STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୃଷ୍ଣଙ୍କୁ ବେଶକରି ସୁଦାମା ମାଳି

କୃଷ୍ଣଙ୍କୁ ବେଶକରି ସୁଦାମା ମାଳି

5 mins
1

     କୃଷ୍ଣଙ୍କୁ ବେଶକରି ସୁଦାମା ମାଳି     
      =================
କଂସର ଆଦେଶ ପାଇ ଅକ୍ରୁର ଧନୁଯାତ୍ରା ଦେଖିବା ପାଇଁ ଗୋପ ପୁରକୁ ଯାଇ କୃଷ୍ଣ ବଳରାମଙ୍କୁ ମଥୁରା ଘେନି ଆସିଲେ। ଅକ୍ରୁରଙ୍କ ରଥ ଆସି ମଥୁରାପୁର ନିକଟରେ ସୂର୍ଯ୍ୟାସ୍ତ ପୁର୍ବରୁ ପହଞ୍ଚି ଗଲା। ଶ୍ରୀକୃଷ୍ଣ ଅକ୍ରୁରଙ୍କୁ କହିଲେ, ଏଠି ଟିକିଏ ରଥ ରଖ । ଆମ ସାଙ୍ଗରେ ଆସୁଥିବା ଗୋପ ବାଳକ ମାନେ ପଛରେ ଅଛନ୍ତି। ସେମାନେ ଆସନ୍ତୁ ଆଉ ଦଧି ଘୃତ ଶକଟ ମାନେ ଆସି ଏକାଠି ହୁଅନ୍ତୁ, ତେବେ ଯାଇ ଆମେ କଂସକୁ ଖବର ଦେବା। ଏପରି କହୁ କହୁ ସମସ୍ତେ ଆସି ପହଞ୍ଚି ଗଲେ। ଶ୍ରୀକୃଷ୍ଣ କହିଲେ, ଆମେ ଏହି ତୋଟାରେ ଅଛୁ, ତୁମେ ଯାଇ ମାମୁଁଙ୍କୁ ଖବର ଦିଅ ଆମେ ସମସ୍ତ ସମ୍ଭାରଧରି ଆସି ପହଞ୍ଚି ଗଲୁ। କାଲି ଆମେ ରାଜାଙ୍କ ଦର୍ଶନ କରିବୁ। ତୁମର ଏବେ କାମ ଶେଷ ହୋଇଛି। ରାଜାଙ୍କୁ ଏତକ ଖବର ପହଞ୍ଚାଇ ତୁମେ ତୁମ ଘରକୁ ଯିବ। ଅକ୍ରୁର ଘରକୁ ଯିବା କଥା ଶୁଣି କହିଲେ, ଆପଣମାନଂକୁ ଏହି ତୋଟାରେ ବସାଇ,ମୁଁ କିପରି ନିଜ ଘରକୁ ଯିବି, ଆପଣ ସମସ୍ତେ ଚାଲନ୍ତୁ ମୋ ଘର । ଆପଣଂକ ପାଦର ଧୂଳି ମୋ ଘରକୁ ପବିତ୍ର କରୁ । ଏପରି ଅକ୍ରୁର ବହୁତ୍ ଜିଦ୍ କରିବାରୁ କୃଷ୍ଣ ତାଙ୍କୁ ବୁଝାଇଲେ, ମୁଁ ନିଶ୍ଚୟ ତୁମ ଘରକୁ ଭାଇଙ୍କ ସହ ଯିବି। କିନ୍ତୁ ମୁଁ ଯେଉଁଥି ପାଇଁ ଆସିଛି ସେହି କାମ ଆଗ ସାରେ। କୃଷ୍ଣଙ୍କ କଥାରେ ଅକ୍ରୁର ଟିକେ ମନ ଦୁଃଖ କରି କଂସ ନିକଟକୁ ଗଲେ ଓ ନିଜ କାର୍ଯ୍ୟ ବିଷୟରେ କହି ଘରକୁ ବାହୁଡ଼ି ଗଲେ।
ପରଦିନ ଅପରାହ୍ନରେ କୃଷ୍ଣ ବଳରାମ ସମସ୍ତ ବନ୍ଧୁ ପରିଜନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ରମଣୀୟ ମଥୁରା ନଗରୀରେ ପ୍ରବେଶ  କଲେ । ମଥୁରା ରାଜ ଦାଣ୍ଡରେ ଚାଲି ଯାଉଥିବା ବେଳେ ତାଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ଲୋକମାନେ ଗହଳି ଲଗାଇ ଦେଲେ। ମଥୁରାର ପୁରନାରୀ ଓ ଯୁବତୀ ମାନେ କୃଷ୍ଣ ଆସୁଛନ୍ତି ଶୁଣି ଅସମ୍ଭାଳ ହୋଇ ଘର କାମ ଧନ୍ଦା ଛାଡ଼ି ଧାଇଁଲେ । କୃଷ୍ଣଙ୍କୁ ଦେଖିବାପାଇଁ ତାଙ୍କର ବ୍ୟାକୁଳ ଭାବକୁ ଲକ୍ଷ୍ୟକରି କେହି ଜଣେ କବି ବର୍ଣ୍ଣନା କଲେ :- ଧାଇଁଲେ ମଥୁରା ଯୁବତୀମାନେ। ପ୍ରଦୀପ ଦେଖିଲେ ପତଙ୍ଗ ଯେହ୍ନେ।।
ସବୁ ପୁରନାରୀ ମାନେ ରାଜ ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଅଟ୍ଟାଳିକା ମାନଙ୍କ ଉପରୁ କୃଷ୍ଣ ବଳରାମଙ୍କ ଉପରେ ପୁଷ୍ପ ଓ ଦୁର୍ବାକ୍ଷତ ମାନ ବୃଷ୍ଟି କରିବାରେ ଲାଗିଲେ। ସେମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ, ଦେଖ ବ୍ରଜ ଗୋପୀମାନେ କେତେ ତପ କରିଥିଲେ ସେମାନେ ଏହି ଆନନ୍ଦମୂର୍ତ୍ତୀ ଦ୍ବୟଙ୍କୁ ସର୍ବଦା ଦର୍ଶନ କରୁଥିଲେ । କୃଷ୍ଣ ବଳରାମ ଦାଣ୍ଡରେ ଆଗେଇ ଚାଲି ଥାନ୍ତି, କିଛି ଦୂର ଯାଇ ସେମାନେ ଦେଖିଲେ ଗଣ୍ଠିଲିରେ ଜଣେ ରଜକ ସୁନ୍ଦର୍ ରଙ୍ଗୀନ ବସ୍ତ୍ର ସବୁ ନେଇ ଯାଉଛି। କୃଷ୍ଣ ତାକୁ ଅଟକାଇ କହିଲେ, ଖୁବ୍ ସୁନ୍ଦର ଲୁଗା ସବୁ ନେଇକି ଯାଉଛୁ ଆମକୁ ଦୁଇଖଣ୍ଡ ବସ୍ତ୍ର ଦିଅ ଆମେ ପିନ୍ଧିବୁ। ଆମେ ରାଜାଙ୍କ ଭଣଜା। ରାଜାଙ୍କ ଘରକୁ ଯାଉଛୁ। କୃଷ୍ଣଙ୍କ କଥା ଶୁଣି କଂସର ସେହି ରଜକ କହିଲା, ଆରେ, ତୁମ ଗୁଡ଼ାକଙ୍କ କୌଣସି ଜାତି ପତି ନାହିଁ । ବନରେ ଗୋରୁ ଚରାଉ ଥିଲ । ତୁମର ଏଡ଼େ ବହପ, ରାଜାଙ୍କ ବସ୍ତ୍ର ପିନ୍ଧିବା ପାଇଁ ଇଚ୍ଛା କରୁଛ !! ରଜକର ଏହି ତାତ୍ସଲ୍ୟପୂର୍ଣ୍ଣ କଥା ଶୁଣି କୃଷ୍ଣ ତାକୁ ଏକ ଶକ୍ତ ଚାପୁଡ଼ା ମାଇଲେ ଯେ ରଜକର ମୁଣ୍ଡ ଗଣ୍ଡି ଅଲଗା ହୋଇଗଲା । ଏହା ଦେଖି ସାଙ୍ଗରେ ତାର ଯେତେ ଲୋକ ଥିଲେ, ଲୁଗା ଗଣ୍ଠିଲିକୁ ଛାଡ଼ି ଯେ ଯୁଆଡେ ପାରେ ଦୋଉଡ଼ି ପଳାଇ ଗଲେ। ବସ୍ତ୍ର ଗଣ୍ଠିଲି ଖୋଲି କୃଷ୍ଣ ବଳରାମ ଦୁଇଖଣ୍ଡ ଭଲ ପୀତ, ନୀଳ, ରଙ୍ଗର ଲୁଗା ପିନ୍ଧିଲେ । ଆଉ କିଛି ଗୋପବାଳକଙ୍କୁ ବାଣ୍ଟି ଦେଲେ । ଏହି ସମୟରେ ଜଣେ ଗନ୍ତାଇତ ଆସି, କୃଷ୍ଣ, ବଳରାମଙ୍କୁ ସୁନ୍ଦର କାଛେଣି ଦେଇ ଲୁଗା ପିନ୍ଧେଇ ଦେଲା। ଶ୍ରୀକୃଷ୍ଣ ତାକୁ ଆଶୀର୍ବାଦ କରି ଆଗକୁ ଚାଲିଲେ।
କଂସର ସେହି ରଜକ ପୂର୍ବ ଜନ୍ମରେ ରାମାୟଣର ସେହି ରଜକ ଥିଲା, ଯାହାପାଇଁ ଜଗତ ଜନନୀ ସୀତା ନିର୍ବାସିତା ହୋଇ ଥିଲେ। ସେ ପୂର୍ବ ଜନ୍ମରେ କରିଥିବା ସେହି ଅପରାଧ ପାଇଁ ଏ ଜନ୍ମରେ ଏପରି ପ୍ରଭୁଙ୍କ ହସ୍ତରେ ମୁକ୍ତି ଲାଭ କଲା। ଏହାପରେ କୃଷ୍ଣ ବଳରାମ ଯାଇ ସୁଦାମା ମାଳିର ଘରେ ପହଞ୍ଚିଲେ । ଦୁହିଁଙ୍କୁ ଦେଖି, ସୁଦାମା ମାଳି ତାଙ୍କୁ ପ୍ରଣାମ କରି କହିଲା, ଆହା ! ଆଜି ମୋର କେଡ଼େ ଭାଗ୍ୟ। ସୁଦାମାର ସ୍ତ୍ରୀ ଘର ଭିତରୁ ଜଳ ଘଟ ଧରି ବାହାରି ଆସିଲା । ଦୁହେଁ ପ୍ରଭୁଙ୍କ ପାଦ ଧୋଇ ସେହି ଜଳକୁ ନେଇ ସିଞ୍ଚି ହୋଇ ଆନଂଦ ସାଗରରେ ବୁଡ଼ି ଗଲେ। କୃଷ୍ଣ ବଳରାମଙ୍କୁ ଦୁହେଁ ଆସନରେ ବସାଇ, ଫୁଲ, ଚନ୍ଦନ, ପାଦ୍ୟ, ଅର୍ଘ୍ୟ ଦେଇ ପୂଜାକଲେ। ପୂଜା ପରେ ସୁଦାମା କହିଲେ, ଆପଣ ଦୁହେଁ ଆଜି ମୋ ଘରକୁ ଆସି ମୋ ଜନ୍ମ ସାର୍ଥକ କରିଛନ୍ତି । ମୋ' ଉପରେ ପିତୃ, ଦେବତା ଓ ଋଷିମାନେ ସନ୍ତୁଷ୍ଟ ହୋଇଛନ୍ତି । ଆପଣ ଦୁହେଁ ହେଉଛନ୍ତି