ଛତ୍ରପତି ଶିବାଜୀ ଓ ଗୁରୁ ରାମଦାସ
ଛତ୍ରପତି ଶିବାଜୀ ଓ ଗୁରୁ ରାମଦାସ
ଛତ୍ରପତି ଶିବାଜୀ ଓ ଗୁରୁ ରାମଦାସ
==================
ଦେବଭୂମି ଆମର ଭାରତ ବର୍ଷ । ଭାରତ ଭୂମିରେ ବହୁ ସନ୍ଥ ମହାତ୍ମା ମାନେ ଜନ୍ମ ଗ୍ରହଣ କରି ଏହି ମାଟିକୁ ପୂତ ପବିତ୍ର କରି ଯାଇଛନ୍ତି। ସେହିପରି ଜଣେ ସନ୍ଥ ମହାତ୍ମା ଥିଲେ ସମର୍ଥ ରାମଦାସ।
ସେ ଜନ୍ମ ଗ୍ରହଣ କରିଥିଲେ ୧୬୦୮ଖ୍ରୀ.ରେ ମହାରାଷ୍ଟ୍ରର ଜାମ୍ବଠାରେ। ପିଲାଟି ଦିନରୁ ସେ ଆସନ, ସାଧନ ଧ୍ୟାନ, ପ୍ରାଣାୟମ, ଧର୍ମ ଶାସ୍ତ୍ର ପଠନ ଆଦି ଆଡ଼କୁ ଆକୃଷ୍ଠ ହୋଇ ପଡ଼ି ଥିଲେ । ସେ ସ୍ଵୀୟ ସାଧନା ବଳରେ ଜଣେ ମହାନ ସନ୍ଥରେ ପରିଣତ ହୋଇ ଥିଲେ। ସେ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଥିଲେ। ଭକ୍ତି ସାଧନା କରି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ଲାଭ କରିଥିଲେ । ଭଗବାନ ଶ୍ରୀରାମ ଏବଂ ରାମଭକ୍ତ ହନୁମାନଙ୍କ ଠାରୁ ପ୍ରେରଣା ଲାଭ କରି ସେ ଦରିଦ୍ର ଜନ ସାଧାରଣଙ୍କ ସେବା ଓ ଦେଶସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ।
ସେତେବେଳେ ମରାଠା ବୀର ଶିବାଜୀଙ୍କ ରାଜତ୍ଵ ଚାଲିଥାଏ। ଶିବାଜୀ ସମର୍ଥ ରାମ ଦାସଙ୍କୁ ତାଙ୍କର ଗୁରୁ ଭାବେ ଗ୍ରହଣ କଲେ । ସେ ତାଙ୍କର ସମସ୍ତ ରାଜ୍ୟ ଓ ଐଶ୍ୱର୍ଯ୍ୟକୁ ଗୁରୁଙ୍କ ପାଦତଳେ ସମର୍ପଣ କରିଦେଲେ । ଗୁରୁଙ୍କ ପାଦୁକାକୁ ସିଂହାସନରେ ରଖି ପୂଜାକଲେ ଏବଂ ଗୁରୁଙ୍କୁ ରାଜ ପ୍ରାସାଦରେ ମହା ଆଡମ୍ବରରେ ରଖାଇଲେ।
ଦିନକର କଥା ଶିବାଜୀ ଦେଖିଲେ ଗୁରୁ ହସ୍ତରେ ଭିକ୍ଷାଥାଳ ଧରି ଭିକ୍ଷାପାଇଁ ଜନପଦ ଅଭିମୁଖେ ଚାଲିଛନ୍ତି। ଭିକ୍ଷା ଧରି ଫେରିବା ପରେ ଶିବାଜୀ ବିନୟ ହୋଇ ଗୁରୁଙ୍କୁ ପ୍ରଶ୍ନ କଲେ, ଗୁରୁଦେବ ! ମୁଁ ତ ଆପଣଙ୍କ ଚରଣ ତଳେ ଏ ସମସ୍ତ ରାଜ୍ୟ ସମର୍ପି ଦେଇଛି। ଏରାଜ୍ୟ ଆପଣଂକ ଅଧୀନ। ଆପଣ ପୁଣି କେଉଁଥିପାଇଁ ହସ୍ତରେ ଭିକ୍ଷାପାତ୍ର ଧରି ଭିକ୍ଷା କରିବାକୁ ବାହାରି ଗଲେ। ଗୁରୁ ତାଙ୍କୁ କିଛି ଉତ୍ତର ନଦେଇ କହିଲେ, ତୁମେ ମଧ୍ୟ ମୋ ସହିତ ଚାଲ ଭିକ୍ଷା କରିବାକୁ।
ଦୁହେଁ ଭିକ୍ଷା ଥାଳ ଧରି, ଜନପରୁ ଜନପଦ ଭିକ୍ଷା ମାଗି ବୁଲିଲେ । ଲୋକେ ସେମାନଙ୍କ ଥାଳରେ ଭିକ୍ଷା ଦେଉଥାନ୍ତି।
ଏପରି ବୁଲି ବୁଲି ସେମାନେ ସନ୍ଧ୍ୟା ବେଳକୁ ଯାଇ କୃଷ୍ଣା ନଦୀ କୂଳରେ ଏକ ନିର୍ଜନ ସ୍ଥାନରେ ପହଁଚିଲେ। ଭିକ୍ଷାନ୍ନରେ ପ୍ରସାଦ ପ୍ରସ୍ତୁତ କରି ଗୁରୁ ରାମଦାସ ଶ୍ରୀରାମଙ୍କୁ ସମର୍ପଣ କଲାପରେ ଦୁହେଁ ପ୍ରସାଦ ସେବନ କଲେ। ଗୁରୁ ଏ ଥର କହିଲେ, ରାଜନ୍ ! ଏବେ ମୁଁ ତୁମଠାରୁ ଭିକ୍ଷା ଚାହୁଁଛି। ଆଶ୍ଚର୍ୟ୍ଯ ଶିବାଜୀ କହିଲେ, ମୁଁ ସବୁକିଛି ତ ଆପଣଙ୍କୁ ସମର୍ପି ଦେଇଛି। ମୋର ଆଉ କଅଣ ଅଛି କୁହନ୍ତୁ । ମୁଁ ଦେବାକୁ ପ୍ରସ୍ତୁତ। ଗୁରୁ ରାମ ଦାସ କହିଲେ, ଅଛି ! ତୁମ ପାଖରେ ରାଜ ସିଂହାସନର ଅହଙ୍କାର ଅଛି। ଏବେ ତୁମେ ସେଇଟିକୁ ମୋ ଭିକ୍ଷା ପାତ୍ରରେ ଦାନ କରି ଦିଅ। ଶିବାଜୀ କହିଲେ, ଦାନ କରିଦେଲି ଗୁରୁଦେବ ! ବର୍ତ୍ତମାନ ମୁଁ ନିଃସ୍ୱ । ମୋତେ କଅଣ କରିବାକୁ ହେବ ଆଜ୍ଞା ଦିଅନ୍ତୁ ଗୁରୁଦେବ।
ରାମ ଦାସ କହିଲେ, ରାଜା, ମାତୃଭୂମିର ପୂଜକ, ରକ୍ଷକ ଏବଂ ଦେଶ ବାସୀଙ୍କ ସେବକ। ମାତୃଭୂମି ସେବାହିଁ ରାଜାର ପରମ ଧର୍ମ। ବର୍ତ୍ତମାନ୍ ତୁମକୁ ମୋର କଷାୟ ବସ୍ତ୍ର ମୁଁ ଦାନକଲି। ସେହି ପବିତ୍ର ବସ୍ତ୍ରକୁ ତୁମେ ବିଜୟ କେତନ ବୋଲି ମନେକରି ମାତୃଭୂମିର ଜୟ ଘୋଷ କରି ଚାଲ।
ଗୁରୁଙ୍କର ସେହି ମର୍ମଭେଦୀ ବାଣୀକୁ ହୃଦୟରେ ଧାରଣ କରି ଶିବାଜୀ ହୋଇ ଥିଲେ, ମାତୃଭୂମିର ଛତ୍ରଧର ଏବଂ ମହାନ୍ ଦେଶଭକ୍ତ ଛତ୍ରପତି ଶିବାଜୀ।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୬୧
