STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାବଣର ଅଜା ମାଲ୍ୟବାନ

ରାବଣର ଅଜା ମାଲ୍ୟବାନ

3 mins
0

        ରାବଣର ଅଜା ମାଲ୍ୟବାନ
        ===============
ପୁରାତନ କାଳର କଥା । ସୁକେଶ ନାମକ ଜଣେ ରାକ୍ଷସ ଲଙ୍କାରେ ରାଜା ଥିଲେ। ତାଙ୍କ ପତ୍ନୀଙ୍କର ନାମ ଥିଲା ବେଦବତୀ। ତାଙ୍କର ତିନି ଜଣ ପୁତ୍ର ଥିଲେ ମାଳି, ସୁମାଳି ଓ ମାଲ୍ୟବାନ। ବ୍ରହ୍ମା ଓ ଭଗବାନ ଶିବଙ୍କ ବଳରେ ବଳୀୟାନ ହୋଇ ସେହି ରାକ୍ଷସ ପୁତ୍ରମାନେ, ଦେବତା, ଯକ୍ଷ ଓ ଗନ୍ଧର୍ବଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଲେ। ଭଗବାନ ବିଷ୍ଣୁ ରାକ୍ଷସ ମାନଙ୍କ ସହ ଯୁଦ୍ଧ କଲେ । ଯୁଦ୍ଧରେ ମାଳି ନିହତ ହେଲେ। ମାଲ୍ୟବାନ୍‌ ଓ ସୁମାଳି ପରାଜିତ ହୋଇ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଲଙ୍କା ପରିତ୍ୟାଗକରି ପାତାଳରେ ଯାଇ ବାସକଲେ। ଲଙ୍କାଗଡ଼ ରାକ୍ଷସ ଶୂନ୍ୟ ହୋଇଗଲା।
ବ୍ରହ୍ମାଙ୍କ ଆଦେଶରେ ବିଶ୍ରବା ଋଷି ଓ ତାଙ୍କର ପ୍ରଥମା ପତ୍ନୀ, ଇଡ଼ାବିଡ଼ାଙ୍କ ପୁତ୍ର କୁବେର, ଲଙ୍କାରେ ରାଜତ୍ୱ କଲେ। ପରେ ସୁମାଳୀଙ୍କ କନ୍ୟା ନିକଷାଙ୍କ ଠାରୁ ବିଶ୍ରବା ଋଷିଙ୍କ ଔରସରୁ ରାବଣ କୁମ୍ଭକର୍ଣ୍ଣ ଓ ବିଭୀଷଣ ତିନି ଜଣ ପୁତ୍ର ଜନ୍ମ ନେଲେ। ପିତାଙ୍କ ନିର୍ଦ୍ଦେଶରେ କୁବେର, ରାବଣକୁ ଲଙ୍କାର ଶାସନ ଅର୍ପଣ କରି କୈଳାସକୁ ଚାଲି ଗଲେ। ପାତାଳରୁ ସମସ୍ତ ରାକ୍ଷସମାନେ ଆସି ଲଙ୍କାରେ ଦର୍ପୀ ରାବଣର ଛତ୍ରଛାୟା ତଳେ ବାସ କଲେ। ସୁକେଶପୁତ୍ର ମାଲ୍ୟବାନ ଥିଲେ ବିଷ୍ଣୁଭକ୍ତ, ଧର୍ମଜ୍ଞ ଓ ନୀତିନିଷ୍ଠ। ରାବଣ ଲଙ୍କାର ରାଜା ହେବା ପରେ ରାବଣର ମାତାମହ ଭାବରେ ମାଲ୍ୟବାନ ନିଯୁକ୍ତ ହେଲେ ରାବଣର ଜଣେ ମନ୍ତ୍ରୀ ଏଵଂ ଉପଦେଷ୍ଟା ଭାବେ। ସେ ଥିଲେ ପରମ ଜ୍ଞାନୀ। ରାକ୍ଷସ ଥିଲେ ମଧ୍ୟ ବିଷ୍ଣୁଙ୍କ ପ୍ରତି ତାଙ୍କର ଥିଲା ଅଚଳଭକ୍ତି। ସେ ଜାଣି ଥିଲେ ବିଷ୍ଣୁହିଁ ଏକା ସମସ୍ତ ରାକ୍ଷସଙ୍କୁ ଶେଷ କରି ଦେବାକୁ ସମର୍ଥ । ସେ ନିଜର ଜ୍ଞାନ ବଳରେ ଜାଣିଥିଲେ ଯେ ସେହି ବିଷ୍ଣୁ ଏବେ ଦଶରଥ ସୂତ ରାମ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ରାବଣର ଶୁଭ ଚିନ୍ତକ ରୂପେ ଯେତେବେଳେ ଯୁଦ୍ଧ କରିବା ନିମନ୍ତେ, ରାବଣ ନିଜ ସଭାସଦ୍‌ ମାନଙ୍କ ସହ ମନ୍ତ୍ରଣା ଆରମ୍ଭ କଲା, ସଭାରେ ମାଲ୍ୟବାନ ପ୍ରଥମେ ଏହାର ବିରୋଧ କଲେ। ସେ ପରାକ୍ରମୀ ଓ ବଳବାନ ଥିଲେ। ତଥାପି, ବୀରତା ଏବଂ ବିକ୍ରମତାର କଥା ସେ ନ କହି, ବୁଦ୍ଧି, ଜ୍ଞାନ ଓ ବିବେକ ଅନୁସାରେ ରାଜାର ରାଜନୀତି ଜ୍ଞାନ ସଂପର୍କରେ ସୂଚନା ଦେବାକୁ ଯାଇ ସେ କହିବାକୁ ଲାଗିଲେ, ‘ଜଣେ ରାଜା ଚତୁର୍ଦ୍ଦଶ ବିଦ୍ୟାରେ ଶିକ୍ଷିତ ହେବା ସହିତ ନୀତିଜ୍ଞ ହେବା ବିଧେୟ। କେବଳ ଏପରି ରାଜା ଦୀର୍ଘ ଦିନ ଧରି ଶାସନ କରନ୍ତି ଓ ଶତ୍ରୁଙ୍କୁ ମଧ୍ୟ କରାୟତକରି ରଖିଥାନ୍ତି। ଆବଶ୍ୟକ ସ୍ଥଳେ ପରାକ୍ରମୀ ଶତ୍ରୁସହ ସନ୍ଧି କରି ନେବା ହିଁ ବୁଦ୍ଧିମାନର କାର୍ଯ୍ୟ। ଏଣୁ ମୋର ମତ, ପରାକ୍ରମୀ ଶ୍ରୀରାମଙ୍କ ସହିତ ସନ୍ଧି କରି ସୀତାଙ୍କୁ ଫେରାଇ ଦେବା ବୁଦ୍ଧି ମାନର କାର୍ଯ୍ୟହେବ। ଗୋସ୍ୱାମୀ ତୁଳସୀଦାସଙ୍କ ଭାଷାରେ ମାଲ୍ୟବାନ କହିଲେ :- ପରିହରି ବୟରୁ ଦେହୁ ବୈଦେହୀ। ଭଜହୁ କୃପାନିଧି ପରମ ସନେହୀ।।
ଦେବତା, ମୁନି, ଋଷି, ଯକ୍ଷ ଗନ୍ଧର୍ବ, ବାନର ସମସ୍ତେ ଶ୍ରୀରାମଙ୍କ ବିଜୟ ଚାହାଁନ୍ତି। ଏଣୁ ରାମଙ୍କ ବିରୋଧ କରନାହିଁ। ସୃଷ୍ଟିକର୍ତ୍ତା ବ୍ରହ୍ମା, ସୁର ଓ ଅସୁର ଯେଉଁ ଦୁଇଟି ପକ୍ଷ ସୃଷ୍ଟି କରିଛନ୍ତି, ସେମାନେ ଉଭୟେ ଧର୍ମ ଏବଂ ଅଧର୍ମରେ ଆଶ୍ରିତ। ଅଧର୍ମ କିଛି ସମୟପାଇଁ ଧର୍ମକୁ କରାୟତ୍ତ କରିରଖେ। କିନ୍ତୁ ଶେଷରେ ଧର୍ମର ହିଁ ଜୟ ହୁଏ। ତୁମ ଦ୍ବାରା ଅଧର୍ମ ହୋଇଛି। ବ୍ରାହ୍ମଣ ଦ୍ବିଜ ଋଷି ଦେବତା ଓ ନାରୀ, ସମସ୍ତଙ୍କର ତୁମେ ଅମର୍ଯ୍ୟାଦା କରି ଆସିଛ। ସମସ୍ତେ ଏକତ୍ର ହୋଇ, ଏବେ ତୁମର ବିନାଶ କାମନା କରୁଛନ୍ତି । ତୁମେ ମଧ୍ୟ ଦେବତା, ଦାନବ ଏବଂ ଯକ୍ଷଙ୍କ ଦ୍ବାରା ଅବଧ୍ୟ ହେବାପାଇଁ ବର ପାଇଛ। ମନୁଷ୍ୟ, ବାନର, ଋଷିଙ୍କ ଦ୍ୱାରା ନୁହେଁ। ଏଣୁ ସାବଧାନ ହୁଅ । ତୁମ ଶତ୍ରୁ ସ୍ବୟଂ ବିଷ୍ଣୁ ଆଜି ମାନବ ରୂପରେ, ଦେବତା ମାନେ ବାନର ଓ ଋଷି ରୂପରେ ଜନ୍ମ ହୋଇଛନ୍ତି। ଏଣୁ ତୁମେ ମୋ କଥା ମାନ। ବେଳହୁଁ ସାବଧାନ ହୋଇଯାଅ । ତୁମେ ଏହି ରାକ୍ଷସ କୂଳକୁ ଶେଷ ହେବାକୁ ଦିଅ ନାହିଁ।
ଅଜ୍ଞାନ ରାବଣ କିନ୍ତୁ ବୃଦ୍ଧ ଜ୍ଞାନୀ ମାତାମହ ମାଲ୍ୟବାନଙ୍କ କଥା ଶୁଣିଲା ନାହିଁ। ଓଲଟି ଅଟ୍ଟହାସ୍ୟ କରି ସେ ନିଜର ଶୌର୍ଯ୍ୟ ବୀର୍ଯ୍ୟର ଆସ୍ଫାଳନକରି କହିଲା , ଯାଅ ! ମୁହଁରେ ଚୁନ କାଳି ଲଗାଇ ସେହି ରାମର ଶରଣ ପଶ । ତୁମର ଏ ମୂଲ୍ୟହୀନ ଉପଦେଶର କୌଣସି ପ୍ରୟୋଜନ ନାହିଁ। କଟୁ ଭାଷାରେ ପୁଣି ସେ ଭର୍ତ୍ସନା କରି କହିଲା:-
ବୁଢ଼ ଭଏସି ନ ତ ମରତେଉଁ ତୋହି।
ଅବ ଜନି ନୟନ ଦେଖାୱସି ମୋହି।। ଅର୍ଥାତ୍ ତୁ ବୁଢ଼ା ହୋଇ ଗଲୁଣି, ନହେଲେ ତୋତେ ଏହିକ୍ଷଣି ମାରି ପକାନ୍ତି। ଯାଆ ! ଆଉ ମୋତେ ତୁ ମୁହଁ ଦେଖାନାଁ କହି ଦେଉଛି। ମାଲ୍ୟବାନ ଦେଖିଲେ ରାବଣ ଉପରେ ମହାକାଳ ହିଁ ସବାର ହୋଇଛି। ଲଙ୍କା ଅଚିରେ ଧ୍ୱଂସ ହେବ। ତାକୁ ବୁଝାଇ କିଛି ଲାଭ ନାହିଁ। ମାଲ୍ୟବାନ ନିଜ ଆତ୍ମ ସମ୍ମାନ ରକ୍ଷା ଦୃଷ୍ଟିରୁ, "ମହାରାଜଙ୍କର ଜୟ ହେଉ" କହି ସେଠାରୁ ପ୍ରସ୍ଥାନ କଲେ। ସୁନ୍ଦରୀ ଥିଲେ ମାଲ୍ୟବାନଙ୍କ ପତ୍ନୀ। ତାଙ୍କ ବୀର ପୁତ୍ରଗଣ,ବଜ୍ରମୌସ୍ତୁ, ବିରୂପାକ୍ଷ, ଦୁର୍ମୁଖ, ସୁପ୍ତଘ୍ନ, ଯଜ୍ଞାକ୍ଷ, ମତ୍ର ଓ ଉନ୍ମତ୍ର ସମସ୍ତେ ରାବଣ ପକ୍ଷରେ ଲଢ଼ି ବୀରଗତି ପ୍ରାପ୍ତ କରି ଥିଲେ। ରାବଣର ମୃତ୍ୟୁ ପରେ ଲଙ୍କାର ରାଜା ହେଲେ ଧର୍ମାତ୍ମା ବିଭୀଷଣ। ସେ ନିଜର ବିଜ୍ଞ ମାତାମହ ମାଲ୍ୟବାନଙ୍କୁ ନିଜର ଉପଦେଷ୍ଟା ଭାବେ ଅବସ୍ଥାପିତ କଲେ। ସେଠାରେ ରହି ମାଲ୍ୟବାନ, ଜୀବନର ଅନ୍ତିମ ସମୟ ଯାଏ ବିଷ୍ଣୁ ପୂଜନରେ ଲିପ୍ତ ରହିଲେ।
               🙏🙏🙏
                   ଅର୍ଜୁନୀ
                -------------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya story from Inspirational