STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମତ୍ସ୍ୟଗନ୍ଧାଙ୍କ ଜନ୍ମ ବୃତ୍ତାନ୍ତ

ମତ୍ସ୍ୟଗନ୍ଧାଙ୍କ ଜନ୍ମ ବୃତ୍ତାନ୍ତ

3 mins
0

         ମତ୍ସ୍ୟଗନ୍ଧାଙ୍କ ଜନ୍ମ ବୃତ୍ତାନ୍ତ
         ==============
ଦ୍ଵାପରଯୁଗର କଥା l ସମୃଦ୍ଧଶାଳୀ ଚେଦୀ ଦେଶର ରାଜା ଥିଲେ ଉପଚରି । ସେ ଥିଲେ ପ୍ରଜା ବତ୍ସଳ, ଧର୍ମଜ୍ଞ ଏବଂ ଜ୍ଞାନୀ। ସେ ବହୁ ବର୍ଷ ତପସ୍ୟା କରି ଇନ୍ଦ୍ରଙ୍କଠାରୁ ଗୋଟିଏ ସ୍ଫଟିକ ବିମାନ ପାଇଥିଲେ। ସେ ସେହି ବିମାନରେ ଆରୋହଣ ପୂର୍ବକ ସର୍ବତ୍ର ଭ୍ରମଣ କରୁଥିଲେ। ରାଜାଙ୍କ ରାଣୀ ଥିଲେ ପରମା ସୁନ୍ଦରୀ ଗିରିଜା। ଉପଚରି ଥିଲେ ପୃଥିବୀର ଚକ୍ରବର୍ତ୍ତୀ ସମ୍ରାଟ। ବିଦ୍ରୋହ ଦମନ ନିମନ୍ତେ ରାଜା ଉପଚରିଙ୍କୁ ଥରେ ଦୂରକୁ ଯିବା ପାଇଁ ପଡ଼ିଲା। ସେତେ ବେଳେ ମହାରାଣୀ ଗିରିଜା ଋତୁସ୍ନାନ କରିଥାନ୍ତି । ରାଜାଙ୍କୁ ଛାଡିବାକୁ ସେ ଚାହୁଁନଥାନ୍ତି। କିନ୍ତୁ ପରିସ୍ଥିତି ଏପରି ଥିଲାଯେ ରାଜାଙ୍କୁ ବାଧ୍ୟହୋଇ ଯିବାକୁ ପଡ଼ିଲା। ବିମାନରେ ରାଜା ଯାଉଥିଲା ବେଳେ, ତାଙ୍କର ରାଣୀଙ୍କ କଥା ଖୁବ୍ ମନେ ପଡ଼ୁଥିଲା। ଏପରି ଭାବୁ ଭାବୁ ତାଙ୍କର ରେତ ସ୍ଖଳିତ ହେଲା। ସେହି ରେତକୁ ରାଜା ଏକ ବର ପତ୍ରରେ ଧରି ରଖି ରାଣୀଙ୍କ ନାମରେ ମନ୍ତ୍ରିତ କଲେ। ରଥରେ ତାଙ୍କର ଏକ ପୋଷା ବାଜପକ୍ଷୀ ଥାଏ। ସେହି ମନ୍ତ୍ରିତ ରେତକୁ ବାଜପକ୍ଷୀକୁ ଦେଇ ଉପଚରି କହିଲେ,ତୁମେ ଶୀଘ୍ର ଯାଇ ରାଣୀଙ୍କ ପାଖରେ ଏହାକୁ ପହଞ୍ଚାଇ ଦିଅ। ରାଜାଙ୍କ ଆଦେଶ ପାଇ ବାଜ ବରପତ୍ର ଠୋଲାଟି ଥଣ୍ଟରେ ଧରି ନୀଳ ଆକାଶରେ କ୍ଷୀପ୍ର ବେଗରେ ଉଡିବାକୁ ଲାଗିଲା। ସେ ଉଡ଼ି ଯାଉଥିଲା ବେଳେ ଅନ୍ୟ ଏକ ବାଜ ପକ୍ଷୀ ଥଂଟରେ ସେ କିଛି ଖାଦ୍ୟ ପଦାର୍ଥ ଧରି ଯାଉଛି ଭାବି ତାକୁ ଆକ୍ରମଣ କଲା। ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗିଲା । ଫଳରେ ପୋଷାବାଜର ଥଣ୍ଟରୁ ଠୋଲାଟି ଖସି ପଡ଼ି ତଳେ ବହି ଯାଉ ଥିବା ନମୁନା ନଦୀରେ ପଡ଼ିଲା। ଠୋଲାଟିକୁ କୌଣସି ଖାଦ୍ୟ ପଦାର୍ଥ ଭାବି ସେଠି ଜଳରେ ଖେଳୁଥିବା ଏକ ମାଛ ତାକୁ ଗିଳିଦେଲା। ସେ ମାଛଟି ପୂର୍ବ ଜନ୍ମରେ ଥିଲା ରୂପସୀ ଅପ୍ସରା ଆଦ୍ରିକା। ଥରେ ସେ  ଯମୁନାକୁ ଜଳ କ୍ରୀଡ଼ା କରିବାକୁ ଆସିଥିଲା। ଜଣେ ବ୍ରାହ୍ମଣ ସେହି ସମୟରେ ଯମୂନା  କୂଳରେ ସନ୍ଧ୍ୟା ପ୍ରାଣାୟମ କରୁ ଥାନ୍ତି। ଅପ୍ସରା ଆଦ୍ରିକା ଜଳକ୍ରୀଡ଼ା କରୁକରୁ ଆସି ବ୍ରାହ୍ମଣଙ୍କ ପାଦକୁ ଧରିପକାଇଲା। ବ୍ରାହ୍ମଣଙ୍କ ଧ୍ୟାନ ଭଙ୍ଗହେବାରୁ ସେ ରାଗିଯାଇ ଅଦ୍ରିକାକୁ ଅଭିଶାପ ଦେଲେ, ତୁ ଗୋଟିଏ ମାଛ ହୋଇ ଯା। ବ୍ରହ୍ମାଣଙ୍କୁ ବହୁ କାକୁତି ମିନତି କଲାରୁ ତାକୁ ଦୟା କରି ବ୍ରାହ୍ମଣ କହିଲେ, ମୋ ଅଭିଶାପ ବୃଥାଯିବ ନାହିଁ। ଭବିଷ୍ୟତରେ ତୁମେ ଏକ ମନୁଷ୍ୟଶିଶୁର ଜନନୀ ହେବାର ଗୌରବ ଲାଭ କରିବ। ତା' ପରେ ଯାଇ ତୁମେ ମାଛ ରୂପରୁ ଅପସରାରୂପ ଫେରି ପାଇବ।
 ସେହି ଆଦ୍ରିକା ରୂପୀ ମତ୍ସ୍ୟ ଠୋଲାକୁ ଗିଳି ସାରି ଗର୍ଭବତୀହେଲା ଏବଂ ନଦୀରେ ବୁଲୁ ବୁଲୁ ଦିନେ ଜଣେ କେଉଟର ଜାଲରେ ପଡ଼ିଲା। ତାକୁ ଧରିଆଣି କେଉଟ ଘରେ କାଟନ୍ତେ ତା ପେଟ ଭିତରୁ ଦୁଇଟି ମଣିଷ ଶିଶୁ ବାହାରିଲେ, ଜଣେ ପୁଅ ଆଉ ଜଣେ ଝିଅ। ବ୍ରାହ୍ମଣଙ୍କ କଥାନୁଯାୟୀ ଆଦ୍ରିକା ଶାପମୁକ୍ତ ହୋଇ ଅପ୍ସରା ରୂପରେ ସ୍ବର୍ଗକୁ ଚାଲିଗଲା ।
ମାଛ ପେଟରୁ ଦୁଇଟି ମଣିଷ ଶିଶୁ ପାଇ ଧୀବରଟି ଖୁବ୍ ଡରିଗଲା ଏବଂ ରାଜାଙ୍କ ପାଖକୁ ଯାଇ ସବୁକଥା କହି ଶିଶୁ ଦୁଇଟିଙ୍କୁ ଦେଲା l ତାକୁ ଅଭୟ ଦେଇ ରାଜା ପୁଅଟିକୁ ରଖିଲେ ଓ ଝିଅ ଶିଶୁଟିକୁ ଫେରାଇ ଦେଲେ। କେଉଟ ସେହି ଝିଅଟିକୁ ନେଇ କେଉଟଙ୍କ ରାଜା, ଦାସ ରାଜାଙ୍କୁ ସମର୍ପି ଦେଲେ। ଝିଅଟିକୁ ଦାସରାଜା ଖୁବ୍ ଆଦର ସହକାରେ ପାଳିଲେ। ମାଛ ଉଦରରୁ ଜନ୍ମ ହୋଇଥିବାରୁ ଲୋକେ ତାକୁ ମତ୍ସ୍ୟୋଦରୀ ବୋଲି କହୁ ଥିଲେ। ସର୍ବଦା ଦେହରୁ ତା'ର ମାଛ ଗନ୍ଧ ବାହାରୁ ଥିବାରୁ ସେହି ଝିଅଟିର ଅନ୍ୟଏକ ନାମ ହୋଇଥିଲା ମତ୍ସ୍ୟଗନ୍ଧା। କୈବର୍ତ୍ତ ଦ୍ୱାରା ପାଳିତ ହୋଇ ଥିଲେ ହେଁ ମତ୍ସ୍ୟଗନ୍ଧା ଥିଲା ରାଜା ଉପଚରିଙ୍କ କନ୍ୟା ଓ କ୍ଷତ୍ରିୟା। ମତ୍ସ୍ୟଗନ୍ଧା ବଡ଼ ହେଲା ଏବଂ ଯମୁନାରେ ନୌକା ଚଳାଇ ଜୀବିକା ନିର୍ବାହ କଲା।ମହାଭାରତ ବର୍ଣ୍ଣନା ଅନୁଯାୟୀ ଦିନେ ମୁନି ପରାଶର ଯମୁନାକୂଳରେ ଯାଇ ପହଁଚିଲେ। ମହର୍ଷିଙ୍କୁ ଯମୁନା ପାରି କରାଇ ଦେଉଥାଏ, ମତ୍ସ୍ୟଗନ୍ଧା l ଦୈବକୁ ମୁନି ପରାଶର ସେହି ପୂର୍ଣ୍ଣଯୌବନା କୈବର୍ତ୍ତକନ୍ୟା ପ୍ରତି ଆକୃଷ୍ଠ ହୋଇ ପଡ଼ିଲେ। କୃତ୍ରିମ କୁଜ୍ଝଟିକା ସୃଷ୍ଟି କରି ମହର୍ଷି ଧୀବର କନ୍ୟାଙ୍କ ସହ ସହବାସ କରିବାରୁ ତାଙ୍କ ଔରସରୁ ଜନ୍ମ ହେଲେ, ମହାମୁନି, ବ୍ୟାସ । ମୁନି ପରାଶର ଧୀବର କନ୍ୟାଙ୍କ ଦେହରୁ ଆମିଷ ଗନ୍ଧ ଦୂର କରି ଦେବାରୁ ସେ ପରିବର୍ତ୍ତିତ ହୋଇଥିଲେ ଯୋଜନଗନ୍ଧା ନାମରେ । ଯୋଜନଗନ୍ଧା, ପରେ ସତ୍ୟବତୀ ନାମ ଧାରଣ କରି, ରାଜା ଶାନ୍ତନୁଙ୍କୁ ବିବାହ କରି, କୁରୁ ବଂଶର ବିସ୍ତାରରେ ସହାୟିକା ହୋଇଥିଲେ । ତାଙ୍କୁ ମହାଭାରତୀୟ ସଂସ୍କୃତିର ଜନନୀ ବୋଲି ଆଖ୍ୟାୟିତ କରାଯାଏ।
            🙏 🙏 🙏
                ଅର୍ଜୁନୀ
             -------------
ଅର୍ଜୁନୀ ଚରଣ ବେହେରା
 ମୋ -୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational