କୁବୁଜା ପୁରରେ ରାମ କୃଷ୍ଣ
କୁବୁଜା ପୁରରେ ରାମ କୃଷ୍ଣ
କୁବୁଜା ପୁରରେ ରାମ କୃଷ୍ଣ
==============
ମଥୁରାପତି କଂସର ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମ ଦୁଇ ଭାଇ ମଥୁରା ଦାଣ୍ଡରେ ଚାଲି ଥାନ୍ତି, ଦେଖିଲେ, ତିନି ବାଙ୍କ ଶରୀର କୁବୁଜା, ହାତରେ ନାନା ବେଶ ସାମଗ୍ରୀ ଧରି ଆସୁଛି । ତାକୁ ଦେଖି କୃଷ୍ଣ କହିଲେ, ଆଲୋ ଭଉଣୀ,ତୁ କିଏ,ଏସବୁ କଣ ନେଇ କୁଆଡ଼େ ଯାଉଛୁ। ଭଗବାନଙ୍କ କଥା ଶୁଣି କୁବୁଜା କହିଲା, ମୁଁ ହେଉଛି କଂସର ବେଶକାରୀ। ଏସବୁ ବେଶ ସାମଗ୍ରୀ ନେଇ ମୁଁ ରାଜାଙ୍କ ପାଖକୁ ଯାଉଛି। ଏହା ମୋର ନିତ୍ୟସେବା। ମୋ ନାଆଁ କୁବୁଜା। ଶ୍ରୀକୃଷ୍ଣ କହିଲେ,ଆଚ୍ଛା ଆମେ ତ ରାଜାଙ୍କ ଭଣଜା l ଧନୁ ଉତ୍ସବ ଦେଖିବାକୁ ଯାଉଛୁ । ଆମକୁ ଟିକେ ବେଶ କରି ଦେବୁନି। ପ୍ରଭୁଙ୍କ କଥା ଶୁଣି କୁବୁଜା କହିଲା, ଛାର ଏହି କଥା। ସେ ଏହା କହି ତା' ପେଡ଼ି ଖୋଲି ଦୁଇ ଭାଇଙ୍କୁ ଅତି ସୁନ୍ଦର ବେଶରେ ସଜାଇ ଦେଲା। ଅତି ପ୍ରୀତହୋଇ ପ୍ରଭୁ ଶ୍ରୀକୃଷ୍ଣ, କୁବୁଯା ଖଞ୍ଜାକୁ ଧରି ସଳଖି ଦେଲେ l ପ୍ରଭୁ ଲୀଳାମୟଙ୍କ ଅଦ୍ଭୁତ ଲୀଳା !! କୃଷ୍ଣଙ୍କ କର ସ୍ପର୍ଶ ପାଇ କୁବୁଜା, ସଙ୍ଗେ ସଙ୍ଗେ ଏକ ଦିବ୍ୟ ସୁନ୍ଦରୀ ନାରୀରେ ରୂପାନ୍ତରିତ ହୋଇଗଲା ।
ନିଜ ସୁନ୍ଦର ରୁପକୁ ଚାହିଁ, କୁବୁଜା ଖୁବ ପ୍ରଫୁଲ୍ଲିତ ହେଲା ଏବଂ ମନେ ମନେ ବିଚାର କଲା ଯିଏ ଏହି ଅପୂର୍ଵ ରୂପ ମୋତେ ଦେଲା ତାକୁ ଭୋଗ କରିବା ପାଇଁ ସେ ହିଁ ଯୋଗ୍ୟ । ଆଗରୁ ତ ପ୍ରଭୁଙ୍କୁ ତାର ମାଗୁଣୀ କରି ସାରିଥିଲା, ଲାଜ ସରମ ଛାଡ଼ି ସେ ଶ୍ରୀକୃଷ୍ଣଙ୍କ ଭୁଜକୁ ଧରି କହିଲା, ମୁଁ, ଏବେ ଯାହା ମାଗୁଛି ତାହା ଦିଅ ହେ ବ୍ରଜମୋହନ ! ତା' କଥା ଶୁଣି ଭକ୍ତ ବତ୍ସଳ ହସି ହସି ତାକୁ ବର ମାଗିବାକୁ କହିଲେ । କୁବୁଜା କହିଲା, ପ୍ରଭୁ, ମୁଁ କୁତ୍ସିତ କୁଜି କଂସ ସେବାରେ ରହିଥିଲି । ମୋତେ ଆପଣ ଏ ଅପୂର୍ଵ ରୂପ ଦେଲେ । ଏ ରୂପ କେବଳ ଆପଣଙ୍କ ଭୋଗ୍ୟ। ମୁଁ ଆଉ କି ବର ମାଗିବି? ପ୍ରଭୁ ଆପଣ ମୋତେ ଆପଣଙ୍କ ଭାର୍ଯ୍ୟା ଭାବେ ଗ୍ରହଣ କରନ୍ତୁ l ଏହା ମଥୁରା ମଙ୍ଗଳରେ ଖୁବ୍ ସୁନ୍ଦରଭାବେ କବି ଭକ୍ତ ଚରଣ ଦାସ ବର୍ଣ୍ଣନା କଲେ:-
ବିଧୁ ବଦନେ ବନମାଳୀ ଭାସନ୍ତି ।
କି ବର ମାଗୁଅଛ କହ ଯୁବତୀ ।।
ଦେବଇଁ ସତ୍ୟ ମୋର ଆରେ କୁବୁଜା ।
ବାଳୀ ବୋଲଇ ତୋର ହେବି ଭାରିଯା ।।
ପ୍ରଭୁ ତା' କଥା ଶୁଣି ସଙ୍ଗରେ ବଡ଼ଭାଇ ବଳରାମ ଥିବାରୁ ସଙ୍କୋଚ କରି କହିଲେ :-
ବୋଲନ୍ତି ଦେଖ ସଙ୍ଗେ ଅଛନ୍ତି ହଳୀ l
ତୋତେ କି ଲାଜନାହିଁ ମଥୁରାବାଳୀ ll
ପ୍ରଭୁ ଭକ୍ତର ମନୋଭାବ ଜାଣିପାରି କହିଲେ, ହଉ, ତୋ' ଅଭିଳାଷ ମୁଁ ନିଶ୍ଚୟ ପୂରଣ କରିବି । ଆଗେ ମୁଁ କଂସର ଦର୍ପ ଚୁର୍ଣ୍ଣକରି ସଭିଙ୍କ କଷଣ ଦୂରକରି ଆସେ, ତୁ ତୋ ପୁର ସଜାଇ ବସି ରହିଥା ।
ଶ୍ରୀକୃଷ୍ଣ କୁବୁଜାକୁ ଏଭଳି ପ୍ରବୋଧନା ଦେଇ ଧନୁ ଉତ୍ସବ ଦେଖିବାପାଇଁ ମଥୁରା ରାଜ ଭବନ ଆଡେ ଆଗେଇ ଚାଲିଲେ । ଦିବ୍ୟ ସୁନ୍ଦରୀ କୁବୁଜା ଚିର ଦିନ ଶ୍ରୀକୃଷ୍ଣ ଦାସୀ ହୋଇ ରହିବା ଅଭିଳାଷରେ ଚାହିଁ ବସିଲା । କବି ଭକ୍ତ ଚରଣଙ୍କ ଭାଷାରେ :-
ଶେଜ ଶେଜାଇ ବସି ରହିଲା ବାମା ।
ବୋଲେ ଆସିବେ ନିଶ୍ଚେ ବିଚିତ୍ରକର୍ମା ।।
କୁବୁଜା ଠାରୁ ବିଦାୟ ନେଇ ପ୍ରଭୁ ଭାଇଙ୍କ ସହିତ ଧନୁ ଘର ଦିଗକୁ ଚାଲିଲେ । ପୁଣି କୁବଳୟା ଗଜ ଚାଣୁର, ମୁଷ୍ଟିକ, ପ୍ରଭୃତି, କଂସର କେତେ ମଲ୍ଲଙ୍କୁ ସଂହାର କଲେ । ପ୍ରଭୁଙ୍କ ଅଦ୍ଭୁତ କର୍ମ ଦେଖି ମଞ୍ଚ ଉପରେ ବସିଥିବା କଂସ, ମଞ୍ଚରୁ ଖସି ପଡ଼ିଲା ଓ ଭଗବାନଙ୍କ ଆଡ଼କୁ ଚାହିଁ ପ୍ରାଣଛାଡ଼ିଲା। ଶ୍ରୀମଦ ଭାଗବତ ବର୍ଣ୍ଣନାକଲେ, ମଞ୍ଚାରୁ ପଡ଼ି ମାମୁଁ ମଲା,
ଆମକୁ ଦଇବ ରଖିଲା ।
କଂସର ନିଧନ ହେଲା। ପୂର୍ବ ବଚନାନୁସାରେ ଉଦ୍ଧବଙ୍କୁ ସାଙ୍ଗରେ ଧରି, ଶ୍ରୀକୃଷ୍ଣ କୁବୁଜା ପୁରକୁ ଗଲେ । କୁବୁଜା ଘରଦ୍ଵାର ସୁନ୍ଦର ଭାବେ ମଣ୍ଡଣି କରି ସୁବେଶ ହୋଇ, ପ୍ରଭୁଙ୍କ ପ୍ରତୀକ୍ଷାରେ ଥିଲା । ଯାହା ଘରକୁ ସ୍ଵୟଂ ଭଗବାନ ବିଜେ କରିବେ ତା' ଆନନ୍ଦ ଆଉ କିଏ ବା କହିବ। କୁବୁଜା ସ୍ଵହସ୍ତରେ ପ୍ରଭୁଙ୍କ ପଦଧୌତ କରି ଗନ୍ଧ, ଚନ୍ଦନ, ଧୂପ ଦୀପ ଆଦି ନାନା ଉପଚାରରେ ପୂଜା କରି ତାଙ୍କୁ ନେଇ
ଦିବ୍ୟ ଆସନରେ ବସାଇଲା। ସେ ଉଦ୍ଧବଙ୍କୁ ମଧ୍ୟ ପୂଜା କରି ଦିବ୍ୟ ଆସନ ପ୍ରଦାନ କଲା । ପ୍ରଭୁଙ୍କ ସମ୍ମୁଖରେ ଆସନରେ ବସିବା ପାଇଁ ଉଦ୍ଧବ କିନ୍ତୁ କୁଣ୍ଠିତ ହୋଇ ତଳେ ବସି, ପ୍ରଭୁଙ୍କ ପାଦକୁ ଲୟ କଲେ। ଶ୍ରୀମଦ୍ ଦ୍ଭାଗବତ ବର୍ଣ୍ଣନା କଲେ :-
ଉଦ୍ଧବ ହରଷ ବଦନ ।
ଚରଣେ ଚାଳିଲା ଆସନ ।।
ଏକାନ୍ତେ ଭୂମିରେ ବସିଲା ।
କୃଷ୍ଣ ଚରଣେ ମନଦେଲା ।।
କୁବୁଜା, କୃଷ୍ଣଙ୍କୁ ଭିତର ପୁରକୁ ନେଇ, ସୁସଜ୍ଜିତ ପଲ୍ୟଙ୍କରେ ବସାଇ କ୍ରୀଡ଼ା ରସରେ ମାତି ଗଲା । ଶ୍ରୀମଦ ଭାଗବତ ବର୍ଣ୍ଣନା କଲେ :-
କୁବୁଜା କାମଭୋଳେ କରି
କୃଷ୍ଣ ଚରଣ କରେ ଧରି ।।
ଚକ୍ଷୁ ହୃଦୟ କୁଚେ ଧରେ ।
ଆଘ୍ରାଣ କଲା ନାସାଦ୍ଵାରେ ।।
ଯେତେ କଳୁଷ ଦେହେ ଥିଲା
ଗୋବିନ୍ଦ ଚରଣେ ମାଜିଲା ।।
କୃଷ୍ଣଙ୍କ ଅଙ୍ଗ ସଙ୍ଗରେ କୁବୁଜାର ଅନେକ ଜନ୍ମର ପାପ କ୍ଷୟ ହୋଇଗଲା । ତ୍ରେତୟା ଯୁଗରେ ସେ ଥିଲା ସୂର୍ପଣଖା । ଶ୍ରୀରାମଙ୍କୁ ସ୍ଵାମୀ ଭାବେ ଚିନ୍ତି ସେ ଏ ଜନ୍ମରେ କୁବୁଜା ରୂପେ ମନୋବାଞ୍ଛା ପୂର୍ଣ୍ଣ କରିଛି । ତା' ଉପରେ ସନ୍ତୁଷ୍ଟ ହୋଇ ତାକୁ କୃଷ୍ଣ ବର ଯାଚିଲେ । ହାୟ ! କୁବୁଜା ପ୍ରଭୁଙ୍କୁ ପାଖରେ ପାଇ ମୋକ୍ଷ ନ ମାଗି କଅଣ ମାଗିଲା ? ଦେଖନ୍ତୁ କି ଦୁର୍ଭାଗ୍ୟ ତାର,:-
ଦେଖ ଦୁର୍ଭାଗ୍ୟ ଫଳ ତାର ।
କୃଷ୍ଣଙ୍କୁ ମାଗିଲା ଏ ବର ।।
ଭୋ ନାଥ ରହ କିଛି ଦିନ ।
ତୋଷ ନୋହିଲା ମୋର ମନ ।।
ପଦ୍ମଲୋଚନ ତୋର ସଙ୍ଗେ ।
କ୍ରୀଡ଼ା କରିବି ନାନା ରଙ୍ଗେ ।।
ପ୍ରେମୀ ଭକ୍ତ ଓ କାମୀ ଭକ୍ତଙ୍କ ମଧ୍ୟରେ ପ୍ରଭେଦ ଏତିକି। କାହାଁନ୍ତି ସେ ଗୋପୀ ଆଉ କାହିଁ କୁବୁଜା।ପ୍ରମୀଭକ୍ତ ଅନ୍ତଃକାଳରେ କୃଷ୍ଣଙ୍କ ଦେହରେ ଲୀନ ହୁଅନ୍ତି । ଆଉ କାମୀ ମାନେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲନ୍ତି। ଏହା ଶ୍ରୀମଦ ଭାଗବତର ସିଦ୍ଧାନ୍ତ ।
ଯାହା ହେଉ କୁବୁଜା ଘରେ କିଛିଦିନ ରହି ପ୍ରଭୁ ଫେରି ଆସିଲେ । ଉଗ୍ରସେନଙ୍କୁ ମଥୁରାରେ ରାଜା କଲେ। ମଥୁରାରେ ଥିବା ସବୁ ଯାଦବଙ୍କୁ ଓ ବନ୍ଧୁ ବାନ୍ଧବଙ୍କୁ ଥଇଥାନ କଲେ ।
ଏହାପରେ ପ୍ରଭୁଙ୍କ ମନେପଡ଼ିଲା ହସ୍ତିନାରେ ଥିବା ବଧବା ପିଉସୀ କୁନ୍ତି ଓ ତାଙ୍କ ପାଞ୍ଚ ପୁତ୍ରଙ୍କ କଥା। ତାଙ୍କ ଖବର ନେବାକୁ ପ୍ରଭୁ ଉଦ୍ଧବଙ୍କୁ ସାଙ୍ଗ କରି ଅକ୍ରୁରଙ୍କ ଘରକୁ ଗଲେ। ପୂର୍ବ କଥାନୁସାରେ ପ୍ରଭୁ ତା ଘରକୁ ଆସିଛନ୍ତି। ଏଣୁ ଭକ୍ତିରେ ସେ ଗଦଗଦ ହୋଇ ଗଲା। ପ୍ରଭୁଙ୍କ ପୂଜା କରି ସେ ତାଙ୍କୁ ନାନା ଭାବେ ସ୍ତୁତି କଲେ। ତା' ପରେ ଶ୍ରୀକୃଷ୍ଣ ଅକ୍ରୁରଙ୍କୁ କହିଲେ, ଆପଣ ତ ଆମର ନିଜ ଲୋକ। ଆପଣ ଟିକେ ହସ୍ତିନା ଯାଇ ଧୃତରାଷ୍ଟ୍ରଙ୍କ ଘରେ ରହୁଥିବା ଆମ ପିଉସୀ କୁନ୍ତୀଙ୍କ ଏବଂ ତାଙ୍କ ଅରକ୍ଷିତ ପାଞ୍ଚ ପୁତ୍ରଙ୍କ ଖବର ବୁଝି ଆସନ୍ତୁ। ପ୍ରଭୁଙ୍କ ଆଜ୍ଞା ଘେନି ଅକ୍ରୁର ସଙ୍ଗେ ସଙ୍ଗେ ହସ୍ତିନା ଯାତ୍ରା କଲେ ।
ଏବେ ଆସିବା ଏହି ଭାଗ୍ୟବତୀ କୁବୁଜା କଥାକୁ ।
ସୂର୍ପଣଖା ରାମାୟଣର ଏକ ପ୍ରମୁଖ ପାତ୍ର ଓ ରାମ ରାବଣ ଯୁଦ୍ଧର ମୁଖ୍ୟ ସୁତ୍ର ଧର। ତା' ପ୍ରକୃତ ନାମ ଥିଲା ମୀନାକ୍ଷି, କିନ୍ତୁ ନିଜର ଲମ୍ବ ଓ ସୂର୍ପ ସଦୃଶ ନଖ ହେତୁ ସେ ସୂର୍ପଣଖା ବୋଲି ପରିଚିତ ଥିଲା। ସେ ଋଷି, ବିଶ୍ରବା ଓ ରାକ୍ଷସୀ ନିକସାଙ୍କ କନିଷ୍ଠା କନ୍ୟା ଥିଲା ଏବଂ କାଳକେୟ ଦାନବକୁଳ ସମ୍ଭୂତ ଦାନବ ବିଦ୍ୟୁତ୍ଜିହ୍ୱକୁ ବିବାହ କରିଥିଲା। ଦାନବ ଏବଂ ରାକ୍ଷସଙ୍କ ମଧ୍ୟରେ ସୁସଂପର୍କ ନଥିବା ହେତୁ ସୂର୍ପଣଖା ବିଦ୍ୟୁତଜିହ୍ୱଙ୍କ ବିବାହରେ ରାବଣ ଖୁବ୍ ଅସନ୍ତୁଷ୍ଟ ଥିଲା। ଏଣୁ କ୍ରୁଦ୍ଧ ରାବଣ ବିଦ୍ୟୁତ୍ଜିହ୍ୱକୁ ହତ୍ୟାକରି ସୂର୍ପଣଖାକୁ ଦଣ୍ଡକବନର ଜନସ୍ଥାନକୁ ପଠାଇ ଦେଇଥିଲା। ଲମ୍ବା ଉଦର, ଜଳନ୍ତା ଅଗ୍ନି ସଦୃଶ ନେତ୍ର, ତମ୍ବାସଦୃଶ କେଶ କୁତ୍ସିତ କୁରୁପା ସୂର୍ପଣଖା, ଋଷି ମାନଙ୍କର ରକ୍ତପାନ କରି ଦଣ୍ଡକ ବନରେ ବିଚରଣ କରୁଥିଲା। ରାକ୍ଷସୀ ବୁଲୁ ବୁଲୁ ଏକଦା ବନଚାରୀ ଶ୍ରୀରାମଙ୍କୁ ଦର୍ଶନ କରି କାମ ମୋହିତ ହୋଇ ପଡ଼ିଲା । ଏକ ସୁନ୍ଦରୀ ତରୁଣୀ ରୂପ ଧାରଣ କରି ସେ ଶ୍ରୀରାମଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲା। ଶ୍ରୀରାମ ରାକ୍ଷସୀର ମାୟା ବୁଝିପାରି ତାକୁ ଲକ୍ଷ୍ମଣଙ୍କ ନିକଟକୁ ପଠାଇ ଦେଲେ । ପ୍ରଭୁଙ୍କ ଗୁପ୍ତ ଇଙ୍ଗିତରେ ଲକ୍ଷ୍ମଣ ତା' ନାସା, କର୍ଣ୍ଣ ଛେଦନ କରି, ତାକୁ କୁରୂପା କରି ଛାଡ଼ି ଦେଲେ ।
ସନ୍ଥ ତୁଳସୀ ଦାସ, ଏହାକୁ ଲକ୍ଷ୍ୟ କରି କହିଲେ, ପ୍ରଭୁ ଶ୍ରୀରାମ ସୂର୍ପଣଖା ହସ୍ତରେ ଯେପରି ପାପୀ ରାବଣକୁ ଯୁଦ୍ଧ ନିମନ୍ତେ ଆହ୍ୱାନ ଦେଲେ ।
ସୂର୍ପଣଖା ରକ୍ତାକ୍ତ ହୋଇ ଫେରି ଯାଇ ଖର ଆଉ ଦୂଷଣଙ୍କୁ ଏକଥା କହିଲା। ଚଉଦହଜାର ରାକ୍ଷସ ସୈନ୍ୟ ନେଇ ଖର ଦୂଷଣ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଉପରେ ଆକ୍ରମଣ ଚଳାଇଲେ । ଶ୍ରୀରାମ ଲକ୍ଷ୍ମଣ କିନ୍ତୁ ସେହି ଯୁଦ୍ଧରେ ସମସ୍ତ ରାକ୍ଷସ ମାନଙ୍କୁ ବଧ କରି ପୁରା ଜନସ୍ଥାନକୁ ରାକ୍ଷସମୁକ୍ତ କରିଦେଲେ । ଏହାପରେ ରାବଣ ସୀତାହରଣ ପରି ଦୁଷ୍କର୍ମ କରି ମୃତ୍ୟୁ ବରଣ କଲା।
ଗର୍ଗ ସଂହିତାର ବର୍ଣ୍ଣନା ଅନୁସାରେ ସୂର୍ପଣଖା ନିଜ କୃତ କର୍ମ ପାଇଁ ଅନୁତାପ କରିବା ସହିତ ରାମଙ୍କ ସାନ୍ନିଧ୍ୟ ଲାଭ ପାଇଁ ଭଗବାନ ଶିବଙ୍କୁ ଦଶହଜାର ବର୍ଷ ପର୍ଯ୍ୟନ୍ତ ପୁଷ୍କର ତୀର୍ଥରେ ତପ କଲା । ପ୍ରଭୁ ଆଶୁତୋଷ ତା' ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ ଆଶୀର୍ବାଦକଲେ ତୋର ପ୍ରଭୁଙ୍କୁ ପାଇବାର ସେହି ଅଭିଳାଷ ଦ୍ୱାପର ଯୁଗରେ ପୂର୍ଣ୍ଣହେବ। ସୂର୍ପଣଖା ଭଗବାନ ଶିବଙ୍କ ଆଶୀଷ ଫଳରେ ପର ଜନ୍ମକୁ କୁବୁଜା ଭାବେ ଜନ୍ମହେଲା ଓ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ କରି ତା ମନୋବାଞ୍ଛା ପୂରଣ କଲା।ତେଣୁ ଲୋକ କଥା ରହିଛି :-
ବାଇମନ ମନକୁ ବୁଝା ।
ଲଙ୍କା ସୂର୍ପଣଖା ହେଲା କୁବୁଜା ।।
*****
ଓଁ କୃଷ୍ଣାୟ ଗୋବିନ୍ଦାୟ ନମଃ
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
