STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାମାୟଣରେ ସତୀ ସୁଲୋଚନା

ରାମାୟଣରେ ସତୀ ସୁଲୋଚନା

4 mins
0

      ରାମାୟଣରେ ସତୀ ସୁଲୋଚନା
        ================
ଲଙ୍କପତି ରାବଣର ଅନେକ ବଳଶାଳୀ ପୁତ୍ର ମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ, ମେଘନାଦ। ଦେବରାଜ ଇନ୍ଦ୍ରଙ୍କୁ ସେ ଜୟ କରିଥିବାରୁ ତା'ର ଅନ୍ୟ ଏକ ନାମ ଥିଲା ଇନ୍ଦ୍ରଜିତ। ମେଘନାଦଙ୍କ ପତ୍ନୀ ସୁଲୋଚନା ଥିଲେ ନାଗରାଜ ବାସୁକୀଙ୍କ କନ୍ୟା। ସେ ଥିଲେ ଖୁବ୍ ପତିବ୍ରତା ଓ ସ୍ୱାମୀଙ୍କୁ ସର୍ବଦା ସତ୍ ଓ 
ସୁଉପଦେଶ ଦେଇ ତାଙ୍କର ପ୍ରତି କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳିତ କରୁଥିଲେ। ଲଙ୍କାରେ ରାମ ରାବଣଙ୍କ ଘମାଘୋଟ ଯୁଦ୍ଧ ଲାଗି ଯାଇଥାଏ ଏବଂ ଗୋଟି ଗୋଟି କରି ଅସୁର ମାନେ ନିଧନ ହୋଇ ଚାଲି ଥାନ୍ତି। ସେଦିନ ଲକ୍ଷ୍ମଣଙ୍କ ସହ ଭୟଙ୍କର ଯୁଦ୍ଧରେ ମେଘନାଦ ବଧ ହେଲା। ମୃତ ମେଘନାଦର କର୍ତ୍ତିତ ଶିରକୁ ଶ୍ରୀରାମଙ୍କ ଶିବିରକୁ ପଠାଇ ଦିଆଗଲା।
ବୀର ପୁତ୍ରର ମୃତ୍ୟୁ ସମ୍ବାଦ ଶୁଣି ରାବଣ ଅତ୍ୟନ୍ତ ବ୍ୟଥିତ ଓ ଦୁଃଖିତ ହୋଇ ପଡ଼ିଲା। ଏହି ସମୟରେ ପତିଙ୍କ ମୃତ୍ୟୁ ସମ୍ବାଦ ପାଇ, ସତୀ ସୁଲୋଚନା ଶ୍ଵଶୁରଙ୍କ ପାଖରେ ଯାଇ ପହଞ୍ଚିଲେ। ସେ ଶ୍ୱଶୁର ରାବଣଙ୍କୁ କହିଲେ, ଆପଣ ରାମଙ୍କ ନିକଟକୁ ଯାଇ ମୋ ପତିଙ୍କ ମୁଣ୍ଡ ଆଣି, ଦିଅନ୍ତୁ। ସୁଲୋଚନା କେଉଁଥି ପାଇଁ, ଏପରି ଅନୁରୋଧ କରୁଛନ୍ତି, ରାବଣ ଆଉ କିଛି ବୁଝିପାରିଲା ନାହିଁ। ଏଥିରେ ରାଜି ନହୋଇ ସେ କହିଲା, ତୁମେ ନିଜେ କୌଣସି ଭୟ ନକରି ରାମଙ୍କ ଶିବିରକୁ ଯାଅ ଏଵଂ ପୁତ୍ର ମେଘନାଦର ମୁଣ୍ଡ ନେଇ ଆସ। ରାମ ପୁରୁଷୋତ୍ତମ । ତେଣୁ ତାଙ୍କ ପାଖକୁ ଯିବାରେ କୌଣସି ଭୟ ନାହିଁ।
ମେଘନାଦକୁ ବଧକରିବାପାଇଁ ଯେତେବେଳେ ଲକ୍ଷ୍ମଣ ଯୁଦ୍ଧକ୍ଷେତ୍ରକୁ ଗଲେ, ସେତେବେଳେ ରାମ ତାଙ୍କୁ କହିଥିଲେ, " ଲକ୍ଷ୍ମଣ ! ତୁମେ ମେଘନାଦକୁ ଯେ ନିଶ୍ଚୟ ବଧକରିବ ଏଥିରେ ମୋର କୌଣସି ସନ୍ଦେହ ନାହିଁ। ଗୋଟିଏ କଥା କିନ୍ତୁ ଧ୍ୟାନରେ ରଖି ଥିବ । ତାହା ହେଲା, ମେଘନାଦର ମୁଣ୍ଡ ଯେପରି ଭୁମିରେ ନପଡ଼େ। କାରଣ ତା' ପତ୍ନୀ ଜଣେ ସତୀ ସାଧ୍ୱୀ ଓ ପରମ ପତିବ୍ରତା ନାରୀ। ସେହି ସାଧ୍ୱୀଙ୍କ ପତିଙ୍କ ମୁଣ୍ଡ ଯଦି ଭୂମିରେ ପଡ଼େ, ତେବେ ଆମର ସମସ୍ତ ସେନା ନାଶ ଯିବେ। ଯୁଦ୍ଧରେ ଆମେ ଆଉ ବିଜୟ ଲାଭ କରିବା ସମ୍ଭବ ହେବ ନାହିଁ।
ଲକ୍ଷ୍ମଣ ଯୁଦ୍ଧରେ ମେଘନାଦର ମୁଣ୍ଡ କାଟି ଦେଲେ । ରାମ କହିଥିବା କଥା ଅନୁଯାୟୀ ସେ ମୁଣ୍ଡଟିକୁ ଭୂମିରେ ପଡ଼ିବାପାଇଁ ଦେଲେ ନାହିଁ। ହନୁମାନ ସେହି କଟା ମୁଣ୍ଡକୁ ରାମଙ୍କ ପାଖକୁ ଘେନି ଆସିଲେ। ମୁଣ୍ଡ କଟିଯିବା ପରେ ମେଘନାଦଙ୍କ ଡାହାଣ ଛିନ୍ନ ବାହୁଟି ଶୂନ୍ୟରେ ଉଡ଼ି ଯାଇ, ସାଧ୍ୱୀ ସୁଲୋଚନାଙ୍କ ପାଖରେ ପଡ଼ିଲା। ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଅତି ଦୁଃଖରେ କାନ୍ଦିବାକୁ ଲାଗିଲେ। ସେ ହାତଟି ଆଉ କାହାର ହୋଇଥିବ ଭାବି ତାକୁ ସ୍ପର୍ଶ କଲେ ନାହିଁ। ହାତଟି ସ୍ୱାମୀଙ୍କର ନାଁ, ଅନ୍ୟ କାହାର ଜାଣିବାକୁ ସେ ସେହି ହାତକୁ କହିଲେ,"ଯଦି ସତରେ ତୁମେ ମୋ ପତିଙ୍କ ହାତ, ତେବେ ମୋ ପତିବ୍ରତ ଶକ୍ତିରେ ତୁମେ ଯୁଦ୍ଧର ସମସ୍ତ ବିବରଣୀ ଲେଖ।” ସତକୁସତ ସେହି ହାତକୁ ଲେଖନୀ ଧରାଇଦିଆ ଯିବାରୁ, ହାତ ଯୁଦ୍ଧର ସମସ୍ତ ବିବରଣୀକୁ ଲେଖି ଚାଲିଲା । ହାତ ଶେଷକୁ ଲେଖିଲା,ପ୍ରିୟେ ! ଏହା ମୋର ହାତ। ଲକ୍ଷ୍ମଣ ଚୋଉଦ ବର୍ଷ ଧରି ଆହାର ନିଦ୍ରା ଓ ମୈଥୁନ ତ୍ୟାଗ କରିଛନ୍ତି। ସେ ତେଜସ୍ୱୀ ଓ ଦୈବୀଗୁଣ ସମ୍ପନ୍ନ। ଏଣୁ ତାଙ୍କ ବାଣରେ ମୋ ମୃତ୍ୟୁ ହେଲା। ମୋ' ମୁଣ୍ଡ ରାମଙ୍କ ପାଖରେ ଅଛି। ଏହା ପଢି ସୁଲୋଚନା ଖୁବ୍ ଦୁଃଖ ବିହ୍ୱଳ ହୋଇ କ୍ରନ୍ଦନ କରିବାରେ ଲାଗିଲେ। ସେ ନିଷ୍ପତ୍ତି କଲେ, “ମୁଁ ସତୀ ହେବି।”
ସେ ପତିଙ୍କ କଟାମୁଣ୍ଡ ଆଣିବାକୁ ରାମଙ୍ଗ ଶିବିର ଅଭିମୁଖେ ଅଗ୍ରସର ହେଲେ। ସୁଲୋଚନା ଶିବିର ଦିଗରେ ଆସୁଛନ୍ତି ଶୁଣି, ରାମ ନିଜେ ଯାଇ ତାଙ୍କୁ ସ୍ୱାଗତ କରି କହିଲେ, ଦେବୀ ! ତୁମର ପତି ବଡ଼ ବୀର ଥିଲେ। ତୁମେ ଯେଉଁ ପାଇଁ ଏଠାକୁ ଆସିଛ, ତାହା ମୁଁ ଜାଣି ପାରୁଛି। ଏଇ ନିଅ ତୁମ ମହାବୀର ପତିର ଶିର। ଏପରି କହି, ସମ୍ଭ୍ରମତା ଓ ସମ୍ମାନର ସହିତ ଶ୍ରୀରାମ ମେଘନାଦର ଶିର ସୁଲୋଚନାଙ୍କ ହସ୍ତରେ ଅର୍ପଣ କଲେ। ସେ ଶିରକୁ ହସ୍ତରେ ଧରି ଲକ୍ଷ୍ମଣଙ୍କୁ ଚାହିଁ କହିଲେ, ତୁମେ, ଗର୍ବ କର ନାହିଁ। ମେଘନାଦଙ୍କ ଠାରୁ ଦିନେ ସ୍ୱୟଂ ଦେବରାଜ ଇନ୍ଦ୍ର ମଧ୍ୟ ହାରି ଯାଇ ଥିଲେ । ତାଙ୍କୁ ହରାଇ ପାରିବାର ଶକ୍ତି ଏ ତ୍ରିଲୋକରେ କାହାରମଧ୍ୟ ନାହିଁ। କେବଳ ଏହା ଆମ ଦୁଇ ପତିବ୍ରତା ନାରୀଙ୍କ ଫଳ। ଜଣେ ତୁମର ଭାର୍ଯ୍ୟା ଓ ଆଉ ଜଣେ ମୁଁ। କିନ୍ତୁ ଦୁର୍ଭାଗ୍ୟ ଏହି ଯେ ମୋ ପତି ଏମିତି ପିତାଙ୍କ ପକ୍ଷରେ ଯୁଦ୍ଧ କଲେ, ଯିଏ, ଏକ ପତିବ୍ରତା ନାରୀଙ୍କୁ ଅପହରଣ କରି ଆଣିଥିଲେ । ଏହାହିଁ ହେଲା ତାଙ୍କ ବିନାଶର କାରଣ !!!
ଏତିକିବେଳେ ତାଙ୍କୁ ସୁଗ୍ରୀବ ପଚାରିଲେ, ତେବେ ତୁମେ କେମିତି ଏହା ସବୁ ଜାଣିଲ ? ସୁଲୋଚନା କହିଲେ, ମୋ ପତିଙ୍କ ହାତ ଆସି ମୋତେ ଏହା କହିଥିଲା। ସୁଗ୍ରୀବ ବ୍ୟଙ୍ଗ କରି କହିଲେ, ଆଛା ! ତେବେ ଏହି ମୁଣ୍ଡ କଅଣ ହସି ପାରିବ। ସୁଗ୍ରୀବଙ୍କୁ ଶ୍ରୀରାମ ଶାନ୍ତ କରି, କହିଲେ, " ତୁମେ ପତିବ୍ରତା ଶକ୍ତିକୁ ଉପହାସ କର ନାହଁ।” ସେହି ସମୟରେ ସୁଲୋଚନା କହିଲେ, ପତିବ୍ରତା ଧର୍ମ ଯଦି ସତ୍ୟ ତେବେ ଏହି ମୁଣ୍ଡ ହସୁ । ସମସ୍ତଙ୍କ ଦେଖୁ ଦେଖୁ ସେହି କଟା ମୁଣ୍ଡ ହସିବାକୁ ଲାଗିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ, ସୁଲୋଚନାଙ୍କୁ ପ୍ରଣାମ କଲେ। ସୁଲୋଚନା ସ୍ୱାମୀଙ୍କ ମୁଣ୍ଡ ନେଇ ଫେରି ଆସିଲେ। ସମୁଦ୍ର କୂଳରେ ଚନ୍ଦନ କାଠରେ ଚିତା ପ୍ରସ୍ତୁତ ହେଲା। ମେଘନାଦଙ୍କ ମୁଣ୍ଡକୁ ସୁଲୋଚନା ନିଜ ଲୁଗା କାନିରେ ଧରି ଚିତାନଳରେ ପ୍ରବେଶ କରି ସତୀ ହେଲେ।
ଏହି ଉପାଖ୍ୟାନ ମୂଳ ବାଲ୍ମିକୀ ରାମାୟଣ କିମ୍ବା ସନ୍ଥ ତୁଳସୀ ଦାସଙ୍କ ଶ୍ରୀରାମଚରିତ ମାନସରେ ନାହିଁ। କେତେକ ପ୍ରାଦେଶିକ ରାମାୟଣରେ ଏହି ଗାଥା ବର୍ଣ୍ଣିତ ହୋଇଥିବା ଦେଖାଯାଏ। ।।
       ଓଁ ରାମାୟ ରାମ ଭଦ୍ରାୟ ନମଃ।।
                🙏🙏🙏
                    ଅର୍ଜୁନୀ
                 ---------------
ଅର୍ଜୁନୀ ଚରଣ ବେହେରା
 ମୋ - 7693091971


Rate this content
Log in

Similar oriya story from Inspirational