STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଧନ୍ୟ ସେ ଦ୍ଵାରିକା ମହିମା  ନିର୍ମାଣ କଲା ବିଶ୍ଵକର୍ମା

ଧନ୍ୟ ସେ ଦ୍ଵାରିକା ମହିମା  ନିର୍ମାଣ କଲା ବିଶ୍ଵକର୍ମା

5 mins
5

        ଧନ୍ୟ ସେ ଦ୍ଵାରିକା ମହିମା
           ନିର୍ମାଣ କଲା ବିଶ୍ଵକର୍ମା
           =============
ମଥୁରା ପତି କଂସର ନିମନ୍ତ୍ରଣରେ କୃଷ୍ଣ ବଳରାମ ମଥୁରା ଗଲେ l ସେଠାରେ ସେ ଯାଇ ମହା ମହାମଲ୍ଲ ଯଥା ଚାଣୁର, ମୁଷ୍ଟିକ ପ୍ରଭୃତିଙ୍କୁ ଅକ୍ଲେଶରେ ମାରି ପକାଇଲେ l କଂସର ସେମାନଙ୍କୁ ଡାକି ଆଣି ମାରିବା ଚକ୍ରାନ୍ତ ବିଫଳହେଲା l ଶେଷକୁ ସେ ମଧ୍ୟ ମଞ୍ଚାରୁ ପଡ଼ି ମଲା l କଂସର ମୃତ୍ୟୁରେ ତା'ର ବିଧବା ଦୁଇ ରାଣୀ ଅସ୍ତି ଓ ପ୍ରାପ୍ତି ବହୁତ କାନ୍ଦିଲେ l ମାଇଁ ମାନଙ୍କୁ ଶ୍ରୀକୃଷ୍ଣ ବୁଝେଇ କୌଣସି ପ୍ରକାରେ ଶାନ୍ତ କରାଇଲେ l ସ୍ବାମୀ ମରଣ ଶୋକକୁ କେଉଁ ନାରୀ ପୁଣି ଭୁଲି ପାରିବ l ଅସ୍ତି ଓ ପ୍ରାପ୍ତି ଦୁଇ ଭଉଣୀ ଥିଲେ ମଗଧସମ୍ରାଟ୍ ଅସୁରରାଜ ଜରାସନ୍ଧଙ୍କ ଝିଅ l ସେମାନେ ଯାଇ ପିତାଙ୍କୁ ନିଜ ଦୁଃଖ ଜଣାଇ କହିଲେ, ହେ ପିତା ! ଆମେ ଏବେ ଅନାଥିନୀ ହୋଇ ଗଲୁ l କିପରି ଆମେ ଏବେ ଜୀବନ ଧରିବୁ l ଅସୁର ରାଜ ଝିଅ ମାନଙ୍କ ବିକଳ କ୍ରନ୍ଦନ ଶୁଣି, କୋପରେ ଜଳି ଉଠି କହିଲା, ନାଁ ! ଏ ଯାଦବ ଓ ଯଦୁବଂଶକୁ ନିପାତ ନ କଲା ଯାଏ ମୋର ଆଉ ଶାନ୍ତି ନାହିଁ l ମୁଁ ଆଜି ଏଇ ରାମ କୃଷ୍ଣ ଦିଇଟାଙ୍କୁ ଆଗ ମାରି ଧରଣୀକୁ ଅଯାଦବା କରିବି l ଏପରି ଦୃଢ଼ ପ୍ରତିଜ୍ଞା କରି ଜରାସନ୍ଧ ତାର ତେଇଶି ଅକ୍ଷୋହିଣୀ ଅସୁର ଥାଟଙ୍କୁ ଧରି ମଥୁରା ଉପରେ ଆକ୍ରମଣ କଲା l ଅଗ୍ନିରେ ପତଙ୍ଗ ପଡ଼ିଲା ପ୍ରାୟେ ଶ୍ରୀକୃଷ୍ଣ କେବଳ ଜରାସନ୍ଧକୁ ଛାଡ଼ି ଦେଇ ତା'ର ସମସ୍ତ ସେନାଙ୍କୁ ସଂହାର କଲେ l ପଳାଇ ଯାଇ ଜରାସନ୍ଧ, ପୁନଃ ଏକ ବିରାଟ ବାହିନୀ ସଂଗଠିତ କରି ମଥୁରା ଉପରେ ଆକ୍ରମଣକଲା l ସେ ଏପରି ବାର ବାର ମଥୁରା ଉପରେ ସତରଥର ଆକ୍ରମଣ କଲା l ପ୍ରତି ଥର ଶ୍ରୀକୃଷ୍ଣ ତାର ସେନାଙ୍କୁ ସଂହାର କରି ଜରାସନ୍ଧକୁ ଛାଡ଼ି ଦିଅନ୍ତି l ଭଗବାନଙ୍କ କାମ ହେଉଛି ଦୁଷ୍ଟ ସଂହାରକରି ମହୀର ଭାରା ଉଶ୍ୱାସ କରିବା l ତେଣୁ ସେ ଏପରି କରିବା ଦ୍ବାରା ଅସୁର ମାନେ ବାର ବାର ଆସି ମରୁଥିଲେ l ଏପରି ଦିନେ ଅସୁର ରାଜ ଜରାସନ୍ଧ କାଳଯବନ ବୋଲି ଗୋଟିଏ ଭୟଙ୍କର ରାକ୍ଷସକୁ ତା ସହଯୋଗୀ ନିଯୁକ୍ତ କରି ମଥୁରା ଉପରେ ଆକ୍ରମଣ କରି ଏଥର ବଳରାମ ଓ କୃଷ୍ଣଙ୍କୁ ନିଃଶେଷ କରି ଦେବ ବୋଲି ଯୋଜନା କଲା l ଶ୍ରୀକୃଷ୍ଣ, ଏଥର ଆକ୍ରମଣର ଭୟାବହତାକୁ କଳି ନେଲେ l ଯଦିଓ ଶ୍ରୀକୃଷ୍ଣଙ୍କର ସାମର୍ଥ୍ୟ ଥିଲା ଏପରି ଆକ୍ରମଣକୁ ପ୍ରତିହତ କରିବାକୁ କିନ୍ତୁ ତାହା ସେ କଲେ ନାହିଁ l ସେ ଚିନ୍ତା କଲେ ମଥୁରା ବାସୀ ଦୁର୍ଦ୍ଦାନ୍ତ ଅସୁର ଗୁଡ଼ାକଙ୍କ ଆକ୍ରମଣ ଆଉ କେତେ ସହିବେ l ମୁଁ ଯାଉଛି ସମସ୍ତ ଯାଦବଙ୍କୁ ନେଇ ଅନ୍ୟଏକ ନିରାପଦ ସ୍ଥାନକୁ ଚାଲିଯିବି l ଶ୍ରୀକୃଷ୍ଣ ବଳରାମଙ୍କୁ ଏ କଥା କହିଲେ, ବଳରାମ ଏଥିରେ ସମ୍ମତ ହେଲେ l ରାତିରେ ମଥୁରାବାସୀ ସମସ୍ତେ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି, ଶ୍ରୀକୃଷ୍ଣ ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଡକାଇ କହିଲେ, ତୁମେ ସମୁଦ୍ର ଭିତରେ ମୋପାଇଁ ଦ୍ୱାରକା ନାମରେ ଏକ ସୁନ୍ଦର ନଗର ନିର୍ମାଣ କରିଦିଅ l ମୁଁ ସିନ୍ଧୁ ରାଜଙ୍କୁ କହି, ସାଗର ମଧ୍ୟରେ ଦ୍ଵାଦଶ ଯୋଜନ ପରିମିତ ଭୂମି ନେଇ ସାରିଛି l ଶ୍ରୀକୃଷ୍ଣଙ୍କ ଠାରୁ ଆଜ୍ଞା ପାଇ ଦେବଶିଳ୍ପୀ ବିଶ୍ବକର୍ମା ଏକ ସୁନ୍ଦର ନଗର ନିର୍ମାଣ କରି ଦେଲେ l ସେହି ନଗରର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ଭାଗବତ କହିଲେ:- ଚିତ୍ର ବିଚିତ୍ର ପୁର ମାନ l ଦେଖିଲେ ମୋହେ ପ୍ରାଣୀ ମନ l ଅତି ସୁସଞ୍ଚ ଉଚ୍ଚସାର l ମେଢ଼ ଅଟ୍ଟାଳୀ ପୁରଦ୍ଵାର l ପୁଣି ସେହି ସୁନ୍ଦର ନଗରରେ ସ୍ଵୟଂ ଦେବ ରାଜ ଇନ୍ଦ୍ର ଆଣି ସୁଧର୍ମାସଭା ଓ ପାରିଜାତ ପୁଷ୍ପ ଖଞ୍ଜି ଦେଲେ l ମର୍ତ୍ତ୍ୟରେ ଅତି ସୁନ୍ଦର ଦ୍ୱାରାବତୀପୁର ସ୍ୱର୍ଗର ଅମରାବତୀ ପରି ଶୋଭା ଧାରଣ କଲା l ଦ୍ଵାରକାପୁର ନିର୍ମାଣ ହୋଇଯିବା ପରେ ସମସ୍ତ ଦେବା ଦେବୀ ଆସି, ବହୁ ମୂଲ୍ୟବାନ ରତ୍ନ ଏବଂ ଅଳଙ୍କାର ମାନ ଦେଇ ଦ୍ୱାରକାକୁ ଆହୁରି ସୁନ୍ଦର କରି ଦେଲେ l ସବୁ ଠିକଠାକ୍ ହୋଇଯିବା ପରେ ଶ୍ରୀକୃଷ୍ଣ ତାଙ୍କ ଯୋଗ ଶକ୍ତି ବଳରେ ଶୋଇ ଥିବା ମଥୁରାବାସୀ ମାନଙ୍କୁ ନେଇ ଦ୍ୱାରିକାର ଯେଝା ଯେଝା ପୁରରେ ପହଞ୍ଚାଇ ଦେଲେ l ରାତି ପାହିଲା ବେଳକୁ ମଥୁରାର ଲୋକ ଦେଖନ୍ତି ତ ସେମାନେ ସାଗର ମଧ୍ଯରେ ଏକ ଅପୂର୍ବ ନଗରରେ ଅଛନ୍ତି l ଯାଦବ ମାନଙ୍କୁ ନିର୍ଭୟରେ ଠାବକରାଇ ଶ୍ରୀକୃଷ୍ଣ ବଳରାମଙ୍କ ସହ ଚାଲିଲେ ମଥୁରା l ଏହି ଥର ଯେତେ ବେଳେ ଜରାସନ୍ଧ ତାଙ୍କୁ ଆକ୍ରମଣ କଲା ଶ୍ରୀକୃଷ୍ଣ ଆଉ କିଛି ନକହି ପଛଘୁଞ୍ଚା ଦେଲା ପରି ଦୋଉଡ଼ିବାକୁ ଲାଗିଲେ l ତାଙ୍କ ପଛେ ପଛେ ଚାଲିଲେ ବଳରାମ l ତାଙ୍କ ପଛରେ ଜରାସନ୍ଧ ତା ଚତୁରଙ୍ଗ ବଳ ଧରି ଗୋଡାଉ ଥାଏ କିନ୍ତୁ କୌଣସି ମତେ କୃଷ୍ଣ ବଳରାମଙ୍କ ପାଖରେ ପହଞ୍ଚି ପାରୁ ନ ଥାଏ l ଜରାସନ୍ଧ ସହିତ ଯୁଦ୍ଧ ନ କରି ପଳାଇ ଥିବା ହେତୁ କୃଷ୍ଣଙ୍କର ଗୋଟିଏ ନାମ ହେଲା ରଣଛୋଡ଼ ଜୀ l କୃଷ୍ଣ, ବଳରାମ ଜରାସନ୍ଧ ଠାରୁ ପଳାଇ ଯାଇ ଦ୍ଵାରକା ନିକଟରେ ରଇବତକ ପର୍ବତ ଉପରେ ଚଢ଼ି ଲୁଚି ଗଲେ l ଖୋଜି ଖୋଜି ଯେତେବେଳେ ଜରାସନ୍ଧ ଆଉ ତାଙ୍କୁ ପାଇଲା ନାହିଁ ସେ ସୈନ୍ୟମାନଙ୍କ ଦ୍ବାରା ରଇବତକ ପର୍ବତରେ ନିଆଁ ଲଗାଇ ଦେଲା l କୃଷ୍ଣ ବଳରାମ ପର୍ବତରେ ନିଆଁ ଲାଗିବା ଦେଖି ପର୍ବତ ଉପରୁ ଲେଲିହାନ ଶିଖାକୁ ଡେଇଁ ଦ୍ୱାରିକା ପୁରରେ ପ୍ରବେଶ କଲେ l ନିଆଁରେ ଦଗ୍ଧ ହୋଇ କୃଷ୍ଣ ବଳରାମ ମରିଛନ୍ତି ମନେ କରି ଜରାସନ୍ଧ ମଗଧକୁ ଫେରି ଗଲା l ଶ୍ରୀକୃଷ୍ଣ ଦ୍ଵାରକା ନଗରୀରେ ଯଦୁବଳଙ୍କ ସହ ମହା ଆନନ୍ଦରେ ବାସ କଲେ l କ୍ରମେ ସେ ଅଷ୍ଟ ପାଟବଂଶୀଙ୍କ ସମେତ ଷୋଳ ହଜାର ଏକଶହ ଆଠ ରାଣୀଙ୍କୁ ଵିଵାହ କଲେ l ଜରାସନ୍ଧ ନିହତ ହେଲା ଶ୍ରୀକୃଷ୍ଣ ଓ ଭୀମଙ୍କ ହସ୍ତରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ବେଳେ l ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ପାଣ୍ଡବଙ୍କ ସହାୟତା କରି ଧର୍ମରାଜଙ୍କୁ ଯୁଦ୍ଧ ଜୟୀ କରାଇ, ହସ୍ତୀନା ସିଂହାସନରେ ଅଭିଷିକ୍ତ କରାଇ ଦ୍ୱାରକା ଫେରି ଆସିଲେ l
ଏବେ ଭଗବାନଙ୍କ ଦ୍ଵାପର ଲୀଳା ସମାପ୍ତ ହୋଇ ଆସିଲା l ସେ ବର୍ତ୍ତମାନ ବୈକୁଣ୍ଠକୁ ପ୍ରତ୍ୟାଗମନ କରିବେ l କିନ୍ତୁ ସେ ଦେଖିଲେ, ତାଙ୍କ ଛତ୍ର ଛାୟା ତଳେ ରହି ଯାଦବ ମାନେ ବଡ଼ ଉଚ୍ଛ୍ରୁଙ୍ଖଳ ହୋଇ ପଡ଼ିଛନ୍ତି l ଏମାନେ ରହିଲେତ ପୁଣି ଏହି ଧରାକୁ ସରା ଜ୍ଞାନ କରିବେ l ଏଣୁ ମାୟା ବିସ୍ତାର କରି ସମସ୍ତ ଯଦୁ ବଂଶକୁ ବ୍ରହ୍ମଶାପ ଦ୍ୱାରା ଧ୍ଵଂସ କଲେ l ତାଙ୍କ ପୂର୍ବରୁ ବଳରାମ ସର୍ପ ରୂପ ହୋଇ ସାଗର ମଧ୍ୟରେ ଗୁପ୍ତ ହୋଇ ଗଲେ l ସର୍ବ ଶେଷରେ ଭଗବାନ ଜରା ଶବର ବାଣରେ ପ୍ରାଣ ଛାଡ଼ିଲେ l ଭଗବାନ ଧରାଧାମ ଛାଡିଲା ବେଳେ ଭକ୍ତ ଶ୍ରେଷ୍ଠ ଉଦ୍ଧବଙ୍କୁ ଭାଗବତ ଶାସ୍ତ୍ରର ସମସ୍ତ ତତ୍ତ୍ୱ ଜ୍ଞାତକରାଇ ଉପଦେଶ ଛଳରେ କହି ଥିଲେ, ସମସ୍ତ ପ୍ରାଣୀ ଦେହରେ ମୋତେ ଦର୍ଶନ କର l ମନରେ କୌଣସି ପ୍ରକାର ଦ୍ଵିଧା ନ ରଖି ମୋ ଠାରେ ନିଜକୁ ସର୍ବୋତଭାବେ ସମର୍ପଣକର l ଜୀବନର ସମସ୍ତ କର୍ମଫଳ ମୋତେ ଅର୍ପଣ କରି ଶାନ୍ତି ଲାଭ କର l ମୋର ନାମ ସଙ୍କୀର୍ତ୍ତନ କରି ଆନନ୍ଦ ଲାଭ କର l ସର୍ବସଂକଳ୍ପ ଛାଡ଼ି ତୁହି l ସକଳ କର୍ମ ମୋତେ ଦେଇ ll ଏକାନ୍ତେ ବୀର ଭଜ ମୋତେ l ସଂସାର ଚିନ୍ତା ଛାଡ଼ି ଚିତ୍ତେ ll ମୋର ବଚନେ ଅନୁସର l ଏ ଭବଜଳୁଁ ହୁଅ ପାର ll ପୁଣି ସେ ଉଦ୍ଧବଙ୍କୁ କହିଥିଲେ, ତୁମେ ଖୁବ୍ ଶୀଘ୍ର ଏହି ଭାଗବତ ଧର୍ମକୁ ନେଇ ବଦ୍ରିକାଶ୍ରମକୁ ଚାଲି ଯାଅ l କାରଣ ମୁଁ ଚାଲି ଯିବା ପରେ:- ଜଳେ ଦ୍ୱାରକା ନାଶ ଯିବ l କେବଳ ମୋର ପୂର ଥିବ ll
ସତକୁ ସତ, ଭଗବାନ ଶ୍ରୀକୃଷ୍ଣଙ୍କ ସ୍ଵଧାମ ଗମନ ପରେ ରମଣୀୟ ଦ୍ଵାରକା ନଗରୀ, ଅଗାଧସମୁଦ୍ର ମଧ୍ୟରେ ନିମଜ୍ଜିତ ହୋଇଗଲା l ଭଗବାନଙ୍କ କଥା ଅନୁସାରେ ବର୍ତ୍ତମାନ ଆମେ ଯାହା ଦେଖୁଛୁ ତାହା ହେଉଛି ତାଙ୍କ ପୂର, ଭେଟଦ୍ଵାରକା l ଦିନେ ସେହି ଠାରେ ବାଲ୍ୟବନ୍ଧୁ ଭକ୍ତ ସୁଦାମାଙ୍କ ସହ ପ୍ରଭୁଙ୍କର ଭେଟ ହୋଇଥିଲା l
                🙏🙏🙏
                    ଅର୍ଜୁନୀ
                   ------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧


Rate this content
Log in

Similar oriya story from Inspirational