ଶ୍ରୀରାମଙ୍କ ଅତିଥି ଭଗବାନ୍ ଶଙ୍କର
ଶ୍ରୀରାମଙ୍କ ଅତିଥି ଭଗବାନ୍ ଶଙ୍କର
ଶ୍ରୀରାମଙ୍କ ଅତିଥି ଭଗବାନ୍ ଶଙ୍କର
==================
ଲଙ୍କାରୁ ବନ୍ଦିନୀ ମାଆ ଜାନକୀଙ୍କ ଉଦ୍ଧାର ପରେ ପ୍ରଭୁ ଶ୍ରୀରାମ, ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହୋଇ ସୁଖରେ ପ୍ରଜା ପାଳୁଥାନ୍ତି। ରାମରାଜ୍ଯରେ କୌଣସି ଦୁଖ ଦୈନ୍ୟ ନଥାଏ। ଏହି ଅବସରରେ ଦିନେ ଶ୍ରୀରାମ ନିଜ ପିତୃପୁରୁଷଙ୍କ ଶ୍ରାଦ୍ଧ ଦେବାକୁ ଅଯୋଧ୍ୟାରେ ଏକ ବଡ ଆୟୋଜନ କଲେ। ଚାରି ଆଡ଼ୁ ରାଜା ମହାରାଜା ଓ ବ୍ରାହ୍ମଣମାନେ ନିମନ୍ତ୍ରିତ ହୋଇ ଆସି ଆଯୋଧ୍ୟାରେ ପହଞ୍ଚିଲେ।
ଭଗବାନ ଶିବ କୈଳାସରେ ଥାଇ ଏ କଥା ଜାଣି ପାରିଲେ। ଶଙ୍କର ମନେମନେ ଭାବିଲେ, ଆଚ୍ଛା ! ମୋ ପ୍ରଭୁ ତା'ହେଲେ ପିତୃଶ୍ରାଦ୍ଧ ପାଇଁ ଏତେ ବଡ଼ ଅୟୋଜନ କରିଛନ୍ତି। ମୁଁ ବି ଯାଉଛି ତାଙ୍କ ଅତିଥି ହେବି ଓ ଭୁରିଭୋଜନ କରିଆସିବି। ଏପରି ଚିନ୍ତା କରି ସେ ମା' ପାର୍ବତୀଙ୍କୁ କହିଲେ, ଉମେ ! ତୁମେ ଏବେ କୈଳାସରେ ଥାଅ। ମୁଁ କେତେ ଦିନ ହେଲା ଅଯୋଧ୍ୟା ଯାଇ ନାହିଁ। ଆଜି ଯାଉଛି ଟିକିଏ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଆସିବି । ମାଆ କହିଲେ, ପ୍ରଭୁ ଇଏ କି କଥା କହୁଛନ୍ତି, ଆପଣ ଯିବେ ଆଉ ମୁଁ କଅଣ ପ୍ରଭୁଙ୍କ ଦର୍ଶନ କରିବି ନାହିଁ। ଭଗବାନ ଶିବଙ୍କ ମନରେ କଣଥିଲା କେଜାଣି ସେ ମାଆଙ୍କୁ କୌଣସି ପ୍ରକାର ବୁଝାଇ ଆଉ ସାଙ୍ଗରେ ନନେଇ ଏକା ଏକା ଅଯୋଧ୍ୟାକୁ ବାହାରି ଗଲେ।
ଅଯୋଧ୍ୟାରେ ଯାଇ ଶିବ ଜଣେ ବୃଦ୍ଧ ବ୍ରାହ୍ମଣ ରୂପ ଧରି ବ୍ରାହ୍ମଣ ମାନଙ୍କ ସାଙ୍ଗରେ ବସିଗଲେ। ସେହି ଅଦ୍ଭୂତ ବ୍ରାହ୍ମଣଙ୍କୁ ଶ୍ରୀରାମ କିନ୍ତୁ ଜାଣିନେଲେ ଯେ ସିଏ ଆଉ କେହି ନୁହଁନ୍ତି। ବ୍ରାହ୍ମଣବେଶରେ ସ୍ୱୟଂ ସିଏ ପ୍ରଭୁ ସଦାଶିବ। କୌଣସି ପରୀକ୍ଷା ନେବାକୁ ସେ ବୋଧହୁଏ ଏଠାକୁ ଆସିଛନ୍ତି। ପ୍ରଭୁ ଶ୍ରୀରାମ ଏହା ବୁଝିପାରି ନିଜେ ଆସି ସେହି ବୃଦ୍ଧବ୍ରାହ୍ମଣଙ୍କ ପାଦ ଧୌତ କରି, ତାଙ୍କୁ ଯଥାଵିଧି ସମ୍ମାନର ସହ ଆସନରେ ବସାଇଲେ।
ଶ୍ରାଦ୍ଧକର୍ମ ଶେଷ ହେଲା। ଆରମ୍ଭ ହେଲା ବ୍ରାହ୍ମଣ ମାନଙ୍କୁ ଭୋଜନ ପରିବେଷଣ କାର୍ଯ୍ୟ। ଭୋଜନ ପରିବେଷଣ କରୁ ଥାନ୍ତି ଲକ୍ଷ୍ମଣ। ସବୁ ଠିକ ଠାକ୍ ଚାଲିଥାଏ। କିନ୍ତୁ ଲକ୍ଷ୍ମଣ ଲକ୍ଷ କଲେ, ସେହି ବୃଦ୍ଧ ବ୍ରାହ୍ମଣଙ୍କୁ ଲକ୍ଷ୍ମଣ ଯେତେ ଖାଦ୍ୟ ପରଷୁଥାନ୍ତି ସେ ଏକାଗ୍ରାସକେ ସବୁ ଖାଇ ଶେଷ କରି ଦେଉଥାନ୍ତି। ଲକ୍ଷ୍ମଣ ତାଙ୍କୁ ଭୋଜନ ପରଷି ପରଷି ଥକିଗଲେ କିନ୍ତୁ ତାଙ୍କ ଖାଇବା ଶେଷ ହେଲା ନାହିଁ। ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି। ପ୍ରଭୁ ଶ୍ରୀରାମ ଦୂରରେ ଥାଇ ମୃଦୁ ମୃଦୁ ହସୁଥାନ୍ତି। ରାଜମହଲରୁ ସବୁ ଭୋଜନ ସାମଗ୍ରୀ ଶେଷ ହେବାକୁ ବସିଲାଣି। ଏକଥା ଯାଇ ମାଆ ଜାନକୀଙ୍କ ନିକଟରେ ପହଞ୍ଚିଲାରୁ ସେ ମଧ୍ୟ ଖୁବ୍ ବ୍ୟସ୍ତ ହୋଇପଡ଼ିଲେ। ବ୍ରାହ୍ମଣଙ୍କୁ କିପରି ତୃପ୍ତ କରାଯିବ, କେହି କିଛି ଭାବି ପାରିଲେ ନାହିଁ। ଏହି ସମୟରେ ପ୍ରଭୁ ଶ୍ରୀରାମ ଅତ୍ୟନ୍ତ ଭକ୍ତି ସହକାରେ ମାତା ଅନ୍ନପୂର୍ଣ୍ଣାଙ୍କୁ ସ୍ତୁତିକରି କହିଲେ, ହେ ମାତା ! ଏହି ସଂକଟରୁ ଆପଣହିଁ ମୋତେ ଉଦ୍ଧାର କରନ୍ତୁ। ମୁଁ ଉପାୟଶୁନ୍ୟ। ଏହି ଅଦ୍ଭୁତ ବ୍ରାହ୍ମଣ ଦେବତାଙ୍କୁ ଆପଣ ହିଁ ତୃପ୍ତ କରି ପାରିବେ।
କିଛି ସମୟ ପରେ ଦେଖାଗଲା ମାଆ ଅନ୍ନପୂର୍ଣ୍ଣା ଆସି ସେଠାରେ ପହଞ୍ଚି ଗଲେ। ମାଆ ବ୍ରାହ୍ମଣଙ୍କୁ ଭୋଜନ ପରଷିବାକୁ ଲାଗିଲେ। ତାଙ୍କ ଭୋଜନ ପାତ୍ରରେ ମାଆ ଅନ୍ନପୂର୍ଣ୍ଣା ଗୋଟିଏ ଲଡ଼ୁ ଥୋଇ ଦେଲେ। ବ୍ରାହ୍ମଣବେଶୀ ଭଗବାନ୍ ଶଙ୍କର ସେହି ଲଡ଼ୁକୁ ଖାଇବାକୁ ଲାଗିଲେ। ଏଥର ଦେଖାଗଲା ବ୍ରାହ୍ମଣ ଯେତେ ଖାଇଲେ ମଧ୍ୟ, ସେହି ଲଡ଼ୁ ଆଉ ଶେଷ ହେଲା ନାହିଁ। ଭଗବାନ୍ ଶିବ ଟିକିଏ ମୁଣ୍ଡ ଉପରକୁ କରି ଦେଖନ୍ତି ତ ତାଙ୍କ ସମ୍ମୁଖରେ ସ୍ୱୟଂ ମାଆ ଅନ୍ନପୁର୍ଣ୍ଣା ଦଣ୍ଡାୟ ମାନ। ଶଙ୍କର ଭଗବାନ ହସିହସି କହିଲେ, ଶେଷକୁ ତୁମେ ବି ଆସିଗଲ। ଏଥର ଶିବ କହିଲେ, ବର୍ତ୍ତମାନ୍ ମୁଁ ସଂପୂର୍ଣ୍ଣ ତୃପ୍ତ ହୋଇଛି। ମାତ୍ର ମୁଁ ଏତେ ଖାଇ ଦେଇଛି ଯେ ମୁଁ ଆଉ ଉଠିବା ଅବସ୍ଥାରେ ନାହିଁ। ମୋତେ ଟିକିଏ କେହି ଉଠାଇ ଦିଅ।
ହନୁମାନ, ତାଙ୍କୁ ଆସି ଉଠାଇବାକୁ ଚେଷ୍ଟା କରି ପାରିଲେନାହିଁ। କିନ୍ତୁ ଲକ୍ଷ୍ମଣ ତାଙ୍କୁ ଆସି ଉଠାଇ ନେଇ ପଲଙ୍କଉପରେ ବସାଇଦେଲେ। ସେ ହାତ ମୁହଁ ଧୋଇବାକୁ ଚାହିଁବାରୁ ମାଆ ଜାନକୀ ଆସି ତାଙ୍କ ହାତମୁହଁ ଧୋଇଦେଲେ। ସୀତାଙ୍କ ହାତରୁ ଜଳ ନେଇ ଶଙ୍କର କୁଳିକରୁଥିବା ବେଳେ ତାଙ୍କ ମୁହଁରୁ ଉଚ୍ଛିଷ୍ଟଜଳ ଟିକିଏ ଯାଇ ସୀତା ମାତାଙ୍କ ଉପରେ ପଡ଼ିଲା। ଏଥିରେ ମାଆ ସୀତା ଅତ୍ୟନ୍ତ ହର୍ଷିତହୋଇ କହିଲେ, ଯାହାହେଉ ମୋ ଶରୀର ଆଜି ପବିତ୍ର ହୋଇଗଲା।
ଏହା ପରେ ଭଗବାନ ଶିବ କହିଲେ, ବହୁ ବାଟ ଚାଲି ଚାଲି ଆସି, ମୋ ଗୋଡ଼ରେ ଭାରି ଯନ୍ତ୍ରଣା ହେଉଛି। ମୋର ପାଦ ସେବା ଟିକିଏ କରି ଦିଅ। ଏଥିରେ ଶ୍ରୀରାମ ଓ ଲକ୍ଷ୍ମଣ, ତାଙ୍କ ପାଦ ସେବା କରିବାକୁ ଲାଗିଲେ। ମା' ସୀତା ତାଙ୍କ ପାଖରେ ଛିଡ଼ା ହୋଇ ଆଲଟ କଲେ।
ପ୍ରଭୁ ଶ୍ରୀରାମଙ୍କ ଅତିଥି ସେବାରେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହେଲେ ଓ ନିଜର ସ୍ୱରୂପକୁ ଆସି କହିଲେ," ମୁଁ ତୁମର ମର୍ଯ୍ୟାଦାର ପରୀକ୍ଷା ନେଉ ଥିଲି। ତୁମେ ଯଥାର୍ଥରେ ମର୍ଯ୍ୟାଦା ପୁରୁଷୋତ୍ତମ। ମୁଁ ତୁମ ଉପରେ ପୂର୍ଣ୍ଣରୂପେ ପ୍ରିତହୋଇଛି। ଏବେ ତୁମେ ଯାହା ଇଚ୍ଛା ତାହା ମାଗି ପାର।"
ଶ୍ରୀରାମ ବିନମ୍ରତାର ସହ କହିଲେ, ମୁଁ ଆପଣଙ୍କୁ କଅଣ ଆଉ ମାଗିବି। ଆପଣ ଏତିକି ଆଶୀର୍ବାଦ କରନ୍ତୁ ସଦାସର୍ବଦା ଆମର ଆପଣଙ୍କ ଚରଣରେ ଭକ୍ତି ରହିଥାଉ। ହେ ପ୍ରଭୁ! ଆପଣ ମୋତେ ଆଉ ଏକ ଅନୁଗ୍ରହକରନ୍ତୁ,ଆପଣ ମୋ ସଭାରେ ଆସି କଥା ବାଚକ ହୁଅନ୍ତୁ। ମହାଦେଵ "ତଥାସ୍ତୁ" କହି କୈଳାସ ପ୍ରତ୍ୟାବର୍ତ୍ତନ କଲେ। ସେହି ଦିନ ଠାରୁ ଶିବ ହେଲେ ଶ୍ରୀରାମଙ୍କ କଥାବାଚକ। ଏଠାରେ ପ୍ରକାଶ ଥାଉ କି, ସନ୍ଥ ତୁଳସୀ ଦାସଙ୍କ ଶ୍ରୀରାମ ଚରିତ ମାନସରେ ସମ୍ପୂର୍ଣ୍ଣ ରାମ କଥାର ବାଚକ ହେଉଛନ୍ତି ଭଗବାନ ଶଙ୍କର । ମାଆ ପାର୍ବତୀଙ୍କୁ ଭଗବାନ ଶଙ୍କର ଯେଉଁ ରାମ କଥା ଶୁଣାଇଛନ୍ତି ତାହାହିଁ ମାନସ ଗ୍ରନ୍ଥର ବିଷୟବସ୍ତୁ।
!
ଜୟ ପ୍ରଭୁ ଭୋଳାନାଥ !
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
