STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦୁଃଖେ ସଞ୍ଚିତ ଯେତେ ଧନ ସେ ନୋହେ ସୁଖେ ପ୍ରୟୋଜନ    

ଦୁଃଖେ ସଞ୍ଚିତ ଯେତେ ଧନ ସେ ନୋହେ ସୁଖେ ପ୍ରୟୋଜନ    

4 mins
2

      ଦୁଃଖେ ସଞ୍ଚିତ ଯେତେ ଧନ
    ସେ ନୋହେ ସୁଖେ ପ୍ରୟୋଜନ
                ଭିକ୍ଷୁ ଗୀତା
       =================
ଭଗବାନ୍ ଶ୍ରୀକୃଷ୍ଣ, ଭକ୍ତ ଉଦ୍ଧବଙ୍କୁ ଭଗବତ ଧର୍ମ ଓ ବିଭିନ୍ନ ତତ୍ତ୍ଵ ଉପଦେଶ ଦେଉ ଥାନ୍ତି। ପ୍ରସଂଗ କ୍ରମେ ପ୍ରଭୁ କହିଲେ:- ଯେ ପ୍ରାଣୀ, ନିନ୍ଦା ସ୍ତୁତି ସହେ। ଅଦୃଷ୍ଟ ମାନି ସ୍ଥିର ରହେ। ଈଶ୍ୱରନିଷ୍ଠ ତତପରେ। ଆତ୍ମାକୁ ଆପଣେ ଉଦ୍ଧରେ।। ଏଥିରେ ଉଦ୍ଧବ ସଂଶୟ ପ୍ରକଟ କରି ପ୍ରଶ୍ନକଲେ, ପ୍ରଭୋ ! ସଂସାରରେ କଣ ଦେହଧାରୀ ଏପରି କେହି ଅଛନ୍ତି ଯିଏ ନିଜ ନିନ୍ଦା ସ୍ତୁତିରେ ସ୍ଥିର ରହି ପାରନ୍ତି,ଏକଥା ତ ମୋତେ ଆଶ୍ଚର୍ଯ୍ୟ ଓ ଅସମ୍ଭବ ଲାଗୁଛି। ଭଗବାନ୍ ହସିହସି କହିଲେ, ତାହେଲେ ତୁମ ସଂଶୟ ମୋଚନ ପାଇଁ ମୁଁ ତୁମକୁ ପୁରାତନ ଇତିହାସ କଥା ଏକ ଶୁଣାଉଛି, ମନ ଦେଇ ଶୁଣ। ପ୍ରଭୁ କଥା ଆରମ୍ଭ କଲେ।
ପ୍ରାଚୀନ କାଳର କଥା। ଅବନ୍ତୀରେ ଜଣେ ଧନୀକ ବ୍ରାହ୍ମଣ ରହୁଥିଲେ। ସେ କୃଷି ଓ ବ୍ୟବସାୟାଦି କରି ପ୍ରଚୁର ଧନ ସମ୍ପଦ ଠୁଳ କରିଥିଲେ। କିନ୍ତୁ ସ୍ୱଭାବରେ ସେ ଥିଲେ ଖୁବ୍ କୃପଣ, ଲୋଭୀ ଓ କ୍ରୋଧୀ। ସେ ନିଜ ଜ୍ଞାତି, ବନ୍ଧୁ, କୁଟୁମ୍ବ, ତଥା ଅତିଥି ମାନଙ୍କୁ ଖାଇବା ପିଇବା ଦେବା ତ ଦୂରର କଥା, କାହାରିକୁ ଭଲରେ ପଦେ କଥା ମଧ୍ୟ କହୁ ନ ଥିଲେ। ଘରେ ସେ ଧର୍ମ କର୍ମ କିଛି ବି କରୁ ନ ଥିଲେ କି ଧନ ସଂପତ୍ତି ମଧ୍ୟ ନିଜର ସୁଖପାଇଁ ବ୍ୟୟ କରୁ ନ ଥିଲେ। ବ୍ରାହ୍ମଣଙ୍କ କୃପଣ ସ୍ୱଭାବ ଯୋଗୁଁ ତାଙ୍କର ପତ୍ନୀ ପୁତ୍ର ବୋହୂ ଏପରିକି, ଚାକର ବାକର ମଧ୍ୟ କେହି ତାଙ୍କୁ ଭଲ ପାଉ ନଥିଲେ। ସେ ଖାଲି ଦାନ ଉପଭୋଗ ବିନା ଯକ୍ଷଙ୍କ ପରି ଧନ ସଞ୍ଚୟ କରିଚାଲି ଥିଲେ । ଏପରିଭାବେ ଅନେକଦିନ କଟିଗଲା ପରେ ପଞ୍ଚ ମହାଯଜ୍ଞ ଭାଗୀ ଦେବତା ମାନେ ତାଙ୍କ ଉପରେ କ୍ରୁଦ୍ଧ ହୋଇଗଲେ। ଫଳରେ ତାଙ୍କର ସମସ୍ତ ଧନ ସମ୍ପତ୍ତି ଦେଖୁ ଦେଖୁ ତାଙ୍କରି ଆଖି ଆଗରେ ନଷ୍ଟ ହେବାରେ ଲାଗିଲା। କିଛି ଧନ ବ୍ରାହ୍ମଣଙ୍କ କୁଟୁମ୍ବ ଲୋକେ ଛଡ଼େଇ ନେଲେ, କିଛି ଚୋରିରେ ଗଲା, କିଛି ଅଗ୍ନିରେ ପୋଡ଼ି ଭସ୍ମହେଲା, କିଛି ସାଧାରଣ ଲୋକେ ଲୁଟିନେଲେ, ଆଉକିଛି କର ଓ ଦଣ୍ଡ ରୂପେ ରାଜା ନେଇଗଲେ । ଏପରି ତାଙ୍କର ସବୁ ଧନ ଚାଲି ଯିବାରୁ ତାଙ୍କର ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ଆଉ କେହି ପଚାରିଲେ ନାହିଁ। ତେଣୁ ତାଙ୍କ ହୃଦୟରେ ବଡ଼ ଦୁଃଖ ଜାତ ହେଲା। ମନରେ ଖେଦ ଭରିଗଲା। ଚିନ୍ତା କରି କରି ସେ ବୁଝି ପାରିଲେ ଯେ ଏହି ସଂସାରଟା ହେଉଛି, ଘୋର ଦୁଃଖମୟ।  ଏହା ବୁଝିଯିବା ପରେ ତାଙ୍କ ମନରେ ତୀବ୍ର ବୈରାଗ୍ୟ ଆସିଲା। ସେହି ବ୍ରାହ୍ମଣ ପୁଣି ମନେମନେ ଭାବିଲେ ଯେ, ହାୟ ! ମୁଁ ଏତେ ଦିନ ଧରି ନିଜକୁ ବୃଥାରେ ଯନ୍ତ୍ରଣା ଦେଲି। ଏତେ ଦିନ ଧରି ମୁଁ ଯେଉଁ ଧନ ସଞ୍ଚୟ କଲି ତାହା ଧର୍ମ କର୍ମରେ ଲାଗିଲା ନାହିଁ କି ମୋ ସୁଖରେ ଲାଗିଲା ନାହିଁ। ଶ୍ରୀମଦ ଭାଗବତ ଭାଷାରେ:- ଦୁଃଖେ ସଞ୍ଚିତ ଯେତେ ଧନ। ସେ ନୋହେ ସୁଖେ ପ୍ରୟୋଜନ।।
ବ୍ରାହ୍ମଣ ପୁଣି ଭାବିବାକୁ ଲାଗିଲେ, ଧନ ଉପାର୍ଜନ, ତାର ରକ୍ଷଣ, ଉପଭୋଗ ଓ ଧନ ନାଶରେ ଦୁଃଖ, ସବୁଠାରେ କେବଳ ବୃଥା ପରିଶ୍ରମ, ଦୁଃଖ, ଭୟ, ଚିନ୍ତା ଏବଂ ଭ୍ରାନ୍ତି। ଚୋରି, ହିଂସା,ମିଥ୍ୟା,ଦମ୍ଭ, କାମ କ୍ରୋଧ, ଗର୍ଵ, ଅହଙ୍କାର, ଭେଦବୁଦ୍ଧି, ପ୍ରତିଦ୍ବନ୍ଦିତା, ଅବିଶ୍ବାସ, ଶତ୍ରୁତା, ଲମ୍ପଟତା, ଜୁଆ, ମଦ୍ୟ ପାନ, ଭଳି ପନ୍ଦରଟି ଦୋଷ ମନୁଷ୍ୟଠାରେ ଧନ ଯୋଗୁଁ ହିଁ ଆସି ଥାଏ। ଯେଉଁ ଧନ ପାଇଁ ସମସ୍ତେ ନିଜର ହୋଇ ଥାନ୍ତି। ଧନ ଶେଷ ହେଲେ ସମସ୍ତେ ବିମୁଖ ହୋଇ ବୈରତା ଆଚରଣ କରନ୍ତି। ହାୟ, ମୁଁ ମୋ କର୍ତ୍ତବ୍ୟରୁ ଚ୍ୟୂତ ହୋଇଗଲି। ଦୁର୍ଲଭ ଏ ମନୁଷ୍ୟ ଜନ୍ମ ପାଇ, ପୁଣି ବ୍ରାହ୍ମଣ କୂଳରେ ଜନ୍ମ ହୋଇ ମୁଁ ଖାଲି ଧନ ଧନ ହୋଇ, ମୋର ଆୟୁ, ଧନ, ବଳ, ପୌରୁଷ ହରାଇ ଦେଲି। ଯାହାହେଉ ଏବେ ମୋ ଉପରେ ଶ୍ରୀହରିଙ୍କ କରୁଣା ହୋଇଛି। ସେଥି ପାଇଁ ସେ ମୋତେ ଏପରି ଦଶାରେ ପକାଇ ଦେଇଛନ୍ତି ଏବଂ ମୋ ଭିତରେ ଏ ଜଗତ ପ୍ରତି ଏଭଳି ଘୃଣା ଏବଂ ବୈରାଗ୍ୟ ଜାତ କରାଇ ଦେଇଛନ୍ତି। ତେଣୁ ଯେତେ କାଳ ଆଉ ବଞ୍ଚିବି ଆତ୍ମଲାଭରେ ସନ୍ତୁଷ୍ଟ ରହି ଏବଂ ପରମାର୍ଥ ବିଷୟରେ ସାବଧାନ ହୋଇ ତପସ୍ୟା ଦ୍ଵାରା ଏହି ଶରୀରକୁ ଜୀର୍ଣ୍ଣ ଶୀର୍ଣ୍ଣ କରି ଦେବି। ଏହାହିଁ ମୋ ସମ୍ମୁଖରେ ଏବେ ଏକ ମାତ୍ର ପନ୍ଥା। ମୋର ନିରାଶ ହେବାର କୌଣସି କାରଣ ନାହିଁ । କାରଣ ରାଜା ଖଟ୍ୱାଙ୍ଗ ତ ମାତ୍ର ଦୁଇ ଘଡି ମଧ୍ୟରେ ଭଗବତ ଧାମ ପାଇ ପାରିଥିଲେ ।
ଏପରି ସେ ସମ୍ପୂର୍ଣ୍ଣ ନିରାସକ୍ତ ହୋଇ ଓ ସଂସାର ପ୍ରତି ସମ୍ପୂର୍ଣ୍ଣ ବୀତସ୍ପୃହ ହୋଇ ମୌନୀ ସନ୍ନ୍ୟାସୀ ହୋଇଗଲେ । ଭିକ୍ଷୁକ ଅବଧୂତ ବେଶ ଧରି ସେ ଭିକ୍ଷା କରିବାକୁ ଲାଗିଲେ। କିନ୍ତୁ ତାଙ୍କ ଭାଗ୍ୟକୁ ଦେଖ, ଦୁଷ୍ଟ ଲୋକ ମାନେ ତାଙ୍କ ପଛରେ ଲାଗି ଗଲେ। ତାଙ୍କୁ କିଏ ଗାଳି କଲା, କିଏ ତାଙ୍କ ଝୁଲା ମୁଣି ଛଡ଼ାଇ ନେଲା, କିଏ ମାଡ଼ ମାରିଲା ତ ପୁଣି କିଏ ତାଙ୍କ ଉପରେ ଛେପ ପକାଇଲା, କିଏ ତାଙ୍କ ଖାଦ୍ୟ ଛଡ଼ାଇ ନେଲା, କିଏ ତାଙ୍କ ଉପରେ ମୁତି ଦେଲା, ଏହିଭଳି ନାନା ଯାତନା ସତ୍ତ୍ୱେ ମଧ୍ୟ ସେ କାହାରିକୁ ପାଟି ଫିଟାଉ ନ ଥିଲେ। ଉପହାସ କରି କେହି କେହି ମଧ୍ୟ କହୁଥିଲେ, ଆରେ ଦେଖ ସେହି କୃପଣଟା ଏବେ ଏ ଭଣ୍ଡ ବାବାଜୀ ବେଶ ଧରିଛି। ଧନ ସମ୍ପତ୍ତି ତ ସବୁ ଗଲା ଇଏ ଦିନରେ ବାବାଜୀ ହୋଇ ବୁଲୁଛି, ରାତିରେ କେଉଁଠି ଚୋରି କରିବ। ୟାକୁ ବାନ୍ଧି ନିସ୍ତୁକ ମାଡ଼ ମାର । ଏପରି ଲୋକଙ୍କ ନିର୍ଯାତନା ସହ ସେ ଖରା ବର୍ଷା ଶୀତ କାକର ସବୁ ନିଜର କର୍ମ ଫଳ ଭାବି ସହି ଯାଉଥିଲେ। ସେ କହୁଥିଲେ :- ଗ୍ରହ ଦେବତା କାଳ କର୍ମ। ଆତ୍ମା କି ଅବା ଅନ୍ୟ ଜନ।। ନୁହଁନ୍ତି ସୁଖ ଦୁଃଖ ଦାତା। ମନ ହିଁ ପରମ କରତା ।। ଜନ୍ମ, ମରଣ, ବେନି ପଥେ । ଏ ମନ ଭ୍ରମାଏ ନିରତେ।।
ଅର୍ଥାତ୍ ଏହି ସଂସାରରେ ମନୁଷ୍ୟକୁ ଅନ୍ୟ କେହି ସୁଖ ବା ଦୁଃଖ ଦିଏ ନାହିଁ। ଏହା ହେଉଛି ମନର ଭ୍ରମମାତ୍ର। ଶତ୍ରୁ ମିତ୍ର ଏହା ସବୁ ଅଜ୍ଞାନ କଳ୍ପିତ।
ସେହି ବିପ୍ରଙ୍କର ଏପରି ଜ୍ଞାନ ହୋଇଗଲା ପରେ ସେ ନୀରତ ଶ୍ରୀହରିଙ୍କ ଚରଣରେ ଧ୍ୟାନ ଲଗାଇ ପୃଥିବୀ ପର୍ଯ୍ୟଟନ କଲେ ଓ ଅନ୍ତକାଳରେ ଦିବ୍ୟ ଗତି ପାଇ ଶ୍ରୀହରିଙ୍କ ଚରଣରେ ଲୀନ ହେଲେ। ସର୍ଵ ଶେଷରେ ଭଗବାନ୍ କହିଲେ, ହେ ପ୍ରିୟ ଉଦ୍ଧବ ! ତୁମେ ଜାଣ ସେହି ବ୍ରାହ୍ମଣର କୌଣସି ଧନ, ନଷ୍ଟ ହୋଇ ନଥିଲା। ବରଂ ଧନରୂପରେ ଥିବା ବ୍ରାହ୍ମଣର ସମସ୍ତ କ୍ଳେଶ ଦୂର ହୋଇ ଯାଇ ଥିଲା । ମୁଁ ଯେଉଁ ବ୍ରାହ୍ମଣଙ୍କ ଏହି କାହାଣୀ ତୁମକୁ ଶୁଣାଇଲି ତାହା ହିଁ ବ୍ରହ୍ମଜ୍ଞାନ, ତେଣୁ ତୁମେ ତୁମର ଚିତ୍ତ ବୃତ୍ତିକୁ ମୋ ସହିତ ତନ୍ମୟ କରିଦିଅ ଏବଂ ତୁମେ ମୋ ଠାରେ ନିତ୍ଯଯୁକ୍ତ ହୋଇ ଯାଅ। ଶ୍ରୀମଦ ଭାଗବତ ଏହା ପରି ପ୍ରକାଶ କଲେ:- ଉଦ୍ଧବ ଏହା ମନେ ଧର। ସର୍ଵ ସଂଶୟ ପରିହର।। ନିର୍ମଳ ଚିତ୍ତ ମୋର ପାଦେ। ସମର୍ପି ରହ ତୁ ଆନନ୍ଦେ।। ଏ ଭିକ୍ଷୁ ଗୀତା ଇତିହାସେ। ତୋ ଆଗେ କହିଲି ବିଶ୍ୱାସେ।।
ବ୍ୟାସକୃତ ସଂସ୍କୃତ ଭାଗବତର ଏକାଦଶ ସ୍କନ୍ଧ, ତ୍ରୟୋବିଂଶ ଅଧ୍ୟାୟ, ଓ ଅତିବଡ଼ି କୃତ, ଓଡ଼ିଆ ଭାଗବତ, ଏକାଦଶସ୍କନ୍ଧ, ଚତୁର୍ବିଂଶ ଅଧ୍ୟାୟରେ ବର୍ଣ୍ଣିତ ଏହି ଭିକ୍ଷୁକ ବ୍ରାହ୍ମଣଙ୍କ କଥା, ଭିକ୍ଷୁଗୀତା ନାମରେ ପ୍ରସିଦ୍ଧ ।
              🙏🙏🙏
                 ଅର୍ଜୁନୀ
               -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational