STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପୁରଞ୍ଜନ ଉପାଖ୍ୟାନ

ପୁରଞ୍ଜନ ଉପାଖ୍ୟାନ

7 mins
3

           ପୁରଞ୍ଜନ ଉପାଖ୍ୟାନ
          =============
    ପ୍ରାଚୀନ କାଳରେ କଥା l ପୃଥିବୀରେ ପ୍ରାଚୀନବର୍ହି ବୋଲି ଜଣେ କର୍ମ କାଣ୍ଡରେ ବିଶ୍ବାସୀ ରାଜା ଥିଲେ ଓ ବହୁ ଯାଗଯଜ୍ଞ କରୁଥିଲେ l ଦିନେ ନାରଦ ତାଙ୍କ ନିକଟରେ ଆସି କହିଲେ,ହେ ରାଜା ! ତୁମେ ମୋକ୍ଷପ୍ରାପ୍ତି ଆଶାରେ ନିର୍ଦ୍ଦୟ ଭାବେ ଯେଉଁ ହଜାର ହଜାର ପଶୁ ବଳିଦେଉଛ ଏସବୁ ନିରର୍ଥକ l ଦେଖ ତୁମେ ଯେଉଁ ପଶୁମାନଙ୍କୁ ପୀଡ଼ା ଦେଉଛ ସେମାନେ ତୁମକୁ ଅପେକ୍ଷା କରି ରହିଛନ୍ତି l ତୁମେ ପରଲୋକ ଯିବା କ୍ଷଣି ସେମାନେ ତାଙ୍କ ମୁନିଆଁ ମୁନିଆଁ ଶିଙ୍ଗରେ ତୁମକୁ ଭୂଷି ପକାଇବେ l ରାଜା ଯୋଡ଼ହସ୍ତ ହୋଇ ନାରଦଙ୍କୁ ସଦୁପଦେଶ ଦେବାକୁ ପ୍ରାର୍ଥନା କରିବାରୁ ନାରଦ କହିଲେ, ତୁମର ସନ୍ଦେହ ମୋଚନ ପାଇଁ ମୁଁ ତୁମକୁ ଏ ବିଷୟରେ ଗୋଟିଏ ପ୍ରାଚୀନ କାହାଣୀ "ପୁରଞ୍ଜନ ଚରିତ" କହୁଛି ଶୁଣ l
ପୂର୍ବ କାଳରେ ପୁରଞ୍ଜନ ନାମରେ ଜଣେ ଯଶସ୍ଵୀ ରାଜା ଥିଲେ l ତାଙ୍କର ଜଣେ ମିତ୍ର ଥିଲେ l ମିତ୍ରଙ୍କ ବିଷୟରେ କେହି ଜାଣିପାରୁ ନଥିବାରୁ ତାଙ୍କ ନାମ ଥିଲା ଅବିଜ୍ଞାତ l ରାଜା ପୁରଞ୍ଜନ ଭୋଗବିଳାସ ମଧ୍ୟରେ ବୁଡ଼ି ରହିବା ପାଇଁ ଚାହୁଁଥିଲେ l ଏଣୁ ସେ ରହିବା ପାଇଁ ଉପଯୁକ୍ତ ସ୍ଥାନଟିଏ ଖୋଜି ଖୋଜି ସମଗ୍ର ପୃଥିବୀ ଭ୍ରମଣ କରି ଆସିଲେ, କିନ୍ତୁ ତାଙ୍କୁ କେଉଁଠି ହେଲେ ଉପଯୁକ୍ତ ସ୍ଥାନଟିଏ ମିଳିଲା ନାହିଁ l ଦିନେ ସେ ହିମାଳୟର ଦକ୍ଷିଣ ଶିଖରରେ ଗୋଟିଏ ନବଦ୍ଵାର ବିଶିଷ୍ଟ ସୁନ୍ଦର ଉପବନରେ ପରିବେଷ୍ଠିତ ନଗର ଦେଖିବାକୁ ପାଇଲେ l ଅତୀବ ସୁନ୍ଦର ସେହି ନଗରଟି ନାଗ ମାନଙ୍କ ନଗରୀ ଭୋଗବତୀପୁର ପରି  ବୋଧ ହେଉଥିଲା l ରାଜା ପୁରଞ୍ଜନ ସେହି ବନ ଭୂମିରେ ବୁଲୁ ଥାନ୍ତି, ଜଣେ ସୁନ୍ଦରୀ ରମଣୀକୁ ଦେଖିଲେ l ତା ସହିତ ଦଶ ଜଣ ସେବକ ଥିଲେ l ଗୋଟିଏ ପାଞ୍ଚଫଣିଆ ସର୍ପ ସେହି ନାରୀକୁ ପହରା ଦେଉଥାଏ l ସେହି ସୁନ୍ଦରୀ କିଶୋରୀଟି ନିଜ ପାଇଁ ଉପଯୁକ୍ତ ପତିଟିଏ ଖୋଜୁଥାଏ l ପୁରଞ୍ଜନ ତା ପ୍ରତି ଖୁବ୍ ଆକୃଷ୍ଟ ହୋଇ ପଡ଼ିଲେ ଓ ତା' ପାଖକୁ ଯାଇ ପରିଚୟ ମାଗି କହିଲେ, ମୁଁ ତୁମକୁ ଦେଖି ମୋହିତ ହୋଇ ପଡ଼ିଛି, ତୁମେ ମୋ ସହିତ ରହି ଏହି ଶ୍ରେଷ୍ଠ ନଗରକୁ ଅଳଙ୍କୃତ କର l ମୁଁ ହେଉଛି ଜଣେ ବୀର ଓ ପରାକ୍ରମୀ ରାଜା l ନାରୀ ଜଣକ ହସି ହସି ମହାରାଜା ପୁରଞ୍ଜନଙ୍କ କଥାକୁ ସ୍ୱୀକାର କରି କହିଲା, ମୁଁ ଏହି ନଗରରେ ରହୁଛି l ଏ ନଗର କିଏ ଗଢ଼ିଛି ଓ ମୋର ବାପା ମାଆ କିଏ ମୋତେ ଜଣା ନାହିଁ l ମୋ ସହ ଏହି ପୁରୁଷ ମାନେ ମୋର ସଖା ଏବଂ ନାରୀ ମାନେ ମୋର ସଖୀ l ମୁଁ ଶୋଇ ପଡ଼ିଲେ ଏହି ସର୍ପଟି ଜାଗ୍ରତ ରହି ନଗରର ସୁରକ୍ଷା କରେ l ମୋର ସୌଭାଗ୍ୟ ଆପଣଙ୍କ ସହ ଭେଟ ହେଲା l ଆପଣତ ଭୋଗ ବିଳାସ ଚାହାଁନ୍ତି, ଆପଣଙ୍କ ପରି ସୁନ୍ଦର ବର ଯଦି ସ୍ଵତଃ ଆସି ମିଳି ଯାଆନ୍ତି ତା ହେଲେ ମୋ ପରି କେଉଁ ତରୁଣୀ ପୁଣି ଆପଣଙ୍କୁ ବରଣ ନ କରିବ,ଆପଣ ମୋ ସହ ଏହି ନବ ଦ୍ଵାର ବିଶିଷ୍ଟ ପୁରୀରେ ଶତାଧିକ ବର୍ଷ ସୁଖରେ ବାସକରନ୍ତୁ l
ରାଜା ପୁରଞ୍ଜନ ଏହିପରି ସେଠାରେ ଶହେ ବର୍ଷ ରହି ଭୋଗ ବିଳାସରେ ବୁଡ଼ି ରହିଲେ l ସେ ନିଜର ସୁନ୍ଦରୀ ରାଣୀ ସହିତ ଖୁବ ମୋହରେ ପଡ଼ି ଯାଇଥାନ୍ତି l ସ୍ତ୍ରୀ ଯେତେ ବେଳେ ଯାହା କରନ୍ତି ସେ ତାକୁ ଅନୁକରଣ କରନ୍ତି l କ୍ରମେ ସେ ପୋଷା ମାଙ୍କଡ଼ ପରି ତାଙ୍କର ସମସ୍ତ ରାଜ ସ୍ଵଭାବ ହରାଇ ବସି ସ୍ତ୍ରୀ ବଶରେ ରହିଲେ l ଦିନକର କଥା ପୁରଞ୍ଜନ ତାଙ୍କର ବିଶାଳ ଧନୁଟିକୁ ଧରି ପଞ୍ଚପ୍ରସ୍ଥ ବନକୁ ମୃଗୟା ପାଇଁ ଗଲେ ଓ ନିଜ ତୀକ୍ଷ୍ଣ ବାଣରେ ନିର୍ଦ୍ଦୟ ଭାବେ ବହୁ ଜୀବଙ୍କୁ ହତ୍ୟା କଲେ l କ୍ରମେ ସେ ଅତ୍ୟନ୍ତ କ୍ଲାନ୍ତ ହୋଇ ନବରକୁ ଫେରି ଆସିଲେ l ସ୍ନାନ ଭୋଜନ ଉପରାନ୍ତେ କିଛି ସମୟ ବିଶ୍ରାମ ନେଉଥାନ୍ତି ଏତିକି ବେଳେ ତାଙ୍କର ପତ୍ନୀ କଥା ମନେ ପଡ଼ିଲା l ସେ ତାଙ୍କୁ ବହୁ ଖୋଜାଖୋଜି କରି କେଉଁଠି ବି ପାଇଲେନାହିଁ l ଅନ୍ତଃପୁର ନାରୀ ମାନଙ୍କଠାରୁ ସେ ଜାଣିବାକୁ ପାଇଲେ ରାଣୀ କେଉଁଠି ଭୂଇଁଉପରେ ଶୋଇଛନ୍ତି l ଏଣୁ ସେ ଯାଇ ରାଣୀଙ୍କୁ ନାନା ମିଠା ମିଠା କଥା କହି ମନାଇଲେ l ଏପରିଭାବରେ ରାଜା ପୁରଞ୍ଜନ ଅତୀବ କାମାତୁର ହୋଇ ସେହି ସୁନ୍ଦରୀ ରମଣୀ ସହିତ ବିହାର କରୁ କରୁ ତାଙ୍କର ଯୁବା ବୟସ ବିତିଗଲା l ପୁରଞ୍ଜନଙ୍କ ରାଣୀ ପୁରଞ୍ଜନୀ ଗର୍ଭରୁ ଏଗାର ଶହ ପୁତ୍ର ଓ ଏକ ଶହ ଦଶ ଗୋଟି କନ୍ୟା ଜାତ ହେଲେ l ସେମାନେ ସମସ୍ତେ ଥିଲେ ସର୍ଵଗୁଣ ସମ୍ପନ୍ନ ଏବଂ ପୌରଞ୍ଜନୀ ନାମରେ ଖ୍ୟାତ ହେଲେ l ଯଥାକାଳେ ସେମାନଙ୍କ ଵିଵାହ ହୋଇଗଲା l ସବୁ ପୁତ୍ରଙ୍କର ଶହେ ଶହେ ଜଣ ପୁତ୍ର ଜନ୍ମ ହେଲେ l ଏପରି ପୁରଞ୍ଜନଙ୍କ ବଂଶ ସାରା ପାଞ୍ଚାଳଦେଶରେ ବ୍ୟାପିଗଲା l କ୍ରମେ ରାଜା ପୁରଞ୍ଜନଙ୍କ ବାର୍ଦ୍ଧକ୍ୟ ଆସି ପହଞ୍ଚି ଗଲା l ଆଉ ଦିନକର କଥା l ପୁରଞ୍ଜନଙ୍କ ନଗରକୁ ଚଣ୍ଡବେଗ ନାମକ ଜଣେ ଗନ୍ଧର୍ବ ରାଜା ତାଙ୍କ ଅଧିନରେ ଥିବା ଷାଠିଏଜଣ ବଳବାନ୍ ଗନ୍ଧର୍ବ ଓ ସମାନ ସଂଖ୍ୟକ ଗନ୍ଧର୍ବିଙ୍କ ସାହାଯ୍ୟରେ ଲୁଣ୍ଠନ କଲେ l ଦୀର୍ଘଦିନ ପର୍ଯ୍ୟନ୍ତ ଲଢ଼ି ପାଞ୍ଚ ଫଣା ନାଗ ପ୍ରଜାଗର ନଗରକୁ ରକ୍ଷା କଲା l ଶେଷକୁ ସେ ମଧ୍ୟ ବଳ ହୀନ ହୋଇ ଗଲା l ଏଣୁ, ପୂରଞ୍ଜନ ଓ ସମସ୍ତ ନଗର ବାସୀଙ୍କ ଚିନ୍ତା ବଢ଼ି ଗଲା l ନାରଦ ପୁଣି କହିଲେ ଏହି ସମୟରେ କାଳକନ୍ୟା ଜରା ଏକ ଉପଯୁକ୍ତ ବର ପାଇଁ ତିନି ପୁରରେ ଘୁରି ବୁଲୁଥାଏ l ମୁଁ ମର୍ତ୍ତ୍ୟରେ ଭ୍ରମଣ କରୁଥିଲା ବେଳେ ମୋତେ ସେ ଭେଟି ଵିଵାହ କରିବା ପାଇଁ ଚାହିଁଲା l କିନ୍ତୁ ମୁଁ ତ ନୈଷ୍ଠିକ ବ୍ରହ୍ମଚାରୀ, ଏଣୁ ତାର ପ୍ରସ୍ତାବକୁ ମୁଁ ଆଉ ଗ୍ରହଣ ନ କରିବାରୁ ସେ ମୋତେ କୁପିତ ହୋଇ ଅଭିଶାପ ଦେଲା ତୁମେ କେଉଁଠାରେ ହେଲେ ସ୍ଥିର ହୋଇ ରହି ପାରିବ ନାହିଁ l ସେ ମୋ ଠାରୁ ନିରାଶ ହେଲା ଏବଂ ମୋ ଉପଦେଶ ମାନି ଭୟ ନାମରେ ଜଣେ ଯବନ ରାଜାଙ୍କ ନିକଟରେ ଯାଇ ପହଞ୍ଚିଲା l ଯବନ ରାଜା ତାକୁ କହିଲେ, ପ୍ରଜ୍ୱାର ହେଉଛି ମୋ ଭାଇ l ତୁମେ ତା'ର ଭଉଣୀ ହୋଇ ଯାଆ l ତୁମ ଭାଇ ଭଉଣୀଙ୍କ ସହ ମିଶି ମୁଁ ମୋର ସେନା ନେଇ ଅବାଧ ଗତିରେ ସବୁ ଲୋକରେ ଗତି କରିବି l
ତାହା ହିଁ ହେଲା l ଦିନେ ସେମାନେ ମିଶି ପୁରଞ୍ଜନ ପୁରକୁ ଧ୍ବସ୍ତ କରିଦେଲେ l ଶେଷକୁ ସେଠାରୁ ରାଜା ପୁରଞ୍ଜନ ପଳାଇ ଗଲେ l ସ୍ତ୍ରୀ ପୁତ୍ର ପୌତ୍ର ମାନଙ୍କୁ ଛାଡ଼ି ପୁରଞ୍ଜନ ଅତି ଦୁଃଖରେ ବୁଲୁଥାନ୍ତି l ଏତିକି ବେଳେ ତାଙ୍କୁ ଭୟ ନାମକ ଯବନରାଜଙ୍କ ସୈନ୍ୟ ମାନେ ଆସି ତାଙ୍କୁ ବାନ୍ଧି ପଶୁଙ୍କ ପରିକା ଘୋଷାଡ଼ି ନେଇଗଲେ l ସେହି ନିର୍ଦ୍ଦୟ ରାଜା ଯେଉଁ ଯଜ୍ଞପଶୁ ମାନଙ୍କୁ ବଳି ଚଢ଼ାଇ ଥିଲେ ସେମାନେ ମିଶି ତାଙ୍କୁ କୁରାଢ଼ିରେ ହାଣିଲେ l ସେ ପ୍ରାଣ ଯିବାବେଳେ ମଧ୍ୟ ସେହି ସୁନ୍ଦରୀ ସ୍ତ୍ରୀ କଥା ଭାବୁ ଥିଲେ l ତେଣୁ ପର ଜନ୍ମରେ ସେ ବିଦର୍ଭ ରାଜାଙ୍କର କନ୍ୟା ଭାବେ ଜନ୍ମ ହେଲେ l ଯଥା କାଳେ ପାଣ୍ଡ୍ୟ ରାଜା ମଳୟଧ୍ଵଜଙ୍କ ସହ ତାଙ୍କର ଵିଵାହ ହେଲା l ବୈଦର୍ଭୀଙ୍କ ଗର୍ଭରୁ ଗୋଟିଏ କନ୍ୟା ଓ ସାତ ଜଣ ପୁତ୍ର ଜନ୍ମ ହେଲେ l କନ୍ୟାର ବିବାହ ଅଗସ୍ତ୍ୟ ଋଷିଙ୍କ ସହିତ ହେଲା l ପୁଅ ମାନେ ବଡ଼ ହୋଇ, ଦ୍ରାବିଡ଼ ଦେଶରେ ସାତ ଜଣ ରାଜା ହେଲେ l ଶେଷରେ ରାଜା ମଳୟଧ୍ଵଜ ପୁତ୍ର ମାନଙ୍କ ମଧ୍ୟରେ ପୃଥିବୀ ବାଣ୍ଟି ଦେଇ ମଳୟ ପର୍ବତକୁ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା ପାଇଁ ଚାଲିଗଲେ l ବୈଦର୍ଭି ମଧ୍ୟ ଘର ଦ୍ଵାର ଛାଡ଼ି ତାଙ୍କର ଅନୁଗମନ କଲେ l ମଳୟ ପର୍ବତରେ ମଳୟଧ୍ଵଜ ନିଶ୍ଚଳ ଭାବେ ଏକ ଶହ ବର୍ଷ ପର୍ଯ୍ୟନ୍ତ ବସି ରହିଲେ l ବୈଦର୍ଭି ତାଙ୍କ ସେବା କରୁଥାନ୍ତି l ଇତି ମଧ୍ୟରେ ମଳୟଧ୍ୱଜ ପରଲୋକବାସୀ ହୋଇ ଗଲେ l କିନ୍ତୁ ସେ ପୂର୍ବ ଭଳି ତାଙ୍କ ଆସନରେ ବସି ରହିଥାନ୍ତି l ବୈଦର୍ଭି ତାଙ୍କ ସେବା କରୁ କରୁ ତାଙ୍କ ଦେହରେ ଉଷ୍ମତା ନଥିବା ଅନୁଭବ କରି, ସେ ପର ଲୋକ ଗମନ କରିଛନ୍ତି ବୋଲି ଜାଣି ପାରିଲେ l ସେ ଚିତାଗ୍ନି ଜାଳି ପତିଙ୍କ ଶବ ଦାହକରି ସେଥିରେ ସତୀ ହୋଇଯିବା ପାଇଁ ସ୍ଥିର କଲେ l ଏତିକିବେଳେ ଜଣେ ବ୍ରାହ୍ମଣ ଆସି ତାଙ୍କୁ କହିଲେ, ତୁମେ ମୋତେ ଚିହ୍ନି ପାରୁଛ ନାଁ l ମୁଁ ହେଉଛି ତୁମର ସେହି ପୁରୁଣାବନ୍ଧୁ ଆତ୍ମଜ୍ଞାନୀ l ଆମେ ଦୁଇ ଜଣ ମାନସ ନିବାସୀ ମିତ୍ର ଥିଲେ ଓ ସହସ୍ର ସହସ୍ର ବର୍ଷ ଧରି ବିନା ନିବାସରେ ଏକତ୍ର ବିହାର କରୁଥିଲେ l କିନ୍ତୁ ଭୋଗ ବିଳାସ ଇଚ୍ଛାରେ ତୁମେ ମୋତେ ଛାଡ଼ି ଚାଲି ଆସିଲ l ପରେ କଅଣ ହେଲା ସବୁ ଗୋଟି ଗୋଟି କରି ସେ ବ୍ରାହ୍ମଣ ତାଙ୍କୁ ସ୍ମରଣ କରାଇ ଦେଲେ l ଏହା ପରେ ନାରଦ ରାଜା ପ୍ରାଚୀନବର୍ହିଙ୍କୁ କହିଲେ, ପୂରଞ୍ଜନ ଉପାଖ୍ୟାନ ମାଧ୍ୟମରେ ଶରୀର ତତ୍ତ୍ଵର ଆଲୋଚନା କରା ହୋଇଛି l ପୁରଞ୍ଜନ ହେଇଛନ୍ତି ଜୀବ l ଜୀବ ନିଜର କର୍ମଦ୍ୱାରା ଏ ଶରୀର ରୂପକ ପୁରକୁ ନିର୍ମାଣ କରେ l ଶରୀରର ସଖା ହେଉଛନ୍ତି ଈଶ୍ୱର, ଯାହାଙ୍କୁ ଅବିଜ୍ଞାତ ବୋଲି କୁହା ହୋଇଛି l ଜୀବ ଯେତେ ବେଳେ ପ୍ରାକୃତ ବିଷୟ ଭୋଗ କରିବାପାଇଁ ଇଚ୍ଛା କଲା, ସେତେବେଳେ ସେ ନବ ଦ୍ଵାର ଦୁଇ ପାଦ ଓ ଦୁଇ ହସ୍ତ ବିଶିଷ୍ଟ ଶରୀରକୁ ପସନ୍ଦ କଲା l ବୁଦ୍ଧି ବା ଅବିଦ୍ୟା ହେଉଛି ସେହି ସୁନ୍ଦରୀ ନାରୀ ପୁରଞ୍ଜନୀ ଯାହାଯୋଗୁଁ ମୁଁ ଓ ମୋର ଭାବ ଉତ୍ପନ୍ନ ହୁଏ l ଏହି ଦେହ ରୂପୀ ନଗରୀର ରକ୍ଷକ ହେଲେ ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ବାୟୁ ଯାହାକୁ ପଞ୍ଚଫଣି ସର୍ପ ବୋଲି କୁହା ଯାଇଛି l ମନହେଲା ପଞ୍ଚ ଜ୍ଞାନେନ୍ଦ୍ରିୟ ଓ ପଞ୍ଚ କର୍ମେନ୍ଦ୍ରିୟର ରାଜା l ପଞ୍ଚ ବିଷୟ ହେଲା ପାଞ୍ଚାଳ ଦେଶ l ଦେହ ହେଉଛି ରଥ, ଇନ୍ଦ୍ରିୟ ମାନେ ଏହାର ଅଶ୍ୱ l ପାପ, ପୁଣ୍ୟ କର୍ମ ଏହା ଚକ l ତ୍ରିଗୁଣ ଏହାର ପତାକା l ପଞ୍ଚପ୍ରାଣ ଏହାର ବନ୍ଧନ ରଜ୍ଜୁ, ମନ ଲଗାମ ଓ ବୁଦ୍ଧି ସାରଥୀ l ହୃଦୟ, ରଥରେ ବସିବାର ଜାଗା l ସୁଖ ଦୁଃଖ ଏହାର ଜୁଆଳି l ଏହି ଦେହ ରୂପକ ରଥରେ ବସି ରଥୀ ରୂପକ ଜୀବ, ମୃଗତୃଷ୍ନା ରୂପକ ଭୋଗ ବାସନା ପଛରେ ଧାଇଁ ଥାଏ l ଏହାର ଏଗାର ଜଣ ସେନାପତି ହେଲେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଓ ମନ l ଏହାଙ୍କ ଅଧୀନରେ ଯେଉଁ ଗନ୍ଧର୍ବ ଗନ୍ଧର୍ବି ଅଛନ୍ତି ସେମାନେ ହେଉଛନ୍ତି ଦିବା ଓ ରାତ୍ରି l କାଳ କନ୍ୟା ହେଉଛି ଜରା l ଜୀବ ହେଉଛି ନିର୍ଗୁଣ, କିନ୍ତୁ ପ୍ରାଣ ଓ ଇନ୍ଦ୍ରିୟ ତାଙ୍କ ଧର୍ମକୁ ଆପଣେଇ ମୁଁ ଓ ମୋର ଅହଙ୍କାରରେ ବାନ୍ଧି ହୋଇ କର୍ମ କରିଥାଏ l ସ୍ୱୟଂପ୍ରକାଶ ହେଲେ ମଧ୍ଯ ଜୀବ ଭଗବାନଙ୍କୁ ଚିହ୍ନି ପାରେ ନାହିଁ l ଜୀବ ଗୁଣର ପ୍ରଭାବରେ, ସାତ୍ତ୍ୱିକ, ତାମସିକ ଓ ରାଜସିକ କର୍ମ କରେ l ଆତ୍ମ ଜ୍ଞାନ, ପୁରୁଷାର୍ଥ ନ ରହିଲେ ସଂସାର କର୍ମ ବନ୍ଧନରୁ ଜୀବ ମୁକ୍ତି ପାଏନାହିଁ l ଏଥିରୁ ମୁକ୍ତି ପାଇବାର ଉପାୟହେଉଛି ଶ୍ରୀହରିଙ୍କ ଭଜନ ଏବଂ ତାଙ୍କଠାରେ ଅଚଳା ଭକ୍ତି l
ଭକ୍ତଶ୍ରେଷ୍ଠ ନାରଦ ରାଜା ପ୍ରାଚୀନବର୍ହିଙ୍କୁ ଏହିପରି ଜୀବ ଓ ଈଶ୍ୱରଙ୍କ ପ୍ରକୃତ ସ୍ୱରୂପ ବିଷୟ ପ୍ରାଞ୍ଜଳ ଭାବେ ବୁଝାଇ ସିଦ୍ଧଲୋକକୁ ଯାତ୍ରାକଲେ l ରାଜା ପ୍ରାଚୀନବର୍ହି ପୁତ୍ରମାନଙ୍କ ହସ୍ତରେ ପ୍ରଜା ପାଳନର ଭାର ଅର୍ପଣ କରି କପିଳାଶ୍ରମକୁ ତପସ୍ୟା କରିବା ପାଇଁ ଚାଲି ଗଲେ ଏବଂ ଶ୍ରୀହରିଙ୍କ ପଦ ପଙ୍କଜରେ ମନ ନିବେଶ କରି ବୈକୁଣ୍ଠ ଗମନ କଲେ l ଶ୍ରୀମଦ୍ ଭାଗବତର ମୈତ୍ରେୟ ବିଦୁର ସମ୍ବାଦରେ ଏହି କଥା ବର୍ଣ୍ଣନା କରି, ମୁନି ମୈତ୍ରେୟ କହିଲେ, "ହେ ବିଦୁର ! ଦେବର୍ଷି ନାରଦଙ୍କ ମୁଖ ନିଶୃତ ଏହି ଆତ୍ମଜ୍ଞାନ ଭଗବାନ୍ ମୁକୁନ୍ଦଙ୍କ ଯଶସହ ସମ୍ବନ୍ଧିତ l ଏହା ତ୍ରିଲୋକକୁ ପବିତ୍ର କରିଥାଏ, ଅନ୍ତଃକରଣକୁ ଶୁଦ୍ଧ କରି ଥାଏ ଓ ପରମାତ୍ମପଦକୁ ପ୍ରକାଶିତ କରିଥାଏ l ଯେ ଏହିକଥା ଶୁଣିବେ, ଗୁଣିବେ ସମସ୍ତ ବନ୍ଧନରୁ ସେ ମୁକ୍ତ ହୋଇଯିବେ ଏଵଂ ତାଙ୍କୁ ଆଉ ସଂସାରଚକ୍ରରେ ଘୁରିବାକୁ ପଡ଼ିବ ନାହିଁ l ପୁରଞ୍ଜନ ଉପାଖ୍ୟାନ ଶେଷରେ ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଉନତ୍ରିଂଶ ଅଧ୍ୟାୟରେ ଏହାର ମହତ୍ତ୍ଵ ପ୍ରତିପାଦନ କରି ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ :-
 ଶୁଣ ବିଦୁର ଜ୍ଞାନମୟେ l
         ନାରଦ ନୃପରେ ସଦୟେ ll
 ପରୋକ୍ଷବାଦେ ଆତ୍ମଜ୍ଞାନ l
         କହିଲେ ଦିବ୍ୟ କଥାମାନ ll
 ଯେ ଏହା ଶ୍ରବଣ କରନ୍ତି l
            ଅଥବା ବଦନେ ଗୁଣନ୍ତି ll
 ସେ ସର୍ବ ହୋନ୍ତି ମୋକ୍ଷପର l
              କହିଲୁଁ ବ୍ରହ୍ମ ତତ୍ତ୍ଵ ସାର ll
               🙏🙏🙏
                   ଅର୍ଜୁନୀ
                  -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational