ଭଗବାନ ଶିବଙ୍କ ଗୃହପତି ଅବତାର
ଭଗବାନ ଶିବଙ୍କ ଗୃହପତି ଅବତାର
ଭଗବାନ ଶିବଙ୍କ ଗୃହପତି ଅବତାର
==================
ଆମେ ପୁରାଣରୁ ଜାଣିଛନ୍ତି ଭଗବାନ ବିଷ୍ଣୁ ବିଭିନ୍ନ ସମୟରେ ସଂସାର କଲ୍ୟାଣପାଇଁ ବହୁ ଅବତାର ଗ୍ରହଣ କରିଛନ୍ତି। ସେହି ପରି ଭଗବାନ ଶିବ ମଧ୍ଯ ଅନେକ ଅବତାର ଗ୍ରହଣ କରିଛନ୍ତି। ଶିବଙ୍କ ସେହି ଅବତାରଙ୍କ ମଧ୍ୟରୁ ଗୋଟିଏ ଅବତାର ହେଉଛନ୍ତି ଗୃହପତି ଅବତାର। ଆସନ୍ତୁ ଜାଣିବା ଶିବଙ୍କ ଏହି ଅବତାର ବିଷୟରେ।
ପୂର୍ବ କାଳରେ ପୂତନୀରା ନର୍ମଦା ନଦୀ ତଟରେ ଧର୍ମପୁର ବୋଲି ଏକ ନଗର ଥିଲା । ସେଠାରେ ବିଶ୍ୱାନର ନାମକ ଜଣେ ଋଷି ରହୁଥିଲେ । ତାଙ୍କ ପତ୍ନୀଙ୍କ ନାମ ଥିଲା ସୁଚିଷ୍ମତୀ। ଋଷି ଦମ୍ପତ୍ତିଙ୍କର ବହୁକାଳ ଯାଏ କୌଣସି ସନ୍ତାନ ସନ୍ତତି ହେଲେ ନାହିଁ। ସେ ନେଇ ସେମାନେ ଖୁବ୍ ଦୁଃଖୀ ଥିଲେ। ଦିନେ ପତ୍ନୀ ସୁଚିଷ୍ମତି ସ୍ୱାମୀଙ୍କୁ କହିଲେ, ସ୍ଵାମୀ ! ଆମର ଭଗବାନ ଶିବଙ୍କ ପରି, ପୁଅଟିଏ ହେଲେ ବହୁତ୍ ଭଲ ହୁଅନ୍ତା। ଏହା ମୋର ଏକାନ୍ତ ଇଚ୍ଛା। ଋଷି, ପତ୍ନୀଙ୍କୁ ପ୍ରବୋଧନା ଦେଇ କହିଲେ, କଅଣ ଆଉ କରିବା। ସନ୍ତାନ ତ ଆମ ଭାଗ୍ୟରେ ନାହିଁ। ହଉ,କହୁଛ ଯଦି ମୁଁ କାଶୀ ଯାଉଛି। ସେଇଠି ରହି ଭଗବାନ ଶଙ୍କରଙ୍କୁ ଦୁଃଖ ଜଣାଇବି।
ଏପରିକହି ଋଷି ବିଶ୍ୱାନର କାଶୀକୁ ଚାଲିଗଲେ।
କାଶୀରେ ସେ ଶିବଙ୍କ ବିରେଶ ଲିଙ୍ଗଙ୍କୁ ଆରାଧନା କରି ଘୋର ତପସ୍ୟା ଆରମ୍ଭ କରିଦେଲେ। ଦିନେ ସେ ପୁଜା କରୁଥିବା ସମୟରେ ଲିଙ୍ଗଙ୍କ ମଧ୍ୟରେ ଏକ ଅପୂର୍ବ ବାଳକଙ୍କୁ ଦର୍ଶନ କଲେ । ଶିବଙ୍କର ସେହି ବାଳ ରୂପକୁ ସେ ଅତ୍ୟନ୍ତ ଭକ୍ତିପୂର୍ବକ ପୂଜା କରିବାକୁ ଲାଗିଲେ । ତାଙ୍କ ଭକ୍ତିରେ ତୁଷ୍ଟ ହୋଇ ଦିନେ ଆଶୁତୋଷ ଶିବ ପ୍ରକଟହୋଇ କହିଲେ ମୁଁ ତୁମର ପତ୍ନୀ ଶୁଚିଷ୍ମତିଙ୍କ ଗର୍ଭରୁ ପୁତ୍ର ରୂପେ ଜନ୍ମ ନେବି।
