କୃଷ୍ଣଭକ୍ତ କୃଷ୍ଣାବାଈଙ୍କ କଥା
କୃଷ୍ଣଭକ୍ତ କୃଷ୍ଣାବାଈଙ୍କ କଥା
କୃଷ୍ଣଭକ୍ତ କୃଷ୍ଣାବାଈଙ୍କ କଥା
===============
ବହୁ ଦିନ ତଳର କଥା। ପଶ୍ଚିମ ଭାରତର ସମୁଦ୍ର ତଟବର୍ତ୍ତୀ ଏକ ଗାଆଁରେ ଝାଟିମାଟି କୁଡ଼ିଆ ଘରେ ଧର୍ମପରାୟଣା ବୁଢୀଟିଏ ରହୁ ଥିଲା। ନାମ ତାର କୃଷ୍ଣାବାଈ। ସେ ଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ। ତାର ପ୍ରକୃତ ନାମ ଥିଲା ସୁଖୀୟା । କିନ୍ତୁ ତାଠାରେ ଅତିଶୟ କୃଷ୍ଣଭକ୍ତି ଦେଖି ଲୋକମାନେ ତାକୁ କୃଷ୍ଣାବାଈ ବୋଲି ଡାକୁଥିଲେ। ଅତି ଗରିବ ବୁଢ଼ୀଟି ପରଘରେ କାମ ପାଇଟି କରି, ନିଜର ପେଟ ପୋଷୁଥିଲା। ନିଜର ବୋଲି ବୁଢ଼ୀର ଆଉ କେହି ନଥିଲେ। ଘରେ ସେ ଗୋଟିଏ କୃଷ୍ଣଙ୍କ ମୂର୍ତ୍ତୀ ରଖିଥିଲା। ସେହି ମୂର୍ତ୍ତୀ ହିଁ ଥିଲେ ତା' ପ୍ରାଣ।
ପ୍ରତିଦିନ ସେ ଫୁଲ ତୋଳି ଆଣି ସେଥିରେ ମାଳା ଗୁନ୍ଥି, କୃଷ୍ଣଙ୍କୁ ସକାଳେ ସଂଜେ ଖୁବ୍ ସୁନ୍ଦର କରି ବେଶ କରିଦିଏ। କାମରୁ ଟିକେ ଫୁରସତ ପାଇଲେ ସେ ତାଙ୍କ ସାମ୍ନାରେ ବସି କ'ଣ ସବୁ କଥାବାର୍ତ୍ତା କରେ। ବୁଢ଼ୀର ଏଭଳି ବାଚାଳତା ଦେଖି ଲୋକ ମାନେ ଭାବନ୍ତି, ବୁଢ଼ୀ ବୋଧ ହୁଏ ପାଗଳୀ ହୋଇ ଗଲାଣି । କିନ୍ତୁ ସିଏ ସେଥିପ୍ରତି କାନ ଦିଏ ନାହିଁ। ତାର ଠାକୁର ଭଲ ତ ସିଏ ଭଲ।
ଦିନେ ରାତ୍ରୀରେ ଶୋଇଥିବା ବେଳେ କୃଷ୍ଣା ବାଈ ସ୍ଵପ୍ନ ଦେଖିଲା,ଭଗବାନ୍ ଶ୍ରୀକୃଷ୍ଣ ତାକୁ କହୁଛନ୍ତି, କୃଷ୍ଣା ! କାଲି, ଏଠାରେ ଏକ ବଡ଼ ଭୂକମ୍ପ ହେବ। ତୁ ଏହି ଗାଆଁ ଛାଡ଼ି ଅନ୍ୟତ୍ର ଚାଲିଯା। ବୁଢ଼ୀ ଏହାକୁ ଭଗବାନଙ୍କ ନିର୍ଦ୍ଧେଶ ମନେ କରି ନିଜର ସମସ୍ତ ଆସବାବ ପତ୍ର ଗଣ୍ଠିଲି କଲା। ଗାଁର ସବୁ ଲୋକ ମାନଙ୍କୁ କହିଲା ଅନ୍ୟତ୍ର ଚାଲି ଯାଅ। କାହ୍ନା କାଲି ମୋତେ ଏପରି କହିଛି । ପାଗଳୀ ବୁଢ଼ୀର କଥାକୁ ସମସ୍ତେ ହସରେ ଉଡ଼ାଇ ଦେଲେ। ବୁଢ଼ୀ କଥାକୁ କେହି ନ ଶୁଣିବାରୁ, ସେ ଏକା ଗୋଟିଏ ବଳଦ ଗାଡ଼ିରେ ନିଜର ସମସ୍ତ ଜିନିଷପତ୍ର ରଖି ଅନ୍ୟ ଗାଆଁକୁ ବାହାରିଲା।
ବୁଢ଼ୀ ଗାଆଁ ଛାଡ଼ି ଗାଆଁର ସୀମା ପାର ହେବାକୁ ଯାଉଛି କି ନାହିଁ ପଛରୁ ଶୁଣିଲା, କୃଷ୍ଣ କହୁଛନ୍ତି, ଆରେ ହେ ପାଗଳୀ ! ଯା, ଯେଉଁ ଛୁଞ୍ଚିରେ ମାଳା ଗୁନ୍ଥି ତୁ ମୋତେ ପିନ୍ଧାଇ ଦେଉଥିଲୁ ତୁ ତାକୁ ତୋ କୁଡ଼ିଆରେ ଛାଡ଼ି ଆସିଛୁ। ଶୀଘ୍ର ଯାଇ, ତୁ ସେହି ଛୁଞ୍ଚିକୁ ଘେନିଆସ। ଏବେ ଅଳ୍ପସମୟ ମଧ୍ୟରେ ଭୂମି କମ୍ପ ହେବ। ବୁଢ଼ି ଚିନ୍ତାରେ ପଡ଼ିଗଲା, ସତେ ତ। ମୁଁ ଏବେ କାହ୍ନାକୁ କିପରି ମାଳା ଗୁନ୍ଥି ପିନ୍ଧାଇ ଦେବି। ସେ ଆଉ କାଳ ବିଳମ୍ବ ନ କରି ଶଗଡ଼କୁ ସେଇଠି ଠିଆ କରେଇ ଦେଇ ଧାଇଁଲା କୁଡ଼ିଆରୁ ଛୁଞ୍ଚିଟିକୁ ଆଣିବା ପାଇଁ । ବୁଢ଼ୀକୁ ଫେରି ଆସିବା ଦେଖି ଗାଆଁ ଲୋକେ କାରଣ ପଚାରି ବୁଝି, ସବୁ ଠୋ ଠୋ କରି ହସିଲେ। ବୁଢ଼ୀ ସେଥିକୁ ଭ୍ରୁକ୍ଷେପ ନକରି ଘରେ ପଶି ଚୁପଚାପ୍ ଛୁଞ୍ଚିଟି ବାହାର କରି ଘେନି ପଳାଇ ଆସିଲା।
ବୁଢ଼ୀକୁ ଦେଖି ଶଗଡ଼ିଆ କହିଲା, ଆଲୋ ମାଆ ! ତୁ କାହିଁକି ଏପରି ବ୍ୟସ୍ତ ହେଉଛୁ। ସ୍ବପ୍ନ କଥା କଅଣ ସତ ହୁଏ। ଚିଡିଯାଇ ବୁଢ଼ୀ କହିଲା, ହଉ ତୁ ଚାଲ । ଜଲଦି ଏ ଗାଆଁର ସୀମା ପାର ହୋଇଗଲେ ରକ୍ଷା।
ବୁଢ଼ୀ କଥା ମାନି ଶଗଡ଼ିଆ ଦ୍ରୁତ ଗତିରେ ଶଗଡ଼ ଭିଡ଼ି ଦେଲା। ବୁଢ଼ୀ ଗାଁର ସୀମା ଛାଡ଼ିଲା ମାତ୍ରେ ସତକୁ ସତ ଭୂମିକମ୍ପ ହୋଇ ସମ୍ପୂର୍ଣ୍ଣ ଗ୍ରାମଟି ଜଳ ମଗ୍ନ ହୋଇ, ସମୁଦ୍ରରେ ଲୀନ ହୋଇ ଗଲା। ଯିଏ ସେଠାରୁ ପଳାଇ ଯାଇ ପାରିଲା ବଞ୍ଚି ଗଲା।
ଶଗଡ଼ ବାଲାଟି ଗ୍ରାମରୁ ପଳାଇ ଆସି ଥିବାରୁ ସେ ରକ୍ଷା ପାଇଗଲା।
ଯେତେବେଳ ପର୍ଯ୍ୟନ୍ତ ଭକ୍ତ କୃଷ୍ଣା ବାଈର ଛୁଞ୍ଚିଟି ସେହି ଗ୍ରାମରେ ରହି ଥିଲା ତାହା ସୁରକ୍ଷିତ ଥିଲା। ଛୁଞ୍ଚିଟି ଅପସାରିତ ହେବା ମାତ୍ରେ, ଗ୍ରାମ ଉପରେ ବିପଦ ମାଡ଼ି ଆସିଲା। କୃଷ୍ଣାବାଈର ସ୍ବପ୍ନଟି ସତ୍ୟ ବୋଲି ପ୍ରମାଣିତ ହେଲା। ଲୋକମାନଙ୍କୁ ଜାଣିବା ପାଇଁ ଏହା ଆଉ ବାକି ରହିଲା ନାହିଁ ଯେ ପାଗଳୀ କୃଷ୍ଣା ବାଈ ଭଗବାନଙ୍କର କେତେବଡ଼ ଭକ୍ତ। ଭକ୍ତ ମାଧ୍ୟମରେ ଭଗବାନ ସମସ୍ତଙ୍କୁ ସତର୍କ କରି ଦେଇ ଥିଲେ। କେହି ସେହି କଥା ନ ମାନି ପରିହାସ କରି ଥିବାରୁ, ସମସ୍ତେ ପଶ୍ଚାତାପ କଲେ । ନେଡି ଗୁଡ଼ କିନ୍ତୁ ସେତେ ବେଳକୁ କହୁଣୀକୁ ବହି ଯାଇ ଥିଲା। ସେଦିନ ଠାରୁ ଲୋକ ମୁଖରେ ଗୋଟିଏ କଥା ପ୍ରଚାରିତ ହେଲା:-
ଭରି ବଦରିୟା ପାପ କି
ବରଷନ୍ ଲଗେ ଅଙ୍ଗାର ।
ସନ୍ତ୍ ନ ହୋତେ ଜଗତ ମେଁ
ଜଲ ଯାତା ସଂସାର ।।
କୃଷ୍ଣାବାଈ କାହାଣୀରୁ ଏ କଥା ପ୍ରମାଣିତ ହୋଇ ଥାଏ, ଯେଉଁ ପ୍ରଭୁ ଭକ୍ତର ଛୁଞ୍ଚିଟିଏ ପାଇଁ ଏପରି ଚିନ୍ତିତଥାନ୍ତି, ସେହି ପ୍ରଭୁଙ୍କର ଭକ୍ତ ମାନଙ୍କ ରକ୍ଷା ପାଇଁ ପୁଣି କେତେ ଚିନ୍ତା ହେଉ ନଥିବ ।
ଓଁ ଗୋବିନ୍ଦାୟ ନମଃ
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
