ଭଗବତୀଙ୍କ ପରମଧାମ ମଣିଦ୍ୱୀପ
ଭଗବତୀଙ୍କ ପରମଧାମ ମଣିଦ୍ୱୀପ
ଭଗବତୀଙ୍କ ପରମଧାମ ମଣିଦ୍ୱୀପ
==================
ଶ୍ରୀମଦ୍ଦେବୀ ଭାଗବତର କଥା ଅନୁଯାୟୀ ଦେବୀ ଭଗବତୀଙ୍କ ନିତ୍ଯ ନିବାସ ସ୍ଥଳୀ ହେଉଛି ସମସ୍ତ ଲୋକର ଉର୍ଦ୍ଧ୍ବରେ ସ୍ଥିତ, ମଣିଦ୍ବୀପ। ସୁଧା ସାଗର ଦ୍ୱାରା ଏହା ପରିବେଷ୍ଠିତ। ସେହିପବିତ୍ର ମଣିଦ୍ୱୀପ "ସର୍ବଲୋକ" ନାମରେ ମଧ୍ୟ ବିଦିତ। ଶ୍ରୀମଦ୍ଦେବୀ ଭାଗବତର ଦ୍ୱାଦଶସ୍କନ୍ଧ ଦଶମ ଅଧ୍ୟାୟରେ କୁହା ଯାଇଛି,'ବହୁଲୋକଦୁର୍ଦ୍ଧ୍ୟ ଭାବେ ସର୍ଵଲୋକୋସ୍ତି ଯାଃ ଶ୍ରୁତଃ। ମଣି ଦ୍ବୀପ, ସ ଏବାସ୍ତି ଯତ୍ର ଦେବୀ ବିରାଜିତେ।।'
କୈଳାସ, ଗୋଲୋକ ଓ ବୈକୁଣ୍ଠ ଲୋକ ସମୂହ ଠାରୁ ଏହି ମଣିଦ୍ବୀପ ସର୍ବଶ୍ରେଷ୍ଠ। ଅମୃତ ସାଗର ମଧ୍ୟରେ ସ୍ଥିତ ସେହି ମଣିଦ୍ବୀପ ଚତୁର୍ଦ୍ଦିଗରୁ ଲୌହ, କାଂସ୍ୟ, ସୀସା, ପିତ୍ତଳ, ପଞ୍ଚ ଲୌହ, ପଦ୍ମ ରାଗ ମଣି, ରଜତ, ଗୋମଦମଣି, ବଜ୍ରମଣି, ଇନ୍ଦ୍ରନୀଳ ମଣି, ମୁକ୍ତା, ମହାମରକତ ମଣି ଓ ପ୍ରବାଳ ଆଦି ଦ୍ୱାରା ନିର୍ମିତ ଅନେକ ପ୍ରାଚୀର ଦ୍ୱାରା ପରିବେଷ୍ଠିତ। ଦ୍ୱୀପର ମଧ୍ୟ୍ୟ ଭାଗରେ ଚିନ୍ତାମଣିରେ ନିର୍ମିତ ଏକ ବିଶାଳ ଭବ୍ୟ ଭବନ ମଧ୍ୟ୍ୟରେ ଦେବୀ ଭଗବତୀ ବିରାଜ ମାନ କରନ୍ତି। ସେ ଭବନର ପୂର୍ବଭାଗରେ କମଣ୍ଡଳୁ, ଅକ୍ଷସୁତ୍ର ଓ ଅଭୟ ମୁଦ୍ରାରେ ଚତୁର୍ମୁଖ ବ୍ରହ୍ମା ବିରାଜମାନ କରିଥାନ୍ତି। ନୈରୁତ କୋଣରେ ସାଵିତ୍ରୀଙ୍କ ସହ ମହାବିଷ୍ଣୁ, ବାୟୁ କୋଣରେ ରୁଦ୍ର, ଗୌରୀ ଓ ସରସ୍ୱତୀ ଅବସ୍ଥାନ କରନ୍ତି। ଭବନର ଅଗ୍ନି କୋଣରେ ମହାଲକ୍ଷ୍ମୀ ଓ କୁବେର, ଭବନର ଈଶାନ କୋଣରେ, ପ୍ରଭୁ ଗଣେଶ ଦେବୀ ପୁଷ୍ଠିଙ୍କ ସହ ଅବସ୍ଥାନ କରନ୍ତି।
ଚିନ୍ତାମଣି ଭଵନ ମଧ୍ୟରେ ଶୃଙ୍ଗାର ମଣ୍ଡପ, ଜ୍ଞାନ ମଣ୍ଡପ, ମୁକ୍ତି ମଣ୍ଡପ ଓ ଏକାନ୍ତ ମଣ୍ତପ ଆଦି ଚାରି ମଣ୍ଡପ ବିଦ୍ୟମାନ। ଶୃଙ୍ଗାର ମଣ୍ଡପରେ ଦେବୀଙ୍କ ଚାରିଜଣ ଅନୁଚର ସର୍ଵଦା ତାଙ୍କର ସ୍ତୁତି ଗାୟନ କରୁଥାନ୍ତି। ମୁକ୍ତି ମଣ୍ଡପରେ ଦେବୀ ଭକ୍ତ ମାନଙ୍କୁ ମୁକ୍ତି ପ୍ରଦାନକରିଥାନ୍ତି। ଭଗବତୀ ଜ୍ଞାନ ମଣ୍ଡପରୁ ଜ୍ଞାନ ଉପଦେଶ ଦିଅନ୍ତି। ସେ ଏକାନ୍ତ ମଣ୍ଡପରେ ବିରାଜମାନ କରି, ମନ୍ତ୍ରୀମାନଙ୍କ ସହିତ ଜଗତର ଶାନ୍ତି, କଲ୍ୟାଣ ଓ ସୁରକ୍ଷା ସମ୍ୱଧୀୟ ମନ୍ତ୍ରଣା ଓ ଆଲୋଚନା କରିଥାନ୍ତି।
ସୃଷ୍ଟି ଆଦ୍ୟ କାଳରେ ଦେବୀ ନିଜକୁ ଦ୍ୱିଧା ବିଭକ୍ତକରି ନିଜର ଅର୍ଦ୍ଧାଂଶରୁ ମହେଶ୍ୱରଙ୍କୁ ପ୍ରକଟ କରି ଥିଲେ। ସେ ସର୍ବଦା ଭଗବାନ୍ ମହେଶ୍ୱରଙ୍କ ବାମ ଅଙ୍ଗକୁ ଭୁବନେଶ୍ୱରୀ ରୂପେ ମଣ୍ଡନ କରିଥାନ୍ତି। ଦେବୀଙ୍କ ସେହି ରୂପ ଖୁବ ସୁନ୍ଦର । ତାଙ୍କୁ ଘେରି ଅସଂଖ୍ୟ ସଖୀ, ଦାସୀ ତଥା ଦେବାଙ୍ଗନା ମାନେ ରହିଥାନ୍ତି। ମଣିଦ୍ୱୀପ ଚତୁର୍ଦ୍ଦିଗରେ ଘୃତ କୁଲ୍ୟା, ଦୁଗ୍ଧକୁଲ୍ୟା, ଦଧିକୂଲ୍ୟା, ମଧୁସ୍ରବା, ଅମୃତ ବହା, ଦ୍ରାକ୍ଷାବହା, ଜମ୍ବୁରସ ବହା, ଆମ୍ରରସବହା, ଈକ୍ଷ୍ୟୁରସବହା ଆଦି ସହସ୍ର ରସ ବାହିନୀ ନଦୀ ସଦା ପ୍ରବାହିତ ହେଉ ଥାନ୍ତି। ମଣି ଦ୍ୱୀପରେ ସକଳ ଉତ୍ତମ ଗୁଣ ମାନଙ୍କ ଅପୂର୍ଵ ସମାହାର ମାଧୁର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଶେଷ ଏବଂ ଶ୍ରେଷ୍ଠ ସୀମାକୁ ସ୍ପର୍ଶକରିଛି। ସୁନ୍ଦର ମଣିଦ୍ବୀପ, ଜରା, ବ୍ୟାଧି, ରୋଗ ଓ ଶୋକାଦି ବିକାର ରହିତ। ସକଳ ବ୍ରହ୍ମାଣ୍ଡର ଦେବା ଦେବୀ ଏଠାରେ ପହଞ୍ଚି, ବ୍ରହ୍ମ ସ୍ୱରୂପିଣୀ, କଲ୍ୟାଣମୟୀ, ଜଗଜ୍ଜନନୀ ଜଗଦୀଶ୍ଵରୀଙ୍କ ଉପାସନା କରନ୍ତି ।
ସଦା କଲ୍ୟାଣମୟୀ, ସର୍ଵକାରଣ କାରଣୀ, ବ୍ରହ୍ମ ସ୍ୱରୂପିଣୀ, ଭଗବତୀ ମା ଶ୍ରୀଭୁବନେଶ୍ୱରୀଙ୍କ ସେହି ନିତ୍ୟ ନିବାସ ସ୍ଥଳୀ ପରମ ଧାମ ମଣିଦ୍ୱୀପ ସର୍ଵ ଲୋକୋତ୍ତମୋତ୍ତମ ବୋଲି ପରିଚିତ । ମା' ଜଗଦମ୍ବାଙ୍କ ଭକ୍ରଗଣ ନିଜ ନିଜର ଅର୍ଜିତ ପୂଣ୍ୟ ବଳରେ, ଏହି ଦିବ୍ୟ ଲୋକାଲୋକ ମଣି ଦ୍ୱୀପକୁ ପ୍ରାପ୍ତ ହୋଇ ଥାନ୍ତି। ଭଗବତୀଙ୍କ ମହିମ ଅପାର। ତାଙ୍କ ନିତ୍ୟ ନିବାସସ୍ଥଳୀ ପରମଧାମ ସେହି ମଣି ଦ୍ୱୀପର ମହିମା ମଧ୍ୟ ଅବର୍ଣ୍ଣନୀୟ।
ପରିକ୍ଷୀତଙ୍କ ପୁତ୍ର ରାଜା ଜନ୍ମେଜୟଙ୍କୁ ଭଗବାନ ବ୍ୟାସ ଶ୍ରୀମଦ୍ଦେବୀ ଭାଗବତରେ ମହାଦେବୀଙ୍କ ନିବାସ ସ୍ଥଳୀ ଅବର୍ଣ୍ଣନୀୟ ମଣିଦ୍ବୀପର ଏହି କଥା ବର୍ଣ୍ଣନାକରିଥିଲେ। ସର୍ଵଶେଷ କଥାରେ ଭଗବାନ୍ ବ୍ୟାସ ରାଜା ଜନ୍ମେଜୟଙ୍କୁ କହିଛନ୍ତି :-
ଇତି ତେ ବର୍ଣ୍ଣିତଂ ରାଜନ୍
ମଣିଦ୍ବୀପଂ ମହତ୍ତରମ୍।
ମହାଦେବ୍ୟାଂ ପରଂ ସ୍ଥାନଂ
ସର୍ବଲୋକୋତ୍ତମୋତ୍ତମମ୍।।
ଅର୍ଥାତ୍, ହେ ରାଜା ! ମୁଁ ଆପଣଙ୍କ ନିକଟରେ ମାଆ ଭଗବତୀଙ୍କ ନିତ୍ୟ ନିବାସ ସ୍ଥଳୀ ମଣିଦ୍ୱୀପର ବର୍ଣ୍ଣନା କଲି। ମହାଦେବୀଙ୍କର ସେହି ପରମ ଧାମ ସମସ୍ତ ଉତ୍ତମ ଲୋକ ମଧ୍ୟରେ ସର୍ବୋତ୍ତମ।
! ଜୟ ମାଆ ପରମେଶ୍ଵରୀ !
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