କିଛିଦିନ ପରେ ଶିବ ଶୁଚିଷ୍ଣତୀଙ୍କ ଗର୍ଭରୁ ବିଶ୍ୱାନରଙ୍କ ପୁତ୍ରରୂପେ ଜନ୍ମଗ୍ରହଣ କଲେ। ସେହି ପୁତ୍ରର ନାମ ରହିଲା ଗୃହପତି।
ଋଷି ବିଶ୍ୱାନରଙ୍କ ଗୃହରେ ଲାଳିତପାଳିତ ହୋଇ ଗୃହପତି ଧିରେ ଧିରେ ବଢ଼ିବାକୁ ଲାଗିଲା। ସିଏ ତ ଶିବାବତାର ଥିଲେ। ଏଣୁ ଦିନେ ଦେବର୍ଷି ନାରଦ ଆସି ତାଙ୍କ ଦର୍ଶନନିମନ୍ତେ ପହଞ୍ଚିଲେ। ବିଶ୍ବାନର ନାରଦଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇ ଯଥାରୀତି ତାଙ୍କର ସତ୍କାର କଲେ । ଦେବର୍ଷି ତାଙ୍କୁ କହିଲେ, ହେ ଋଷିବର, ତୁମ୍ଭର ଏହି ପୁତ୍ର ସର୍ବଗୁଣ ସମ୍ପନ୍ନ କିନ୍ତୁ ବାର ବର୍ଷ ବୟସରେ ତାହାର ବଜ୍ର ଓ ଅଗ୍ନୀ ବିତ୍ପାତରେ ମାରକ ଯଶା ଅଛି। ଦେବର୍ଷିଙ୍କ ବାଣୀ ଶୁଣି, ଋଷି ଓ ଋଷି ପତ୍ନୀ ଦୁହେଁ ଅତିଶୟ ଦୁଃଖୀ ହୋଇଗଲେ। ତାଙ୍କୁ ବଡ଼ ଚିନ୍ତା ହେବାକୁ ଲାଗିଲା। ସେମାନେ ଭାବିଲେ ଏତେ ପୂଜା ଆରାଧନା କରି ଭଗବାନ ଶିବଙ୍କ ପ୍ରସାଦରୁ ପୁଅଟିଏ ପାଇ ଥିଲୁ। ସେହି ସୁଖ ମଧ୍ୟ ଆମ ଭାଗ୍ୟରେ ନାହିଁ।
ନିଜ ପିତାମାତାଙ୍କୁ ଚିନ୍ତିତହେବା ଦେଖି ଗୃହପତି କହିଲେ, ତୁମେ ମାନେ କୌଣସି ଚିନ୍ତା କର ନାହିଁ। ମୁଁ ଭଗବାନ ମୃତ୍ୟୁଞ୍ଜୟଙ୍କୁ ଉପାସନା କରି, ପ୍ରଭୁ ମହାକାଳଙ୍କୁ ପ୍ରସନ୍ନ କରାଇବି, ଏଣୁ ତୁମେମାନେ କୌଣସି ଚିନ୍ତା ନକରି ନିଶ୍ଚିନ୍ତ ରୁହ।
ଏପରି କହି, ଗୃହପତି କାଶୀ ଚାଲି ଗଲେ ଏଵଂ ସେହି ଠାରେ ରହି, ଏକ ଲିଙ୍ଗ ସ୍ଥାପନ କରି ପ୍ରଭୁ ବିଶ୍ୱନାଥଙ୍କ ଆରାଧନାକଲେ। କିଛିଦିନ ପରେ ଦେବରାଜ ଇନ୍ଦ୍ର ପ୍ରକଟହୋଇ କହିଲେ, ମୁଁ ତୁମ ଉପରେ ପ୍ରସନ୍ନ, ତୁମେ କଅଣ ବର ଚାହୁଁଛ ମାଗି ନିଅ। ପରନ୍ତୁ ଗୃହପତି ଦୃଢ଼ ହୋଇ, କହିଲେ, ମୁଁ ଆପଣଙ୍କ ଠାରୁ କୌଣସି ବର ଚହୁଁନାହିଁ। କାରଣ ଭଗବାନ ଶିବ ହେଉଛନ୍ତି, ମୋ'ର ବର ଦାୟକ ଭଗବାନ। ଏହା ଶୁଣି ଇନ୍ଦ୍ର ଖୁବ୍ କ୍ରୋଧିତ ହୋଇ ଗୃହପତିଙ୍କୁ ପ୍ରହାର କରିବାକୁ ଆଗେଇଲେ। ଏହି ସମୟରେ ଭଗବାନ ସଦାଶିବ ସେଠାରେ ପ୍ରକଟ ହୋଇ ଯାଇ ଗୃହପତିଙ୍କୁ କହିଲେ, ବତ୍ସ ଗୃହପତି ! ମୁଁ ଦେବରାଜ ଇନ୍ଦ୍ରଙ୍କ ମାଧ୍ୟମରେ, ତୁମର ହିଁ ପରୀକ୍ଷା ନେଉଥିଲି । ତୁମେ ଆଜି ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣହୋଇଛ। ତୁମର ଭକ୍ତି ଏବଂ ନିଷ୍ଠାରେ ମୁଁ ସନ୍ତୁଷ୍ଟ ହୋଇଛି। ତୁମ ଉପରେ ଏବେ ଆଉ ଯମରାଜଙ୍କ କୌଣସି କର୍ତୁତ୍ତ୍ୱ ରହିବ ନାହିଁ । ତୁମେ ଯେଉଁ ଶିବ ଲିଙ୍ଗଙ୍କୁ ସ୍ଥାପନ କରିଛ ତାହା ଅଗ୍ନୀଶ୍ଵର ନାମରେ ବିଦିତ ହେବ। ସେହି ଲିଙ୍ଗଙ୍କୁ ଦର୍ଶନ କଲେ, ମନୁଷ୍ୟର ଅଗ୍ନୀ ଓ ବଜ୍ରପାତ ଭୟ ଦୂର ହେବ।
ଏହି କଥାର ତତ୍ତ୍ୱ ଦିଗଟି ହେଉଛି, ଆମ ଶରୀର ଭିତରେ ଯେଉଁ ଜଠରାଗ୍ନୀ ଅଛି। ଯାହା ବଳରେ ଆମକୁ କ୍ଷୁଧା ଲାଗୁଛି। ତାହା ହିଁ ଭଗବାନ ଶିବଙ୍କ ଗୃହପତି ଅବତାର। ଅତଏବ ସେହି ଯଠରାଗ୍ନିକୁ ଅର୍ଥାତ୍ ଶିବଙ୍କୁ ଶାନ୍ତ କରିବା ପାଇଁ, ଆମକୁ ସତ୍ ଅର୍ଜିତ ସତ୍ ଭୋଜନ କରିବାକୁ ପଡ଼ିବ।
ଗୃହପତିଙ୍କ ଦ୍ୱାରା ସ୍ଥାପିତ ସେହି ଲିଙ୍ଗ କାଶୀରେ ଅଦ୍ୟାପି ପ୍ରଭୁ ଅଗ୍ନିଶ୍ଵର ମହାଦେବ ନାମରେ ବିରାଜ ମାନ କରୁଛନ୍ତି ଓ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତି ଦିନ ପ୍ରଭୁ ଅଗ୍ନିଶ୍ୱରଙ୍କୁ ଦର୍ଶନ କରି ମଙ୍ଗଳ ମୟଙ୍କ କୃପାଲାଭ କରୁଛନ୍ତି।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
