STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ସୀତାଙ୍କ ଦୁଃଖରେ ବିଦୀର୍ଣ୍ଣ ହେଲେ ମାଆ ବସୁଧା

ସୀତାଙ୍କ ଦୁଃଖରେ ବିଦୀର୍ଣ୍ଣ ହେଲେ ମାଆ ବସୁଧା

4 mins
1

     ସୀତାଙ୍କ ଦୁଃଖରେ ବିଦୀର୍ଣ୍ଣ
         ହେଲେ ମାଆ ବସୁଧା
        ===============
ମିଥ୍ୟା ଲୋକ ଅପବାଦରେ ମାଆ ଜାନକୀ ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ବିସର୍ଜିତା ହୋଇ ଯାଇ ତମସା ନଦୀ ତୀରସ୍ଥ ବାଲ୍ମିକୀଙ୍କ ଆଶ୍ରମରେ ପହଞ୍ଚିଲେ l ସେଠାରେ ତାଙ୍କର ଦୁଇ ଯମଜ ପୁତ୍ର କୁଶ ଓ ଲବ ଜନ୍ମହେଲେ l ମହର୍ଷି ବାଲ୍ମୀକି ପୁତ୍ରଦ୍ବୟଙ୍କୁ ଉତ୍ତମ ଶିକ୍ଷା ଦେଇ, ସମସ୍ତ ବିଦ୍ୟାରେ ପାରଙ୍ଗମ କରାଇ ନିଜ ରଚିତ ପ୍ରଭୁ ଶ୍ରୀରାମଙ୍କ ଜୀବନଚରିତ ପୁଣ୍ୟ କାବ୍ୟ ରାମାୟଣର ସୁଲଳିତଗାନ କୁମାର ଦ୍ବୟଙ୍କୁ ଶିଖାଇ ଦେଲେ l ଲବ କୁଶ ଦୁହେଁ ରାମାୟଣ ଗାନକରି ଆଶ୍ରମର ସମସ୍ତଙ୍କ ଆନନ୍ଦବର୍ଦ୍ଧନ କ ଲେ l ଏହିସମୟରେ ଦିନେ ପ୍ରଭୁ ଶ୍ରୀରାମ ଦରବାରର ପାରିଷଦ ତଥା ଗୁରୁ ବଶିଷ୍ଠଙ୍କ ସହିତ ପରାମର୍ଶ କରି ଅଶ୍ୱମେଧ ଯଜ୍ଞ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କଲେ l ବିଭୀଷଣ, ସୁଗ୍ରୀବ, ବହୁ ରାଜା, ଋଷି ଓ ରୀତ୍ତ୍ୱିଜ ମାନଙ୍କୁ ନିମନ୍ତ୍ରଣ କରାଗଲା l ବିପୁଳତର ଆୟୋଜନ ମଧ୍ୟରେ ବର୍ଷାଧିକ କାଳ ଏହି ମହାନ ଯଜ୍ଞ ଅନୁଷ୍ଠିତ ହେଲା l ନିମନ୍ତ୍ରଣ କ୍ରମେ ମହର୍ଷି ବାଲ୍ମୀକି ଦୁଇ ଶିଷ୍ୟ କୁଶ ଓ ଲବଙ୍କୁ ଧରି ଯଜ୍ଞସ୍ଥଳୀ ନିକଟରେ ତାଙ୍କ ପାଇଁ ଉଦ୍ଦିଷ୍ଟ କୁଟୀରରେ ଅବସ୍ଥାନ କରୁଥାନ୍ତି l ସେ ଦୁଇ ଶିଷ୍ୟଙ୍କୁ ଡାକି କହିଲେ ତୁମେମାନେ ଯଜ୍ଞ ସ୍ଥଳକୁ ଯାଇ ରାମାୟଣ ଗାନକର l ଯେଉଁସବୁ ସ୍ଥାନରେ ମୁନି, ଋଷି