STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି

ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି

5 mins
0

ଗଙ୍ଗା ବୋଇଲେ ଥିବି
ଗାଙ୍ଗୀ ବୋଇଲେ ଯିବି
 ରାଜା ଶାନ୍ତନୁ ଓ ଦେଵୀ ଗଙ୍ଗାଙ୍କ କଥା ==============
ଚକ୍ରବର୍ତ୍ତୀ ମହାରାଜ ଭରତଙ୍କ ନାମ ଅନୁସାରେ ଆମ ଦେଶର ନାମ ହୋଇଛି ଭାରତ l ଭରତଙ୍କ ବଂଶଧର ହେଉଛନ୍ତି କୌରବ ଓ ପାଣ୍ଡଵ l ସେଥି ପାଇଁ ସେମାନଙ୍କୁ ଭାରତ ବୋଲି ସମ୍ବୋଧନ କରା ଯାଏ l ଏହି ଭରତ ବଂଶରେ ହସ୍ତୀ ନାମକ ଜଣେ ବଡ଼ ରାଜା ଥିଲେ । ତାଙ୍କରି ନାମରେ ସେ ହସ୍ତିନା ନବର ବସାଇ ଥିଲେ l କିଛି କାଳ ପରେ ହସ୍ତୀଙ୍କ ବଂଶରେ କୁରୁ ନାମରେ ଜଣେ ରାଜା ଜନ୍ମ ହୋଇ ଥିଲେ l ଯେଉଁଠି ସେ ତପସ୍ୟା କରୁ ଥିଲେ ସେହି ସ୍ଥାନର ନାମ ହେଲା, କୁରୁକ୍ଷେତ୍ର l ରାଜା କୁରୁଙ୍କ ନାମ ଅନୁସାରେ କୌରବ ଓ ପାଣ୍ଡଵ ମାନେ କୁରୁ ବଂଶୀ ବୋଲି ପରିଚିତ ହୁଅନ୍ତି l ଏ ବଂଶରେ ପୁଣି ପ୍ରତୀପବୋଲି ଜଣେ ପ୍ରତାପୀ ରାଜା ରାଜୁତି କରି ଥିଲେ ଯାହାଙ୍କ ପୁତ୍ର ହେଲେ ରାଜା ଶାନ୍ତନୁ l
ଦିନେ ଅଷ୍ଟବସୁ ସସ୍ତ୍ରୀକ ମହର୍ଷି ବଶିଷ୍ଟଙ୍କ ଆଶ୍ରମ ନିକଟରେ ଭ୍ରମଣ କରୁ ଥିଲେ l ବଶିଷ୍ଠଙ୍କର ଧେନୁ ନନ୍ଦିନୀଙ୍କୁ ଦେଖି, ଜଣେ ବସୁଙ୍କ ପତ୍ନୀ ଗାଈଟିକୁ ନେବା ପାଇଁ ଇଚ୍ଛା କଲେ l ତାଙ୍କ ସ୍ବାମୀ ଏଥିରେ ଅମଙ୍ଗ ହୋଇ କହିଲେ ଏହା ଆମର ଠିକ ହେବ ନାହିଁ l ଅଯଥା ଆମେ ବଶିଷ୍ଟଙ୍କ କ୍ରୋଧର ଶିକାର ହେବା l ମାତ୍ର ତାଙ୍କର ପତ୍ନୀ ଜିଦ ଧରି ବସିବାରୁ ଵସୁମାନେ ଯାଇ, ନନ୍ଦିନୀଙ୍କୁ ଚୋରାଇ ନେଲେ l ଆଶ୍ରମକୁ ଫେରିଆସି ବଶିଷ୍ଟ ନନ୍ଦିନୀକୁ ନ ଦେଖି ବ୍ୟସ୍ତହୋଇ ପଡ଼ିଲେ ଏବଂ ଯୋଗବଳରେ ଜାଣି ପାରିଲେ ଯେ ଅଷ୍ଟବସୁ ନନ୍ଦିନୀକୁ ଅପହରଣ କରି ନେଇଛନ୍ତି l ସେ ସେମାନଙ୍କୁ ଏହି ଅପରାଧ ପାଇଁ ଅଭିଶାପ ଦେଲେ,ମର୍ତ୍ତ୍ୟରେ ମନୁଷ୍ୟ ହୋଇ ଜନ୍ମ ହେବା ପାଇଁ l ଅନୁତପ୍ତ ବସୁ ଗଣ ମହର୍ଷିଙ୍କୁ କ୍ଷମା ଭିକ୍ଷା କଲେ l ବଶିଷ୍ଟ କହିଲେ,"ମୋର ଅଭିଶାପ ଅବଶ୍ୟ ଫଳବତୀ ହେବ l ଯେଉଁ ବସୁ ପ୍ରଥମେ ନନ୍ଦିନୀଙ୍କୁ ବନ୍ଧନ କରିଛି ସେ ସଂସାରରେ ଦୀର୍ଘ କାଳ ବଞ୍ଚି ପ୍ରସିଦ୍ଧ ହେବ l କିନ୍ତୁ ଅନ୍ୟମାନେ ଜନ୍ମ ହେବା ସଙ୍ଗେ ସଙ୍ଗେ ମୁକ୍ତ ହୋଇଯିବେ"l ଏହାର ଉପାୟ ବତାଇ, ବଶିଷ୍ଟ କହିଲେ, ତୁମେ ମାନେ ଦେବୀ ଗଙ୍ଗାଙ୍କୁ ପ୍ରାର୍ଥନାକର l ସେ ତୁମର ମାତା ହେବେ l ତାଙ୍କ ଗର୍ଭରୁ ଜନ୍ମ ହେବା କ୍ଷଣି ତୁମ୍ଭଙ୍କୁ ସେ ନଦୀରେ ଭସାଇ ଦେବେ, ତୁମ୍ଭେ ମାନେ ପୁଣି ଦେବଲୋକ ଫେରିଯିବ l କେବଳ ଅଷ୍ଟମପୁତ୍ରହିଁ ବହୁକାଳ ବଞ୍ଚି ରହିବ l ବସୁଗଣ ଗଙ୍ଗାକୁ ପ୍ରାର୍ଥନା କରିବାରୁ ସେ ବଶିଷ୍ଟ କହିଥିବା କଥା ଅନୁଯାୟୀ କାର୍ଯ୍ୟ କରିବେ ବୋଲି କହି ତାଙ୍କର ମାତା ହେବା ପାଇଁ ରାଜି ହେଲେ l ରାଜା ପ୍ରତୀପଙ୍କ କୌଣସି ସନ୍ତାନ ନଥିଲେ l ତାଙ୍କର ବଂଶ ଶେଷ ହେବାକୁ ଯାଉଥିବା ଦେଖି ପୁତ୍ର ଲାଭ ନିମନ୍ତେ ଗଙ୍ଗା କୂଳରେ ସେ କଠୋର ତପସ୍ୟାରେ ମଗ୍ନଥାନ୍ତି l ଦେବୀ ଗଙ୍ଗା ସେଠାରେ ସୁନ୍ଦର ବେଶ ଧାରଣ କରି ବୁଲୁଥିଲେ l ସେ ଯାଇ ତପସ୍ୟା ରତ, ପ୍ରତୀପଙ୍କ ଡାହାଣ ଜାନୁରେ ବସି ପଡ଼ି କହିଲେ, ମୁଁ ଭୀଷଣ କାମାସକ୍ତ। ଆପଣଙ୍କୁ ମୋର ଅଭିଳାଷ ପୂରଣ କରିବାକୁ ହେବ l ପ୍ରତୀପ ବଡ଼ ବିବ୍ରତ ହୋଇ ପଡ଼ିଲେ ଓ ଗଙ୍ଗାଙ୍କୁ କହିଲେ,"ହେ ଦେବୀ,ତୁମେ ମୋ ଦକ୍ଷ ଜାନୁରେ ଉପବେଶନ କରିଛ, ତୁମେ ମୋର କାମ କ୍ରୀଡ଼ାର ଯୋଗ୍ୟା ନୁହଁ l କେବଳ, ପୁତ୍ର, କନ୍ୟା, ପୁତ୍ରବଧୁ ଡାହାଣ ଜାନୁରେ ବସିବା ପାଇଁ, ଯୋଗ୍ୟ l ପତ୍ନୀ କେବଳ ବାମ ଜାନୁରେ ବସିବା ଯୋଗ୍ୟା l ଏଣୁ ତୁମସହ ମୋର ସମ୍ଭୋଗ ସମ୍ଭବନୁହେଁ l ଡାହାଣ ଜାନୁରେ ବସି ଥିବାରୁ ତୁମକୁ ମୁଁ ମୋର ପୁତ୍ରବଧୁ ରୂପେ ପାଇବାକୁ ଚାହେଁ l ସେହି ପୁତ୍ରପ୍ରାପ୍ତି ପାଇଁ ଏଠାରେ ମୁଁ ତପସ୍ୟା କରୁଛି l
ଗଙ୍ଗା ପ୍ରତୀପଙ୍କୁ ନିଜର ପରିଚୟ ପ୍ରଦାନ କଲେ l ସେ ରାଜାଙ୍କୁ କହିଲେ," ହେ ଧର୍ମଜ୍ଞ ରାଜା, ସାଧୁ ତୁମର ବାକ୍ୟ l ଅଚିରେ ତୁମେ ପୁତ୍ରସନ୍ତାନ ପ୍ରାପ୍ତ ହେବ ଏବଂ ସେହି ପୁତ୍ରକୁ ମୁଁ ପତି ରୂପେ ବରଣ କରିବି l" କିଛିକାଳ ପରେ ରାଜା ପ୍ରତୀପଙ୍କ ଏକ ପୁତ୍ର ସନ୍ତାନ ଜାତହେଲା l କୁଳ ଶେଷ ବା ଶାନ୍ତ ହେବାକୁ ଯାଉଥିବା ବେଳେ ସେ ପୁତ୍ର ପ୍ରାପ୍ତ ହୋଇ ଥିବାରୁ ସେ ପୁଅଟିର ନାମ ରଖିଲେ ଶାନ୍ତନୁ l ହସ୍ତିନାର ଏହି ଚନ୍ଦ୍ରବଂଶୀ ରାଜା ଶାନ୍ତନୁ ଓ ଗଙ୍ଗା ଦେବୀଙ୍କ ଔରସରୁ ଜନ୍ମ ହୋଇ ଥିଲେ, ଭୀଷ୍ମ l ଭୀଷ୍ମ ମହା କାବ୍ୟ ମହାଭାରତର ଏକ ଚମତ୍କାର ଓ ପ୍ରଭାବ ଶାଳୀ ଚରିତ୍ର l ଭୀଷ୍ମଙ୍କ ଜନ୍ମ ହୋଇ ଥିଲା ମାଘ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଦିନ l
ମହାରାଜ ଶାନ୍ତନୁ ଆଗ ଜନ୍ମରେ ଥିଲେ, ରାଜା ମହାଭିଷେକ l ସେ ଥରେ ବ୍ରହ୍ମାଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ସ୍ୱର୍ଗ ଲୋକ ଯାଇଥିଲେ l ବ୍ରହ୍ମାଙ୍କ ନିକଟରେ ଉପସ୍ଥିତ ଥାନ୍ତି, ଦେବୀ ଗଙ୍ଗା l ମନ୍ଦ ସମୀରଣ ପ୍ରବାହରେ ଗଙ୍ଗା ପିନ୍ଧିଥିବା ବସ୍ତ୍ର ଅଳ୍ପ ଖସି ପଡ଼ିଲା l ତାଙ୍କ ଅନାବୃତ ଅଙ୍ଗ ସୌଷ୍ଠବକୁ ମୁଗ୍ଧ ହୋଇ ଚାହିଁ ରହିଲେ ମହାଭିଷେକ l ଗଙ୍ଗା ତାଙ୍କ ଚକ୍ଷୁରେ ଚକ୍ଷୁମିଳାଇ ଚାହିଁରହି ଥାନ୍ତି l ଏହା ବ୍ରହ୍ମା ଦେଖି ପାରିଲେ l ସେ ତତ୍କ୍ଷଣାତ ଅଭିଶାପ ଦେଲେ ସେମାନଙ୍କୁ ମାନବଶରୀର ଗ୍ରହଣକରିବା ପାଇଁ l ଶାପ ପାଇ ଗଙ୍ଗା ଦେବୀ ଏବଂ ସେହି ରାଜା ମହାଭିଷେକ ମର୍ତ୍ତ୍ୟରେ ଗଙ୍ଗା ଓ ଶାନ୍ତନୁ ରୂପରେ ଜନ୍ମ ହେଲେ l ଗଙ୍ଗା ଦେବୀ ବ୍ରହ୍ମାଙ୍କୁ ଏ ଶାପରୁ ମୁକ୍ତି ପାଇଁ ଜିଜ୍ଞାସା କରିବାରୁ ସେ କହିଲେ ତାଙ୍କ ଗର୍ଭରୁ ଅଷ୍ଟବସୁ ଜନ୍ମ ହେବେ ଓ ତା' ପରେ ସେ ସ୍ୱର୍ଗ ଲୋକକୁ ଫେରିବେ l ପରବର୍ତ୍ତୀ ସମୟରେ ଗଙ୍ଗାଙ୍କ ଶାନ୍ତନୁଙ୍କ ସହ ଭେଟ ହେଲା l ଶାନ୍ତନୁ ଗଙ୍ଗା ଦେବୀଙ୍କୁ ବିବାହ ପ୍ରସ୍ତାବ ଦେବାରୁ ସେ ଗୋଟିଏ ସର୍ତ୍ତ ରଖିଲେ l ଶାନ୍ତନୁ ଏଥିରେ ରାଜି ହେବାରୁ ସେମାନଙ୍କର ବିବାହ ହେଲା l ଗଙ୍ଗାଙ୍କ ସର୍ତ୍ତଟି ଥିଲା, ମୁଁ ଯାହା କରିବି ସେଥିରେ ତୁମେ କିଛି କହିବ ନାହିଁ l ମୋ କାର୍ଯ୍ୟରେ ହସ୍ତକ୍ଷେପ କଲେ ମୁଁ ତୁମ୍ଭଙ୍କୁ ସଙ୍ଗେ ସଙ୍ଗେ ପରିତ୍ୟାଗ କରି ଚାଲିଯିବି ଯାହା ଲୋକ ମୁଖରେ ପ୍ରସିଦ୍ଧ ହେଲା "ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି l"
ପରେ ଗଙ୍ଗାଙ୍କ ଗର୍ଭରୁ ସାତଗୋଟି ସନ୍ତାନ ଜନ୍ମ ହେଲେ l ସେ ସବୁ ସନ୍ତାନକୁ ଗୋଟି ଗୋଟି କରି ଗଙ୍ଗାରେ ବିସର୍ଜନ କରିଦେଲେ l ଗଙ୍ଗାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ରାଜା ଶାନ୍ତନୁ ବ୍ୟତିବ୍ୟସ୍ତ ହେଉ ଥିଲେ ହେଁ କିଛି କହିପାରନ୍ତି ନାହିଁ l କ୍ରମେ ଅଷ୍ଟମ ଗର୍ଭରୁ ପୁତ୍ର ଗୋଟିଏ ଜନ୍ମ ହେଲା l ପୂର୍ବବତ ସେହି ପୁତ୍ରକୁ ନେଇ ଗଙ୍ଗାରେ ବିସର୍ଜନ କରିବାକୁ ଯାଉଛନ୍ତି ଗଙ୍ଗା ଶାନ୍ତନୁ ତାଙ୍କୁ ବାରଣକଲେ l ଶାନ୍ତନୁ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ ହେବାରୁ ସେ ତାଙ୍କୁ ପରିତ୍ୟାଗ କରି ସେହି ଅଷ୍ଟମ ସନ୍ତାନକୁ ନେଇ ବଣକୁ ଚାଲିଗଲେ l ସନ୍ତାନଟିର ଗଙ୍ଗାଦେବୀ ନାମ ରଖିଥିଲେ ଦେବବ୍ରତ l ମହର୍ଷି ବଶିଷ୍ଟ ଏବଂ ଗଙ୍ଗାଦେଵୀ ଆଶ୍ରମରେ ପୁତ୍ର ଦେବବ୍ରତକୁ ସକଳ ଶାସ୍ତ୍ର ଶିକ୍ଷା ଦେଇ ପାରଙ୍ଗମ କରାଇଲେ l କିଛିଦିନ ପରେ ଦିନେ ରାଜା ଶାନ୍ତନୁ ମୃଗୟା ନିମନ୍ତେ ବଣକୁ ଯାଇଥିବା ବେଳେ ତାଙ୍କର ଦେବୀ ଗଙ୍ଗା ଓ ପୁତ୍ର ଦେବବ୍ରତଙ୍କ ସହ ସାକ୍ଷାତ ହେଲା l ପୁତ୍ରକୁ ରାଜା ଶାନ୍ତନୁଙ୍କୁ ସମର୍ପଣ କରି ଗଙ୍ଗା ସ୍ୱର୍ଗ ପ୍ରତ୍ୟାବର୍ତ୍ତନ କଲେ l ଗଙ୍ଗା ଚାଲିଗଲା ପରେ ଶାନ୍ତନୁ ଅତି ଦୁଃଖରେ ପତ୍ନୀବିରହରେ ଘାରିହୋଇ କାଳ କାଟୁଥାନ୍ତି l ଦିନେ ଗଙ୍ଗା କୂଳରେ ବୁଲୁ ବୁଲୁ ତାଙ୍କର ଭେଟ ହେଲା ଅପରୂପା ସୁନ୍ଦରୀ ଧୀବର ରାଜ ନନ୍ଦିନୀ ସତ୍ୟବତୀଙ୍କ ସହ l ସତ୍ୟବତୀଙ୍କ ସୌନ୍ଦର୍ଯ୍ୟରେ ସେ ମୋହିତ ହୋଇ ତାଙ୍କୁ ବିବାହ କରିବା ଚାହିଁଲେ l ହେଲେ ପୁତ୍ର ଦେବବ୍ରତ ପାଇଁ କୌଣସି ସିଦ୍ଧାନ୍ତ ସେ ନେଇ ପାରୁ ନଥାନ୍ତି l ଦେବବ୍ରତ ପିତାଙ୍କ ମନ କଥା ଜାଣି ପାରିଲେ l ଧୀବର ରାଜଙ୍କ ପାଖରେ ଯାଇ ସେ ପ୍ରସ୍ତାବଟି ଉପସ୍ଥାପନ କଲେ l ଧୀବର ରାଜ ଦେଖିଲେ ଦେବବ୍ରତ ରାଜା ଶାନ୍ତନୁଙ୍କ ଅନ୍ତେ ହସ୍ତିନାର ରାଜା ହେବେ l ତାଙ୍କ ଝିଅକୁ ଶାନ୍ତନୁଙ୍କୁ ବିବାହ ଦେଇ ଲାଭ କ'ଣ l ତେଣୁ ସେ ଗୋଟିଏ ସର୍ତ୍ତ ରଖିଲେ l ସେ କହିଲେ ରାଜା ପ୍ରତିଶ୍ରୁତି ଦିଅ ଯେ ସତ୍ୟବତୀଙ୍କ ପୁତ୍ର ହିଁ ହସ୍ତିନା ସିଂହାସନର ଅଧିକାରୀ ହେବ l ପିତା ଶାନ୍ତନୁଙ୍କ ପ୍ରୀତ୍ୟର୍ଥେ ଓ ଧୀବର ରାଜଙ୍କର ଏ ସର୍ତ୍ତ ପାଳନ କରିବା ପାଇଁ ସେ ପ୍ରତିଜ୍ଞା କଲେ ହସ୍ତିନା ସିଂହାସନ ସେ ଦାବି କରିବେ ନାହିଁ, ଭବିଷ୍ୟତରେ ମଧ୍ୟ  ତାଙ୍କର କୌଣସି ଦାୟାଦ ଯେପରି ଏହା ଦାବି ନ କରିବେ ସେଥି ନିମନ୍ତେ ସେ ସାରା ଜୀବନ ଅବିବାହିତ ରହିବେ l ତାହାହିଁ ହୋଇ ଥିଲା ଓ ଏପରି ଭୀଷଣ ପ୍ରତିଜ୍ଞା କରି ସେ ପରିଚିତ ହୋଇଥିଲେ ଭୀଷ୍ମ ନାମରେ l ତାଙ୍କ ଉପରେ ପ୍ରୀତ ହୋଇ ପିତା ଶାନ୍ତନୁ ତାଙ୍କୁ ଇଚ୍ଛାମୃତ୍ୟୁ ବର ଦେଇଥିଲେ l
                 🙏🙏🙏
                    ଅର୍ଜୁନୀ
               -----------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya story from Inspirational