ରାଜା ଚିତ୍ରକେତୁ ଚରିତ
ରାଜା ଚିତ୍ରକେତୁ ଚରିତ
ରାଜା ଚିତ୍ରକେତୁ ଚରିତ
==============
ପ୍ରାଚୀନକାଳର କଥା, ଶୁରସେନ ଦେଶରେ ଚିତ୍ରକେତୁ ନାମକ ଜଣେ ଚକ୍ରବର୍ତ୍ତୀ ସମ୍ରାଟ୍ ରାଜ ପଣ କରୁ ଥିଲେ l ରାଜ୍ୟରେ ତାଙ୍କର କୌଣସି ଦୁଃଖଦୈନ୍ୟ ନଥିଲା l ପ୍ରଜାମାନେ ସୁଖରେ ବାସ କରୁଥିଲେ l ତାଙ୍କର କୋଟିଏ ରାଣୀ ଥିଲେହେଁ କାହା ଗର୍ଭରୁ କୌଣସି ପୁତ୍ର କନ୍ୟା ସମ୍ଭବ ହେଲା ନାହିଁ l ଏହାହିଁ ଥିଲା ଚିତ୍ରକେତୁଙ୍କର ଦୁଃଖ l
ଦିନେ ଋଷି ଅଙ୍ଗିରା ବିଭିନ୍ନ ଲୋକାଲୋକ ଭ୍ରମଣ କରି କରି ଆସି ସମ୍ରାଟ୍ ଚିତ୍ରକେତୁଙ୍କ ପ୍ରାସାଦରେ ପହଞ୍ଚି ଗଲେ l ମହାରାଜା ଅତି ଆନନ୍ଦରେ ତାଙ୍କୁ ପାଛୋଟି ନେଇ ପାଦ୍ୟ ଅର୍ଘ୍ୟ ଦେଇ ଋଷିଙ୍କ ପୂଜା କଲେ l ୠଷି ଆସନରେ ବସିଲାପରେ ସେ ତାଙ୍କ ପାଦପାଖରେ ତଳେ ବସିପଡ଼ିଲେ l ୠଷି ଅଙ୍ଗିରା ରାଜାଙ୍କର ଏ ବିନୟ ଭାବ ଦେଖି କୁଶଳ ଜିଜ୍ଞାସା ପୂର୍ବକ କହିଲେ, ହେ ରାଜନ୍, ତୁମେ ସୁଖରେ ଅଛ ତ, ତୁମ ପ୍ରଜା ମାନେ ସୁଖରେ ଅଛନ୍ତି ତ? ରାଜାଙ୍କୁ ନୀରବ ଦେଖି ଅଙ୍ଗିରା କହିଲେ, ମୋତେ ଲାଗୁଛି ତୁମର କୌଣସି କାମନା ଅପୂର୍ଣ୍ଣ ରହିଛି l
ଚିତ୍ରକେତୁ କହିଲେ,ହେ ମହାତ୍ମନ୍ ! ତ୍ରିକାଳ ଦର୍ଶୀ ଆପଣଙ୍କୁ କେଉଁ କଥାବା ଅଜଣାଅଛି l ଆପଣଙ୍କ ଆଶୀର୍ବାଦରୁ ମୁଁ ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛି l କିନ୍ତୁ ସନ୍ତାନଟିଏ ନ ଥିବାରୁ ମୋତେ ଟିକିଏ ମଧ୍ୟ ଶାନ୍ତି ମିଳୁନାହିଁ l ଏହାହିଁ ମୋର ଏକମାତ୍ର ଦୁଃଖ l ମୋ ପିତୃ ପୁରୁଷ ମାନେ ମଧ୍ଯ ପିଣ୍ଡ ପାଇବେନାହିଁ ଆଶଙ୍କା କରି ଅତିଶୟ ଦୁଃଖରେ ଅଛନ୍ତି l ଆପଣ ମୋତେ ସନ୍ତାନଟିଏ ପ୍ରଦାନ କରି ମୋତେ ଘୋର ନର୍କରୁ ଉଦ୍ଧାର କରନ୍ତୁ l
ରାଜାଙ୍କର ଏପରି ବିନୟ ଶୁଣି,ମହର୍ଷି ଅଙ୍ଗିରା ତ୍ବଷ୍ଟା ଦେବଙ୍କ ଉଦ୍ଦେଶ୍ୟରେ ଚରୁ ପ୍ରସ୍ତୁତକରି ସେଥିରେ ଯଜ୍ଞ କଲେ l ଚିତ୍ରକେତୁଙ୍କ ରାଣୀମାନଙ୍କ ମଧ୍ୟରେ ସବୁଠାରୁ ସଦଗୁଣବତୀ ରାଣୀ ଥିଲେ ବଡ଼ ରାଣୀ କୃତଦ୍ୟୁତି l ତାଙ୍କୁ ମହର୍ଷି ଚରୁପ୍ରସାଦ ଅର୍ପଣକରି କହିଲେ, ରାଜନ୍ ! ତୁମ ରାଣୀଙ୍କ ଗର୍ଭରୁ ଏପରି ଏକ ପୁତ୍ର ଜନ୍ମ ହେବ ଯିଏ ତୁମକୁ ହର୍ଷ ଓ ବିଷାଦ ଉଭୟ ଦେବ l ଏପରି କହି ୠଷି ପ୍ରସ୍ଥାନ କଲେ l ଯଥାକାଳେ ମହା ରାଣୀ କୃତଦ୍ୟୁତିଙ୍କ ଗର୍ଭରୁ ଏକ ସୁନ୍ଦର ପୁତ୍ର ଭୂମିଷ୍ଠ ହେଲା l ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ l ପୁଅର ଜାତ ସଂସ୍କାର କରି ସେ ବହୁ ଦାନ ଦକ୍ଷିଣା ଦେଲେ l
ବହୁ କଷ୍ଟରେ ପାଇଥିବା ପୁତ୍ରଟି ପ୍ରତି ରାଜା ତଥା ରାଣୀଙ୍କର ଦିନୁଦିନ ସ୍ନେହ ବଢ଼ିବାରେ ଲାଗିଲା l କିନ୍ତୁ ଏହା ଦେଖି ରାଣୀଙ୍କ ସଉତୁଣୀ ମାନଙ୍କ ମନ ପୁତ୍ରକାମନାରେ ଖୁବ୍ ବ୍ୟଥିତ ହେବାକୁ ଲାଗିଲା l ରାଜା ଚିତ୍ରକେତୁ ମଧ୍ୟ ରାଣୀ କୃତଦ୍ୟୁତିଙ୍କୁ ଯେତେ ସ୍ନେହ କଲେ ଅନ୍ୟମାନଙ୍କୁ କଲେ ନାହିଁ l ଫଳରେ ସମସ୍ତେ ଈର୍ଷାରେ ଜଳି ଉଠିଲେ l ଅତିଶୟ ଈର୍ଷା ପରାୟଣତାରୁ ସେମାନଙ୍କର ଆଉ ହିତାହିତ ଜ୍ଞାନ ରହିଲା ନାହିଁ l ଶେଷକୁ ସେମାନେ ପୁତ୍ରଟିକୁ ବିଷ ଦେଇ ଦେଲେ l ପୁଅଟି ଶୋଇଥାଏ l ବହୁ ସମୟ ଧରି ପୁତ୍ର ଶୋଇଛି, ଏଣୁ ରାଣୀ କୃତଦ୍ୟୁତି ଜଣେ ଧାଈକୁ ତାକୁ ଘେନି ଆଣିବାକୁ ପଠାଇଲେ l ଧାଈ ଯାଇ ମୃତ ପୂତ୍ରକୁ ଦେଖି ଉଚ୍ଚ ସ୍ଵରରେ କାନ୍ଦିବାରୁ ରାଣୀ ଦୌଡ଼ିଯାଇ ଦେଖନ୍ତିତ ପୁତ୍ର ତାଙ୍କର ନାହିଁ l ରାଣୀ ଅତି କରୁଣ ସ୍ବରରେ କାନ୍ଦିବାକୁ ଲାଗିଲେ l ତାଙ୍କ ସହ ହତ୍ୟାକାରୀ ରଣୀମାନେ ମଧ୍ୟ ଆସି ମିଛରେ କାନ୍ଦିବାକୁ ଲାଗିଲେ l ରାଜା ଚିତ୍ରକେତୁ ତାଙ୍କ ପୁତ୍ର ମରି ଯାଇଛି ଜାଣି ଅତ୍ୟନ୍ତ ଶୋକାକୁଳ ହୋଇ ପଡ଼ିଲେ l ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖା ଗଲା l
ଅତିଶୟ ଶୋକାକୁଳା ରାଣୀ ପୁତ୍ର ମୃତ୍ୟୁରେ କାନ୍ଦି କାନ୍ଦି ବିଧାତା ପୁରୁଷଙ୍କୁ ନିନ୍ଦା କରିବାକୁ ଲାଗିଲେ l ରାଜା ରାଣୀଙ୍କ କ୍ରନ୍ଦନ ସାଙ୍ଗକୁ ପ୍ରଜା ଓ ଅମାତ୍ୟ ମାନଙ୍କ କ୍ରନ୍ଦନ ମିଶି ସାରା ଜଗତଟା ଚେତାଶୂନ୍ୟ ହୋଇ ଗଲା ପରି ଲାଗିଲା l ରାଜା ଏବଂ ରାଣୀଙ୍କ ପାଖରେ କେହି ମଧ୍ୟ ନ ଥାନ୍ତି ଶାନ୍ତ୍ବନା ଦେବା ପାଇଁ l ଏପରି ଅବସ୍ଥା ଦେଖି ମହର୍ଷି ଅଙ୍ଗିରା ଓ ନାରଦ ଆସି ସେଠାରେ ପହଞ୍ଚି ଗଲେ l
ମହର୍ଷି ଅଙ୍ଗିରା ଚିତ୍ରକେତୁଙ୍କୁ ବିସ୍ତାରିତ କରି ଜୀବ ପରମ ତତ୍ତ୍ୱ ବୁଝାଇ କହିଲେ, ଏହି ଦେହ ହେଉଛି ନାଶବାନ l ଏହି ଦେହ ଭିତରେ ନିବାସ କରୁଥିବା ଆତ୍ମା ହେଉଛି ପରମାତ୍ମାଙ୍କ ସତ୍ତା ଯାହା ସର୍ବଥା ଅବିନାଶୀ l ସୁତରାଂ ତୁମେ ନାଶବାନ୍ ଏହି ଦେହ ପାଇଁ ତୁମର ଶୋକ ପରିହାର କର l ନାରଦ ମଧ୍ୟ ତାଙ୍କୁ ସେହି କଥା ବୁଝାଇଲେ l ଦୁହିଁଙ୍କ କଥା ଶୁଣି ଚିତ୍ରକେତୁ ଟିକିଏ ଧୈର୍ଯ୍ୟ ଧରିଲେ l ସେ ଆଶ୍ଚର୍ଯ୍ୟ ହୋଇ ଦୁଇ ମହାତ୍ମାଙ୍କ ପରିଚୟ ପଚାରିବାରୁ ଅଙ୍ଗିରା କହିଲେ, ମୁଁ ହେଉଛି ଋଷି ଅଙ୍ଗିରା l ଆଉ ଇଏ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର୍ ଦେବର୍ଷି ନାରଦ l ମୁଁ ହିଁ ତୁମକୁ ପୁତ୍ର ପ୍ରଦାନ କରିଥିଲି l
ଏହା ପରେ ଦେବର୍ଷି ନାରଦ କହିଲେ, ହେ ରାଜନ୍ ! ମୁଁ ତୁମକୁ ଏକ ମନ୍ତ୍ର ଦେଉଛି l ତୁମେ ଏହା ଧାରଣ କଲେ, ସାତ ରାତି ଭିତରେ ଭଗବାନ ସଙ୍କର୍ଷଣଙ୍କ ଦର୍ଶନ ପାଇବ l ପ୍ରାଚୀନ କାଳରେ ଶଙ୍କର ପ୍ରଭୃତି ସଙ୍କର୍ଷଣଙ୍କ ପଦ କମଳକୁ ଆଶ୍ରୟ କରି ଏହି ସଂସାର ଭ୍ରମକୁ ଅତିକ୍ରମ କରିଥିଲେ l ତୁମେ ମଧ୍ୟ ତାଙ୍କୁ ଆଶ୍ରୟ କରି ପରମ ପଦ ପାଇଯିବ l
ଏହାପରେ ନାରଦ ମୃତ ରାଜ ପୁତ୍ରଙ୍କର ଜୀବାତ୍ମାକୁ ଡାକି କହିଲେ, ହେ ଜୀବାତ୍ମା ! ତୁମର ପିତା ମାତା ରୋଦନ କରୁଛନ୍ତି l ତୁମେ ତୁମର ଏହି ଶରୀରକୁ ଆସି ତାଙ୍କ ଶୋକ ଦୂରକରି ତୁମର ବାକି ଆୟୁ ଭୋଗ ପୂର୍ବକ ସମସ୍ତ ରାଜ ଐଶ୍ୱର୍ଯ୍ୟ ଭୋଗ କର l କିନ୍ତୁ ଜୀବାତ୍ମା କହିଲା, ହେ ଦେବର୍ଷି, ନାନା ଯୋନୀରେ ମୁଁ କେତେ ଜନ୍ମ ବୁଲି ସାରିଲିଣି l କିଏ ମୋର ପିତା, କିଏ ମୋର ମାତା, ମୁଁ ଜାଣେ ନାହିଁ l ଜୀବାତ୍ମା ଏ କଥା କହି, ସେଠାରୁ ଅନ୍ତର୍ହିତ ହୋଇ ଗଲା l ଯେଉଁ ମାନେ ଶୋକ କରୁଥିଲେ, ଜୀବାତ୍ମା କଥାରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ l ଆତ୍ମାର କଥା ଶୁଣି ସମସ୍ତଙ୍କ ଶୋକ ଓ ମୋହ ଦୂର ହୋଇ ଗଲା l ତା ପରେ ସମସ୍ତେ ମିଳି ସେହି ମୃତ ପୁତ୍ରର ଶବକୁ ନେଇ ଅନ୍ତିମ ସଂସ୍କାର କଲେ l ହତ୍ୟାକାରୀ ରାଣୀ ମାନେ ଯମୁନା ତଟକୁ ଯାଇ ବାଳକ ହତ୍ୟା ଜନିତ ପାପର ପ୍ରାୟଶ୍ଚିତ କଲେ l
ଅଙ୍ଗିରା ଓ ନାରଦଙ୍କ ଉପଦେଶରେ ଚିତ୍ରକେତୁଙ୍କ ବିବେକ ଉଦୟ ହେଲା l
ସେ ଘର ସଂସାର ରୂପୀ ଅନ୍ଧକୂପରୁ ବାହାରି ଆସିଲେ l ସେ ଯାଇ ଯମୁନା ଜଳରେ ସ୍ନାନ ତର୍ପଣ ଆଦି ସାରି ଶୁଦ୍ଧପୂତ ହୋଇ ଦେବର୍ଷି ନାରଦ ଦେଇଥିବା ମନ୍ତ୍ର ଦ୍ଵାରା ଭଗବାନ୍ ସଙ୍କର୍ଷଣଙ୍କୁ ଧ୍ୟାନ କରିବାରେ ଲାଗିଲେ l କେବଳ ଜଳ ଆହାର କରି ସାତ ଦିନ ଓ ସାତରାତିର ଧ୍ୟାନ ପରେ ଚିତ୍ରକେତୁ ଭଗବାନ ଶେଷଦେବଙ୍କ ଚରଣ ନିକଟରେ ପହଞ୍ଚି ଗଲେ l ତାଙ୍କର ସୁନ୍ଦର ରୂପ ଦର୍ଶନ ମାତ୍ରେ ରାଜା ଚିତ୍ରକେତୁଙ୍କର ସକଳ ପାପ ନଷ୍ଟ ହୋଇ ତାଙ୍କ ଅନ୍ତଃକରଣ ଶୁଦ୍ଧ ହୋଇଗଲା l ସେ ଭକ୍ତି ଗଦଗଦ ହୋଇ ଶ୍ରୀସଙ୍କର୍ଷଣଙ୍କୁ ସ୍ତୁତି କରିବାକୁ ଲାଗିଲେ :-
ପ୍ରାଣୀ ସମୁହ ଆଦି କରି l
ଅବନୀ ଯେହୁ ଅଛି ଧରି ll
ସହସ୍ର ମସ୍ତକ ଈଶ୍ୱର l
ନମସ୍ତେ ବ୍ରହ୍ମାଣ୍ଡ ଠାକୁର ll
