STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାମାୟଣ ବର୍ଣ୍ଣିତ ପଞ୍ଚବଟୀ     

ରାମାୟଣ ବର୍ଣ୍ଣିତ ପଞ୍ଚବଟୀ     

5 mins
0

       ରାମାୟଣ ବର୍ଣ୍ଣିତ ପଞ୍ଚବଟୀ     
        ===============
ପ୍ରଭୁ ଶ୍ରୀରାମଙ୍କ ଚୋଉଦ ବର୍ଷର ବନବାସ ଅବଧିରୁ ଦଶବର୍ଷ କଟିଯାଇ ଥାଏ l ଦଣ୍ଡକ ବନରେ ପ୍ରଭୁ ଦିନେ ଭ୍ରମଣ କରୁ କରୁ ଯାଇ ମହର୍ଷି ସୁତୀକ୍ଷ୍ମଙ୍କ ଆଶ୍ରମରେ ପହଞ୍ଚିଲେ l ଶ୍ରୀରାମ ସେଠାରେ କିଛି ଦିନ ରହି, ଦିନେ ମୁନି ସୁତୀକ୍ଷ୍ମଙ୍କୁ ପଚାରିଲେ,ହେ ମହାଭାଗ ! ଏହି ଅରଣ୍ୟରେ ମୁଁ ମହର୍ଷି ଅଗସ୍ତ୍ୟ ବାସ କରୁଥିବାର ଶୁଣିଛି l ତାଙ୍କ ଦର୍ଶନ ନିମନ୍ତେ ଆମ ମନରେ ପ୍ରବଳ ଆକାଂକ୍ଷା ଜାଗ୍ରତ ହେଉଛି l କିନ୍ତୁ ମହର୍ଷି କେଉଁଠାରେ ରହୁଛନ୍ତି ତାହା ଆମେ ଜାଣି ପାରୁନାହୁଁ l ଦୟାପୂର୍ବକ ଆମକୁ ତାଙ୍କର ବାସ ସ୍ଥାନ ନିର୍ଦ୍ଦେଶ କଲେ ଆମେ କୃତାର୍ଥ ହୁଅନ୍ତୁ l ମୁନି ସୁତୀକ୍ଷ୍ମ ଅତ୍ୟନ୍ତ ପ୍ରୀତହୋଇ କହିଲେ,ତାହା ମୁଁ ବି ଚାହୁଁଥିଲି l ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମକୁ ପଥ ନିର୍ଦ୍ଦେଶ କରି ସୁତୀକ୍ଷ୍ମ କହିଲେ, ଏଠାରୁ ଦକ୍ଷିଣକୁ ଚାରି ଯୋଜନ ଯିବାପରେ ମନୋରମ ଅଶ୍ୱତ୍ଥବୃକ୍ଷ ଶୋଭିତ ଗୋଟିଏ ଉପବନ ପଡ଼ିବ l ସୁନ୍ଦର ଏକ ପୁଷ୍କରିଣୀ ମଧ୍ୟ ପାଖରେ ଅଛି l ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମ ସେହିଠାରେ ଅବସ୍ଥିତ l ଶ୍ରୀରାମ ସୁତୀକ୍ଷ୍ମଙ୍କ ନିର୍ଦ୍ଦେଶିତ ପଥରେ କିଛିପଥ ଗଲାପରେ ସେହି ସୁନ୍ଦର ଉପବନଟି ଆସିଗଲା l ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ଏହିଠାରେ ଆମେ ମହର୍ଷି ଅଗସ୍ତ୍ୟଙ୍କୁ ଦର୍ଶନ କରିବା l ମହର୍ଷି ନିଜ ତେଜ ବଳରେ ଏ ବନ ଭୂମିକୁ ରାକ୍ଷସଶୂନ୍ୟ କରି ଦେଇଛନ୍ତି l ପୁଣି ଶ୍ରୀରାମ କହିଲେ, ଲକ୍ଷ୍ମଣ ମହାମୁନୀ ଅଗସ୍ତ୍ୟ, ନିଜର କାର୍ଯ୍ୟ ବଳରେ ଏହି ନାମରେ ଖ୍ୟାତ ହୋଇଛନ୍ତି l ଅଗ ଅର୍ଥ ପର୍ବତକୁ ସ୍ତମ୍ଭନ କରି ଥିବା ହେତୁ ତାଙ୍କର ନାମ ହୋଇଛି, ଅଗସ୍ତ୍ୟ l ଏକଦା ବିନ୍ଧ୍ୟପର୍ବତ ହିମାଳୟଙ୍କ ସହ ପ୍ରତିଯୋଗିତା କରି ବଢ଼ିବାକୁ ଲାଗିବାରୁ ସୂର୍ଯ୍ୟଙ୍କର ପଥ ରୋଧ ହେଲା l ବିନ୍ଧ୍ୟ ପର୍ବତଙ୍କ ଗୁରୁ ଥିଲେ ଅଗସ୍ତ୍ୟ l ତେଣୁ ଅଗସ୍ତ୍ୟ ତାଙ୍କ ପାଖରେ ପହଞ୍ଚିବାରୁ ମୁଣ୍ଡ ନୁଆଇଁ ବିନ୍ଧ୍ୟପର୍ବତ ତାଙ୍କୁ ନମସ୍କାର କଲେ l ମୁଁ ଦକ୍ଷିଣକୁ ଯାଉଛି,ମୁଁ ନ ଫେରିବା ପର୍ଯ୍ୟନ୍ତ ତୁମେ ଏହିପରି ଥାଅ l ଏହା କହି ଅଗସ୍ତ୍ୟ ଚାଲିଗଲେ l ବିନ୍ଧ୍ୟ ଆଉ ନବଢ଼ି, ସେହି ପରି ରହିଲେ l ଥରେ ମହର୍ଷି ସମୁଦ୍ରରେ ଲୁଚି ରହୁଥିବା ରାକ୍ଷସମାନଙ୍କ ନିଧନ ପାଇଁ ଦେବଗଣଙ୍କ ପ୍ରାର୍ଥନାରେ ସପ୍ତ ସିନ୍ଧୁର ଜଳ ଚଳୁ କରି ଦେଇ ଥିଲେ l ଏହି ପରି ଶ୍ରୀରାମ ମହର୍ଷି ଅଗସ୍ତ୍ୟଙ୍କ କୀର୍ତ୍ତୀ କୀର୍ତ୍ତନ କରି, ସେଦିନ ମହର୍ଷିଙ୍କ ସାନଭାଇଙ୍କ ଆଶ୍ରମରେ ଆନନ୍ଦରେ ରାତ୍ରୀ ଯାପନ କଲେ l ପ୍ରଭାତରୁ ମୁନିଙ୍କ ଠାରୁ ବିଦାୟନେଇ ପ୍ରଭୁ ଅଗସ୍ତ୍ୟ ମୁନିଙ୍କ ଆଶ୍ରମ ଦିଗକୁ ଯାତ୍ରାକଲେ l ତ୍ରିଲୋକବନ୍ଦିତ ମହର୍ଷି ଅଗସ୍ତ୍ୟଙ୍କ ମନୋରମ ଆଶ୍ରମରେ ପହଞ୍ଚି ଶ୍ରୀରାମ ଅତ୍ୟନ୍ତ ଆନନ୍ଦ ହୋଇ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ! ମୁଁ ଭାବୁଛି ବନବାସର ଶେଷ ପର୍ଯ୍ୟାୟ ଆମେ ଏହିଠାରେ ଅତିବାହିତ କରିବା l କାରଣ ଦେବ, ଗନ୍ଧର୍ବସେବିତ,ମିଥ୍ୟା,ସଠତା, କ୍ରୁରତା ପ୍ରଭୃତି ନଥିବା ଏପରି ସ୍ଥାନ ସଂସାରରେ ବିରଳ l ଶ୍ରୀରାମ, ଦର୍ଶନ ପାଇଁ ଅନୁମତି ଆଣିବାପାଇଁ ପ୍ରଥମେ ଲକ୍ଷ୍ମଣଙ୍କୁ ତାଙ୍କ ପାଖକୁ ପଠାଇଲେ l ଲକ୍ଷ୍ମଣ ଯାଇ ମୁନିଙ୍କ ଜଣେ ଶିଷ୍ୟଙ୍କୁ ତାଙ୍କର ଅଭିଳାଷ ବ୍ୟକ୍ତ କଲେ l ସେହି ଶିଷ୍ୟ ଠାରୁ ମୁନି ଅଗସ୍ତ୍ୟ ଖବର ପାଇ ନିଜେ ଆସି ଶ୍ରୀରାମ, ଜାନକୀ ଓ ଲକ୍ଷ୍ମଣଙ୍କୁ ପାଛୋଟି ନେଲେ l ମୁନୀଙ୍କ ଚରଣ ବନ୍ଦନା କରି ପ୍ରଭୁ ଶ୍ରୀରାମ ଆଶ୍ରମରେ ପ୍ରବେଶ କଲାରୁ ମହର୍ଷି ତାଙ୍କୁ ପାଦ୍ୟ, ଅର୍ଘ୍ୟଦେଇ ପୂଜାକରି କହିଲେ,ହେ ରାମ ! ତୁମେ ବୀର, ଧୀର,ଧର୍ମଜ୍ଞ ଏବଂ ସମସ୍ତ ଲୋକର ରାଜା l ତୁମ ପରି ଅତିଥି ସର୍ବଦା ପୂଜ୍ୟ l ଫଳ, ପୁଷ୍ପ ଓ ବିଭିନ୍ନ ମୂଳ ଉପହାର ଦେଇ ସେ ପୁଣି କହିଲେ, ହେ ନରୋତ୍ତମ ! ସ୍ବର୍ଣ୍ଣ ଏବଂ ରତ୍ନ ବିଭୂଷିତ ଏହି ଦିବ୍ୟ ବୈଷ୍ଣବଧନୁକୁ ମୁଁ ତୁମକୁ ପ୍ରଦାନକରୁଛି l ଦେବଶିଳ୍ପୀ ବିଶ୍ୱକର୍ମା ଏହାକୁ ନିର୍ମାଣକରିଥିଲେ l ପୂର୍ବେ ବିଷ୍ଣୁ ଏହି ଧନୁରେ 
ବହୁ ଅସୁର ସଂହାର କରିଥିଲେ l ସୂର୍ଯ୍ୟସମ ଦୀପ୍ତିମାନ ଏହି ଅମୋଘ ଶର, ସ୍ୱର୍ଣ୍ଣମୟ କୋଷ ଓ ସୁବର୍ଣ୍ଣମଣ୍ଡିତ ଖଡ୍ଗ ଏବଂ ବହୁ ତେଜୀୟାନ ନାରାଚରେ ପୂର୍ଣ୍ଣ ଏହି ତୁଣୀର ପୂର୍ବେ ଦେବରାଜ ଇନ୍ଦ୍ର ମୋତେ ଦାନ କରି ଥିଲେ l ତୁମେ ଦେବରାଜଙ୍କ ଏହି ସମସ୍ତ ଶକ୍ତିକୁ ଗ୍ରହଣ କରି ବିଜୟ ଲାଭ କର l ସମସ୍ତ ଆୟୁଧ ରାମଙ୍କୁ ପ୍ରଦାନ କଲା ପରେ ମୁନି ଅଗସ୍ତ୍ୟ ମାଆ ସୀତାଙ୍କ ପ୍ରଶଂସା କରି କହିଲେ,ମା' ସୀତା ଅନନ୍ୟା,ନାରୀ ମାନଙ୍କ ମଧ୍ୟରେ ତାଙ୍କର ତୁଳନା ନାହିଁ l ସେ ଅତି ସୁକୁମାରୀ,ସେ କେବେହେଲେ ଦୁଃଖ ଭୋଗ କରି ନାହାଁନ୍ତି l ସେ ସ୍ନେହବଶ ହୋଇ ତୁମ ସହ ଘୋର ବନବାସ ଦୁଃଖକୁ ଆନନ୍ଦରେ ଆଦରି ନେଇଛନ୍ତି l ସେ ଅରୁନ୍ଧତୀଙ୍କ ପରି ପ୍ରଶଂସନୀୟା l
