STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରଭୁ ଭୋଳାନାଥଙ୍କ ବିଭୂତି 

ପ୍ରଭୁ ଭୋଳାନାଥଙ୍କ ବିଭୂତି 

3 mins
1

       ପ୍ରଭୁ ଭୋଳାନାଥଙ୍କ ବିଭୂତି     
       ===============
ଦେବ ଦେବ ମହାଦେବ। ପ୍ରତ୍ୟହ ସମସ୍ତ ଦେବା ଦେବୀ ପ୍ରଭୁଙ୍କ ଦର୍ଶନପାଇଁ କୈଳାସ ଆସନ୍ତି । ସମସ୍ତେ ମହା ଆଡମ୍ବରରେ ଆସି ପ୍ରଭୁଙ୍କ ଦର୍ଶନ ସାରି ପୃଥିବୀ ପର୍ଯ୍ୟଟନ ପୂର୍ବକ ନିଜ ନିଜ ପୁରକୁ ଫେରି ଯାଆନ୍ତି । ସେମାନେ ସମସ୍ତେ ମୂଲ୍ୟବାନ ଅଳଙ୍କାରରେ ଭୂଷିତ ହୋଇ ଘୋଡ଼ା, ହାତୀ, ରଥ ଗରୁଡ଼, ହଂସ ଆଦି ଦିବ୍ୟ ବାହନ ଆରୁଢ଼ ହୋଇ ଆସନ୍ତି। ଏସବୁ ଦେଖି ମହାଯୋଗୀ  ମହାଦେବଙ୍କ ପତ୍ନୀ ଊମାଙ୍କ ମନ ଉଣା ପଡ଼ିଯାଏ । ସେ ମନେ ମନେ ଭାବନ୍ତି, ତାଙ୍କ ସ୍ଵାମୀ ଖାଲି ନାମକୁ ଦେବ ଦେବ ମହାଦେବ, ହେଲେ ତାଙ୍କର ରହିବା ପାଇଁ କୁଡ଼ିଆ ଖଣ୍ଡେ ବି ନାହିଁ। ଧନ ସମ୍ପଦ ମଧ୍ୟ ତଦ୍ରୁପ । ବାହନ କହିଲେ, ବୁଢା ଷଣ୍ଢଟିଏ । ଗୁଡ଼ାଏ ସାପ ତାଙ୍କର ଭୂଷଣ। ମିଳିଲେ ବାଘଛାଲ ଖଣ୍ଡିଏ ବସ୍ତ୍ର ନହେଲେ ଲଙ୍ଗଳା। ବାଳଗୁଡ଼ାକ ନୁଖୁରା ଆଲୁରୁ ବାଲୁରୁ। ତାକୁ ଜଟାକରି ବାନ୍ଧିଛନ୍ତି । ଦେହରେ ଅଙ୍ଗରାଗ ବୋଲି ପାଉଁଶ ଗୁଡାକ ବୋଳି ହୁଅନ୍ତି। ଏମିତି ଭାବି, ପାର୍ବତୀ ନିଜକୁ ଖୁବ୍ ନିଉନ ମନେ କରନ୍ତି। ସେ ଲାଜରେ କୌଣସି ବି ଦେବତାଙ୍କୁ ଟିକିଏ ମୁହଁ ଟେକି ଚାହିଁ ପାରନ୍ତିନି।
ଦିନେ ମାଆ ପାର୍ବତୀ ତାଙ୍କ ମନର କଥା ସ୍ବାମୀଙ୍କୁ କହିଲେ। ଶିବ ଏହାଶୁଣି କହିଲେ, ଓ,ଏଇ କଥା, ଏଥିପାଇଁ ତୁମେ ଏତେ ମନ ଉଣା କରୁଛ। ଏଇତ ଆମ ନିକଟରେ କୁବେରପୁରୀ ଅଛି । ତୁମେ ମୋ ବିଭୂତିରୁ ଟିକିଏ ନେଇଯାଇ ତାଙ୍କୁ କୁହ, ସେତିକି ଓଜନର ସୁନା ଆମକୁ ଦେବେ। କଥାଟା ମାଆଙ୍କୁ କେମିତି କେମିତି ଲାଗିଲା । ସେ ଭାବିଲେ, ସେହି ବିଭୂତିର କି ମୂଲ୍ୟ ଅଛି ଯେ, କୁବେର ତାଙ୍କୁ ସୁନା ଦେବେ। ତଥାପି ସ୍ବାମୀ ଯେ ହେତୁ କହୁଛନ୍ତି ତାଙ୍କ କଥା ମାନି ସେ କୁବେରଙ୍କ ପାଖକୁ ଗଲେ। ଧନପତି କୁବେର ପାର୍ବତୀଙ୍କ କଥାଶୁଣି କହିଲେ, ବିଭୂତିକୁ ଆଉ ଓଜନ କରିବା କଣ । ତୁମକୁ ମୁଣ୍ଡାଏ ସୁନା ଦେଉଛି, ନେଇ ଯାଅ। ତାଙ୍କ କଥା ଶୁଣି ପାର୍ବତୀ କହିଲେ, ମୋର ଏତେ ସୁନା କଅଣ ହେବ। ଏହି ବିଭୂତି ଓଜନର ସୁନା, କେବଳ ମୋତେ ଦିଅନ୍ତୁ। କୁବେର ଭାବିଲେ ଏତିକି ସୁନା ପାର୍ବତୀଙ୍କୁ ବୋଧ ହୁଏ ବିଭୂତିର ଠିକ୍ ମୂଲ୍ୟ ଲାଗୁ ନାହିଁ, ସେ ଅଧିକା ପାଇବାକୁ ଚାହୁଁଛନ୍ତି। ଏହାଭାବି କୁବେର ତାଙ୍କୁ କହିଲେ ତା' ହେଲେ ଆପଣ ଶଗଡ଼େ ସୁନା ନେଇ ଯାଆନ୍ତୁ। ପାର୍ବତୀ ପୁଣି କହିଲେ, ଆପଣ ମୋତେ ଖାଲି ଏହି ବିଭୂତିକୁ ତଉଲ କରି, ତାରି ଓଜନର ସୁନା ଦିଅନ୍ତୁ, ମୋର ଅଧିକା ଦରକାର ନାହିଁ। ପାର୍ବତୀ ଅଧିକସୁନା ଚାହୁଁଛନ୍ତି ଭାବି ପୁଣି କୁବେର କହିଲେ, ମୁଁ ଆପଣଙ୍କୁ ଦଶଶଗଡ଼ ସୁନା ଦେଉଛି ନେଇ ଯାଆନ୍ତୁ। ଏଥର ପାର୍ବତୀ ଖୁବ୍ ବିରକ୍ତହୋଇ କହିଲେ, ମୁଁ ଆପଣଙ୍କୁ ଏହି ବିଭୂତି ଓଜନ ସୁନା ଦେବାପାଇଁ ବାରମ୍ବାର କହୁଛି। ଆପଣ ତାହା ନ କରି ଏପଟ ସେପଟ କରି, କଅଣ ସବୁ କହୁଛନ୍ତି । ଚିମୁଟାକ ଏହି ବିଭୂତିକୁ ଆପଣ ତଉଲ କରନ୍ତୁ ଓ ମୋତେ ସେତିକି ଓଜନର ସୁନା ଦିଅନ୍ତୁ।
ପାର୍ବତୀଙ୍କ ଜିଦ୍ ଦେଖି କୁବେର ଭୃତ୍ୟ ମାନଙ୍କ ହାତରେ ଏକ ତରାଜୁ ମଗାଇଲେ। ସେହି ତରାଜୁର ଏକ ପାର୍ଶ୍ଵ ପଲାରେ ବିଭୁତି ରଖା ଗଲା ଏବଂ ଅନ୍ୟ ପଲାରେ କୁବେର ଆଣି ସୁନା ରଖିଲେ। ଏଭଳି ତରାଜୁରେ ଆଣି କୁବେର ନିଜ ଭଣ୍ଡାରରେ ଥିବା ସମସ୍ତ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ବସ୍ତୁ ସବୁ ରଖିଲେ। କିନ୍ତୁ ତରାଜୂର ସେହି ପାଲାଟି, ଆଦୌ ଭୂମିରୁ ଉଠିଲା ନାହିଁ। ଏହିପରି କୁବେରଙ୍କ ଭଣ୍ଡାର ଶୂନ୍ୟ ହୋଇଗଲା କିନ୍ତୁ ତରାଜୁ ସମତୁଲ ହେଲା ନାହିଁ। ଏଥର ପାର୍ବତୀ ବୁଝି ଗଲେ ସଂସାରର ସବୁ ଧନ ଶିବଙ୍କ ବିଭୁତି ଆଗରେ ତୁଚ୍ଛ।
ମାଆ କୈଳାସକୁ ଫେରିଗଲେ ଓ ଭଗବାନ୍ ଶିବଙ୍କୁ କହିଲେ, ନାଁ ! ଆମ ପାଖରେ ଏ ଅମୂଲ୍ୟ ବିଭୁତି ଅଛି। ଆମର ଆଉ କୌଣସି ଧନର ଆବଶ୍ୟକତା ନାହିଁ। !
ଓଁ ନମଃ ଶିବାୟ !
                🙏🙏🙏
                   ଅର୍ଜୁନୀ
                   -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational