STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭଗବାନଙ୍କ ମୀନାବତାର ମତ୍ସ୍ୟପୁରାଣର ଜନ୍ମ ଗାଥା

ଭଗବାନଙ୍କ ମୀନାବତାର ମତ୍ସ୍ୟପୁରାଣର ଜନ୍ମ ଗାଥା

6 mins
1

       ଭଗବାନଙ୍କ ମୀନାବତାର
       ମତ୍ସ୍ୟପୁରାଣର ଜନ୍ମ ଗାଥା
        ===============
ଥରେ ଏକ କଳ୍ପାନ୍ତରେ ପ୍ରଳୟକାଳ ଆସି ଗଲା l ତାହା ବ୍ରହ୍ମାଙ୍କର ରଜନୀ ଥିଲା, ଏବଂ ପ୍ରଳୟର ନାମ ଥିଲା ଦୈନନ୍ଦିନୀ l ଏଣେ ପ୍ରଳୟଜଳ ତିନି ଲୋକକୁ ପ୍ଲାବିତକରୁଥାଏ l ଚତୁର୍ବେଦକୁ ସମୁଦ୍ର କୂଳରେ ଥୋଇ ବ୍ରହ୍ମା ତର୍ପଣ କରିବାକୁ ଜଳରେ ପଶନ୍ତେ, ସେଠାରେ ରହୁଥିବା ହୟଗ୍ରୀବ ନାମକ ଭୟଙ୍କର ରାକ୍ଷସ ବେଦସମୂହକୁ ଚୋରାଇ ନେଇ ଅଗାଧ ସାଗର ଜଳରେ ପଶିଗଲା l ବ୍ରହ୍ମା ବିଷ୍ଣୁଙ୍କୁ ଚିନ୍ତିବାରୁ ଏହା ହୟଗ୍ରୀବର କାର୍ଯ୍ୟ ବୋଲି ଜାଣି ପାରିଲେ ଓ ଗୋଟିଏ ସଫରୀ ରୂପ ଧରି ସେହି ମହା ଜଳରେ ପଶିଲେ l ସେହି ସମୟରେ ସିନ୍ଧୁ ତଟରେ ସତ୍ୟବ୍ରତ ବୋଲି ଜଣେ ବିଷ୍ଣୁଭକ୍ତ ରାଜା କେବଳ ଜଳ ଭକ୍ଷଣ କରି କଠିନ ତପ କରୁଥିଲେ l ସୂର୍ଯ୍ୟଙ୍କ ବୀର୍ଯ୍ୟରୁ ଜାତ ସେ ରାଜାଙ୍କ ଅନ୍ୟ ନାମ ଥିଲା ଶ୍ରାଦ୍ଧ ଦେବ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଭଗବାନ ବିଷ୍ଣୁ ମନୁ ପଦରେ ଅଭିଷିକ୍ତ କରାଇଥିଲେ l ଏକଦା ରାଜା ସତ୍ୟବ୍ରତ କେତୁମାଳା ନଦୀରେ ସ୍ନାନ କରି ଜଳ ଅଞ୍ଜଳି ଦେଇ ତର୍ପଣ କରୁଥାନ୍ତି l ଭଗବାନ ବିଷ୍ଣୁ ସେହି ସମୟରେ ଗୋଟିଏ କ୍ଷୁଦ୍ର ମୀନ ରୂପ ଧରି ରାଜାଙ୍କ ଅଞ୍ଜଳି ଭିତରେ ପଶିଗଲେ l ଅଞ୍ଜଳିରେ ମୀନକୁ ଦେଖି ରାଜା ଅଞ୍ଜଳିଜଳ ଫିଙ୍ଗି ଦେବାରୁ ମୀନଟି ରାଜାଙ୍କୁ କହିଲା, ଏହି ଜଳରେ ମୋତେ ବଡ଼ ବଡ଼ ମାଛ ମାନେ ଖାଇ ଯିବେ ବୋଲି ରକ୍ଷା ପାଇଁ ମୁଁ ଜୀବନ ବିକଳରେ ତୋ ଅଞ୍ଜଳି ଭିତରେ ଆଶ୍ରୟ ନେଇଥିଲି,କିନ୍ତୁ ହେ ନିଷ୍ଠୁର ରାଜା,ତୁମେ ମୋ ଦୁଃଖ ବୁଝି ପାରିଲନାହିଁ l ଏହିକ୍ଷଣି ମୋତେ ବଡ଼ ମାଛ ମାନେ ଆସି ଗିଳି ଦେବେ l ଦୟାକରି ମୋତେ ତୁମେ ରକ୍ଷାକର l ମୀନଠାରୁ ଏହା ଶୁଣି ରାଜା ପୁଣି ତାକୁ ଅଞ୍ଜଳିରେ ତୋଳି ଆଣି ନିଜର କମଣ୍ଡଳୁ ଭିତରେ ରଖିଦେଲେ ଓ ନିଜ ଭବନକୁ ଫେରିଗଲେ l ରାତ୍ରି କାଳରେ ରାଜା ଶୁଣିଲେ ମୀନଟି କମଣ୍ଡଳୁ ଭିତରୁ ଚିତ୍କାରକରୁଛି,ମୋ ରହିବାପାଇଁ କମଣ୍ଡଳୁ ଭିତରେ ଯାଗା ହେଉନାହିଁ ଏଣୁ ହେ ଧାର୍ମିକରାଜା ମୋତେ ଅନ୍ୟ ସ୍ଥାନରେ ଛାଡ଼ି ଦିଅ l ସତକୁ ସତ ରାଜା ଯାଇ ଦେଖନ୍ତି ତ,କ୍ଷୁଦ୍ର ସଫରୀର କାୟାଟି ବହୁତ ବଢ଼ି ଯାଇଛି l ତେଣୁ ସେ ମୀନକୁ ନେଇ ଏକ କଳସୀ ଜଳରେ ରଖିଦେଲେ l ପୁଣି ରାତି ପାହିଲା ବେଳକୁ ମୀନ କଳସୀରେ ଥାଇ ଡାକଦେଲା, ହେ ରାଜା ମୋତେ ଏଠାରେ ଯାଗା ହେଉନାହିଁ l ମୋର ପ୍ରାଣ ରକ୍ଷାର୍ଥେ ତୁରନ୍ତ ଅନ୍ୟ କେଉଁଠି ନେଇ ଛାଡ଼ l ରାଜା ପୁଣି ମୀନକୁ ନେଇ ଏକ କୂପ ମଧ୍ୟରେ ରଖିଦେଲେ l କିଛିକ୍ଷଣ ରହିବା ପରେ ମାଛଟିର ଶରୀର ତିନି ହାତ ଲମ୍ବ ହୋଇଗଲା l ପୁଣି ମାଛଟି ଚିତ୍କାର କରି ରାଜାଙ୍କୁ ଅନ୍ୟ କେଉଁଠି ଛାଡ଼ିଦେବା ପାଇଁ କହିଲା l ରାଜା ଦୟାପରବଶ ହୋଇ ତାକୁ ନେଇ ଏକ ଖାତରେ ଛାଡ଼ି ଦେଲେ l କିଛି ସମୟ ପରେ ତାର ଶରୀର ଆହୁରି ବଢ଼ିଗଲା l ରାଜାଙ୍କୁ ଅନୁରୋଧ କରିବାରୁ ରାଜା ତାକୁ ନେଇ ଏକ ସରୋବର ମଧ୍ୟରେ ଛାଡ଼ି ଦେଲେ l ଦିନ ଶେଷ ବେଳକୁ ସେ ମୀନ ତାହାର ଶରୀରକୁ ଆହୁରି ବିସ୍ତାର କରି ରାଜାଙ୍କୁ କହିଲା ମୋତେ ଏଠି ମଧ୍ୟ ଯାଗା ହେଉ ନାହିଁ l ମୋତେ ନେଇ ଅନ୍ୟ ଜଳରେ ଛାଡ଼ l ପୁଣି ରାଜା ମାଛକୁ ନେଇ ଗୋଟିଏ ହ୍ରଦରେ ଛାଡ଼ି ଦେଲେ l ମୀନଟି ହ୍ରଦ ମଧ୍ୟରେ କିଛି ସମୟ ରହି ତାହାର କାୟାକୁ ଏକ ବିରାଟ ରୂପରେ ପରିବର୍ତ୍ତନ କରି ଦେଇ ପୁଣି ରାଜାଙ୍କୁ ଡାକିଲା ମୋତେ ଏଠାରେ ଯାଗା ହେଉନାହିଁ l ତୁରନ୍ତ ମୋତେ ନେଇ ଅନ୍ୟ ଯାଗାରେ ଛାଡ଼,ନହେଲେ ଏଠାରେ ମୋର ପ୍ରାଣ ଚାଲିଯିବ l ମୀନ କଥା ଶୁଣି, ରାଜା ତାକୁ ନେଇ ଅଗାଧ ସାଗର ଜଳରେ ମେଲି ଦେଲେ l ମୀନଟି ଲାଞ୍ଜ ହଲାଇ ସମୁଦ୍ରରେ ଆନନ୍ଦରେ ପହଁରିବାକୁ ଲାଗିଲା l ପୁଣି ସେହି ମହା ମୀନ ସିନ୍ଧୁ ଜଳରେ କିଛିକ୍ଷଣ ରହି ଚିତ୍କାର କଲା, ହେ ରାଜା ମୋତେ ତୁମେ ରକ୍ଷାକର l ଏହି ମହାସମୁଦ୍ର ମଧ୍ୟରେ ବହୁ ମହାକାୟ ଜଳଚର ଜୀବ ଅଛନ୍ତି l ମୋତେ ଧରି ସେମାନେ ଖାଇ ଯିବେ l ଏ ଜଳେ ଜୀବ ଛନ୍ତି ଯେତେ l ବଳେ ଭକ୍ଷିବେ ଏବେ ମୋତେ ll ମୀନର ଏ କଥା ଶୁଣି ରାଜା ଭାବିଲେ, ବର୍ତ୍ତମାନ ଆଉ କି ଉପାୟ ଅଛି ! ବଡ଼ ଅଦ୍ଭୁତ ଏହି ମୀନ ! ଇଏ କେଉଁ ଦେବତା ନୁହଁନ୍ତି ତ, ଯିଏ ମାୟା କରି ମୀନ ଶରୀର ଧାରଣ କରିଛନ୍ତି,ମୋତେ ପରୀକ୍ଷା କରୁଛନ୍ତି l ସେ ମୀନକୁ ପଚାରିଲେ,ହେ ମହାତ୍ମା ! ମୁଁ ଏପରି ଅଦ୍ଭୁତ ମାଛ କେବେ ଜୀବନରେ ଦେଖି ନାହିଁ l ଦୟା କରି କୁହନ୍ତୁ ଆପଣ କିଏ ? ତୁମର ବିଶାଳ ଦେହଟି ଶହେ ଯୋଜନ ପର୍ଯ୍ୟନ୍ତ ବ୍ୟାପୀ ଯାଇଛି l ବିଷ୍ଣୁଭକ୍ତ ରାଜା କହିଲେ," ମୁଁ ଜାଣିଲି ଆପଣ ସ୍ଵୟଂ ଭଗବାନ ବିଷ୍ଣୁ l ଆପଣ ପ୍ରାଣୀଙ୍କ ନିସ୍ତାରଣାର୍ଥେ ଏହି ମୀନ ରୂପ ଧାରଣ କରିଛନ୍ତି l ମୁଁ ତୁମ ଠାରେ ଶରଣ ପଶିଲି ମୋତେ ଆପଣ କୁହନ୍ତୁ :- କି କାର୍ଯ୍ୟେ ମୀନ ଅବତାର l କହ ହେ କମଳାର ବର ll ରାଜା ସତ୍ୟବ୍ରତଙ୍କର ଏ ବିନୟବଚନ ଶୁଣି ମୀନ ରୂପୀ ଭଗବାନ କହିଲେ, ବ୍ରହ୍ମାଙ୍କ ଠାରୁ ମାୟାବୀ ଦୈତ୍ୟ ହୟଗ୍ରୀବ ବେଦ ଚୋରି କରି ନେଇ ଏହି ମହାଜଳ ଭିତରେ ଲୁଚିଛି,ଵେଦଚୋର ହୟଗ୍ରୀବ ଠାରୁ ବେଦ ଉଦ୍ଧାର ପାଇଁ, ମୁଁ ଏ ମୀନ ଅବତାର ଗ୍ରହଣ କରିଛି l ମୁଁ ଏହି ସଂସାର ବୀଜ, ବେଦକୁ ପ୍ରଳୟ ଜଳରେ ବିହାର କରି ହୟଗ୍ରୀବକୁ ଉଚିତ ଦଣ୍ଡ ଦେଇ ଉଦ୍ଧାର କରିବି l ତୁ ମୋର ଭକ୍ତ,ଏଣୁ ତୋତେ ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ l ଆଜି ଠାରୁ ସାତ ଦିନ ମଧ୍ୟରେ ପ୍ରଳୟ ଆସିବ l ଅଠର ଖଣ୍ଡ ମେଘମିଳି ପ୍ରବଳ ବୃଷ୍ଟିକରିବେ ଏବଂ ସେହି ପ୍ରଳୟଜଳ ତିନିପୁରକୁ ଗ୍ରାସକରିବ l ପ୍ରଳୟଜଳ ଯାଇ ସପ୍ତର୍ଷି ମଣ୍ଡଳ ସ୍ପର୍ଶ କଗିବ l ବ୍ରହ୍ମାଙ୍କ ମହା ରଜନୀ ହୋଇ ଏ ତିନିପୁର ନାଶଯିବ l ଏବେ ତୁ ଗୋଟିଏ କାମ କର l ଏ ସଂସାରର ସମସ୍ତ ବୀଜ ଔଷଧି ଇତ୍ୟାଦି ସାଙ୍ଗରେ ଧର l ତୋ'ର ସମସ୍ତ କୁଟୁମ୍ବ ମାନଙ୍କୁ ସାଥ କର l ଆଜି ଠାରୁ ସାତଦିନ ମଧ୍ୟରେ ସମୁଦ୍ର କୂଳରେ ସନ୍ଧ୍ୟା ବେଳେ ଗୋଟିଏ ନୌକା ଆସି ପହଞ୍ଚିବ l ତୁ ଏ ସମସ୍ତ ଦ୍ରବ୍ୟ ଏବଂ ତୋର କୁଟୁମ୍ବ ମାନଙ୍କୁ ଧରି ସେହି ନାଵରେ ବସି ବ୍ରହ୍ମାଙ୍କ ରଜନୀ ପାର କରିଦେବୁ l ସପ୍ତର୍ଷିଙ୍କୁ ଧରି ଆଗାମୀ କଳ୍ପ ପର୍ଯ୍ୟନ୍ତ ସେହି ନାବରେ ବସିଥିବୁ l ପ୍ରଳୟ ଜଳରେ ନାଵ ଭୟଙ୍କର ଥରିବ l ତହିଁଙ୍କୁ କୌଣସି ଭୟ କରିବୁ ନାହିଁ l ସେ ନାବକୁ ମୁଁ ଦୃଢ଼ ଭାବେ ମୋ' ଶୃଙ୍ଗରେ ଯୋଗ ବଳରେ ବାନ୍ଧିରଖି ଥିବି, କୌଣସି ବିପଦ ରହିବ ନାହିଁ l ଏହାକହି ମୀନରୂପୀ ଭଗବାନ ଅନ୍ତର୍ଦ୍ଧାନ ହୋଇ ଗଲେ l ଭଗବାନଙ୍କ ମୀନ ରୁପକୁ ମନରେ ଧ୍ୟାନ କରି ରାଜା ସତ୍ୟବ୍ରତ ସମସ୍ତ ଦ୍ରବ୍ୟ ଓ କୁଟୁମ୍ବଙ୍କୁ ଧରି ସିନ୍ଧୁ କୂଳରେ କୁଶାସନରେ ବସି ରହିଲେ l ସାତ ଦିନ ପରେ ଭଗବାନ କହିଥିବା ଅନୁଯାୟୀ ପ୍ରବଳ ବୃଷ୍ଟି ହୋଇ ମହା ପ୍ରଳୟ ମାଡ଼ି ଆସିଲା l ସତକୁ ସତ, ରାଜାଙ୍କ ପାଖରେ ସମୁଦ୍ର କୂଳରେ ନାବଟିଏ ଆସି ପହଞ୍ଚିଲା l ରାଜା ସେଥିରେ ସର୍ବ ଔଷଧି ରଖି ନିଜର କୁଟୁମ୍ବ ମାନଙ୍କୁ ବସାଇଲେ l ସପ୍ତର୍ଷି ମଣ୍ଡଳରୁ ସପ୍ତ ଋଷି ଓହ୍ଲାଇ ଆସି ସେହି ନାବରେ ବସି ଦେଖିଲେ ରାଜା ପ୍ରିୟବ୍ରତ ସମସ୍ତ ଔଷଧି ମାନଙ୍କୁ ନାବରେ ରଖିଛନ୍ତି l ଋଷି ମାନେ ରାଜାଙ୍କ ଉପରେ ଅତ୍ୟନ୍ତ ପ୍ରୀତହୋଇ କହିଲେ, ତୋପରି ଭାଗ୍ୟବନ୍ତ ଏ ସଂସାରରେ ଆଉ କେହି ନାହିଁ l ତୁ ଏ ମହା ସଙ୍କଟ କାଳରେ ଆମ୍ଭମାନଙ୍କୁ ରକ୍ଷା କଲୁ l ତୁ ଏହି ନାବରେ ବସି, ଶ୍ରୀ ବିଷ୍ଣୁଙ୍କୁ ଧ୍ୟାନ କର l ଶ୍ରୀବିଷ୍ଣୁ ତୋତେ ନିମିତ୍ତ କରି ଆମ୍ଭ ମାନଙ୍କୁ ତଥା ଏହି ସଂସାରର ସମସ୍ତ ଔଷଧି ଓ ବୀଜକୁ ରକ୍ଷା କରିବେ l ସପ୍ତର୍ଷିଙ୍କ କହିବାନୁସାରେ ରାଜା ସତ୍ୟବ୍ରତ ଶ୍ରୀ ବିଷ୍ଣୁଙ୍କୁ ଧ୍ୟାନ କରି ବସିଲେ l ଭଗବାନ ଶ୍ରୀହରି ଏହି ସମୟରେ ଗୋଟିଏ ବିରାଟ ମତ୍ସ୍ୟରୂପ ଧରି ଆସି ପହଞ୍ଚିଲେ l ତାଙ୍କ ସମସ୍ତ ଶରୀରରୁ ସ୍ବର୍ଣ୍ଣ କାନ୍ତି ଝଟକୁ ଥାଏ l ଶିରରେ ତାଙ୍କର ଗୋଟିଏ ମେରୁ ପର୍ବତ ପ୍ରାୟେ ନିୟୁତେ ଯୋଜନ ବ୍ୟାପୀ ବିରାଟ ଶୃଙ୍ଗ, ଶୋଭା ପାଉ ଥାଏ l ଭଗବାନଙ୍କ କହିବା ଅନୁଯାୟୀ, ରାଜା ପ୍ରିୟବ୍ରତ ସେ ବିରାଟ ମତ୍ସ୍ୟର ଶୃଙ୍ଗରେ ନାବଟି ବାନ୍ଧିଦେଇ ନିଶ୍ଚଳଚିତ୍ତ ହୋଇ ବସି ରହିଲେ l ନାବରେ ବସି ରାଜା ହରି ଗୁଣ କୀର୍ତ୍ତନ କରିବାକୁ ଲାଗିଲେ l ମତ୍ସ୍ୟ ରୂପୀ ଭଗବାନ ତାଙ୍କ ଶୃଙ୍ଗରେ ନାବଟିକୁ ମହା ପ୍ରଳୟ ଜଳରେ ବୋହି ନେଉ ନେଉ ରାଜା ପ୍ରିୟବ୍ରତଙ୍କୁ ବହୁ ତତ୍ତ୍ୱ ଜ୍ଞାନ, ଆତ୍ମ ଜ୍ଞାନ ଉପଦେଶ ଦେଲେ l ଭଗବାନ ରାଜର୍ଷି ସତ୍ୟବ୍ରତଙ୍କୁ ଯେଉଁ ତତ୍ତ୍ୱଜ୍ଞାନ ପ୍ରଦାନ କଲେ ତାହା ମତ୍ସ୍ୟ ପୁରାଣରେ ଲିପିବଦ୍ଧ ହୋଇଛି ଓ ଏହା ମତ୍ସ୍ୟାବତାରରେ ଭଗବାନଙ୍କ ସଂସାରକୁ ଦାନ l ନୌକାରେ ବସି ଥିବା ସମସ୍ତ ଋଷିମାନଙ୍କ ସହିତ ରାଜା ଭଗବାନଙ୍କଠାରୁ ସେ ସମସ୍ତ ଗୂଢ଼ ଆତ୍ମତତ୍ତ୍ୱ ଶୁଣି ତାଙ୍କର ସଂଶୟ ଦୂର ହୋଇ ଗଲା l ପ୍ରଳୟଜଳରେ ଭଗବାନ ଶ୍ରୀହରି ହୟଗ୍ରୀବକୁ ବିନାଶ କରି ତାଠାରୁ ବେଦ ଉଦ୍ଧାର କରି ପୂର୍ବକଳ୍ପ ଶେଷରେ, ନିଦରୁ ଉଠିଥିବା ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କୁ ପ୍ରଦାନକଲେ l ସମସ୍ତ ତତ୍ତ୍ୱଜ୍ଞାନର ଅଧିକାରୀ ରାଜା ସତ୍ୟବ୍ରତ ଭଗବାନଙ୍କ ଅନୁଗ୍ରହ ଲାଭକରି ନୂତନ କଳ୍ପରେ ବୈବସ୍ଵତମନୁ ପଦର ଅଧିକାରୀ ହେଲେ l ପ୍ରଳୟପୟୋଧି ଜଳରେ ନିଦ୍ରାଗତ ବ୍ରହ୍ମାଙ୍କ ମୁଖ ନିସୃତ ବେଦ ମାନଙ୍କୁ, ଯେଉଁ ହୟଗ୍ରୀବ ଦୈତ୍ୟ ଅପହରଣ କରି ନେଇଥିଲା ଭଗବାନ ତାକୁ ବଧ କରି ଆଣି, ବ୍ରହ୍ମାଙ୍କୁ ପ୍ରତ୍ୟର୍ପଣ କଲେ ଓ ରାଜର୍ଷି ସତ୍ୟବ୍ରତ ଓ ଋଷି ମାନଙ୍କୁ ମତ୍ସ୍ୟ ପୁରାଣ ପ୍ରଦାନ କଲେ l ଭଗବାନ ରାଜର୍ଷି ସତ୍ୟବ୍ରତଙ୍କୁ କହିଲେ ଏ କଳ୍ପାନ୍ତେ ତୁମେ :- ବଇବସ୍ୱତ ମନୁ ହୋଇ l ପ୍ରଜା ପାଳିବୁ ସତ୍ୟବହି ll ଏତେକ କହି ଭଗବାନ ଅନ୍ତର୍ଧ୍ୟାନ ହୋଇ ଗଲେ l ଏହି ପରି ଭଗବାନ ମତ୍ସ୍ୟ ଅବତାରରେ ବେଦକୁ ବେଦଚୋର ହୟଗ୍ରୀବ ଠାରୁ ଉଦ୍ଧାର କରିଥିଲେ l ସୃଷ୍ଟିର ବୀଜ ଏବଂ ସପ୍ତର୍ଷିଙ୍କୁ ଉଦ୍ଧାର କରି, ପ୍ରଭୁ ନୂତନ ସୃଷ୍ଟି ରଚନା ପାଇଁ ବ୍ରହ୍ମାଙ୍କୁ ସାହାଯ୍ୟ କରି ଥିଲେ ଓ ସଂସାରକୁ ମତ୍ସ୍ୟ ପୁରାଣ ଭଳି ଅମୂଲ୍ୟ ଗ୍ରନ୍ଥ ପ୍ରଦାନ କରିଥିଲେ l ଶ୍ରୀମଦ୍ ଭାଗବତ ମହା ପୁରାଣରେ ଏହା ଭଗବାନ ବିଷ୍ଣୁଙ୍କ ମୀନାବତାର ଏବଂ ମତ୍ସ୍ୟ ପୁରାଣର ଜନ୍ମ ଚରିତ l
         ଜୟ ଜଗଦୀଶ ହରେ
                 🙏🙏🙏
                    ଅର୍ଜୁନୀ
                ---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational