STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାଭାରତ ଯୁଦ୍ଧରେ ଊଡ୍ଡୁପୀ ରାଜା     

ମହାଭାରତ ଯୁଦ୍ଧରେ ଊଡ୍ଡୁପୀ ରାଜା     

4 mins
1

   ମହାଭାରତ ଯୁଦ୍ଧରେ ଊଡ୍ଡୁପୀ ରାଜା     
      ==================
ଭଗବାନ୍ ଶ୍ରୀକୃଷ୍ଣଙ୍କ ହସ୍ତିନା ଯାତ୍ରା ଓ ଶାନ୍ତି ପାଇଁ ସମସ୍ତ ପ୍ରଚେଷ୍ଟା ବ୍ୟର୍ଥ ହେବା ପରେ ମହାଭାରତ ଯୁଦ୍ଧ ନିଶ୍ଚିନ୍ତ ହୋଇ ପଡ଼ିଲା। କୁରୁକ୍ଷେତ୍ରରେ କୁରୁ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ପାଇଁ ସମର ସଜ୍ଜା ଆରମ୍ଭ ହୋଇଗଲା। ଭାରତ ବର୍ଷର ସବୁଆଡୁ ରାଜା ମହାରାଜା ମାନେ ଆସି ନିଜ ନିଜ ସେନା ସହିତ ଯୋଗ ଦେଉଥାନ୍ତି। କିଏ କୌରବଙ୍କ ପକ୍ଷରେ ପୁଣି କିଏ ପାଣ୍ଡବଙ୍କ ପକ୍ଷରେ। ସେତେ ବେଳେ ଦକ୍ଷିଣ ଭାରତରେ ଊଡ୍ଡୁପୀ ବୋଲି ଗୋଟିଏ ରାଜ୍ୟ ଥିଲା। ଏବେ କର୍ଣ୍ଣାଟକରେ ଅବସ୍ଥିତ। ଉଡ୍ଡୁପୀର ରାଜା ମଧ୍ୟ ଯୁଦ୍ଧରେ ଭାଗ ନେବା ପାଇଁ ତାଙ୍କ ବିଶାଳ ସେନାକୁ ଧରି, ଯାଇ କୁରୁକ୍ଷେତ୍ରରେ ପହଁଚିଲେ। ସେ ପହଞ୍ଚିବା କ୍ଷଣି ତାଙ୍କୁ ନିଜ ପକ୍ଷକୁ ନେବାକୁ ଉଭୟ କୌରବ ଓ ପାଣ୍ଡବ ପକ୍ଷ ଚେଷ୍ଟା କଲେ। ଉଡ୍ଡୁପି ରାଜା କାହା ପକ୍ଷ ଗ୍ରହଣ କରିବେ କିଛିସ୍ଥିର କରିପାରିଲେ ନାହିଁ। ସେ ଉଭୟ ପକ୍ଷର ଅତ୍ୟନ୍ତ ଯୁଦ୍ଧ ପ୍ରବଣତାକୁ ଦେଖି, ବିସ୍ମିତ ହେଲେ। ହଠାତ୍ ତାଙ୍କ ମନକୁ ଏକ ପ୍ରଶ୍ନ ଆସିଲା, ଆରେ ! ଏତେ ବଡ଼ ଏହି ଯୁଦ୍ଧରେ ଆସି ଏତେ ଏତେ ଯୋଦ୍ଧା ଠୁଳ ହେଲେଣି। ପୁଣି ଏ ମହାଯୁଦ୍ଧ କେତେଦିନ ଚାଲିବ କିଛି ଠିକଣା ନାହିଁ। ମୁଁ ଯାଉଛି, ଶ୍ରୀକୃଷ୍ଣଙ୍କୁ ଗୋଟିଏ କଥା ପଚାରି ବୁଝି ଆସିବି।
ଏପରି ଚିନ୍ତା କରି ଉଡୁପୀ ରାଜା ଯାଇ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚି ତାଙ୍କୁ ପଚାରିଲେ, ହେ କେଶବ ! ଉଭୟ ପକ୍ଷରେ ମୁଁ ଦେଖୁଛି, ଖାଲି ସମସ୍ତେ ଯୁଦ୍ଧ ଯୁଦ୍ଧ ହେଉଛନ୍ତି, ସବୁ ଆଡ଼େ ଯୁଦ୍ଧମ୍ ଦେହି ଡାକରା। କିନ୍ତୁ କେହି ଥରେ ଚିନ୍ତା କରିଛନ୍ତି କି ଏପରି ଏକ ବିଶାଳ ଯୁଦ୍ଧରେ ବିଭିନ୍ନ ଆଡୁ ଆସି ଠୁଳ ହୋଇଥିବା ଏତେ ବିରାଟ ସେନାଙ୍କ ଭୋଜନର କଅଣ ବ୍ୟବସ୍ଥା ହୋଇଛି । ଶ୍ରୀକୃଷ୍ଣ କହିଲେ, ମହାରାଜ, ଆପଣ ଏକବାର ଠିକ କଥା କହିଛନ୍ତି। ଏହା ଏକ ଗଭୀର ଚିନ୍ତାର ବିଷୟ। ଏବେ କଅଣ କରାଯିବ, ମୁଁ କିଛି ଭାବି ପାରୁନାହିଁ । ଶ୍ରୀକୃଷ୍ଣଙ୍କ କଥା ଶୁଣି ଉଡୁପୀ ମହାରାଜ କହିଲେ, ହେ ବାସୁଦେବ ! ମୁଁ ଭାବୁଛି ଭାଇଭାଇ ଭିତରେ ହେଉଥିବା, ଏ ଯୁଦ୍ଧରେ ମୁଁ କାହାରି ପକ୍ଷ ନନେଇ ନିରପେକ୍ଷ ରହିବାହିଁ ଭଲହେବ। ଆପଣ ଚାହିଁବେ ତ ମୁଁ ଉଭୟସେନାଙ୍କୁ ଏହି ଭୋଜନ ଯୋଗାଇବା କାର୍ଯ୍ୟ କରିବି । ରାଜାଙ୍କ କଥା ଶୁଣି ଶ୍ରୀକୃଷ୍ଣ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ, ସତରେ କଣ ଆପଣ ଏତେ ବିଶାଳ ଏ ସୈନ୍ୟ ସାଗରଙ୍କ ଭୋଜନ ବ୍ୟବସ୍ଥା କରିପାରିବେ। ମହାରାଜ କହିଲେ, ପ୍ରଭୁ, ଆପଣ ମୋ ଉପରେ ବିଶ୍ୱାସ ରଖନ୍ତୁ। ମୁଁ, ଏହା କରି ପାରିବି । ମୋ'ର ସେ ସାମର୍ଥ୍ୟ ଅଛି । ତାଙ୍କ କଥାରେ ଆନନ୍ଦିତ ହୋଇ, ଶ୍ରୀକୃଷ୍ଣ କହିଲେ, ଅତି ଉତ୍ତମ ! ଧନ୍ୟ ତୁମେ ମହାରାଜା !
ଯୁଦ୍ଧ ଆରମ୍ଭ ହୋଇ ଗଲା । ଘମାଘୋଟ  ଲଢେ଼ଇରେ ପ୍ରତି ଦିନ ଲକ୍ଷ ଲକ୍ଷ ସେନା ମରିବାକୁ ଲାଗିଲେ। ଏପରି ଅଠରଦିନ ଯୁଦ୍ଧ ଶେଷରେ ପାଣ୍ଡବମାନେ ଯୁଦ୍ଧଜୟୀ ହେଲେ। ଉଡ୍ଡୁପୀ ରାଜାଙ୍କର ଭୋଜନ ବ୍ୟବସ୍ଥା ଏତେ ସୁନ୍ଦର ଥିଲା ଯେ, କୌଣସି ଦିନ ଏତେ ବଡ ବିଶାଳ ସେନାଙ୍କ ପାଇଁ ଖାଦ୍ୟ ନିଅଣ୍ଟ ପଡୁ ନଥିଲା କି ଏତେ ସୈନ୍ୟ ମରିବା ସତ୍ତ୍ୱେ ବି କୌଣସି ଦିନ ଖାଦ୍ୟ ବଳିପଡୁ ନଥିଲା। ସେ ଏତେ ନିଖୁଣ ଭାବେ କିପରି ହିସାବ ରଖୁ ଥିଲେ ତାହା ତାଙ୍କୁହିଁ ଜଣାଥିଲା। ଭୋଜନର ଏପରି ସୁବ୍ୟବସ୍ଥା ପାଇଁ ସମସ୍ତେ ରାଜାଙ୍କ ପ୍ରଶଂସା କରୁଥିଲେ।
ଯୁଦ୍ଧ ଶେଷ ହୋଇଗଲା । ସେଦିନ ଥାଏ, ଧର୍ମରାଜଙ୍କ ହସ୍ତୀନା ରାଜ ସିଂହାସନରେ ଅଭିଷେକ ଦିବସ। ଦେଖିବାକୁ ଉପସ୍ଥିତ ଥାନ୍ତି ବହୁ ରାଜା ଓ ମହାରାଜା। ସେଠାରେ ମଧ୍ୟ ଉପସ୍ଥିତ ଥାଆନ୍ତି ଉଡ୍ଡୁପୀ ରାଜା। ଯୁଧିଷ୍ଠିରଙ୍କୁ ଯୁଦ୍ଧ ଜୟୀ କରାଇ ଥିବାରୁ ଉପସ୍ଥିତ ସମସ୍ତ ରାଜନବର୍ଗଙ୍କୁ ଧର୍ମରାଜ ପ୍ରଶଂସା କରୁଥାନ୍ତି । ହଠାତ୍, ତାଙ୍କର ନଜର ପଡ଼ିଲା ଉଡ୍ଡୁପୀ ରାଜାଙ୍କ ଉପରେ । ରାଜାଙ୍କୁ ପାଖକୁ ଡାକି ନେଇ ଧର୍ମରାଜ ଯୁଧିଷ୍ଠିର କହିଲେ, 'ଆପଣ ହେଉଛନ୍ତି ସବୁଠୁ ବେଶି ପ୍ରଶଂସାର ପାତ୍ର । ଆପଣ ଯୁଦ୍ଧ କ୍ଷେତ୍ରରେ, ସେନାଙ୍କ ଭୋଜନର ଏପରି ବ୍ୟବସ୍ଥା କରିଥିଲେ ଯେ କୌଣସି ଦିନ ଖାଦ୍ୟ ନିଅଣ୍ଟ ପଡୁ ନଥିଲାକି କୌଣସି ଦିନ ଖାଦ୍ୟ ବଳିପଡୁ ନଥିଲା। ଆଶ୍ଚର୍ଯ୍ୟ ଲାଗୁଛି, ଆପଣ, କିପରି ଏଭଳି ନିଖୁଣ ବ୍ୟବସ୍ଥା କରି ପାରିଲେ। କିଛି ରହସ୍ୟ ଅଛି ଯଦି କୁହନ୍ତୁ। ମୁଁ ତାହା ଜାଣିବାକୁ ଚାହୁଁଛି'। ଉଡ୍ଡୁପୀ ମହାରାଜା ହସି ହସି କହିଲେ, ହେ ଧର୍ମରାଜ ! ଆପଣ ଯୁଦ୍ଧ ଜିତିଗଲେ ତାହାର ଶ୍ରେୟ କାହାକୁ ଆପଣ ଦେଉଛନ୍ତି । ଯୁଧିଷ୍ଟିର କହିଲେ, କାହାକୁ ଏହାର ଶ୍ରେୟ ମୁଁ ଦେବି। ଆମ ପକ୍ଷରେ ଯଦି ବାସୁଦେବ ନ ଥାନ୍ତେ ଆମେ କଣ ଏହି ଯୁଦ୍ଧ ଜିତି ପାରି ଥାଆନ୍ତୁ। ରାଜା ଏହାଶୁଣି କହିଲେ, ଆପଣ ଯେଉଁ ରହସ୍ୟକଥା ମୋତେ ପଚାରୁଛନ୍ତି, ସେହି, ରହସ୍ୟର ସୂତ୍ରଧର ମଧ୍ୟ ଭଗବାନ୍ ଶ୍ରୀକୃଷ୍ଣ, ତାଙ୍କୁ ଛାଡ଼ି କାହାର ବା ଗତିଅଛି । ଆଶ୍ଚର୍ୟ୍ଯ ଯୁଧିଷ୍ଠିର ସମ୍ପୁର୍ଣ୍ଣ କଥା ଜାଣିବାକୁ ଚାହିଁବାରୁ, ରାଜା ଖୋଲି କରି କଥାକୁ ବୁଝାଇ ଦେଲେ। ରାଜା କହିଲେ, ହେ ମହାରାଜ ! ଶ୍ରୀକୃଷ୍ଣ ପ୍ରତ୍ୟହ ଚିନାବାଦାମ ଖାଉଥିଲେ। ପ୍ରତିଦିନ ତାଙ୍କ ଖାଇବା ଯାଗାରେ ମୁଁ ଗଣିକରି ଚିନା ବାଦାମ ରଖୁ ଥିଲି। ସେ ଖାଇ ଚାଲି ଯିବା ପରେ, ମୁଁ ପୁଣି ଗଣି ନେଉଥିଲି ଆଉ କେତେ ବାଦାମ ବଳିଲା। ଏଥିରୁ ମୁଁ ଜାଣି ନେଉଥିଲି ସେ କେତେ ବାଦାମ ଖାଇଲେ ବୋଲି । ସେ ଯେତିକି ଖାଆନ୍ତି ତା' ପରଦିନ ତାର ହଜାର ଗୁଣ ସୈନ୍ୟ ଯୁଦ୍ଧରେ ମରୁଥିଲେ। ଏଥିରୁ ମୁଁ କଳି ନେଉ ଥିଲି ଭୋଜନ ପ୍ରସ୍ତୁତ କରିବାର ଆବଶ୍ୟକତା। ଏଣୁ କୌଣସି ଦିନ ଖାଦ୍ୟ ବଳିପଡୁ ନ ଥିଲା କି ନିଅଣ୍ଟ ମଧ୍ୟ ହେଉ ନ ଥିଲା। ରାଜାଙ୍କ କଥା ଶୁଣି ଉପସ୍ଥିତ ସମସ୍ତେ ଚମତ୍କୃତ ହେଲେ ଓ ଭଗବାନ୍ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲେ। ଯୁଧିଷ୍ଠିରଙ୍କ ଅଭିଷେକ ସମାପ୍ତ ହେଲା। ହସ୍ତିନାରୁ ସମସ୍ତେ ବିଦାୟନେଲେ। ଉଡ୍ଡୁପୀ ମହାରାଜ ମଧ୍ୟ ଉଡ୍ଡୁପୀକୁ ଫେରି ଆସିଲେ।
ଭଗବାନ ଶ୍ରୀକୃଷ୍ଣଙ୍କର ରାଜା ଥିଲେ ପରମ ଭକ୍ତ। ସେ ଯୁଦ୍ଧରୁ ଫେରି ଆସି ଉଡ୍ଡୁପୀରେ ଶ୍ରୀକୃଷ୍ଣଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରି ଭଗବାନଙ୍କ ପୂଜା ଆରମ୍ଭକଲେ। ଅଦ୍ୟାବଧି ଉଡ୍ଡୁପୀ ଠାରେ ସେହି ମନ୍ଦିର ବିରାଜ ମାନ ରହିଛି। ଅବଶ୍ୟ ସମୟ ସ୍ରୋତରେ ରାଜାଙ୍କ ନିର୍ମିତ ସେହି ମନ୍ଦିରର ବହୁବାର ଜୀର୍ଣ୍ଣ ସଂସ୍କାର ହୋଇଛି ।
               🙏🙏🙏
                  ଅର୍ଜୁନୀ
                  -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational