କୃଷ୍ଣଭକ୍ତ ରଶ ଖାଁଙ୍କ କଥା
କୃଷ୍ଣଭକ୍ତ ରଶ ଖାଁଙ୍କ କଥା
କୃଷ୍ଣଭକ୍ତ ରଶ ଖାଁଙ୍କ କଥା
===============
ଉତ୍ତରପ୍ରଦେଶର ହାରର୍ଦ୍ଦୋଇ ନିକଟବର୍ତ୍ତୀ ଏକ ଛୋଟ ସହରରେ ରହୁଥିଲେ ଜଣେ ମୁସଲମାନ ମୋଚି। ଜୋତାତିଆରି, ଜୋତା ସିଲାଇ, ଜୋତା ମରାମତି କରି ସେ ଜୀବିକା ନିର୍ବାହ କରୁଥିଲେ। ଅଭ୍ୟାସ ବଶତଃ ପାନ ଖାଇବା ପାଇଁ ଏକ ପାନ ଦୋକାନକୁ ସେ ପ୍ରତ୍ୟହ ଯାଉଥିଲେ।
ଦିନକର କଥା l ସେ ପାନ ପାଇଁ ଯାଇ ଦୋକାନୀକୁ କହିଲେ, ଭାଇ ! ପାନ ଭାଙ୍ଗ ! ଦୋକାନୀ ବିଭିନ୍ନ ମସଲାଦେଇ ପାନ ଭାଙ୍ଗୁ ଥାଏ। ସେ ଠିଆ ହୋଇ ରହିଥାନ୍ତି। ଏହି ସମୟରେ ତାଙ୍କର ଦୃଷ୍ଟି ପଡ଼ିଲା ଦୋକାନରେ ଝୁଲୁ ଥିବା, ଶ୍ରୀକୃଷ୍ଣଙ୍କ ଏକ ଫଟୋ ଉପରେ। ମୁସଲମାନ ଭାଇ ଜଣକ ଫଟୋଟିରେ ଥିବା କୃଷ୍ଣଙ୍କ ବିଗ୍ରହକୁ ଦେଖି ଖୁବ୍ ତନ୍ମୟ ହୋଇ ପଡ଼ିଲେ। ସେ ଫଟୋଟିକୁ ନିରିଖେଇ ନିରିଖେଇ ଦେଖି ଦୋକାନୀ ଭାଇକୁ କହିଲେ, ବାଃ ! ତୁମର ଏହି ଫଟୋଟି ଭାରି ସୁନ୍ଦର ହୋଇଛି ତ !! ବାଳକଟି ହାତରେ ବଂଶୀ ଧରିଛି, ଶିରରେ ମୟୂର ଚନ୍ଦ୍ରିକା, କଟିରେ ଘୁଙ୍ଗୁର, ପାଦରେ ନୂପୁର ସାଙ୍ଗକୁ ତାର ଶ୍ୟାମତନୁ ଭାରି ସୁନ୍ଦର ଲାଗୁଛି। ତନ୍ମୟ ହୋଇ ଦୋକାନୀକୁ ପଚାରିଲା, ଏ ପିଲାର ନାଁ କଅଣ?କାହାର ଏ ପିଲା? ତାର ବାପା କିଏ ମାଆ କିଏ? କେଉଁଠି ତାର ଘର? ପାନବାଲା କହିଲା ଏହାର ନାମ ଶ୍ୟାମ। ଲୋକ ଜଣକ କହିଲା, ବାଃ ତାର ରୂପ ଯେମିତି ନାମଟି ବି ସେମିତି। ଖୁବ୍ ବଢ଼ିଆ। କିନ୍ତୁ ଭାଇ ! ବାଳକଟି ଯେଉଁ ଭୁମିଉପରେ ଛିଡ଼ା ହୋଇଛି ତାହା ଖୁବ୍ କଙ୍କରିଆ। ସେଥିରେ ତାର ପାଦକୁ ବଡ଼ କଷ୍ଟ ହେଉଥିବ। ସେ ତା' ଉପରେ ଚାଲିଲେ ପାଦରେ ଘା' ହୋଇଯିବ। ତୁମେ ତାକୁ ହଳେ ଜୋତା ପିନ୍ଧାଇ ଦେଉନା। ଦୋକାନୀ ଏହା ଶୁଣି କହିଲା, ଆରେ ଭାଇ ଖାଁ ସାହେବ ! ତତେ ଯଦି ଏତେ ଦୟାହେଉଛି ତୁ ହଳେଜୋତା ଆଣି ତାକୁ ପିନ୍ଧେଇ ଦେ। କଥାଟା ଖାଁ ଭାଇର ମନକୁ ପାଇଲା। ସେ ପାନ ନେଇ ଚାଲିଗଲା।
ପରଦିନ ସେ ହଳେ ସୁନ୍ଦର ଚପ୍ପଲ ନେଇ ଯାଇ ପାନବାଲା ପାଖରେ ପହଞ୍ଚି କହିଲା, ନିଅ ଭାଇ ! ସେ ପିଲା ପାଇଁ ମୁଁ ଜୋତା ନେଇ ଆସିଛି। ତାକୁ ଡାକି ଦେଖ ତା' ପାଦକୁ ଠିକ ହେଉଛି କି ନାହିଁ। ପାନବାଲା କହିଲା, ଆରେ ଭାଇ, ତୁ ପାଗଳ ନା କଅଣ। ସେ ପିଲା କଅଣ ଏଇଠି ରହୁଛି ଯେ ମୁଁ ତାକୁ ଡାକିବି। ଏଠାରୁ ବହୁତ ଦୂର ବୃନ୍ଦାବନରେ ବାଙ୍କେ ବିହାରୀ ମନ୍ଦିରରେ ସେ ରହୁଛି। ତାହାର ନାମ ହେଉଛି ଶ୍ୟାମ । ତୁମେ ସେଇଠିକି ଯାଆ। ତା ଚପ୍ପଲ ଦେଇ ଆସିବ। ଖାଁଭାଇ ସେଠୁ ଫେରି ଆସିଲେ। ଦୋକାନୀ ଭାବିଲା, ଏ ଗୋଟିଏ ବଦ୍ଧ ପାଗଳ। ୟା ମୁଣ୍ଡକୁ ଭୂତ ପଶିଛି।
ପାନବାଲା ଠାରୁ ଶ୍ୟାମ ସୁନ୍ଦରଙ୍କ ଠିକଣା ସଂଗ୍ରହ କରି ତହିଁ ପରଦିନ ଖାଁ ସାହେବ ବୃନ୍ଦାବନ ଯାତ୍ରା ଆରମ୍ଭ କରିଦେଲେ। ବୃନ୍ଦାବନରେ ପହଞ୍ଚି ଖୋଜି ଖୋଜି ସେ ଯାଇ ବାଙ୍କେ ବିହାରୀଜିଙ୍କ ମନ୍ଦିରରେ ପହଞ୍ଚିଲେ। ମନ୍ଦିର ଭିତରକୁ ସେ ପଶୁ ଥାନ୍ତି ଏହି ସମୟରେ ଜଣେ ପୂଜାରୀ ତାଙ୍କର ବେଶ ଭୂଷାକୁ ଦେଖି ତାଙ୍କୁ ଅଟକାଇ ଦେଲେ। ସେ ଆଉ କଣ କରିବେ । ମନ ଦୁଃଖରେ ମନ୍ଦିର ବାହାରେ ଠିଆ ହୋଇ ଭାବିଲେ, ମୁଁ ଯାଉଛି ଏଇଠାରେ ଅପେକ୍ଷା କରି ରହିବି। ଶ୍ୟାମ କେତେବେଳେ ତ ବାହାରକୁ ଆସିବ ସେତିକି ବେଳେ ତାକୁ ଏ ଜୋତା ପିନ୍ଧାଇ ଦେବି। ସେ ମନ୍ଦିର ବାହାରେ ବସି ରହିଲା।
ପୂରା ଦିନ ବିତିଗଲା ସେ ସେଇଠି ଅପେକ୍ଷା କରି ରହି ଥାନ୍ତି, ମାତ୍ର ଶ୍ୟାମ ବାହାରକୁ ଆସିଲା ନାହିଁ। ସାରା ରାତି ମଧ୍ୟ ବିତିଗଲା, କିନ୍ତୁ ଖାଁ ସାହେବଙ୍କ ଆଖିରେ ପଲକ ପଡ଼ିଲାନାହିଁ। ନିର୍ଣ୍ଣିମେଷ ହୋଇ ସେ ଏକ ଦୃଷ୍ଟିରେ ଦୃଢ଼ ବିଶ୍ୱାସରେ ଅପେକ୍ଷା କରି ରହିଥାନ୍ତି ଶ୍ୟାମ ନିଶ୍ଚୟ ଆସିବ।
ଭୋର ହୋଇ ଆସୁଥାଏ, ଖାଁ ସାହେବଙ୍କୁ ଟିକିଏ ଛାଇ ନିଦ ଲାଗି ଯାଇ ଥାଏ, ଏହି ସମୟରେ ରୁଣୁ ଝୁଣୁ ଶବ୍ଦରେ ତାଙ୍କ ନିଦ ଚାଉଁ କରି ଭାଙ୍ଗି ଗଲା। ଆଖି ଖୋଲି ସେ ଦେଖନ୍ତିତ ତାଙ୍କ ପାଦ ପାଖରେ ସୁନ୍ଦର ବାଳକଟିଏ ବସିଛି। ସେ ମନେମନେ ବଡ଼ ଖୁସି ହୋଇ ଭାବିଲେ, ଏଇତ ମୋ ଶ୍ୟାମସୁନ୍ଦର ଆସିଗଲା। ବାଳକଟିକୁ କୋଳରେ ଧରି ସେ ଖୁବ୍ ଗେଲକଲେ। କିନ୍ତୁ ପର ମୁହୂର୍ତ୍ତରେ ତାଙ୍କର ମନ ଖୁବ୍ ବିଷାଦରେ ଭରିଗଲା, ଯେତେ ବେଳେ ସେ ସେହି ସୁନ୍ଦର ପିଲାର ରକ୍ତାକ୍ତ ପାଦକୁ ଦେଖିଲେ। ସେ ପିଲାଟିକୁ ପଚାରିଲେ, ଆରେ ଶ୍ୟାମ ! ତୁ ତ ମନ୍ଦିରରୁ ବାହାରକୁ ଆସିଲୁ। ତୋ' ପାଦ କେମିତି ପୁଣି ଖଣ୍ଡିଆ ହେଲା ଏତେ ରକ୍ତ ବାହାରୁଛି। ତାଙ୍କ କଥା ଶୁଣି ପିଲାଟି କହିଲା, ନାଁ ବାବା ! ମୁଁ ଏବେ ଗୋକୁଳରୁ ଚାଲି ଚାଲି ଆସିଛି। କଣ୍ଟା ଲାଗି ମୋ ପାଦ ଛିଣ୍ଡିଯାଇଛି। ତୁମେ ପରା ମୋ ପାଇଁ ଚପଲ ଆଣିଛ। ଦିଅ ମୁଁ ସେଇଥି ପାଇଁ ଆସିଛି।
ଖାଁ ସାହେବଙ୍କୁ ଆଉ ଭଗବାନଙ୍କୁ ଚିହ୍ନିବାକୁ ବାକି ରହିଲା ନାହିଁ। ସେ ଭକ୍ତି ଗଦ ଗଦ ଚିତ୍ତରେ କାନ୍ଦି କାନ୍ଦି ଭଗବାନଙ୍କ ପାଦତଳେ ପଡ଼ି କହିଲେ, ହେ ଶ୍ୟାମସୁନ୍ଦର ! ହେ ପ୍ରଭୁ ! ସତରେ ଆପଣ ପ୍ରଭୁ କେଡ଼େ ଦୟାବନ୍ତ। ମୋତେ ଭେଟ କରିବା ପାଇଁ ଆପଣ ଲହୁ ଲୁହାଣ ହୋଇ ଆସି ମତେ ଦେଖାଦେଲେ । ଜୀବନରେ ମୋର ଆଉ କିଛି ପ୍ରାପ୍ତିର ଆଶା ନାହିଁ। ତୁମ ଲୀଳା କୀର୍ତ୍ତନ କରି ମୁଁ ଏଇଠି ରହିବି। ସେବେ ଠାରୁ ତାଙ୍କର ବାସସ୍ଥାନ ହେଲା ବୃନ୍ଦାବନ। ପରେ ସେ ସନ୍ଥ ବିଠଲ ନାଥଙ୍କ ଦ୍ୱାରା ବୈଷ୍ଣବଧର୍ମରେ ଦୀକ୍ଷିତ ହେଲେ ଓ ବୃନ୍ଦାବନରେ ଶେଷ ଜୀବନ ଯାଏ ରହି, ବ୍ରଜବୋଲି ଭାଷାରେ ଭଗବାନଙ୍କ ଯଶ କୀର୍ତ୍ତନ କରି ବହୁ ଗ୍ରନ୍ଥ ରଚନା କଲେ ଏବଂ ଅନ୍ତଃକାଳରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କମଳରେ ଲୀନ ହେଲେ ।
ସେହି ମହାନ୍ କୃଷ୍ଣଭକ୍ତ ଖାଁସାହେବ ଆଉ କେହି ନଥିଲେ । ସେ ଥିଲେ, ମହାନ୍ ସୁଫି ସନ୍ଥ ରଶ ଖାଁ ।
ରଶ ଖାଁଙ୍କ ମୂଳନାମ ଥିଲା ଇବ୍ରାହିମ ଖାଁ। ତାଙ୍କ ଜନ୍ମ ହୋଇଥିଲା, ୧୫୪୮ ଖ୍ରୀଷ୍ଟାବ୍ଦରେ ଓ ମୃତ୍ୟୁ ୧୬୨୮ ଖ୍ରୀଷ୍ଟାବ୍ଦରେ। ସେହି ମହାନ କୃଷ୍ଣ ଭକ୍ତଙ୍କ ସମାଧି ମନ୍ଦିର ରହିଛି ବୃନ୍ଦାବନର ମହା ବନରେ। ପ୍ରତ୍ୟହ ବହୁ ଦର୍ଶକ ଏଠାକୁ ଆସି ରଶ ଖାଁଆଁଙ୍କ ସମାଧିକୁ ଶ୍ରଦ୍ଧାରେ ଦର୍ଶନ କରିଥାନ୍ତି। ସେ ଥିଲେ ପାର୍ସୀ ଭାଷାର ବିଦ୍ୱାନ। ଶ୍ରୀମଦ୍ଭଗବତ ଗୀତାର ରଶଖାଁ ପାର୍ସୀ ଅନୁବାଦ କରିଥିଲେ ବୋଲି ଶୁଣା ଯାଏ। ବ୍ରଜବୋଲି ଭାଷାରେ ତାଙ୍କ ମୁଖ୍ୟ ରଚନା ଗୁଡ଼ିକ ହେଉଛି, ସୁଜନ ରକ୍ଷଣ, ପ୍ରେମ ବାଟିକା, କୁଞ୍ଜ ଲୀଳା, ପଂଘଟ ଲୀଳା ଇତ୍ଯାଦି। ସେ ମଧ୍ୟ ଭଗବାନ ଶିବ, ଦୁର୍ଗା ଓ ଗଙ୍ଗାଙ୍କ ଉପରେ ବହୁ ଭଜନ ଓ ଜଣାଣ ଲେଖିଯାଇଛନ୍ତି। ହୋଲି ପର୍ବ ଅବସରରେ, ତାଙ୍କ ବ୍ରଜ ବୋଲିରେ ଲିଖିତ ବହୁ ହୋଲି ଗୀତ ବ୍ରଜଭୂମିକୁ ମୁଖରିତ କରେ ।
ସେ ଭଗବାନ୍ ଶ୍ରୀକୃଷ୍ଣଙ୍କ ମହିମା ଗାନ କରି ଏକ ସୁନ୍ଦର ପଂକ୍ତି ଲେଖିଛନ୍ତି :-
मोहन छवि रसखानि लखि
अब दृग अपने नाहिं ।
उंचे आबत धनुस से
छूटे सर से जाहिं ।।
ଅର୍ଥାତ୍,ରସଖାଁ କହୁଛନ୍ତି,କୃଷ୍ଣଙ୍କ ମନୋହର ଛବି ବା ରୂପକୁ ଦେଖିଲା ପରେ ଏହି ଆଖି ଆଉ ମୋର ହୋଇ ରହି ନାହିଁ, ଯେପରି ଧନୁରୁ ବାଣ ବାହାରି ଗଲାପରେ ତାହା ଆଉ ଧନୁର ବାଣହୋଇ ରହେ ନାହିଁ। ତାଙ୍କର ଏହି ସୁନ୍ଦର ପଦଟି ତାଙ୍କ ସମାଧି ଉପରେ ଅଙ୍କିତ ହୋଇ ରହିଛି।
ଭଗବାନ ସବୁଦିନେ ଭକ୍ତର ଭକ୍ତି ପାଖରେ ବନ୍ଧା ହୋଇ ରହିଛନ୍ତି। ଭଗବାନଙ୍କ ନିକଟରେ, ଜାତି, ଧର୍ମ,ବର୍ଣ୍ଣ, ଲିଙ୍ଗ, ଆଦି କିଛିର ବାଛ ବିଚାର ନଥାଏ। ସେଥିପାଇଁ ତ ଯବନ କବି ସାଲବେଗ କହି ଯାଇଛନ୍ତି :-
ଧେନୁ ପଛେ ପଛେ ବତ୍ସା
ଗମେ କ୍ଷୀର ଲୋଭେ।
ଭକତ ପଛରେ ତୁହି
ଥାଉ ସେହି ଭାବେ।
! ଓଁ କୃଷ୍ଣାୟ ଗୋବିନ୍ଦାୟ ନମଃ !
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