ଏହି ସମସ୍ତ ବିଶ୍ୱ ଜଗତର କାରଣ ସ୍ୱରୂପ। ଜଗତର ମଙ୍ଗଳ ପାଇଁ ଆପଣ ଦୁହେଁ ଅବତରିତ ହୋଇଛନ୍ତି । ଆପଣ ହେଉଛନ୍ତି ଜଗତର ଆତ୍ମା। ଆପଣ ଭକ୍ତ ଅନୁଗ୍ରହକାରୀ। ଆପଣଂକ କାହାରି ପ୍ରତି ଭେଦ ନଥାଏ। ମୁଁ ଆପଣଙ୍କ ଭୃତ୍ୟ । ଆଜ୍ଞା ଦିଅନ୍ତୁ, ଆମେ କି ସେବା କରିବୁ ।
କୃଷ୍ଣ କହିଲେ, ଆମେ ରଜା ଘରକୁ ଯାଉଛୁ ତୁମେ ତ ମାଳାକାର, ଦିଅ, ଆମକୁ ସୁନ୍ଦର କୁସୁମର ମାଳା ଆଣିଦିଅ। ତାକୁ ପିନ୍ଧି ଆମେ ଯେପରି ସୁନ୍ଦର ଦିଶିବୁ। କୃଷ୍ନଙ୍କ କଥା ଶୁଣି ସୁଦାମାମାଳି ଘର ଭିତରକୁ ପଶି ଏକ ବଡ଼ ପାଛିଆରେ ବିବିଧ କୁସୁମର ମାଳା ଓ ଫୁଲ ନେଇ ଆସି କୃଷ୍ଣଙ୍କ ଆଗରେ ରଖି ଦେଲା। କୃଷ୍ଣ ସେଥିରୁ ଦୁଇଟି ମାଳା ଦୁଇ ଭାଇଙ୍କ ପାଇଁ ପସନ୍ଦ କରି ସୁଦାମାକୁ କହିଲେ ନିଅ ଏହି ମାଳା ଆମକୁ ପିନ୍ଧାଇ ଫୁଲରେ ଆମକୁ ସୁନ୍ଦର ବେଶ କରି ଦିଅ। ପ୍ରଭୁଙ୍କ କଥାରେ ସୁଦାମା ରାମ କୃଷ୍ଣ ଦୁଇ ଭାଇଙ୍କୁ ବେଶ କରିବାରେ ଲାଗିଲା । ବୈଷ୍ଣବ କବି ଭକ୍ତ ଚରଣ ଦାସ, ସେହି ଦୃଶ୍ୟକୁ ମଥୁରାମଙ୍ଗଳ କାବ୍ୟରେ ସୁନ୍ଦର କରି ବର୍ଣ୍ଣନା କଲେ:- କୃଷ୍ଣଙ୍କୁ ବେଶକରି ସୁଦାମା ମାଳି ।
 ଚୁଳେ ଖଞ୍ଜିଲା ନେଇ କେତକୀ କଳି ।। ବେଢାଇ ଦେଲା ନବ ବକୁଳ ଦାମ ।   
    ଶୋଭାକୁ ଶକ୍ରଚାପ ନୋହିବ ସମ ।।
ମାଳିର ବେଶ ଶେଷ ହେଲା। ଗୋପାଳ ପିଲାଙ୍କ ସହ, ରାମ କୃଷ୍ଣ ସୁନ୍ଦର ସୁନ୍ଦର ମାଳାରେ ଭୂଷିତ ହୋଇ ସୁନ୍ଦର ଦିଶିଲେ । ପ୍ରଭୁ ଖୁବ୍ ଆନନ୍ଦ ହୋଇ କହିଲେ, ସୁଦାମା, ତୁ ଯାହା ବର ମାଗୁଛୁ ମାଗିନେ। ସୁଦାମା ତ ପ୍ରଭୁଙ୍କ ପରମଭକ୍ତ। ସେ ଆଉ ମାଗିବ କଣ। ସେ ମାଗିଲା:-
 ସର୍ଵ ସମ୍ପଦ ଅଟୁ ହରି ।
             ଭକତି ଦିଅ ତୁ ବିଚାରି ।।
 ତୋର ଭକତ ଯେତେ ଜନେ ।
          ସେବିବି ତାହାଙ୍କ ଚରଣେ ।।
 ପ୍ରାଣୀଙ୍କୁ ହେଉ ମୋର ଦୟା ।
     ଭୋ ନାଥ ମୋତେ ଦିଅ ଏହା ।।
ଭଗବାନ୍ ଶ୍ରୀକୃଷ୍ଣ ସୁଦାମା ମାଳିର ଏପରି ବର ପ୍ରାର୍ଥନାରେ ଅତୀବ ଆନନ୍ଦିତ ହୋଇ ତାକୁ ସେହି ବର ଦେଇ କହିଲେ, ତୋର ଧନ, ଆୟୁଷ, ଯଶ, ଶିରି, ବୃଦ୍ଧି ହେଉ। ଏପରି କହି ପ୍ରଭୁ ଭାଇ ଓ ଗୋପ ବାଳକ ମାନଙ୍କ ସହ ମଥୁରା ଦାଣ୍ଡରେ ଆଗେଇ ଚାଲିଲେ ଭୋଜପତି କଂସର ଭବନ ଆଡ଼କୁ। ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧର ୪୪ ଅଧ୍ୟାୟରେ ବର୍ଣ୍ଣିତ ଏହି ପ୍ରସଙ୍ଗ ଶେଷରେ, ସୁଦାମା ମାଳିର ବରପ୍ରାପ୍ତିକୁ ବର୍ଣ୍ଣନାକରି ଭାଗବତକାର ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ଲେଖିଲେ:-
 ମାଳାର ମନ ତୋଷ କରି।
          ଧନ ଆୟୁଷ ଯଶ ଶିରୀ ।।
 ଦେଇ ଚଳିଲେ ଦମୋଦର ।
          ଗୋପକୁମରେ ହଳଧର ।।
ସୁଦାମା ମାଳି ପୂର୍ବ ଜନ୍ମରେ ହେମମାଳୀ ନାମରେ ଜଣେ ମାଳି ଥିଲା । ସେ ଅତ୍ୟନ୍ତ ଭକ୍ତିମତା ଥିଲା ଏବଂ କୁବେରଙ୍କ ଚିତ୍ରରଥ ଉଦ୍ୟାନର ଯତ୍ନ ନେଉଥିଲା । ସେ ଶ୍ରୀକୃଷ୍ଣଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇବାକୁ ଶିବଙ୍କୁ ତପସ୍ୟା କଲା। ତା' ତପସ୍ୟାରେ ସନ୍ତୁଷ୍ଟ ହୋଇ, ଶିବ ତାକୁ ବର ଦେଇଥିଲେ ତୁମର ଏହି ଅଭିଳାଷ ଦ୍ଵାପର ଯୁଗରେ ପୂର୍ଣ୍ଣ ହେବ। ଭଗବାନ ଶିବଙ୍କ ସେହି ବର ଅନୁଯାୟୀ ସୁଦାମା ଶ୍ରୀକୃଷ୍ଣଙ୍କ ଏପରି ଦର୍ଶନ ଲାଭ କରିଥିଲା।
     ଓଁ କୃଷ୍ଣାୟ ଗୋବିନ୍ଦାୟ ନମଃ
               🙏🙏🙏
                   ଅର୍ଜୁନୀ
                   -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational