ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ
ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ
ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ
=============
ମହାରାଜ ଦଶରଥଙ୍କର ତିନି ପାଟ ରାଣୀଙ୍କ ସହ ବହୁ ରାଣୀ ଥିବାସତ୍ତ୍ୱେ ବହୁଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ପୁତ୍ର ସନ୍ତାନ ହେଲା ନାହିଁ। କିପରି ବଂଶ ରକ୍ଷାହେବ। ଏନେଇ ମହାରାଜ ଓ ଏବଂ ତାଙ୍କ ତିନି ପାଟରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା ଖୁବ୍ ଚିନ୍ତିତ ହୋଇ ପଡ଼ିଥାନ୍ତି। ଏହି ସମୟରେ
ଦିନେ ମହାମନ୍ତ୍ରୀ ସୁମନ୍ତ୍ରଙ୍କ ଠାରୁ ରାଜା ଦଶରଥ ଜାଣିବାକୁ ପାଇଲେ, ଵିଭାଣ୍ଡକ ମୁନିଙ୍କ ପୁତ୍ର ଋଷି ଋଷ୍ୟଶୃଙ୍ଗଙ୍କ ଦ୍ଵାରା ଯଦି ପୁତ୍ରେଷ୍ଟି ଯଜ୍ଞ ଅନୁଷ୍ଠାନ କରିବେ ତେବେ ତାଙ୍କର ପୁତ୍ର ପ୍ରାପ୍ତ ହେବ l ଋଷି ଋଷ୍ୟଶୃଙ୍ଗ ଅଙ୍ଗଦେଶ ରାଜା ଲୋମପାଦଙ୍କ ଦ୍ୱାରା ପୂର୍ବେ ଆନୀତ ହୋଇ ସେଠାରେ ପାଦ ପକାଇବା ମାତ୍ରେ ବହୁକାଳ ଅନାବୃଷ୍ଟି ଲାଗି ରହିଥିବା, ତାଙ୍କ ରାଜ୍ୟରେ ବୃଷ୍ଟି ପାତ ହୋଇଥିଲା l ସେ ବର୍ତ୍ତମାନ ଅଙ୍ଗ ଦେଶର ରାଜ ଦୁଲଣୀ ଶାନ୍ତାଙ୍କୁ ବିବାହ କରି ସେହି ଠାରେ ଅବସ୍ଥାନ କରୁଛନ୍ତି l ଦଶରଥ ଆଉ କାଳ ବିଳମ୍ବ ନ କରି କୁଳଗୁରୁ ବଶିଷ୍ଟଙ୍କ ଅନୁମତି ନେଇ ଋଷି ଋଷ୍ୟଶୃଙ୍ଗଙ୍କ ଆନୟନ ଉଦ୍ଦେଶ୍ୟରେ ଅଙ୍ଗଦେଶକୁ ଯାତ୍ରା କଲେ l
ଅଙ୍ଗଦେଶକୁ ସେ ଯାଇ ରାଜା ଲୋମପାଦଙ୍କୁ ଅନୁରୋଧ କରି କହିଲେ, ମହାରାଜ ! ମୁଁ ସନ୍ତାନ ହୀନ। ଆପଣ ଆପଣଙ୍କ ଜାମାତାଙ୍କୁ ଅନୁମତି ଦେଲେ ସେ ଅନୁଗ୍ରହ କରି ମୋର ଗୋଟିଏ ଯଜ୍ଞ ଅନୁଷ୍ଠାନ କରନ୍ତେ ଯାହାଦ୍ୱାରା ମୁଁ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ଲାଭ କରନ୍ତି l ମହାରାଜ ଦଶରଥଙ୍କ ବିନୟ ବାକ୍ୟରେ ତୃପ୍ତ ଅଙ୍ଗରାଜ ସଙ୍ଗେ ସଙ୍ଗେ ଏହାକୁ ସ୍ୱୀକୃତ କଲେ। ରାଜା ଦଶରଥ ମୁନି ଋଷ୍ୟଶୃଙ୍ଗଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ l
ଚୈତ୍ର ମାସ, ଋତୁରାଜ ବସନ୍ତ ଉପସ୍ଥିତ ହେବାରୁ ଯଜ୍ଞର ନିର୍ଦ୍ଧାରିତସମୟ ଆସିଗଲା l ଯଜ୍ଞ ପାଇଁ ବର୍ଷକ ଆଗରୁ ଯେଉଁ ଅଶ୍ୱ ଛଡ଼ା ଯାଇଥିଲା ସେ ମଧ୍ୟ ନିର୍ବିଘ୍ନରେ ଲେଉଟି ଆସିଲା l ଯଜ୍ଞର ସମସ୍ତ ଆୟୋଜନହୋଇ ପୁରୋଧା ମୁନି ଋଷ୍ୟଶୃଙ୍ଗ ଯଜ୍ଞକାର୍ଯ୍ୟ ଆରମ୍ଭ କଲେ l ଯଜ୍ଞ ଅଶ୍ୱର ମେଦକୁ ତିନି ଦିନ କାଳ ଜଳୁଥିବା ହୋମଅଗ୍ନିରେ ଆହୁତି ଦିଆଗଲା l ରାଜା ଦଶରଥ ଉପସ୍ଥିତ ଋତ୍ତ୍ୱିଜ ମାନଙ୍କୁ ବହୁ ମୂଲ୍ୟ ଦାନ ଦକ୍ଷିଣା ଆଦି ପ୍ରଦାନକରି ସନ୍ତୁଷ୍ଟ କଲେ l ତା ପରେ ଦଶରଥ ଋଷ୍ୟଶୃଙ୍ଗଙ୍କୁ ନିବେଦନ କରି କହିଲେ, "ହେ ମହାତ୍ମା ! ଆପଣ ବର୍ତ୍ତମାନ ମୋର କୁଳ ବର୍ଦ୍ଧନ ନିମନ୍ତେ ଯଥା ବିଧି କାର୍ଯ୍ୟ କରନ୍ତୁ l" ଋଷ୍ୟଶୃଙ୍ଗ କହିଲେ,"ବର୍ତ୍ତମାନ ଆପଣ ଯେମିତି ଯଶସ୍ବୀ ପୁତ୍ର ଲାଭ କରିବେ, ମୁଁ ସେହି କାର୍ଯ୍ୟ କରୁଛି l ଅଥର୍ବ ବେଦ ମନ୍ତ୍ର ଦ୍ୱାରା ସିଦ୍ଧ ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ କରୁଛି l"
ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ ହେଲା l ଯଜ୍ଞରେ ହବିର୍ଭାଗ ଗ୍ରହଣ କରିବା ପାଇଁ ଦେବତା ମାନଙ୍କୁ ଆବାହନ କରା ଗଲା l ଏହି ସମୟରେ ସମସ୍ତ ଦେଵ ଗଣ ମିଳିତ ହୋଇ ପିତାମହ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ, "ହେ ପରମେଷ୍ଠି !! ଆପଣଙ୍କ ବରରେ ବଳିୟାନ ରାବଣ ବର୍ତ୍ତମାନ ଅତୀବ ଦୁର୍ଦ୍ଦଣ୍ଡ ହୋଇ ପଡ଼ିଛି l ତାହାର ଅତ୍ୟାଚାରରେ ଧରଣୀ ଏବେ ତ୍ରାହିତ୍ରାହି ଡାକୁଛି l ଆପଣ ତାହାର ନିଧନର ଉପାୟ କରି, ସୃଷ୍ଟିକୁ ରକ୍ଷା କରନ୍ତୁ l ପିତାମହ ଟିକିଏ ନୀରବ ରହିଲେ l କିଛି କ୍ଷଣ ଚିନ୍ତା ଉପରାନ୍ତେ ପିତାମହ କହିଲେ,"ହଁ ରାବଣ ବରପ୍ରାପ୍ତ ହୋଇଛି ଦାନଵ, ଦେବ, ଯକ୍ଷ, ଗନ୍ଧର୍ବ କାହା ହସ୍ତରେ ତାର ମରଣ ହେବ ନାହିଁ l ସେ ତ ମନୁଷ୍ୟ ମାନଙ୍କ କଥା କିଛି କହି ନ ଥିଲା l ତେଣୁ ମନୁଷ୍ୟ ହସ୍ତରେ ହିଁ ତାର ମୃତ୍ୟୁ ହେବ l ତୁମେ ବର୍ତ୍ତମାନ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହୁଅ l ଭଗବାନ ବିଷ୍ଣୁ ପରମ ଧାର୍ମିକ ମହାରାଜା ଦଶରଥଙ୍କ ପୁତ୍ର ରୂପେ ଜନ୍ମ ଗ୍ରହଣ କରି ରାବଣ ସଂହାର କରିବେ l" ଦେଵତାଗଣ ମିଳିତ ଭାବେ ଯାଇ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ସନ୍ତୁଷ୍ଠ ଭଗବାନ କହିଲେ, "ହେ ଦେଵଗଣ ! ମୁଁ ବୁଝି ପାରୁଛି, ବର୍ତ୍ତମାନ ଦୁରାତ୍ମା ରାବଣର ନିଧନ ନିତାନ୍ତ ଆବଶ୍ୟକ l ସମସ୍ତ ସଂସାରର ମଙ୍ଗଳ ଓ କଲ୍ୟାଣ ନିମିତ୍ତ ମୁଁ ନିଜକୁ ଚାରି ଭାଗରେ ବିଭକ୍ତ କରି ରାଜା ଦଶରଥଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିବି, ତୁମ୍ଭେମାନେ ନିଶ୍ଚିନ୍ତ ରୁହ l" ଭଗବାନଙ୍କ ମୁଖରୁ ଏ ଆଶ୍ବସ୍ତି ବାକ୍ୟ ଶୁଣିଲା ପରେ ଦେଵତା ମାନେ ଯାଇ ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞର ହବିର୍ଭାଗ ଗ୍ରହଣ କଲେ l
ଏହି ସମୟରେ ହୋମ ଅଗ୍ନିରୁ ଅମିତପ୍ରଭା ଯୁକ୍ତ ଏକ କୃଷ୍ଣକାୟ ବିରାଟ ତେଜୀୟାନ ପୁରୁଷଙ୍କ ଆବିର୍ଭାବ ଘଟିଲା l ରକ୍ତ ବର୍ଣ୍ଣର ବସ୍ତ୍ର ପିନ୍ଧି ଥାନ୍ତି l ତାଙ୍କ ଆରକ୍ତ ବଦନରୁ ଦୁନ୍ଦୁଭି ନାଦ ନିର୍ଗତ ହେଉ ଥିଲା l ସେ ତପ୍ତ କାଞ୍ଚନମୟ ଏକ ପାତ୍ର ହସ୍ତରେ ଧାରଣ କରିଥିଲେ l ସେ ଦଶରଥଙ୍କ ଆଡ଼କୁ ଚାହିଁ କହିଲେ, "ହେ ମହାରାଜ ! ମୁଁ ପ୍ରଜାପତି ବ୍ରହ୍ମାଙ୍କ ଦ୍ଵାରା ଆଦିଷ୍ଟ ହୋଇ ତୁମ ପୁତ୍ରଲାଭ ପାଇଁ ଏହି ପାୟସପୂର୍ଣ୍ଣ ପାତ୍ର ଦେବାକୁ ଆସିଛି l ତୁମ ରାଣୀ ମାନଙ୍କୁ ଏହି ପାୟସ ଭକ୍ଷଣକରିବାକୁ ଦିଅ ଏବଂ ଅଭିଳଷିତ ପୁତ୍ର ପ୍ରାପ୍ତ ହୁଅ l"
ମହାରାଜ ଦଶରଥଙ୍କର ଆନନ୍ଦର ସୀମା ରହିଲା ନାହିଁ l ସେ ସେହି ପାୟସପୂର୍ଣ୍ଣ ପାତ୍ରଟି ଗ୍ରହଣକରି ଅଧେ ପାୟସ ତାଙ୍କ ଜ୍ୟେଷ୍ଠମହିଷୀ କୌଶଲ୍ୟାଙ୍କୁ ଦେଲେ l ବାକି ଅର୍ଦ୍ଧେକର ଅଧା ରାଣୀ ସୁମିତ୍ରାଙ୍କୁ ଦେଲେ l ବାକି ଯାହା ରହିଲା ସେଥିରୁ ପୁଣି ଅଧେ ରାଣୀ କୈକେଇଙ୍କୁ ଦେଲେ,ବାକି ଅବଶିଷ୍ଟକୁ ପୁଣି ସୁମିତ୍ରାଙ୍କୁ ଦେଲେ l ପାୟାସାନ୍ନ ଭକ୍ଷଣ ଫଳରେ ରାଣୀ ମାନେ ଗର୍ଭ ଧାରଣ କରି ଯଥା ସମୟରେ ପୁତ୍ରବତୀ ହେଲେ l
ଚୈତ୍ରଶୁକ୍ଳ ନବମୀ ତିଥିରେ ପୁନର୍ବସୁ ନକ୍ଷତ୍ର ଯୁକ୍ତ ହୋଇ ପାଞ୍ଚୋଟି ଗ୍ରହ ଉଚ୍ଚ ସ୍ଥାନରେ ଥିଲେ l ଏହି ଶୁଭ ମୁହୂର୍ତ୍ତରେ ମହାରାଣୀ କୌଶଲ୍ୟାଙ୍କ ଗର୍ଭରୁ ଏକ ସର୍ବ ଲକ୍ଷଣଯୁକ୍ତ ପୁତ୍ର ଜନ୍ମ ହେଲା l ଶ୍ରୀବିଷ୍ଣୁଙ୍କ ଅର୍ଦ୍ଧ ଅଂଶରୁ ସମ୍ଭୁତ ସେହି ସନ୍ତାନ ରାମ ନାମରେ ଇକ୍ଷାକୁ କୁଳର ଶୋଭା ବର୍ଦ୍ଧନ କଲେ l ମହାରାଣୀ କୈକେଇଙ୍କ ଗର୍ଭରୁ ଜନ୍ମହେଲେ ସର୍ବଗୁଣ ସମ୍ପନ୍ନ ରାମାନୁଗତ ଭରତ l ସୂର୍ଯ୍ୟ କର୍କଟ ରାଶିରେ ରହି ଥିବାବେଳେ ଅଷ୍ଲେଷା ନକ୍ଷତ୍ର ଯୁକ୍ତ ତିଥିରେ ରାଣୀ ସୁମିତ୍ରାଙ୍କ ଗର୍ଭରୁ ଜନ୍ମ ହେଲେ ଦୁଇ ପୁତ୍ର ସୁଧୀର ଲକ୍ଷ୍ମଣ ଓ ଶତ୍ରୁଘ୍ନ l ମହାରାଜ ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ ସଫଳ ହେଲା। ଭଗବାନ ବିଷ୍ଣୁ ଏ ସଂସାରର ପାପ, ତାପ ହରଣପାଇଁ ଚାରିଅଂଶରେ ତାଙ୍କ ତିନି ରାଣୀଙ୍କ ଗର୍ଭରୁ ନର ଦେହ ଧରି ଜନ୍ମ ହେଲେ l ଶ୍ରୀରାମଙ୍କ ଜନ୍ମ ଏବଂ ଜନ୍ମ ମୁହୂର୍ତ୍ତକୁ ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମ ଚରିତ ମାନସରେ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି :-
ନୌମି ତିଥି ମଧୁମାସ ପୁନୀତା l
ଶୁକଲପଛ ଅଭିଜିତ ହରିପ୍ରୀତା ll
ମଧ୍ୟ ଦିବସ ଅତି ଶୀତ ନା ଘାମା l
ପାବନ କାଲ ଲୋକ ବିଶ୍ରାମା ll
*********
ସୁର ସମୂହ ବିନତି କରି
ପହୁଞ୍ଚେ ନିଜନିଜ ଧାମ l
ଜଗନ୍ନିୱାସ ପ୍ରଭୁ ପ୍ରଗଟେ
ଅଖିଲ ଲୋକ ବିଶ୍ରାମ ll
*******
ବନ୍ଦେ ଲୋକାଭିରାମଂ ରଘୁକୁଳ ତିଳକଂ
ରାଘବଂ ରାବଣାରି ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