ଓ ବ୍ରାହ୍ମଣମାନେ ରହୁଛନ୍ତି ସେଠାରେ, ରାଜ ମାର୍ଗରେ, ଅଭ୍ୟାଗତ ମାନଙ୍କ ଗୃହ ଆଗରେ ଓ ଅଯୋଧ୍ୟା ରାଜପ୍ରାସାଦ ଦ୍ୱାରଦେଶରେ ସୁମଧୁର ସ୍ୱରରେ ରାମାୟଣ ଗାନ କର l ପରଦିନ ପ୍ରଭାତରେ କୁଶ ଓ ଲବ ମହର୍ଷିଙ୍କ କଥା ଅନୁସାରେ ବିଭିନ୍ନ ସ୍ଥାନକୁ ଯାଇ ରାମାୟଣ ଗାନ କରିବାକୁ ଲାଗିଲେ l ବୀଣାଧ୍ୱନୀସହ ସେମାନଙ୍କ ସୁଲଳିତ କଣ୍ଠରେ ରାମାୟଣ ଗାନ ଯଜ୍ଞସ୍ଥଳକୁ ଚମତ୍କୃତ କଲା l ସେମାନେ ପ୍ରଥମରୁ ବିଂଶ ସର୍ଗ ପର୍ଯ୍ୟନ୍ତ ଗାନ ଶେଷକଲେ l ପ୍ରଭୁ ଶ୍ରୀରାମ ଅନୁଜ ମାନଙ୍କୁ ଡାକି କହିଲେ, ଏହି ମୁନି କୁମାର ଦ୍ବୟଙ୍କୁ ଅଷ୍ଟାଦଶ ଶହସ୍ର ସ୍ବର୍ଣ୍ଣ ମୁଦ୍ରା ଦାନ କର l ଲବକୁଶ କହିଲେ," ଆମେ ତାପସୀ କୁମାର, ଧନ ଆମର କ'ଣ ହେବ l ଆମେ କନ୍ଦମୂଳ ଭୋଜି ବନବାସୀ l ବନରେ ସୁବର୍ଣ୍ଣର କି ଆବଶ୍ୟକତା ରହିଛି l ଏହା ଶୁଣି ଉପସ୍ଥିତ ସମସ୍ତେ ବିସ୍ମିତ ହେଲେ l ଶ୍ରୀରାମ କୁମାର ଦ୍ୱୟଙ୍କୁ ପଚାରିଲେ ଏହି କାବ୍ୟ କେତେ ବଡ଼?  କିଏ ଏହାକୁ ରଚନା କରିଛନ୍ତି ? ସେହି ରଚୟିତା କେଉଁଠି ରହନ୍ତି ? କୁଶ ଲବ ଉତ୍ତର ଦେଲେ ଏହି କାବ୍ୟ ଆମ୍ଭର ତ୍ରିକାଳ ଦର୍ଶୀଗୁରୁ ମହର୍ଷି ବାଲ୍ମୀକି ରଚନା କରିଛନ୍ତି l ଏଥିରେ ଚବିଶହଜାର ଶ୍ଳୋକ ଅଛି l ମହର୍ଷି ବାଲ୍ମୀକି, ଏହି ଯଜ୍ଞ ସ୍ଥଳୀର ଅନତି ଦୂରରେ ଅବସ୍ଥାନ କରୁଛନ୍ତି l ରାମାୟଣ ଗାନ ଓ ବାଳକ ମାନଙ୍କ ଉତ୍ତର ଶୁଣି ଓ ସେମାନଙ୍କ ଚେହେରା ଦେଖି ଏମାନେ ଯେ ସୀତାଙ୍କର ଦୁଇ ଯମଜ ପୁତ୍ର ଏହା ଜାଣିବା ପାଇଁ ପ୍ରଭୁ ଶ୍ରୀରାମଙ୍କୁ ଆଉ ବାକି ରହିଲା ନାହିଁ l ପ୍ରଭୁ ଦୂତମାନଙ୍କୁ ଡକାଇ ଆଜ୍ଞା ଦେଲେ, ତୁମେ ମାନେ ବାଲ୍ମିକୀଙ୍କ ପାଖକୁ ଯାଇ କୁହ, ଯଦି ସୀତା ଶୁଦ୍ଧ ଚରିତ୍ରା ଓ ପାପଶୂନ୍ୟା, ତେବେ ସେ ମୁନିଙ୍କଠାରୁ ଆଦେଶ ନେଇ ଆସି ଏହା ପ୍ରମାଣକରି ଦେଖାଇ ଦିଅନ୍ତୁ l ଏହା, ମୋର ନିବେଦନ ବୋଲି ମୁନିଙ୍କୁ କହିବ l ସୀତା ଏବଂ ମହାମୁନିଙ୍କର କଅଣ ଇଚ୍ଛା ତାହା ଆସି ମୋତେ ଜଣାଇବ l
ଦୂତମାନେ ଯାଇ ରାମଙ୍କ ଅନୁରୋଧ ମହର୍ଷି ବାଲ୍ମିକୀଙ୍କୁ ଜଣାଇ ଦେଲେ l ବାଲ୍ମୀକି ଦୂତ ମାନଙ୍କୁ କହିଲେ ମୋର କିଛି ଇଚ୍ଛା ନାହିଁ l ରାମଙ୍କର ଯାହା ଇଚ୍ଛା ତାହାହିଁ ହେବ l ପ୍ରଭୁ ଶ୍ରୀରାମ, ପର ଦିନ ସୀତାଙ୍କର ଏହି ପରୀକ୍ଷା ହେବବୋଲି ସମସ୍ତ ଋଷି, ବ୍ରାହ୍ମଣ, ପାରିଷଦ ଓ ପ୍ରଜାଙ୍କୁ ଜଣାଇ ଦେଲେ l ପରଦିନ ପ୍ରଭାତରେ ବଶିଷ୍ଠ, ବିଶ୍ଵାମିତ୍ର, ନାରଦ, ଦୁର୍ବାସା, ଆଦି ମୁନି, ଭଲ୍ଲୁକ, ବାନରଗଣ, ହଜାର ହଜାର ସଂଖ୍ୟାରେ ପ୍ରଜାମାନେ ଆସି ରୁଣ୍ଡ ହେଲେ ମାଆ ଜାନକୀଙ୍କ ପରୀକ୍ଷା ଦେଖିବା ପାଇଁ l ବାଲ୍ମୀକି ଜାନକୀ ଓ ଦୁଇ କୁମାରଙ୍କୁ ନେଇ ସେଠାରେ ପହଞ୍ଚିଲେ l ସୀତା ଅଧୋମୁଖୀ ହୋଇ କୃତାଞ୍ଜଳୀ ପୁଟରେ ରାମଙ୍କ ମୂର୍ତ୍ତି ନେତ୍ର ପଥରେ ରଖି ବାଷ୍ପlକୁଳ ହୃଦୟରେ ଜନସମୁଦାୟ ମଧ୍ୟରେ ମହର୍ଷି ବାଲ୍ମିକୀଙ୍କ ଅନୁଗମନ କରୁଥାନ୍ତି l ସମସ୍ତ ସଭା ଶୋକାକୁଳ ହୋଇ ଆର୍ତ୍ତନାଦ କରୁ ଥାଏ l କଷାୟ ବାସ ପରିହିତା ସୀତାଙ୍କୁ ସାଙ୍ଗରେ ଧରି ରାମଙ୍କ ନିକଟରେ ବାଲ୍ମୀକି ପହଞ୍ଚି କହିଲେ,ଏହି ହେଉଛନ୍ତି ସେହି ସତୀ, ପତିବ୍ରତା ଓ ଧର୍ମଚାରିଣୀ ମାଆ ସୀତା, ଯାହାଙ୍କୁ ତୁମେ ଲୋକ ଅପବାଦର ଭୟରେ ବିସର୍ଜନ କରିଥିଲ l ଏ ଦୁଇଜଣ ଯମଜ ବାଳକ ତୁମର ପୁତ୍ର l ଆଉ ଋଷିବଂଶରେ ଜନ୍ମିତ ମୁଁ ବାଲ୍ମୀକି l ମୁଁ ଶପଥ କରି କହୁଛି, ସୀତାଙ୍କର ଚରିତ୍ର ଶୁଦ୍ଧ l ସେ ଶୁଦ୍ଧା, ସଚ୍ଚରିତ୍ରା, ତାଙ୍କୁ ଲେଶ ମାତ୍ର ପାପ ସ୍ପର୍ଶ କରିନାହିଁ l ଶ୍ରୀରାମ କହିଲେ, ହେ ମହାତ୍ମନ ! ଆପଣ ଯାହା କହୁଛନ୍ତି, ତାହା, ସତ୍ୟ l ମାତ୍ର, ସର୍ବ ସମ୍ମୁଖରେ ସୀତାଙ୍କୁ ତାଙ୍କ ଶୁଦ୍ଧ ଚରିତ୍ରର ପ୍ରମାଣ ଦେବା ମୁଁ ଚାହେଁ l ମାଆ ଜାନକୀ କାଷ୍ଠବତ ଦଣ୍ଡାୟମାନ ହୋଇ କେବଳ ଅଶ୍ରୁ ବିସର୍ଜନ କରୁଥାନ୍ତି l ମାଆ ବସୁଧାଙ୍କୁ କୃତାଞ୍ଜଳୀ ପୁଟରେ ପ୍ରାର୍ଥନା କରୁଥାନ୍ତି, ହେ ମାଆ ଧରିତ୍ରୀ ! ତୁମେ ବିଦୀର୍ଣ୍ଣ ହୋଇ ଯାଆ ମା', ବିଦୀର୍ଣ୍ଣ ହୋଇଯା, ମୋତେ କୋଳରେ ଆଶ୍ରୟ ଦିଅ ମାଆ, ଆଶ୍ରୟ ଦିଅ !
ମାଆ ଧରିତ୍ରୀଙ୍କ କର୍ଣ୍ଣରେ ସୂତାର ଆକୁଳ ପ୍ରାର୍ଥନା ଗୁଞ୍ଜରିତ ହେଲା l ସେ ଆଉ ସୂତାର ବିକଳ ସହି ପାରିଲେ ନାହିଁ l ଏହି ସମୟରେ ସୁଗନ୍ଧିତ ବାୟୁ ପ୍ରବାହିତ ହେଲା l ଭୂକମ୍ପ ହୋଇ, ଧରଣୀ ବିଦୀର୍ଣ୍ଣ ହୋଇ ଏକ ଦିବ୍ୟ ସିଂହାସନ ଅବିଳମ୍ବେ ଉତ୍ଥିତହେଲା, ସେହି ଦିବ୍ୟସିଂହାସନ ଆରୋହଣ କରି ଭୂମିଜା ମାଆ ସୀତା ଭୁଗର୍ଭକୁ ଗମନ କଲେ l ଭୂଗର୍ଭପ୍ରବେଶ ସମୟରେ ମାଆ ରାମଙ୍କୁ ହୃଦୟ ସିଂହାସନରେ ବସାଇ ସ୍ତୁତି କରୁ ଥିଲେ l ସ୍ଵଭାଵ କବି ଗଙ୍ଗାଧର ମେହେର, ଏହା ତାଙ୍କ ତପସ୍ୱିନୀ କାବ୍ୟରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି :- ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ l ଦୁଃଖଗିରି ବଜ୍ର ଯହିଁ ଦେଖନ୍ତି ବିଦୂଷ ll ରାଜରାଜେଶ୍ୱରଙ୍କ ସେ ପଦ୍ମପଦ୍ମ ଦ୍ଵନ୍ଦ୍ୟେ l ଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ ll
          ! ଜୟ ମାଆ ଜାନକୀ !
               🙏🙏🙏
                  ଅର୍ଜୁନୀ
                 ----------
ଅର୍ଜୁନୀ ଚରଣ ବେହେରା
 ମୋ - 7693091971


Rate this content
Log in

Similar oriya story from Inspirational