ଶ୍ରୀରାମ କହିଲେ, ଆପଣ ଆମ ଉପରେ ସନ୍ତୁଷ୍ଟ ହୋଇଛନ୍ତି,ଏଥିରେ ମୁଁ ନିଜକୁ ଅନୁଗୃହୀତ ଓ ଧନ୍ୟ ମନେ କରୁଛି l ହେ ମୁନୀଶ୍ରେଷ୍ଠ ! ଆପଣ ମୋତେ ଏପରି ଏକ  ସ୍ଥାନ କୁହନ୍ତୁ, ଯେଉଁଠି ଯଥେଷ୍ଟ ପରିମାଣର ଜଳ ଏବଂ ସୁନ୍ଦର ଅରଣ୍ୟ ପ୍ରଦେଶ ଥିବ,ମୁଁ ସେଠାରେ ଏକ ଆଶ୍ରମ ନିର୍ମାଣ କରି ବାସ କରିବି l ଅଗସ୍ତ୍ୟ କହିଲେ, ଏହିଠାରୁ ମାତ୍ର ଦୁଇ ଯୋଜନ ଦୂରରେ ଫୁଲଫଳ ଶୋଭିତ ଓ ଜଳପୂର୍ଣ୍ଣ ପଞ୍ଚବଟୀ ନାମକ ଏକ ସୁନ୍ଦର ବନ ଅଛି l ସେ ବନରେ ବହୁ ସଂଖ୍ୟକ ମୃଗ ଅଛନ୍ତି l ତୁମେ ସେଠାରେ ସ୍ୱଚ୍ଛନ୍ଦରେ ବାସ କରି ପାରିବ l ଗୋଦାବରୀ ତୀରର ସେହି ମନୋରମ ଅରଣ୍ୟ ମୈଥିଳୀଙ୍କ ପାଇଁ, ମଧ୍ୟ ଆନନ୍ଦ ଦାୟକ ହେବ l ତୁମେ ଲକ୍ଷ୍ୟ କର, ଏଠାରୁ ଯେଉଁ ଅଶୋକବନ ଦେଖା ଯାଉଛି, ତାହା ପାରି ହେଲେ ଏକ ବିଶାଳ ବୃକ୍ଷକୁ ଦେଖିବ l ତାହାର ଉତ୍ତରକୁ ଯାତ୍ରା କଲେ ତୁମେ ଅଳ୍ପ ସମୟ ପରେ ପୁଷ୍ପିତ ସେହି ପଞ୍ଚବଟୀ ବନରେ ପହଞ୍ଚି ଯିବ l ଶ୍ରୀରାମ,ସୀତା,ଲକ୍ଷ୍ମଣ ଋଷିଙ୍କ ପଦ ବନ୍ଦନା କରି ତାଙ୍କ ଠାରୁ ବିଦାୟ ନେଇ, ପଞ୍ଚବଟୀ ଅଭିମୁଖେ ଯାତ୍ରା କଲେ l ଯିବା ବେଳେ ବାଟରେ ସେମାନେ ଏକ ଭୀମକାୟ ଗୁଧ୍ର ପକ୍ଷୀକୁ ବଟ ବୃକ୍ଷ ଉପରେ ବସି ଥିବାର ଦେଖିଲେ l ତାକୁ କୌଣସି ମାୟାବୀ ରାକ୍ଷସ ମନେ କରି, ଶ୍ରୀରାମ ତାହାର ପରିଚୟ ପଚାରିଲେ l ଗୁଧ୍ର ପକ୍ଷୀଟି ଅତି ବିନୟ କଣ୍ଠରେ କହିଲା ମୁଁ ତୁମ ପିତାଙ୍କର ସଖା l ପ୍ରଭୁ ଶ୍ରୀରାମ କୌତୁହଳୀ ହୋଇ, ତାଙ୍କର ବିଶେଷ ପରିଚୟ ପଚାରିଲେ l ଗୁଧ୍ର ପକ୍ଷୀଟି କହିଲା, ବିନତାଙ୍କର ଦୁଇପୁତ୍ର ଗରୁଡ଼ ଓ ଅରୁଣ l ଅରୁଣଙ୍କ ବଂଶରେ ମୋର ଜନ୍ମ ହୋଇଛି l ମୋ ନାମ ଜଟାୟୁ l ମୋ ଜ୍ୟେଷ୍ଠ ଭାଇ ସମ୍ପାତ୍ତି l ବହୁ ଆଗରୁ ତୁମର ପିତା ଦଶରଥଙ୍କ ସହ ମୋ ମିତ୍ରତା ରହି ଆସିଛି l ଜଟାୟୁ ପୁଣି କହିଲେ :-
ସୋହଂ ବାସସହାୟସ୍ତେ ଭବିଷ୍ୟାମି ଯଦିଚ୍ଛସି l ଇଦଂ ଦୁର୍ଗହିକାନ୍ତାରଂ ମୃଗରାକ୍ଷସ ସେବିତମ୍ ll ସୀତାଂ ଚ ତାତ ରକ୍ଷୀଷ୍ୟେ, ତ୍ବୟୀ ୟାତେ ସଲକ୍ଷ୍ମଣମ୍ ll
ଅର୍ଥାତ୍ ତୁମେ ଯଦି ଚାହିଁବ, ମୁଁ ତୁମର ସହାୟ ହୋଇ ପାରିବି l ହିଂସ୍ର ପଶୁ,ରାକ୍ଷସ ସଂକୁଳ ଏହି ଭୀଷଣ ବନରେ ତୁମେ ବା ଲକ୍ଷ୍ମଣ କେଉଁ ଆଡ଼େ ଯାଇଥିଲାବେଳେ ସୀତାଙ୍କୁ ମୁଁ ରକ୍ଷାକରିବି l ପ୍ରଭୁ ଶ୍ରୀରାମ ଆନନ୍ଦରେ ଜଟାୟୁଙ୍କ ଆଲିଙ୍ଗନ କଲେ ଏବଂ ତାଙ୍କୁ ସାଙ୍ଗରେ ଧରି ଲକ୍ଷ୍ମଣ ଓ ଜାନକୀଙ୍କ ସହ ପଞ୍ଚବଟୀରେ ପ୍ରବେଶ କଲେ l ଶ୍ରୀରାମ ସେଠାରେ ପହଞ୍ଚି ମୁନି ଅଗସ୍ତ୍ୟ ନିର୍ଦ୍ଦେଶ କରିଥିବ ଗୋଟିଏ ବିଶାଳ ବଟ ବୃକ୍ଷକୁ ଦେଖିଲେ l ସେହି ବଟବୃକ୍ଷଟି ତା ପାଞ୍ଚଟି ଶାଖାରେ ବିସ୍ତାରିତ ହୋଇ ପାଞ୍ଚୋଟି ବଟ ବୃକ୍ଷରେ ପରିଣତ ହୋଇଛି l ତେଣୁ ତାହାର ନାମ ହୋଇଛି ପଞ୍ଚବଟୀ l ଏହା ହିଁ ଶ୍ରୀମଦ୍  ରାମାୟଣରେ ବର୍ଣ୍ଣିତ ପଞ୍ଚବଟୀ ବନର ଅବସ୍ଥିତି l ରାମଙ୍କ ବନବାସ କାଳର ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି ତାଙ୍କ ପଞ୍ଚବଟୀରେ ଅବସ୍ଥାନ। ରାମ ଯେଉଁ ଉଦ୍ଦେଶ୍ୟରେ ଯାଇ ବନ ବାସ କରିଥିଲେ ତାହାର ପ୍ରଧାନ ଓ ପ୍ରମୁଖସ୍ଥାନ ଥିଲା ଏହି ପଞ୍ଚବଟୀ। ସେଠାକୁ ସୂର୍ପଣଖାର ଆଗମନ। ଲକ୍ଷ୍ମଣଙ୍କ ଦ୍ୱାରା ସୂର୍ପଣଖାର ନାସାକର୍ଣ୍ଣ ଛେଦନ। ଜନସ୍ଥାନରେ ବାସ କରୁଥିବା, ଖର ଓ ଦୂଷଣଙ୍କ ସହ ଚଉଦ ହଜାର ରାକ୍ଷସଙ୍କ ନିଧନ। ମାରୀଚର ମାୟାମୃଗ ରୂପ ଧାରଣ, ଜଟାୟୁର ମୃତ୍ୟୁ, ସୀତାହରଣ, ଆଦି ସମସ୍ତ ଘଟଣାର କେନ୍ଦ୍ରସ୍ଥଳ ଥିଲା ପଞ୍ଚବଟୀ। ଏଥି ପାଇଁ ପଞ୍ଚବଟୀ ଏକ ପ୍ରମୁଖ ରାମ ତୀର୍ଥର ପ୍ରସିଦ୍ଧି ଲାଭ କରିଛି। ରାମଭକ୍ତ ମାନଙ୍କର ଏହା ମୁଖ୍ୟ ପ୍ରଦକ୍ଷୀଣସ୍ଥଳୀ ଭାବେ ପ୍ରସିଦ୍ଧ। ପଞ୍ଚବଟୀର ବର୍ତ୍ତମାନର ନାମ, ନାସିକ । ପଶ୍ଚିମ ଭାରତର ଏହା ବନାରସ ବୋଲି ଖ୍ୟାତ। କାରଣ ବନାରସ ଯେଉଁ ପରି ଶୈବ କ୍ଷେତ୍ର ଭାବେ ପ୍ରସିଦ୍ଧ, ସେପରି ନାସିକ ରାମ କ୍ଷେତ୍ର ଭାବେ ପ୍ରସିଦ୍ଧ। ପ୍ରଭୁ ଶ୍ରୀରାମଙ୍କ ସ୍ମୃତି ସ୍ୱରୂପ ଏଠାରେ ଅନେକ ମନ୍ଦିର, ପବିତ୍ର ଗୁମ୍ଫା ଏବଂ ବନ ପ୍ରଦେଶ ରହିଛି। ଲକ୍ଷ୍ମଣ ରେଖା, କାଲାରାମ ମନ୍ଦିର, କପାଳେଶ୍ୱର ମନ୍ଦିର, ଶ୍ରୀସୁନ୍ଦର ନାରାୟଣ ମନ୍ଦିର, ଗଙ୍ଗା-ଗୋଦାବରୀ ମନ୍ଦିର, ତଳକୁଟେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଶ୍ରୀଗୋରାରାମ ମନ୍ଦିର ଇତ୍ୟାଦି। ଲୋକ କଥା ଅନୁଯାୟୀ,  ଲକ୍ଷ୍ମଣ ଏଠାରେ ସୂର୍ପଣଖାର ନାସା କର୍ଣ୍ଣ ଛେଦନ କରିଥିବାରୁ ଏହି ସ୍ଥାନର ନାମ ନାସିକ ହୋଇଛି। ଦ୍ୱାପର ଓ ସତ୍ୟ ଯୁଗରେ ଏହି ସ୍ଥାନର ନାମ ତ୍ରିକଣ୍ଟକ ଓ ଜନସ୍ଥାନ ଥିଲା। ଏହି ସ୍ଥାନ, ମହାକବି କାଳିଦାସ, ବାଲ୍ମୀକି ଓ ଭବଭୂତିଙ୍କ ସ୍ମୃତି ବହନ କରେ। ଗୋଦାବରୀ ନଦୀ ତୀରରେ ଅବସ୍ଥିତ ଏହି ରମଣୀୟ ତୀର୍ଥକୁ ବର୍ଷସାରା ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଥାଏ।
        !!! ଜୟ ଶ୍ରୀରାମାୟଣଜୀ କି !!!
                  🙏🙏🙏
                    ଅର୍ଜୁନୀ
                   -----------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya story from Inspirational