ଚିତ୍ରକେତୁଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ପ୍ରଭୁ ଅନନ୍ତ ହଳପାଣି ପ୍ରକଟ ହୋଇ କହିଲେ, ତୁମେ ଅଙ୍ଗିରା, ନାରଦଙ୍କ ପ୍ରଦତ୍ତ ବିଦ୍ୟା ସିଦ୍ଧ କରି ମୋର ଦର୍ଶନ ପାଇଲ l ନିର୍ଗୁଣ ରୂପରେ ମୁଁ ଏ ସମସ୍ତ ଜଗତକୁ ଧାରଣ କରିଛି l ଯିଏ ମୋ ଠାରେ ଶରଣ ନେଇ ଥାଏ ମୁଁ ତାକୁ ମାୟା ରୂପକ ଏ ସମସ୍ତ ଜାଗତିକ ଦୁଃଖରୁ ଉଦ୍ଧାର କରେ l ଏଣୁ ତୁମେ ଏହି ସମସ୍ତ ସାଂସାରିକ ମୋହ ଛାଡ଼ି ମୋତେହିଁ ଭଜନ କର l ଏପରି କଲେ, ତୁମେ ପ୍ରକୃତ ଜ୍ଞାନ ସମ୍ପନ୍ନ ହୋଇ ପରମ ସିଦ୍ଧି ପ୍ରାପ୍ତ ହେବ l ଭଗବାନ୍ ଚିତ୍ରକେତୁଙ୍କୁ ଏହି ଉପଦେଶ ଦେଇ ଅନ୍ତର୍ଦ୍ଧାନ ହେଲେ l
ଚିତ୍ରକେତୁ ଭଗବାନ୍ ସଙ୍କର୍ଷଣଙ୍କ ଠାରୁ ତତ୍ତ୍ଵଜ୍ଞାନ ଲାଭ କରି, ବିଦ୍ୟାଧର ରୂପରେ ଗଗନ ମାର୍ଗରେ ବିଦ୍ୟାଧରୀ ମାନଙ୍କ ସଙ୍ଗରେ ବିଚରଣ କରିବାକୁ ଲାଗିଲେ l
ଦିନକର କଥା, ବିଦ୍ୟାଧର ଚିତ୍ରକେତୁ ଏକ ଦିବ୍ୟବିମାନ ଆରୋହଣ କରି ମହାଦେବଙ୍କ ଦର୍ଶନପାଇଁ ଯାଇ ସୁମେରୁ ପର୍ବତରେ ପହଞ୍ଚିଲେ l ସେଠାରେ ସେ ଅମ୍ବିକାଙ୍କୁ ଶିବଙ୍କ କୋଳରେ ବସି ଥିବାର ଦେଖି ଭାବିଲେ, ଆରେ ! ଏ ଶିବ ସମସ୍ତ ଜଗତର ଈଶ୍ୱର ବୋଲାଉଛନ୍ତି l ତାଙ୍କର ଇଏ କି ବିପରୀତ ରୀତି l ସମସ୍ତ ସିଦ୍ଧ ଚାରଣ, ମୁନିଋଷି, ଏବଂ ସମସ୍ତ ଦେବତାଙ୍କ ସମ୍ମୁଖରେ, ଇଏ ନିର୍ଲଜ ଭାବେ ନିଜର ସ୍ତ୍ରୀକୁ କୋଳରେ ଘେନି ବସିଛନ୍ତି l ଏପରି ଭାବି ସେ ଶଙ୍କରଙ୍କ ବହୁ ନିନ୍ଦା କରିବାକୁ ଲାଗିଲେ, "ଏ ଯେ ସ୍ୱଭାବେ ଦେବବର l ଏହାଙ୍କୁ ବୋଲି ବ୍ରତ ଧର ll ସଭାର ମଧ୍ୟେ ସ୍ତିରୀ ଘେନି l
ଅଛନ୍ତି ଯେହ୍ନେ ନୀଚ୍ଚଯୋନୀ ll"
ଚିତ୍ରକେତୁଙ୍କ ଭର୍ତ୍ସନା ଶୁଣି ଶିବ ହସି ଦେଇ ଚୁପ୍ ରହିଲେ l ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ଦେବାଦେବୀ ମଧ୍ୟ କିଛି ନକହି ନୀରବ ରହିଲେ l କିନ୍ତୁ ମାଆ ପାର୍ବତୀ ନିଜ ପତିଙ୍କ ନିନ୍ଦା ଆଉ ସହି ପାରିଲେ ନାହିଁ l ଅତି କୋପଭର ହୋଇ ସେ ନିନ୍ଦୁକ ଚିତ୍ରକେତୁଙ୍କୁ ଅଭିଶାପ ଦେଲେ,ପାପିଷ୍ଠ ଅସୁର ଯୋନିରେ l ଜନ୍ମ ତୁ ଲଭ ତମ ଘୋରେ" l
ଚିତ୍ରକେତୁ, ଭଗବାନଙ୍କ ପରମ ଭକ୍ତ ଥିଲେ l ସେ ପାର୍ବତୀଙ୍କ ଅଭିଶାପ ଶିରୋଧାର୍ଯ୍ୟ କଲେ ଓ ନତ ମସ୍ତକରେ ଭଗବାନ ଶ୍ରୀହରିଙ୍କ ଲୀଳା ଗାଥା କହି ତାଙ୍କୁ ପ୍ରସନ୍ନ କଲେ l ଶେଷରେ ସେ କହିଲେ, ହେ ଦେବୀ, ମୁଁ ଶାପରୁ ମୁକ୍ତି ହେବା ପାଇଁ ଚାହୁଁ ନାହିଁ l ମୁଁ ଯେଉଁ ଅକ୍ଷମଣୀୟ ଅପରାଧ କରିଛି ସେ ପାଇଁ କେବଳ କ୍ଷମା ପ୍ରାର୍ଥନା କରୁଛି l
ଚିତ୍ରକେତୁ ଚାଲି ଗଲା ପରେ ଶିବ ମାଆ ଉମାଙ୍କୁ ହରିଭକ୍ତ ଚିତ୍ରକେତୁ ବିଷୟରେ ବୁଝାଇ ଦେଲେ l ପାର୍ବତୀଙ୍କ ଅଭିଶାପରୁ, ଚିତ୍ରକେତୁ ଯାଇ ତ୍ବଷ୍ଟାଙ୍କ ଦକ୍ଷିଣାଗ୍ନିରୁ ଅସୁର ରୂପରେ ଜନ୍ମ ହେଲେ l ସେହି ଅସୁରର ନାମ ହେଲା ବୃତ୍ରାସୁର l
ଶୁକମୁନି ଶ୍ରୀମଦ୍ଭାଗବତରେ ବୃତ୍ରାସୁର ବଧ କଥା ରାଜା ପରୀକ୍ଷିତଙ୍କୁ ଶୁଣାଉ ଥିଲେ l ପ୍ରସଙ୍ଗ କ୍ରମେ ସେ କହିଲେ ବୃତ୍ରାସୁର ଶ୍ରୀ ହରିଙ୍କ ନିଷ୍ଠାପର ଭକ୍ତ ଥିଲା l ଏଥିରେ ରାଜା ପରୀକ୍ଷିତ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ, ସିଏ ତ ସ୍ବଭାବତଃ ତମଗୁଣୀ ଅସୁର ଥିଲା l ତାର ପୁଣି ଭଗବାନଙ୍କଠାରେ ଏପରି ଭକ୍ତି ହେଲା କିପରି? ତାଙ୍କୁ ଉତ୍ତରଦେବା ଛଳରେ ଶୁକ ମୁନି, ତାଙ୍କ ପିତା ବ୍ୟାସ ଦେବଙ୍କ ଠାରୁ ଶୁଣି ଥିବା ବୃତ୍ରାସୂରର ଏହି ପୂର୍ବଜନ୍ମ ବୃତ୍ତାନ୍ତ ଶୁଣାଇ ଥିଲେ l ଓଡ଼ିଆ ଶ୍ରୀମଦ ଭାଗବତ, ଷଷ୍ଠ ସ୍କନ୍ଧର ଚତୁର୍ଦ୍ଦଶ ଅଧ୍ୟାୟରୁ, ସପ୍ତଦଶ ଅଧ୍ୟାୟ ମଧ୍ୟରେ ଏହି କଥାର ବିସ୍ତୃତ ବର୍ଣ୍ଣନା ରହିଛି l କଥା ଶେଷରେ ମହାମୁନି ଶୁକ ମହାରାଜ ପରୀକ୍ଷିତଙ୍କୁ କହିଛନ୍ତି :-
ସକଳ ତୁମ୍ଭଙ୍କୁ କହିଲୁ l
ଆମ୍ଭକୁ ଯେତେ ପ୍ରଶ୍ନ କଲୁ ll
ଗୋବିନ୍ଦେ ମତି ବୃତ୍ରାସୁର l
ଜନ୍ମର କାରଣ ତାହାର ll
ଏ ଇତିହାସ ପୁଣ୍ୟସାର l
ମହାତ୍ମା ଏ ଚିତ୍ରକେତୁର ll
! ଓଁ ନମୋ ଭଗବତେ ବାସୁଦେବାୟ !
*********
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
