୋଇଗଲା। ଏତିକି ବେଳେ ଜଣେ ଆହତ ବ୍ୟକ୍ତି ରକ୍ତାକ୍ତହୋଇ ଆସି ସନ୍ନ୍ୟାସୀଙ୍କ ଶରଣ ପଶିଲା। ସେହି ଆହତ ବ୍ୟକ୍ତିର ପେଟରୁ ପ୍ରବଳ ରକ୍ତସ୍ରାବହେଉଥିଲା ଓ ସେ ଖୁବ୍ କଷ୍ଟ ପାଉଥିଲା। ଲୋକଟିର ଏପରି ଦୟନୀୟ ଅବସ୍ଥା ଦେଖି ରାଜା ଓ ସନ୍ନ୍ୟାସୀ, ତା'ର ଶୁଶ୍ରୁଷା କରିବାକୁ ଲାଗିଲେ। ଯନ୍ତ୍ରଣାରୁ ଟିକେ ଆରାମ ମିଳିବାରୁ ଆହତ ବ୍ୟକ୍ତି ଜଣକ ଶୋଇ ପଡ଼ିଲା। ସକାଳ ହେଲାରୁ ଆହତ ବ୍ୟକ୍ତି ଜଣକ ସିଧା ଯାଇ ରାଜାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲା। ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଥାନ୍ତି । ସେ ନିଜର ପରିଚୟଦେଇ କହିଲା,"କାଲି ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ମୋ'ର ପରମ ଶତ୍ରୁ ବୋଲି ମାନୁଥିଲି । କାରଣ, ଆପଣ ମୋ ଭାଇଙ୍କୁ ଫାଶୀ ଦଣ୍ଡ ଦେଇ ଥିଲେ। ମୁଁ ଏହାର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜି ବୁଲୁ ଥିଲି। ଗତକାଲି ମୁଁ ଜାଣିପାରିଲି ଯେ ଆପଣ ସାଧାରଣ ବେଶରେ ଏହି ସାଧୁଙ୍କ ପାଖକୁ ଆସିଛନ୍ତି ବୋଲି। ଆପଣଙ୍କୁ ହତ୍ୟା କରିବାକୁ ମୁଁ ଏଠାକୁ ଆସି ଥିଲି ଏବଂ ଗୋଟିଏ ବୁଦା ପଛରେ ଲୁଚିକି ବସିଥିଲି। କିନ୍ତୁ ଆପଣଙ୍କ ଗୁପ୍ତଚର ମାନେ ମୋତେ ଚିହ୍ନିନେଲେ ଓ ମାରାତ୍ମକ ଅସ୍ତ୍ର ଶସ୍ତ୍ରରେ ମୋତେ ଆହତ କଲେ। ମୁଁ ଆପଣଙ୍କ ଶତ୍ରୁ ହୋଇ ଥିଲେ ମଧ୍ୟ ଆପଣ ମୋର ପ୍ରାଣ ରକ୍ଷାକରିଛନ୍ତି। ଫଳତଃ ମୋ ମନରୁ ଆପଣଙ୍କପ୍ରତି ଥିବା ମୋର ସମସ୍ତ ଶତ୍ରୁତା ସମାପ୍ତ ହୋଇ ଯାଇଛି। ବର୍ତ୍ତମାନ ମୁଁ ଆପଣଙ୍କ ସେବକ। ଚାହିଁଲେ ଆପଣ ମୋତେ ଦଣ୍ଡ ଦେଇ ପାରନ୍ତି ବା କ୍ଷମା କରି ପାରନ୍ତି। ସେହି ​ଆହତ ବ୍ୟକ୍ତିର କଥା ଶୁଣି ରାଜା ଖୁବ୍ ସ୍ତବ୍ଧ ହୋଇ ପଡ଼ିଲେ ଓ ମନେ ମନେ ଏହି ଅପ୍ରତ୍ୟାଶିତ ଈଶ୍ୱରୀୟ ସହଯୋଗ ପାଇଁ, ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ।
ସନ୍ନ୍ୟାସୀ ପାଖରେ ଠିଆ ହୋଇ ସବୁ କିଛି ଦେଖୁଥାନ୍ତି । ରାଜା ପୁଣି ତାଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ। ହସି ହସି ସାଧୁ କହିଲେ, "ରାଜନ୍ ! ଆପଣଙ୍କୁ କଅଣ ଏବେ ମଧ୍ୟ ଆପଣଙ୍କ ପ୍ରଶ୍ନର ଉତ୍ତର ମିଳି ନାହିଁ?" ସାଧୁଙ୍କ କଥା ଶୁଣି ​ରାଜା ଟିକିଏ ହଡ଼ବଡ଼ ହୋଇ ପଡ଼ିଲେ । ରାଜାଙ୍କୁ ଖୁବ୍ ଦ୍ୱିଧାରେ ଥିବାର ଦେଖି ସନ୍ନ୍ୟାସୀ ସବୁ ଖୋଲି କରି କହିଲେ। ସନ୍ନ୍ୟାସୀ କହିଲେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଯାହା ଆମ ସମ୍ମୁଖରେ ଥାଏ । ଯେପରି ଆପଣ ମୋତେ ବିଲଖୋଳିବାରେ ସହାନୁଭୂତି ଦେଖାଇଲେ । ଯଦି ମୋତେ ଆପଣ ସେହି ତକ ସହାନୁଭୂତି ଦେଖାଇ ନଥାନ୍ତେ ତେବେ ଆପଣଙ୍କ ଜୀବନ ବିପନ୍ନ ହୋଇ ଥାନ୍ତା। ପରାମର୍ଶ ପାଇଁ କିଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆପଣ ପାଇ ସାରିଛନ୍ତି। ଯେଉଁ ବ୍ୟକ୍ତି ଆମ ନିକଟରେ ଉପସ୍ଥିତ ଅଛନ୍ତି, ତାଙ୍କ ସହ ପରାମର୍ଶ କରିବା ସବୁଠୁଁ ଗୁରୁତ୍ୱପୂର୍ଣ୍ଣ।ସେହି ଆହତ ବ୍ୟକ୍ତି ଜଣଙ୍କୁ ସାହାଯ୍ୟର ଆବଶ୍ୟକତା ଥିଲା । ଆପଣ ତାକୁ ସାହାଯ୍ୟ କଲେ। ଫଳରେ ଜଣେ ଶତ୍ରୁ ମଧ୍ୟ ଆପଣଙ୍କ ମିତ୍ର ହୋଇ ଗଲା।ଶେଷରେ ସାଧୁ କହିଲେ, ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ସମୟ ହେଉଛି, ବର୍ତ୍ତମାନ, ଯେପରି ତୁମେ ମୋ ସହ ମିଶି ଜମିରେ କାମ କଲ ଏବଂ ସେ ଆହତ ଲୋକଟିକୁ ବଞ୍ଚାଇଲ। ସାମ୍ନାରେ ଉପସ୍ଥିତ କାମ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କାମ। ଏତକ କହିସାରି ସନ୍ନ୍ୟାସୀ ରାଜାଙ୍କୁ ପ୍ରଶ୍ନ କଲେ, କଣ ଆଉ କିଛି ଉତ୍ତର ତୁମର ବାକି ଅଛି। ରାଜା ଆଉ କିଛି ନକହି ସାଧୁଙ୍କୁ ପ୍ରଣାମ କରି ଅତ୍ୟନ୍ତ ଉଲ୍ଲସିତ ହୋଇ ପ୍ରସାଦକୁ ଫେରି ଆସିଲେ।
              🙏🙏🙏
                 ଅର୍ଜୁନୀ
                ------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational