STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାଧାଙ୍କୁ ଅଳତା ପିନ୍ଧାଇଲେ ଶ୍ରୀକୃଷ୍ଣ 

ଶ୍ରୀରାଧାଙ୍କୁ ଅଳତା ପିନ୍ଧାଇଲେ ଶ୍ରୀକୃଷ୍ଣ 

5 mins
6

 ଶ୍ରୀରାଧାଙ୍କୁ ଅଳତା ପିନ୍ଧାଇଲେ ଶ୍ରୀକୃଷ୍ଣ 
    ==================
ଭଗବାନ ଶ୍ରୀକଷ୍ଣଙ୍କ ନିତ୍ୟ ରାସ ସ୍ଥଳୀ ହେଉଛି ଯମୁନାପୁଲିନ ତୀରସ୍ଥ ବୃନ୍ଦାବନର ରାସ କୁଞ୍ଜ ନିଧିବନ। ସେହି ଠାରେ ଅନୁଷ୍ଠିତ ହୁଏ ଶ୍ରୀରାଧା, ଭଗବାନ ଶ୍ରୀକୃଷ୍ଣ ଏବଂ ଗୋପୀମାନଙ୍କ ମଧ୍ୟରେ ଦେବ ଦୁର୍ଲ୍ଲଭ ଦିବ୍ୟ ରାସଲୀଳା।
ଦିନକର କଥା, ଶ୍ରୀକୃଷ୍ଣ ଶ୍ରୀରାଧାଙ୍କୁ କଥା ଦେଇ ଥାନ୍ତି ଯେ, ସନ୍ଧ୍ୟା ବେଳେ ଯମୁନା କୂଳରେ ଥିବା କୁଞ୍ଜରେ ସେ ପ୍ରଥମେ ଆସି ଅପେକ୍ଷାରେ ଥିବେ। ରାଧା ନିଜ ସଖୀମାନଙ୍କ ସହ ସେଠାକୁ ଆସିବେ ଏବଂ ସେଠାରେ ସେମାନଙ୍କ ମିଳନ ହେବ। କୃଷ୍ଣ ଆହୁରି କଥା ଦେଇଥିଲେ,"ହେ ରାଧେ ! ଆଜି ମୁଁ କେବଳ ତୁମର। ଅନ୍ୟ କେଉଁ ଗୋପୀଙ୍କ ଆଡ଼କୁ ମୁଁ ଆଡ଼ ନେତ୍ରରେ ମଧ୍ୟ ଚାହିଁବି ନାହିଁ।"
ସେଦିନ ​ସନ୍ଧ୍ୟା ହେଲା, କଥା ଅନୁସାରେ ଶ୍ରୀକୃଷ୍ଣ ହାତରେ ମୋହନ ବଂଶୀ ଧରି, ରାଧାଙ୍କୁ ଭେଟିବା ପାଇଁ ବାହାରିପଡ଼ିଲେ। କିନ୍ତୁ ବାଟରେ ଯାଉ ଯାଉ ତାଙ୍କର ଭେଟ ହୋଇଗଲା ଗୋପୀ ଚନ୍ଦ୍ରାବଳୀଙ୍କ ସହିତ। ଚନ୍ଦ୍ରାବଳୀ ଥିଲେ ବୃନ୍ଦାବନର ଅନ୍ୟତମା ମୁଖ୍ୟ ଗୋପୀ ତଥା ଶ୍ରୀରାଧାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ। କେବେ କେବେ ଶ୍ରୀକୃଷ୍ଣ ଶ୍ରୀରାଧା ରାଣୀଙ୍କ ପ୍ରେମ ପରୀକ୍ଷା ପାଇଁ, ଚନ୍ଦ୍ରାବଳୀଙ୍କ କୁଞ୍ଜକୁ ଚାଲିଯାନ୍ତି। ଚନ୍ଦ୍ରାବଳୀ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କୁ ଅତି ନିବିଡ଼ ଭାବେ ଭଲପାଉ ଥିଲେ ଏବଂ କୃଷ୍ଣଙ୍କ ପ୍ରତି ଥିଲେ ପୂର୍ଣ୍ଣ ପ୍ରାଣରେ ସମର୍ପିତା।
କୃଷ୍ଣଙ୍କୁ ଦେଖିବା ମାତ୍ରେ ଚନ୍ଦ୍ରାବଳୀ ନିଜର ଚତୁର ଉକ୍ତି ଓ ଭକ୍ତିଦ୍ୱାରା ତାଙ୍କୁ ବଶୀଭୂତ କରିନେଲେ। କୃଷ୍ଣ ଚନ୍ଦ୍ରାବଳୀଙ୍କ ଅନୁରୋଧ କ୍ରମେ ତାଙ୍କ କୁଞ୍ଜରେ ରହିଗଲେ। ଆଉ ତାଙ୍କର ଶ୍ରୀରାଧାଙ୍କୁ ଦେଇଥିବା ପ୍ରତିଶୃତି ମନେ ରହିଲା ନାହିଁ। ଏ​ପଟେ ଶ୍ରୀକୃଷ୍ଣ ଆସିବେବୋଲି ଶ୍ରୀରାଧା ଷୋଳ ଶୃଙ୍ଗାର ହୋଇ, ବିବିଧ କୁସୁମରେ ନିଜର କୁଞ୍ଜକୁ ସଜାଇ ଅପେକ୍ଷା କରି ରହିଥାନ୍ତି।
ସନ୍ଧ୍ୟା ହେଲା। ​ପ୍ରଥମପ୍ରହର ଗଲା, ​ଦ୍ୱିତୀୟ ପ୍ରହର ଗଲା ତଥାପି କୃଷ୍ଣଙ୍କର ଦେଖାନାହିଁ। ରାଧାଙ୍କ ମନରେ ଆଶଙ୍କା ହେଲା। ସେ ଭାବିଲେ,"ଆଜି କୃଷ୍ଣ କଣ ମୋତେ ଭୁଲି ଗଲେକି? ଧିରେଧିରେ ତାଙ୍କ ବିରହ ବେଦନା ବଢ଼ିବାରେ ଲାଗିଲା। ତଥାପି ସେ ଚାହିଁ ରହିଥାନ୍ତି ନଟନାଗରଙ୍କ ଆସିବା ପଥକୁ। ରାତି ପାହି ଆସୁ ଥାଏ ଏହି ସମୟରେ ଶ୍ରୀକୃଷ୍ଣଙ୍କ ମନେ ପଡ଼ିଗଲା ରାଧାଙ୍କୁ ଦେଇ ଆସିଥିବା ପ୍ରତିଶୃତି। ସେ ତରବର ​ ହୋଇ ଯାଇ ରାଧାଙ୍କ କୁଞ୍ଜରେ ପହଞ୍ଚିଲେ। ​କୃଷ୍ଣଙ୍କ ଅଳସୁଆ ଭାବ। ତାଙ୍କ ଅସ୍ତବ୍ୟସ୍ତ ବେଶ। ତାଙ୍କ ଦେହରୁ ଚନ୍ଦନ କୁଙ୍କୁମର ବାସ, ଏ ସବୁକୁ ଦେଖି ରାଧାରାଣୀ ବୁଝିଗଲେ ଇଏ ନିଶ୍ଚୟ ଅନ୍ୟ କେଉଁ ଗୋପୀ କୁଞ୍ଜରେ ଆଜି ରାତି ପୁହାଇଛନ୍ତି।
ଶ୍ରୀରାଧାଙ୍କୁ ଏହା ଆଉ ସହ୍ୟ ହେଲା ନାହିଁ । ଅଭିମାନରେ ସେ ଭାଙ୍ଗି ପଡ଼ିଲେ। ଅତ୍ୟନ୍ତ କ୍ରୋଧ ଓ ଦୁଃଖରେ ସେ ଲୁହ ଝରାଇବାକୁ ଲାଗିଲେ। ସେ ଶ୍ରୀକୃଷ୍ଣଙ୍କ ଆଡ଼କୁ ଆଉ ଚାହିଁଲେ ନାହିଁ । ପାଖରେ ଥାଆନ୍ତି ତାଙ୍କର ପ୍ରିୟସଖୀ ଲଳିତା । ସେ ତାଙ୍କୁ କହିଲେ, ​"ଲଳିତେ ! ଏହି ଶଠ, ଲମ୍ଫଟ ନାଗରକୁ ଏଠାରୁ ଶୀଘ୍ର ବିଦା କର। ଏହି କୁଞ୍ଜରେ ତାର କୌଣସି ସ୍ଥାନ ନାହିଁ। ମୁଁ ତାର ମୁହଁ ଦର୍ଶନ କରିବି ନାହିଁ।"ଏପରି କହି କ୍ରୋଧରେ ​ରାଧା କୁଞ୍ଜର ଦ୍ୱାର ବନ୍ଦ କରିଦେଲେ । କୃଷ୍ଣ କୁଞ୍ଜ ବାହାରେ ଛିଡ଼ାହୋଇ ରହିଲେ। କୃଷ୍ଣ ନିଜର ଭୁଲ୍ ବୁଝି ପାରିଲେ। ଏଣୁ ସେ ବହୁ ଅନୁନୟ ବିନୟ ହୋଇ, ଶ୍ରୀରାଧାଙ୍କ ମାନ ଭାଙ୍ଗିବାକୁ ଚେଷ୍ଟା କଲେ। କିନ୍ତୁ ଶ୍ରୀରାଧା ତାଙ୍କର କୌଣସି କଥା ଶୁଣିଲେ ନାହିଁ। ଶ୍ରୀରାଧାଙ୍କ ପ୍ରିୟ ସଖୀ ଲଳିତା ଓ ବିଶାଖା କୁଞ୍ଜ ଦ୍ୱାର ଜଗି ଥାନ୍ତି। ​ଏହି ସମୟରେ ହଠାତ୍ ଜଣେ ଶ୍ୟାମଳ ବର୍ଣ୍ଣର ସୁନ୍ଦରୀ ମାଲୁଣୀ ହାତରେ ଫୁଲ ଚାଙ୍ଗୁଡ଼ି ଧରି ପହଞ୍ଚିଲେ। ସେହି ମାଲୁଣୀ କୁଞ୍ଜ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲାବେଳେ ​ଲଳିତା ତାଙ୍କୁ ବାଧା ଦେଇ କହିଲେ, ହେ ମାଲୁଣୀ ! ତୁମେ କିଏ? ତୁମେ କଣ ଜାଣିନା ଏ ନିଭୃତ କୁଞ୍ଜରେ ପ୍ରବେଶ ବର୍ଜିତ ବୋଲି। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଏଠାକୁ ପ୍ରଵେଶ ଅନୁମତି ନାହିଁ। ଲଳିତାଙ୍କ କଥା ଶୁଣି ​ମାଲୁଣୀ କହିଲା, ହେ ସଖି ! ସାମାନ୍ୟ ମାଲୁଣୀଟିଏ ମୁଁ । ବହୁଦୂର ଚାଲି ଚାଲି ମଥୁରାରୁ ଆସିଛି। ମୋ ନାମ ଶ୍ୟାମା। ମୁଁ ଶୁଣିଲି ବୃନ୍ଦାବନେଶ୍ୱରୀ ଶ୍ରୀମତୀ ରାଧାଙ୍କ ରୂପ ସହ ଏହି ତ୍ରିଭୁବନରେ କିଛିମଧ୍ୟ ତୁଳନୀୟ ନୁହେଁ । ମୋ ଶ୍ରଦ୍ଧା ହେଲା ମୁଁ ନିଜ ହାତରେ ଗୁନ୍ଥିଥିବା ଏ ବନ ଫୁଲର ବିଚିତ୍ର ମାଳା ଓ ସୁଗନ୍ଧିତ ଗଜରା ତାଙ୍କୁ ଟିକିଏ ପିନ୍ଧାଇ ଦେବି । ସେପାଇଁ ଚାଲି ଆସିଛି। ମୋତେ ବାଧା ଦିଅ ନା ଭଉଣୀ । ଭିତରକୁ ଛାଡ଼ ମୁଁ ଶ୍ରୀରାଧାରାଣୀଙ୍କୁ ଟିକିଏ ଶୃଙ୍ଗାର କରି ଏସବୁ ସୁନ୍ଦର ଫୁଲରେ ସଜେଇ ଦିଏ। ​ମାଲୁଣୀର କଥା ଚାତୁରୀ ଓ ସୁଗନ୍ଧିତ ଫୁଲର ମହ ମହ ବାସରେ ପ୍ରଭାବିତ ହୋଇ ସଖୀ ଲଳିତା ମାଲୁଣୀକୁ କୁଞ୍ଜ ଭିତରକୁ ନେଇ ଗଲେ। ​ଅଭିମାନ ଓ ଦୁଃଖରେ ରାଧାରାଣୀ ମୁହଁ ପୋତି ବସିଥାନ୍ତି। ମାଲୁଣୀ ଯାଇ ତାଙ୍କ ପାଖରେ ବସି କହିଲେ, ଧନ୍ୟ ଧନ୍ୟ ସେ ବିନ୍ଧାଣୀ, ଯିଏ ଏପରି ସୌନ୍ଦର୍ଯ୍ୟ ପିତୁଳା ଗଢ଼ିଛି ! କିନ୍ତୁ ! ହେ ଦେବୀ ! ତୁମେ, ଏପରି ବିରସ କାହିଁକି ? ତୁମକୁ କେବଳ ସଜାଇ ଦେବା ପାଇଁ ମୁଁ ମଥୁରା ପୁରରୁ ଆସିଛି। ଆସ, ମୁଁ ତୁମର କେଶ ବିନ୍ୟାସ କରିଦିଏ। ତୁମ ସୁନ୍ଦର ପାଦରେ ଅଳତା ଟିକିଏ ପିନ୍ଧେଇ ଦିଏ । ଏସବୁ ତୁମକୁ ଭାରି ମାନିବ। ଶ୍ରୀ​ରାଧା କହିଲେ , ହଉ, ତୁମ କାମସାରି ଶୀଘ୍ର ଏଠାରୁ ଚାଲିଯାଅ। ତୁମ ସହିତ ବେଶି କଥା ହେବାକୁ ମୋର ଧୈର୍ଯ୍ୟ ନାହିଁ। ଅନୁମତିପାଇ ମାଲୁଣୀ ରାଧାଙ୍କ କେଶ ସଜାଇବା ଆରମ୍ଭ କଲା। ତାଙ୍କ କେଶରେ ଫୁଲ ଖୋସିଲା। ତାପରେ ମାଲୁଣୀ ପାଦରେ ଅଳତା ଲଗାଇବାକୁ ଆରମ୍ଭକଲା। ଅଳତା ଲଗାଇଲା ବେଳେ ​ମାଲୁଣୀ କହୁଥାଏ,ହେ ଦେବୀ ! ଆପଣଙ୍କ ପାଦ ପଦ୍ମଫୁଲ ପରି, ଅତି କୋମଳ। ଆପଣ ଅନୁମତି ଦେବେତ, ମୁଁ ଏହାକୁ ସୁନ୍ଦର କରି ଚିତ୍ରିତ କରିଦେବି।
ମାଲୁଣୀର ମନ ଭୁଲାଣିଆ କଥା ଶୁଣି ରାଧା ନିଜ ପାଦ ବଢ଼ାଇ ଦେଲେ। ଅଳତା ଲଗେଇ ଦେବା ପାଇଁ ମାଲୁଣୀ ଯେମିତି ରାଧାଙ୍କ ପାଦକୁ ସ୍ପର୍ଶ କରିଛନ୍ତି, ରାଧାଙ୍କ ଶରୀରରେ ଏକ ଅପୂର୍ବ ରୋମାଞ୍ଚ ଖେଳି ଗଲା। ସେ ଅନୁଭବ କଲେ, ଆରେ ଏହି ସ୍ପର୍ଶ ତ ମୋର ଅତି ପରିଚିତ। ଏ ରୋମାଞ୍ଚ, ଶୀତଳତା, ଆଉ ଏହି ଆନନ୍ଦ ତ, କେବଳ ମୋ ଶ୍ୟାମ ସୁନ୍ଦରଙ୍କ ସ୍ପର୍ଶରେ ଥାଏ ! ଇଏ ତା'ହେଲେ କିଏ? ​ଶ୍ରୀରାଧା ମାଲୁଣୀର ଆଖିକୁ ଚାହିଁଲେ। ହଁ ସେହି ନୀଳପଦ୍ମ ପରି ଆଖିତ ! ସେହି ଆଖିରେତ ପୁରି ରହିଛି ମୋ ପ୍ରିୟ ଶ୍ୟାମ ସୁନ୍ଦରଙ୍କ ଅସୀମ ପ୍ରୀତି। ରାଧାଙ୍କୁ ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଇଏ ହେଉଛନ୍ତି, ମୋ ସେହି ନଟ ନାଗର, ସେହି ଶ୍ୟାମ ସୁନ୍ଦର । ଶ୍ରୀ​ରାଧା ଗଦ୍‌ଗଦ୍ ଚିତ୍ତରେ କହି ଉଠିଲେ, ହେ ଶ୍ୟାମସୁନ୍ଦର ! ତୁମେ ! ତୁମେ ଏ କଅଣ କଲ? ତୁମେ ଏ ଦାସୀ ପାଦରେ ଶେଷକୁ ଅଳତା ପିନ୍ଧାଇ ଦେଲ। ମାଲୁଣି ଛଦ୍ମବେଶ ଛାଡ଼ି ହସି ହସି କହିଲେ, ରାଧେ ! ତୁମ ବିନା, ମୁଁ ଯେ ଅସମ୍ପୂର୍ଣ୍ଣ !! ଶ୍ରୀକୃଷ୍ଣ ପୁଣି କହିଲେ:- ପ୍ରେମ ନୁହେଁ ଦେହ ଦେହୁଁ ଭୋଗ ଅନ୍ୱେଷଣ । ପ୍ରେମ ଏକ ଅତ୍ମା ପ୍ରତି ଅନ୍ୟର ବନ୍ଦନ ।। ପ୍ରେମ ପୂର୍ଣ୍ଣ ସମର୍ପଣ ଏକ ଆନ ପାଇଁ । ପ୍ରେମ ଆନପାଇଁ ଦେବା ନିଜକୁ ହଜାଇ ।।
ଶ୍ରୀରାଧାଙ୍କ ଅଭିମାନ ଭାଙ୍ଗି ଗଲା। ସେ ପ୍ରେମପୂର୍ଣ୍ଣ ହୃଦୟରେ କୃଷ୍ଣଙ୍କୁ ଆଲିଙ୍ଗନ କଲେ । ସଖିମାନେ ସେହି ଅତି ଲୌକିକ ଦୃଶ୍ୟ ଦେଖି "ରାଧେ କୃଷ୍ଣଙ୍କ ଜୟ" ଧ୍ବନିରେ କୁଞ୍ଜକୁ ମୁଖରିତ କଲେ । ଏହି ଉପାଖ୍ୟାନ ଆଧାରରେ ପୁଣ୍ୟ ମାସ କାର୍ତ୍ତିକ ଶୁକ୍ଳ ନବମୀରେ ବା ଅଅଁଳା ନବମୀରେ ଅନୁଷ୍ଠିତ ହୋଇ ଥାଏ, ମହାଭାବ ଠାକୁରାଣୀ, ଶ୍ରୀ ରାଧାଙ୍କ ପାଦ ଦର୍ଶନ ପର୍ବ। ମହାକବି ଜୟଦେବ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧାଙ୍କ ଏହି ଅଦ୍ଭୁତ ଏବଂ ଉତ୍ସର୍ଗୀକୃତ ପ୍ରେମ ଲୀଳାକୁ ଲକ୍ଷ୍ୟକରି ଲେଖିଛନ୍ତି:- " ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ" " ଦେହି ପଦ ପଲ୍ଲଵ ମୁଦାରମ୍ " ଏହି ପଦ୍ୟର ଶେଷ ପାଦ, "ଦେହି ପଦ ପଲ୍ଲଵ ମୁଦାରମ୍" କୁ ନିଜେ ଭଗବାନ ଶ୍ରୀକୃଷ୍ଣ ଲେଖି ଦେଇଥିଲେ ବୋଲି କିମ୍ବଦନ୍ତୀ ରହିଛି।
          ! ଜୟ ଶ୍ରୀରାଧେ ଶ୍ରୀକୃଷ୍ଣ !
                       ---
                 🙏🙏🙏
                    ଅର୍ଜୁନୀ
                  -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational