STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଲଙ୍କାର ରକ୍ଷାକର୍ତ୍ତ୍ରୀ ଲଙ୍କିନୀ

ଲଙ୍କାର ରକ୍ଷାକର୍ତ୍ତ୍ରୀ ଲଙ୍କିନୀ

4 mins
0

       ଲଙ୍କାର ରକ୍ଷାକର୍ତ୍ତ୍ରୀ ଲଙ୍କିନୀ
       ================
ରାମଦୂତ ମହାବୀର ହନୁମାନ ସୀତାଠାବ କରିବା ପାଇଁ ମେଘ ସଦୃଶ ଏକ ପର୍ବତ ଆକାର ରୂପ ଧରି ତୀବ୍ର ବେଗରେ, ଶତ ଯୋଜନ ବିସ୍ତୃତ ସାଗରକୁ ଅତିକ୍ରମ କରି, ଯାଇ, ସାଗରର ଅପର ପାର୍ଶ୍ୱରେ ପହଞ୍ଚି ଗଲେ l ଲଙ୍କାର ରମଣୀୟ ବନରାଜି ତାଙ୍କ ଦୃଷ୍ଟିଗୋଚର ହେଲା l ସେ ରାକ୍ଷସ ମାନଙ୍କ ସନ୍ଦେହରେ ପଡ଼ିବେ ବୋଲି ଭାବି ନିଜର ବିଶାଳ ରୂପକୁ ପରିତ୍ୟାଗ କରି ପ୍ରକୃତ ସ୍ୱରୂପକୁ ଫେରି ଆସିଲେ l କେତକୀ ନାରୀକେଳ ଶୋଭିତ ଲମ୍ବନାମକ ଏକ ପର୍ବତ ଉପରେ ସେ ଓହ୍ଲାଇ, ଅମରାବତୀ ସଦୃଶ ସୁରମ୍ୟ ଲଙ୍କାପୁରୀର ଶୋଭା ନିରୀକ୍ଷଣ କରି ସେ ଖୁବ୍ ବିସ୍ମିତ ହେଲେ l ଉଚ୍ଚ ପାର୍ବତ୍ୟ ମାଳଭୂମି ଉପରେ ସ୍ଥାପିତ ଲଙ୍କା ବହୁ ରମଣୀୟ ବନ ଉପବନରେ ପୂର୍ଣ୍ଣଥିଲା l କରବୀର କଦମ୍ୱ, ଖର୍ଜୁର, କର୍ଣ୍ଣିିକାର, କୁଟଜ, କେତକୀ ଆଦି ପୁଷ୍ପିତ ବୃକ୍ଷସବୁ ପକ୍ଷୀମାନଙ୍କ ଦ୍ଵାରା ମଣ୍ଡିତ ହୋଇ ମୃଦୁ ମଳୟ ପବନରେ ଚାଳିତ ହେଉଥିଲେ l ହଂସ କାରଣ୍ଡବ, ପଦ୍ମ ଓ ଉତ୍ପଳ ଶୋଭିତ ବହୁ ରମଣୀୟ ସରୋବର ଉଦ୍ୟାନ ଓ କ୍ରୀଡ଼ା ଭୂମି ଲଙ୍କାର ଶୋଭା ବର୍ଦ୍ଧନ କରୁଥିଲା l ଲଙ୍କାର ଚାରିପଟରେ ବହୁ ଜଳ ପୁର୍ଣ୍ଣ ପରିଖା, ଉତ୍ତୁଙ୍ଗପ୍ରାଚୀର ଭୟଙ୍କର ଧନୁର୍ଦ୍ଧାରୀ ରାକ୍ଷସ ମାନଙ୍କ ଦ୍ଵାରା ସୁରକ୍ଷିତ ହୋଇ ରହିଥିଲା l ଶତ ଶତ ସୌଧ ଏବଂ ଅଟ୍ଟାଳିକା ଶୁଭ୍ର ମେଘବର୍ଣ୍ଣ ଧାରଣ କରି, ଆକାଶକୁ ଚୁମ୍ବନ କରୁଥିଲା l ବୃକ୍ଷରୁ ପୁଷ୍ପ ମାନ ପଡ଼ି, ଲଙ୍କାର ଶୁଭ୍ର ବର୍ଣ୍ଣର ଉଚ୍ଚା ସଡ଼କ ସବୁ ପୁଷ୍ପମୟ ଦିଶୁଥିଲା l ନଗରୀର ଚତୁର୍ଦ୍ଦିଗରେ କାଞ୍ଚନ ମୟ ତୋରଣ ସବୁ ଶୋଭା ପାଉଥିଲା l ହନୁମାନ ଯାଇ ଉତ୍ତରଦ୍ୱାରରେ ପହଞ୍ଚି ଚିନ୍ତା କଲେ ସମୁଦ୍ର ପରିବେଷ୍ଠିତ ଲଙ୍କାପୁରୀକୁ ଦେବତାମାନେ ମଧ୍ୟ ଜୟକରିପାରିବେ ନାହିଁ l ଶ୍ରୀରାମ ବା କଅଣ କରିବେ !! ନିଜ ଦାୟିତ୍ୱ, ସୀତା ଠାବ କଥା ମନେ ପକାଇ ଏକ କ୍ଷୁଦ୍ର ବିରାଡ଼ିରୂପ ଧରି ଲଙ୍କାପୁରୀରେ ପ୍ରବେଶକରି ସେ ପ୍ରାସାଦ ମାନଙ୍କ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ l ସେ ଦେଖିଲେ ସାତ ତାଲା ଆଠ ତାଲା କୋଠାମାନଙ୍କରେ ସୁନାର ଖମ୍ଭ, ହୀରା ନୀଳାରେ ପାହାଚ ଓ ମୁକ୍ତା ଜାଲ ଦିଆ ଯାଇଥିବା ବାତାୟନ ସବୁ ଶୋଭାପାଉଛି l ସମୁଦ୍ରର ମୃଦୁହିଲ୍ଲୋଳ ଭାସି ଆସୁଛି l ମୟୂର ରାଜହଂସମାନଙ୍କ କଳଧ୍ଵନୀ ଶୁଣା ଯାଉଛି l କୋଠା ମାନଙ୍କରେ ସୁନ୍ଦର ପତାକା ସବୁ ସମୁଦ୍ରର ହିଲ୍ଲୋଳରେ ଫର ଫର ଉଡୁଛି l ବିଦ୍ୟୁତ୍ ପ୍ରଦୀପ ମାନଙ୍କ ଦ୍ଵାରା ସମସ୍ତ ରାବଣ ନଗରୀ ଲଙ୍କା ଆଲୋକିତ ହୋଇଛି l ସେ ପୁଣି ଦେଖିଲେ ସମଗ୍ର ଲଙ୍କାପୁରୀ ଭୟଙ୍କର ଭୟଂକର ରାକ୍ଷସ ମାନଙ୍କ କଡ଼ାପହରାରେ ରହିଛି l ଏଭଳି ବ୍ୟବସ୍ଥା ଭିତରେ ଚିନ୍ତାରେ ପଡ଼ିଗଲେ ସେ, କିପରି ରାବଣ ପୁରୀରେ ପ୍ରବେଶ କରିବେ ? ସେ ସ୍ଥିର କଲେ ରାତ୍ରୀ ସମୟରେ ଗୋଟିଏ କ୍ଷୁଦ୍ର ମଶକ ରୂପଧରି ଲଙ୍କାପୁର ମଧ୍ୟରେ ପ୍ରବେଶ କରିବେ l ତାହା ହିଁ କଲେ l ଏକ ମଶକ ରୂପ ଧରି ପ୍ରଭୁଙ୍କ ନାମ ସ୍ମରଣକରି ସେ ଲଙ୍କାପୁର ମଧ୍ୟରେ ପ୍ରବେଶକଲେ। ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମ ଚରିତ ମାନସରେ କହିଲେ:-
      ମଶକ ସମାନ ରୂପ କପି ଧରି l
    ଲଙ୍କହି ଚଲେଉ ସୁମିରି ନରହରି ll
ନଗର ଦ୍ଵାରଠାରେ ପ୍ରହରୀ, ଭୟଙ୍କରୀ ରାକ୍ଷସୀ ଲଙ୍କିନୀ ତାଙ୍କୁ ଦେଖି ଦେଇ ପାଟି କଲା,"ରେ ମୂର୍ଖ ତୁଟା କିଏ ରେ ! ତୋର ତ ସାହସ କମ୍ ନୁହେଁ l ମୋତେ ନ ପଚାରି ତୁ କୁଆଡ଼େ ପଶି ଯାଉଛୁ l ତୁ କଅଣ ଜାଣି ନାହୁଁ ଯେତେ ସବୁ ଚୋର ସେମାନେ ସବୁ ମୋର ଖାଦ୍ୟ" l ଏହା ଶୁଣି ହନୁମାନ ତାକୁ ଏକ ଶକ୍ତମୁଥ ମାରିଲେ l ରାକ୍ଷସୀ ଲଙ୍କିନୀ ରକ୍ତବାନ୍ତି କରି ତଳେ ପଡ଼ିଗଲା l
 ମୁଠିକା ଏକ ମହାକପି ହନି l
 ରୁଧିର ବମତ ଧରନୀ ଢନମନି ll
ନିଜକୁ ସମ୍ଭାଳି ଉଠି ଲଙ୍କିନୀ ହାତଯୋଡ଼ି କହିଲା, ବେଦପତି ବ୍ରହ୍ମା ଯେତେେ ବେଳେ ରାବଣକୁ ବର ଦେଇ ଫେରିଲେ, ମୋତେ ସେ ସେତିକି ବେଳେ କହି ଯାଇଥିଲେ, 'ତୁ ଯେଉଁଦିନ ଗୋଟିଏ ମାଙ୍କଡ ଠାରୁ ମାଡ଼ ଖାଇବୁ, ସେବେଠୁଁ ରାକ୍ଷସ ମାନଙ୍କର ସଂହାର ହେଲା ବୋଲି ଜାଣିବୁ l ଆଜି ବୁଝିଗଲି ଏବେ ସେହି ବେଳ ଆସି ପହଞ୍ଚି ଯାଇଛି l ମୋର ବଡ଼ ସୌଭାଗ୍ୟ ମୁଁ ଶ୍ରୀରାମଙ୍କ ଦୂତଙ୍କୁ ନିଜ ଚକ୍ଷୁରେ ଦେଖିଲି, ତୁମେ ଯାଅ । ନଗରରେ ନିର୍ଭୟରେ ପ୍ରବେଶ କର ଓ ତୁମେ ଯେଉଁ କାର୍ଯ୍ୟପାଇଁ ଆସିଛ ସେ କାମ ନିର୍ଭୟରେ କରିଯାଅ l ଏଠାରେ ତୁମକୁ ଆଉ କେହି ବାଧା ଦେବେନାହିଁ। ଲଙ୍କିନୀଙ୍କ ଠାରୁ ବିଦାୟ ଘେନି ହନୁମାନ ନିଶଙ୍କ ଚିତ୍ତରେ ନଗରୀ ଭିତରେ ପ୍ରବେଶ କଲେ l
ଲଙ୍କିନୀଙ୍କ ଇତିହାସ ତର୍ଜମା କଲେ ଜ୍ଞାତ ହୋଇ ଥାଏ ଯେ ସେ ପୂର୍ବ ଜନ୍ମରେ ବ୍ରହ୍ମାଙ୍କ ବାସ ସ୍ଥାନ ବ୍ରହ୍ମାପୁରୀ ବା ବ୍ରହ୍ମ ଲୋକର ରକ୍ଷକ ଥିଲେ l ସେ ବ୍ରହ୍ମା ପୁରୀର ରକ୍ଷକ ଥିବାରୁ କାଳକ୍ରମେ ଅତ୍ୟନ୍ତ ଗର୍ବୀ ହୋଇ ପଡ଼ିଲେ ଓ ଅହଂକାର ବଶ ହୋଇ ଇନ୍ଦ୍ର ଚନ୍ଦ୍ର କାହାକୁ ମାନିଲେ ନାହିଁ। ଏକଥା ଜାଣି ପାରି, ବ୍ରହ୍ମା, ତାଙ୍କୁ ନିଜର ବ୍ୟବହାର ପରିବର୍ତ୍ତନ କର ବୋଲି ସତର୍କ କରାଇ ଦେଲେ। ଏହାସତ୍ତ୍ୱେ ମଧ୍ୟ ତାଙ୍କର କୌଣସି ପରିବର୍ତ୍ତନ ହେଲା ନାହିଁ। ଶେଷକୁ ବ୍ରହ୍ମା କ୍ରୋଧିତ ହୋଇ, ତାଙ୍କୁ ଅଭିଶାପ ଦେଲେ ତୁ ରାକ୍ଷସୀ ରୂପରେ ପତିତ ହେବୁ। ସେ ହାତଯୋଡ଼ି କ୍ଷମା ପ୍ରାର୍ଥନା କରିବାରୁ ବ୍ରହ୍ମା ତାଙ୍କୁ କହିଲେ,ମୋ ଅଭିଶାପ ଅବଶ୍ୟ ଫଳିବ। ତୋର ଶାପମୁକ୍ତି ହେଵ, ତୁ ଯେତେବେଳେ ଗୋଟିଏ ବାନର ଠାରୁ ମାଡ଼ ଖାଇବୁ। ବ୍ରହ୍ମାଙ୍କ ଅଭିଶାପ ଫଳରେ ସେ ରାକ୍ଷସୀଜନ୍ମ ପାଇ ବହୁବର୍ଷ ବିତିଗଲା ଏବଂ ପରେ ସେ ଆସି ରାବଣପୁରୀ ଲଙ୍କାର ରକ୍ଷାକର୍ତ୍ତ୍ରୀ ରୂପେ ନିଯୁକ୍ତ ହେଲେ। ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣଙ୍କୁ ବର ଦେବାକୁ ଆସି, ବ୍ରହ୍ମା, ତାଙ୍କୁ ସେହି କଥା ଚେତେଇ ଦେଇ ଯାଇଥିଲେ। ବ୍ରହ୍ମାଙ୍କ କଥା ସତ୍ୟ ହେଲା। ଲଙ୍କିନୀ ହନୁମାନଙ୍କ ଠାରୁ ମାଡ଼ଖାଇ ଶାପ ମୁକ୍ତ ହେଲେ। ସେହିଦିନ ଠାରୁ ବସ୍ତୁତଃ ରାକ୍ଷସ ମାନଙ୍କର ଏବଂ ଲଙ୍କାର ପତନ ଆରମ୍ଭ ହେଲା। କେତେକ ଲୋକକଥା ଅନୁଯାୟୀ ସେହି ଲଙ୍କିନୀ ଦେଵୀ ଏକଦା ପଶ୍ଚିମ ଲଙ୍କା ଭାବେ ପ୍ରସିଦ୍ଧ ଥିବା ଓଡ଼ିଶାର ସୋନପୁର ଜିଲ୍ଲାର, ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ରୂପେ ଅଧିଷ୍ଠିତ ହୋଇଛନ୍ତି।
                🙏🙏🙏
                   ଅର୍ଜୁନୀ
               ---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya story from Inspirational