STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ତ୍ରିପୁରାରୀ ଭଗବାନ ଶିବ

ତ୍ରିପୁରାରୀ ଭଗବାନ ଶିବ

3 mins
0

           ତ୍ରିପୁରାରୀ ଭଗବାନ ଶିବ
         ===============
ଦେବଗଣଙ୍କ ପ୍ରାର୍ଥନାରେ ଶିବ ପାର୍ବତୀଙ୍କ ବିବାହହେଲା। ଭଗବାନ ଶିବଙ୍କ ଔରସରେ ପାର୍ବତୀଙ୍କ ଗର୍ଭରୁ ଜନ୍ମ ନେଲେ କାର୍ତ୍ତିକେୟ । ଭଗବାନ କାର୍ତ୍ତିକେୟଙ୍କ ହସ୍ତରେ ଉତ୍ପୀଡ଼କ ତାରକାସୁରର ନିଧନ ହେଲା। ତାରକାର ତିନି ପୁତ୍ର ଥିଲେ, ତାରକକ୍ଷ, କମଳାକ୍ଷ ଓ ବିଦ୍ୟୁନ୍ମାଳୀ। ପିତାଙ୍କ ମୃତ୍ୟୁରେ ସେମାନେ ଖୁବ୍ ପ୍ରତିଶୋଧ ପରାୟଣ ହୋଇପଡ଼ି ଦୃଢ଼ ନିଶ୍ଚୟ କରି ନେଲେକି ଆମେ ଏ ଦେବତା ମାନଙ୍କୁ ଉଚିତ୍ ଶିକ୍ଷା ଦେବୁ।
ଏପରି ନିର୍ଣ୍ଣୟ ନେଇ ସେମାନେ ଜଙ୍ଗଲକୁ ଯାଇ ଘୋର ତପସ୍ୟା ଆରମ୍ଭ କରି ଦେଲେ। ଉଗ୍ର ତପସ୍ୟାରେ ତାଙ୍କର ଏକ ହଜାର ବର୍ଷ ବିତିଗଲା। ତାଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ଦିନେ ବ୍ରହ୍ମା ଆସି ପହଞ୍ଚି ବର ଯାଚିଲେ। ତିନି ଅସୁର ବ୍ରହ୍ମାଙ୍କୁ ଅମର ବର ମାଗିଲେ। ବ୍ରହ୍ମା କହିଲେ, ମୁଁ ତ ତୁମକୁ ଅମର ବର ଦେଇ ପାରିବି ନାହିଁ। ତୁମେ ତା' ପରିବର୍ତ୍ତେ ଅନ୍ୟ କୌଣସି ବର ମାଗି ନିଅ, ଯେପରି ତାହା ଅମରବରର ତୁଲ୍ୟ ହେବ। ତିନି ରାକ୍ଷସ ବହୁ ଚିନ୍ତାକରି କହିଲେ, ତା ହେଲେ ଆପଣ ଆମ ତିନିଭାଇଙ୍କୁ ତିନୋଟି ଗ୍ରହ ଉପରେ ତିନିଗୋଟି ପୁର ନିର୍ମାଣ କରି ଦିଅନ୍ତୁ। ସେହି ତିନି ଗ୍ରହ ଅଭିଜିତ ନକ୍ଷତ୍ର ସହ ଏକ ସରଳ ରେଖାରେ ଅବସ୍ଥାନ କରୁଥିବା ବେଳେ ଯଦି କୌଣସି ଶାନ୍ତ ସ୍ୱଭାବର ବ୍ୟକ୍ତି ଆମକୁ ମାରିବ ତେବେ ଆମର ମୃତ୍ୟୁ ହେବ। ହଁ ମନେରଖନ୍ତୁ ଆମକୁ ମାରିବାକୁ ଯେଉଁ ରଥ ଓ ଅସ୍ତ୍ର ଆବଶ୍ୟକ ହେଵ ତାହା ପ୍ରସ୍ତୁତ କରିବା ଯେପରି ଅସମ୍ଭବ ଥିବ । ରାକ୍ଷସ ମାନଙ୍କର ଏପରି ଅଦ୍ଭୁତ ବର ପ୍ରାର୍ଥନାରେ, ବ୍ରହ୍ମା ତୁରନ୍ତ "ତଥାସ୍ତୁ" କହି ପ୍ରସ୍ଥାନ କଲେ।
ଅସୁର ତ୍ରୟଙ୍କୁ ଦେଇ ଥିବା ବର ଅନୁସାରେ ବ୍ରହ୍ମା ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ତିନି ଗ୍ରହ ଉପରେ ତିନି ଗୋଟି ପୁର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଲେ। ବ୍ରହ୍ମାଙ୍କ ଆଜ୍ଞା ପାଇ ବିଶ୍ୱକର୍ମା ତିନି ଜଣଙ୍କ ପାଇଁ ଯଥାକ୍ରମେ ସ୍ୱର୍ଣ୍ଣପୁରୀ, ରଜତପୁରୀ, ଲୌହପୁରୀ ନାମକ ତିନିଟି ପୁର ନିର୍ମାଣ କରିଦେଲେ। ସେହି ତ୍ରିପୁରରେ ରାକ୍ଷସତ୍ରୟ ତାଙ୍କ ରାଜଧାନୀ ପ୍ରତିଷ୍ଠା କରି ନିବାସ କଲେ। ସାମଗ୍ରିକଭାବେ ସେହି ତିନି ଅସୁରଙ୍କୁ ତ୍ରିପୁରାସୁର କୁହାଗଲା।ନଭ ମଣ୍ଡଳରେ ତାଙ୍କ ତିନିପୁର ମୁକ୍ତା ସଦୃଶ ଝଟକୁ ଥିଲା।
ରାକ୍ଷସ ତ୍ରୟ ବ୍ରହ୍ମାଙ୍କଠାରୁ ବରପାଇ ଖୁବ୍ ଉନ୍ମତ୍ତ ହୋଇ ପଡ଼ିଲେ। ତିନିହେଁ ନିଜକୁ ବଳିୟାନ ମନେ କରି ତ୍ରିପୁରରେ ଆତଙ୍କ ଖେଳାଇ ଦେଲେ। ଦେବ ବ୍ରାହ୍ମଣ, ମୁନିଋଷି ତଥା ସଜ୍ଜନଙ୍କୁ ପୀଡ଼ା ଦେବାକୁ ଲାଗିଲେ । ତାଙ୍କ ଆତଙ୍କରେ ସମସ୍ତେ ତ୍ରାହି ତ୍ରାହି ଡାକିବାକୁ ଲାଗିଲେ। ଏପରି କି ସେମାନେ ଦିନେ ସ୍ୱର୍ଗପୁର ଆକ୍ରମଣ କରି ଦେବତା ମାନଙ୍କୁ ସ୍ଵର୍ଗରୁ ବିତାଡ଼ିତ କରି ଦେଲେ। ବାସହୀନ ଦେବତା ମାନେ ଆଉ କିଛି ଉପାୟ ନପାଇ ଯାଇ ଭଗବାନ ଶିବଙ୍କ ଶରଣ ପଶିଲେ। ପ୍ରଥମେ ଶିବ ଦେବତାଙ୍କୁ କହିଲେ, ତୁମେମାନେ ସମସ୍ତେ ସମ୍ମିଳିତ ହୋଇ, ସେହି ଅସୁର ମାନଙ୍କ ପ୍ରତିରୋଧ କର। ଏଥିରେ ଦେବତାମାନେ ଦୁଃଖ ଜଣାଇ କହିଲେ, ଆମ୍ଭର ସମସ୍ତ ପ୍ରୟାସ ବିଫଳ ହୋଇଛି। କେବଳ ଆପଣହିଁ ଆମ୍ଭମାନଙ୍କୁ ରକ୍ଷା କରି ପାରିବେ। ଭଗବାନ ଶିବ କହିଲେ, ତେବେ ମୋ'ର ଅଧା ବଳ ତୁମକୁ ଦେଉଛି, ତୁମେ ମାନେ ଯାଇ ଅସୁରତ୍ରୟଙ୍କୁ ମୁକାବିଲା କର। ଏପରି କହି ଶିବ ତାଙ୍କର ଅଧା ଶକ୍ତି ଦେବତା ମାନଙ୍କୁ ଦେଲେ। କିନ୍ତୁ ଦେବତାମାନେ ସେହି ଶକ୍ତିକୁ ସହି ପାରିଲେ ନାହିଁ। ବର୍ତ୍ତମାନ ଶିବ ନିଜେ ପ୍ରସ୍ତୁତ ହୋଇ ଗଲେ ତ୍ରିପୁରାସୁରଙ୍କୁ ବଧ କରିବା ପାଇଁ। ଶିବ ପୃଥିବୀକୁ ନିଜର ରଥ କଲେ। ସୂର୍ଯ୍ୟ ଏବଂ ଚନ୍ଦ୍ର ହେଲେ ସେହି ରଥର ଚକ, ରଥର ସାରଥୀ ହେଲେ, ସୃଷ୍ଟା । ଭଗବାନ ବିଷ୍ଣୁ ହେଲେ ତାଙ୍କର ବାଣ । ମେରୁପର୍ବତ ତାଙ୍କର ଧନୁ ହେଲା। ଧନୁର ଗୁଣ ହେଲେ, ବାସୁକୀ । ରଥର ଗତିକୁ ଦେବତା ସବୁ ମିଶି ନିୟନ୍ତ୍ରଣ କଲେ। ପୃଥିବୀ ରୂପୀ ସେହି ରଥରେ ଯେତେ ବେଳେ ଶିବ ଆରୋହଣ କଲେ ତାହା ଶିବଙ୍କ ଗୁରୁଭାର ସହି ନପାରି ଆନ୍ଦୋଳିତ ହେବାକୁ ଲାଗିଲା । କିନ୍ତୁ ଦେବତାମାନେ ମିଳିତହୋଇ ନିଜ ଶକ୍ତିରେ ସେ ରଥକୁ ସମ୍ଭାଳି ନେଲେ। ଶିଵ ରଥଉପରେ ଥାଇ ତିନି ଅସୁରନଗରୀକୁ ନିରୀକ୍ଷଣ କଲେ। ଧନୁରେ ପାଶୁପତ ଅସ୍ତ୍ର ସନ୍ଧାନ କରି ସେ ତିନି ଅସୁର ନଗରୀକୁ ନିର୍ଦ୍ଧେଶ ଦେଲେ ଗୋଟିଏ ପଂକ୍ତିରେ ଆସିବା ପାଇଁ। ଶିବଙ୍କ ନିର୍ଦ୍ଧେଶ ମାନି ତିନି ତାରକା ଉପରେ ସ୍ଥିତ ତିନି ଅସୁର ନଗରୀ ଅଭିଜିତ ନକ୍ଷତ୍ର ଯୁକ୍ତ ହୋଇ ଗୋଟିଏ ପଂକ୍ତିରେ ଆସି ଗଲେ । ଏତିକି ବେଳେ ଶିବ ବାଣ ଚଳାଇ ତିନୋଟିଯାକ ନଗରୀକୁ ଭସ୍ମ କରି ଦେଲେ। ଏହା ସହିତ ତନିଅସୁର ମଧ୍ୟ ଭସ୍ମ ହେଲେ। ସେହିଦିନ ଠାରୁ ମହାଦେବଙ୍କ ଗୋଟିଏ ନାମ ରହିଲା, ତ୍ରିପୁରାରୀ ବା ତ୍ରିପୁରାନ୍ତକ। ଯେଉଁ ଦିନ ଶିବ ତ୍ରିପୁରାସୁରଙ୍କୁ ବଧ କରି ଥିଲେ, ସେହି ଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ତ୍ରିପୁରାରୀ ପୂର୍ଣ୍ଣିମା ଭାବେ ବିଦିତ। 
                 🙏🙏🙏
                    ଅର୍ଜୁନୀ
                  -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational