ଶ୍ରୀକୃଷ୍ଣ ଷଣ୍ଢାସୁର ବଧ କଲେ
ଶ୍ରୀକୃଷ୍ଣ ଷଣ୍ଢାସୁର ବଧ କଲେ
ଶ୍ରୀକୃଷ୍ଣ ଷଣ୍ଢାସୁର ବଧ କଲେ
===============
ବାଳକ କୃଷ୍ଣଙ୍କୁ ମାରିବା ପାଇଁ ମଥୁରା ପତି କଂସ ଭୟଂକର ରାକ୍ଷସ, ରାକ୍ଷସୀ ମାନଙ୍କୁ ପଠାଇ ଚାଲିଥାଏ l କିନ୍ତୁ କୃଷ୍ଣ ବଳରାମ ସେ ସମସ୍ତଙ୍କୁ ଗୋଟି ଗୋଟି କରି ମାରି ପକାଉ ଥାନ୍ତି l ଏହିପରି ଦିନେ ଅରିଷ୍ଟ ବୋଲି ଏକ ଦୈତ୍ୟ ଗୋଟିଏ ବୃଷଭ ରୂପକୁ ଧରି ଆସି ଗୋପ ପୂରରେ ପହଞ୍ଚିଲା l ସେ ଗର୍ଜନ ତର୍ଜନ କରି ତା ଶିଙ୍ଗରେ ମାଟି ଖୋଳିଲା l ମୁନିଆଁ ମୁନିଆଁ ଶିଙ୍ଗ ଓ ବିକଟାଳ ଗର୍ଜନରେ ସେ ଗୋପୀ ଗୋପାଳ ମାନଙ୍କୁ ଭୟଭୀତ କରିବାରେ ଲାଗିଲା l ତା ଭୟରେ ସମସ୍ତେ ଘରଦ୍ବାର ଛାଡ଼ି ପଳାଇବାକୁ ଲାଗିଲେ l ଗୋରୁ ଗାଈମାନେ ମଧ୍ୟ ଖୁବ୍ ଭୟରେ ପଘା ଛିଣ୍ଡାଇ ହମ୍ବା ରଡ଼ି କରି ଇତସ୍ତତଃ ଧାଇଁଲେ l
ଷଣ୍ଢାସୁର ଉତ୍ପାତରେ ଗୋପ ପୁରରେ ଚହଳ ପଡ଼ି ଗଲା l ସମସ୍ତେ କୃଷ୍ଣଙ୍କୁ ଡ଼ାକିଲେ:-
ରଖ ଗୋକୁଳ ଦାମୋଦର l
ଆମ୍ଭେ ଯେ ଶରଣ ତୋହର ll
ଗୋପବାସୀ ମାନଙ୍କ ବିକଳ ଦେଖି କୃଷ୍ଣ କହିଲେ, ତୁମେମାନେ ଭୟ କରନାହିଁ l ଏ ଅସୁରକୁ ନିଶ୍ଚୟ ସଂହାର କରି ମୁଁ ତୁମ ମାନଙ୍କୁ ରକ୍ଷାକରିବି l ଏପରି କହି ଭଗବାନ ଉଚ୍ଚସ୍ଵରରେ ଷଣ୍ଢାସୁରକୁ ଡାକିଲେ, ରେ ଅସୁର ! ତୁ କି ପାଇଁ ଆସି ଏଠାରେ ଉପଦ୍ରବ କରୁଛୁ l ତୁ ମୋତେ କଅଣ ଜାଣି ନାହୁଁ l ତୋତେ ଆଜି ମୁଁ ଯମପୁର ପଠାଉଛି l ଏହାକହି କୃଷ୍ଣ କର ତାଳି ମାରିବାକୁ ଲାଗିଲେ l କୃଷ୍ଣଙ୍କ କରତାଳି ଶୁଣି ଷଣ୍ଢ ଆହୁରି ରାଗି ଗଲା l ହେଣ୍ଟାଳମାରି ସେ ଶିଙ୍ଗ ଓ ଖୁରାରେ ମାଟି ଖୋଳିବାରେ ଲାଗିଲା ଓ ଲାଲ ଲାଲ ଆଖି କରି କୃଷ୍ଣଙ୍କ ଆଡକୁ ଦଉଡ଼ି ଆସିଲା l କୃଷ୍ଣ ତା' ଶିଙ୍ଗ ଦୁଇଟିକୁ ଦୃଢ଼ ମୁଷ୍ଟିରେ ଧରି ନେଇ ଖୁବ୍ ଜୋରରେ ପେଲି ଦେଲେ l ଷଣ୍ଢାସୁର ଘୋର ଗର୍ଜନକରି ଗଅଁ ଗଅଁ ହୋଇ ଯାଇ ଖଣ୍ଡେ ଦୂରରେ ମୂର୍ଚ୍ଛିତ ହୋଇ ପଡ଼ିଲା l
କିଛି କ୍ଷଣ ପରେ ଅସୁର ସଂଜ୍ଞା ପାଇ ପୁଣି କୃଷ୍ଣଙ୍କ ଆଡ଼କୁ ଘୋର ଶବ୍ଦ କରି ଦଉଡି ଆସିଲା l ଏଥର କୃଷ୍ଣ ତା' ଶିଙ୍ଗ ଦୁଇଟିକୁ ଝାଡିଦେଲେ l ପାଦରେ ଷଣ୍ଢର ପଛ ଗୋଡ଼କୁ ଚାପି ଧରି ତା' ମୁଣ୍ଡକୁ ଓଦା ଲୁଗା ଭଳି ମୋଡ଼ି ଦେଲେ l ଅସୁରର ପାଟିରୁ ଭକ୍ ଭକ୍ କରି ରୁଧିର ଗଳିବାକୁ ଲାଗିଲା ଓ ସେ କୃଷ୍ଣଙ୍କ ମୁଖକୁ ଚାହିଁ ଚାରିକାତ ମେଲାଇ ପଡ଼ି ଗଲା l ଏପରି ଗୋପ ପୂରର ଅରିଷ୍ଟ ଖଣ୍ଡନ କରି କୃଷ୍ଣ ଗୋପର ସମସ୍ତ ଗୋପୀ ଗୋପାଳ ମାନଙ୍କୁ ଅସୁର ଉତ୍ପାତରୁ ରକ୍ଷା କଲେ l ବ୍ରଜବାସୀ ମାନେ କୃଷ୍ଣଙ୍କ ଏ ଅଦ୍ଭୂତ କର୍ମ ଦେଖି ତାଙ୍କୁ ସ୍ତୁତି କରିବାକୁ ଲାଗିଲେ l
ସ୍ଵର୍ଗ ପୁରରେ ଅସୁର ନିଧନର ବାଣୀ ଶୁଣା ଗଲା l ସ୍ୱର୍ଗରେ ଥାଇ ଦେବର୍ଷି ନାରଦ ମଧ୍ୟ ଏ କଥା ଶୁଣିଲେ l ଦେବର୍ଷି ଖୁବ୍ ଆନନ୍ଦ ମନରେ ଶ୍ରୀକୃଷ୍ଣଙ୍କ ମହିମା ଘୋଷି ଘୋଷି ଯାଇ ମଥୁରାରେ କଂସ ନିକଟରେ ପହଞ୍ଚିଲେ l ଭୋଜରାଜ ଦେବର୍ଷିଙ୍କୁ ଦେଖି ବହୁତ ଆଦର କଲା ଓ ତାଙ୍କ ପାଦ ପୂଜା କରି ଆସନରେ ବସାଇଲା l କଂସ ଭକ୍ତିରେ ଦେବର୍ଷି ଅତ୍ୟନ୍ତ ପ୍ରୀତ ହୋଇ କହିଲେ, ବାବୁରେ ମୁଁ ପୂର୍ବରୁ ତୋତେ କେତେ ସତର୍କ କରାଇ ଥିଲି l କିନ୍ତୁ ତୁ ମୋ କଥା କିଛି ମଧ୍ୟ ଶୁଣିଲୁ ନାହିଁ l ଦେବତାମାନେ ତୋ ସହିତ କପଟ କରି, ରାମ, କୃଷ୍ଣ ଦୁଇ ଭାଇଙ୍କୁ ନେଇ ଗୋପରେ ରଖିଛନ୍ତି l ଦୁଇ ଭାଇ ଗୋପରେ ଚନ୍ଦ୍ର କଳା ପରି ବଢ଼ୁଛନ୍ତି l ତୋ ଭିଣୋଇ ବସୁଦେବ ନନ୍ଦରାଜାଙ୍କ ମିତ୍ର l ସିଏବି ତୋ ସହ ଏପରି କପଟ କଲା l କେତେ କେତେ ରାକ୍ଷସଙ୍କୁ ତୁ ତ ପଠାଇଲୁ l କିନ୍ତୁ କଅଣ ହେଲା l ସବୁଙ୍କୁ ଦୁଇଭାଇ ମାରି ପକାଇଲେ l ଏବେ ଶୁଣିଲୁଣି ତ ତୁ ଯେଉଁ ଷଣ୍ଢାସୁରକୁ ପଠାଇ ଥିଲୁ ସେ ମଧ୍ୟ ମରିସାରିଲାଣି l ପୁଣି ଶୁଣିଛି ଏଡ଼େ ବଡ଼ ଗୋବର୍ଦ୍ଧନ ପର୍ବତକୁ କୃଷ୍ଣ କାଣୀ ଆଙ୍ଗୁଠିରେ ଟେକି ଦେବ ରାଜ ଇନ୍ଦ୍ରଙ୍କ ଗର୍ବ ଚୂର୍ଣ୍ଣ କଲା l ବିଷ ଧର କାଳୀୟ ନାଗଟା ପୁଣି ତା ପାଦ ତଳେ ଶରଣ ପଶିଲା l କୃଷ୍ଣର ଗୁଣକଥା କଅଣ ଆଉ କହିବି l
କହିବି କେତେ ଗୁଣ ତାର l
ଦେବ ଦାନବେ ଅଗୋଚର ll
ଶେଷରେ ନାରଦ କହିଲେ, ବାବୁରେ !! ମୁଁ ଜାଣି ପାରୁଛି, ରାମ କୃଷ୍ଣ ଦୁଇ ଭାଇଙ୍କ ହାତରେ ତୋର ମରଣ ନିଶ୍ଚୟ l ଏବେ ମଧ୍ୟ ବେଳ ଅଛି l ତୁ କିଛି ଉପାୟ କର l ତାଙ୍କ କଥା ଶୁଣି କଂସ ଖୁବ୍ ଭୟ ପାଇ କମ୍ପିବାକୁ ଲାଗିଲା l ଖୁବ୍ କୋପରେ ତୀକ୍ଷ୍ଣ ଖଡ୍ଗ ହସ୍ତରେ ଧରି ସେ ବସୁଦେବଙ୍କୁ ଡକାଇ ଆଣି ହାଣି ଦେବାକୁ ବାହାରିଲା l ନାରଦ ତାର ହାତକୁ ଧରି ପକାଇବାରୁ ବସୁଦେବଙ୍କ ପ୍ରାଣଟା ରହିଲା l କଂସ ପୁଣି ବସୁଦେବଙ୍କୁ ହାତପାଦରେ ସାଙ୍କୋଳି ପକାଇ ନେଇ ବନ୍ଦୀ କରିରଖିଲା l
ନାରଦ କଂସକୁ ଏପରି ଉଚ୍ଚାଟ କରାଇ ଶୂନ୍ୟ ମାର୍ଗରେ ପ୍ରସ୍ଥାନ କଲେ l ନାରଦ ଗଲାପରେ କଂସ କେଶି ନାମକ ଏକ ଦୈତ୍ୟକୁ ଡକାଇଆଣି କହିଲା, ହେ ଭାଇ ! ତୁମେ ମୋତେ ଏ ସଂକଟରୁ ରକ୍ଷା କର l ଶୀଘ୍ର ଗୋପପୁରକୁ ଯାଇ ବସୁଦେବର ଦୁଇ ପୁତ୍ର ରାମ କୃଷ୍ଣଙ୍କୁ ବିନାଶ କର l ମୁଁ ତୁମକୁ ବହୁ ଗ୍ରାମ ଦେଶ ଧନରତ୍ନ ଉପହାର ଦେବି l କଂସର ଆଜ୍ଞାରେ କେଶୀ ଦୈତ୍ୟ ଗୋପ ପୁରକୁ ଚାଲିଲା l
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 76930 91971
