ମହାଭାରତରେ ପତିବ୍ରତା ବୃଷାଳୀ
ମହାଭାରତରେ ପତିବ୍ରତା ବୃଷାଳୀ
ମହାଭାରତରେ ପତିବ୍ରତା ବୃଷାଳୀ
=================
ଯମୁନା କୁଳରେ ବାସ କରୁଥାନ୍ତି ଜଣେ ସୂତ କୁଳ ସମ୍ଭୂତ ବ୍ୟକ୍ତି ଅଧିରଥ। ତାଙ୍କ ସ୍ତ୍ରୀଙ୍କ ନାମ ରାଧା। ରଥଚାଳନା କରି, ସେ ଜୀବିକା ନିର୍ବାହ କରନ୍ତି। ଏହି ଦମ୍ପତ୍ତିଙ୍କର ଗୋଟିଏ ଦୁଃଖ ଥିଲା ସେମାନେ ଥିଲେ ନିଃସନ୍ତାନ।
ଅଧିରଥ ଦିନେ ଯମୁନା ଜଳରେ ସ୍ନାନ କରୁ ଥାନ୍ତି ଦେଖିଲେ ଏକ ସୁନ୍ଦର ପେଟିକା ଯମୁନା ଜଳରେ ଭାସି ଭାସି ଚାଲିଛି । କୌତୁହଳୀ ହୋଇ ପେଟିକାଟିକୁ ଉଠାଇ ନେଇ ଅଧିରଥ ଦେଖିଲେ ପେଟିକା ଭିତରେ ଶୋଇଚ୍ଛି, ଏକ ଦିବ୍ୟ ଶିଶୁ । ଆନନ୍ଦ ଅଧିର ଅଧିରଥ ସେ ଶିଶୁଟିକୁ ଘରକୁ ଘେନିଆସିଲେ। ପତ୍ନୀ ରାଧା ପିଲାଟିକୁ ଦେଖି ଖୁବ୍ ଖୁସି ହୋଇ କହିଲେ, ଏତେ ଦିନ ପରେ ଭଗଵାନ ଆମର ଡାକ ଶୁଣିଲେ ।
ନିସନ୍ତାନ ଦମ୍ପତ୍ତି ଅଧିରଥ ଓ ରାଧା ସେହି ଶିଶୁକୁ ଲାଳନ ପାଳନ କରି ଓ ଶିକ୍ଷାଦେଇ ବଡ଼ କଲେ l
ସେହି ଶିଶୁଟି ଆଉ କେହି ନ ଥିଲେ । ସେ ଥିଲେ କୁମାରୀ କୁନ୍ତୀଙ୍କ ପରିତ୍ୟକ୍ତା ପୁତ୍ର ମହାଭାରତର ମହଯୋଦ୍ଧା, ମହାବୀର, କର୍ଣ୍ଣ। କର୍ଣ୍ଣ ଦ୍ଵାର ଦେଇ ଜନ୍ମ ହୋଇଥିବାରୁ ପରେ ସେ କାନୀନପୁତ୍ର କର୍ଣ୍ଣ ନାମରେ ପରିଚିତ ହେଲେ। ପାଳକ ପିତା ଅଧିରଥ ତାଙ୍କ ନାମ ରଖିଥିଲେ, ବସୁଷେଣ । ସୂତ କୂଳ ସମ୍ଭୂତ ପିତାଙ୍କ ଯୋଗୁଁ, କର୍ଣ୍ଣଙ୍କର ଅନ୍ୟ ପରିଚିତି ଥିଲା,ସୂତପୁତ୍ର, ମା' ରାଧାଙ୍କ ଦ୍ଵାରା ପ୍ରତିପାଳିତ ହୋଇଥିବାରୁ ତାଙ୍କ ନାମ ହୋଇଥିଲା ରାଧେୟ ।
ମାତା କୁନ୍ତୀଙ୍କ ମାତୃତ୍ଵକୁ ସେ ପ୍ରତ୍ୟାଖ୍ୟାନ କରି, ସର୍ବଦା ନିଜକୁ ରାଧାପୁତ୍ର, ରାଧେୟ କହୁଥିଲେ । କର୍ଣ୍ଣାର୍ଜୁନ ମହାସମର ଆସନ୍ନ ହୋଇଥିବା ସମୟରେ ଦିନେ କୁନ୍ତୀ ଯାଇ ପହଞ୍ଚିଥିଲେ କର୍ଣ୍ଣଙ୍କ ପାଖରେ ତାଙ୍କୁ ନିଜ ମାତୃତ୍ଵର ପରିଚୟ ଦେଇ, ପାଣ୍ଡବଙ୍କ ପକ୍ଷକୁ ଫେରାଇ ଆଣିବା ପାଇଁ । କିନ୍ତୁ ସେ ଏହା ପ୍ରତ୍ୟାଖ୍ୟାନ କରି କହିଲେ, କର୍ଣ୍ଣ ମଲେ, ପାଞ୍ଚ । ଅର୍ଜୁନ ମଲେ ପାଞ୍ଚ। ଆପଣ ବ୍ୟଥିତ ହେଉଛନ୍ତି କାହିଁକି। ମୁଁ ରାଧା ପୁତ୍ର ରାଧେୟ । ମୁଁ ସୂତ ପୁତ୍ର । ଏହାହିଁ ମୋର ପରିଚୟ ।
ବସୁଷେଣ କ୍ରମେ ଯୁବବୟସରେ ପହଞ୍ଚିଲାରୁ ପିତା ଅଧୀରଥ ନିଜ ସମ୍ପ୍ରଦାୟରୁ ଝିଅଟିଏ ଆଣି ତାଙ୍କର ଵିଵାହ କରି ଦେଲେ । ତାଙ୍କ ନାମ ଥିଲା ବୃଷାଳୀ। ଵିଵାହଦିନରୁ ବୃଷାଳୀ ଥିଲେ, ଖୁବ୍ ପତି ଅନୁରକ୍ତା । ସେ ପଦେ ପଦେ କର୍ଣ୍ଣଙ୍କୁ ସତ୍ ପଥରେ ଚାଲିବା ପାଇଁ ଉପଦେଶ ଦେଉ ଥିଲେ। ଯେଉଁ ଦିନ କର୍ଣ୍ଣ ସୂତ ପୁତ୍ର ବୋଲି ଦ୍ରୌପଦୀଙ୍କ ସ୍ଵୟମ୍ବରରେ ଅପମାନିତ ହୋଇ ଫେରି ଆସିଲେ ସେଦିନ ବୃଷାଳୀ ଖୁବ୍ ମର୍ମାହତ ହୋଇ ଥିଲେ । ଏହା ପରେ କର୍ଣ୍ଣଙ୍କ ଜୀବନରେ ଗୋଟିକ ପରେ ଗୋଟିଏ ବିପର୍ଯ୍ୟୟ ଘଟି ଚାଲିଲା ଯଥା:-
* ସେ ଶିକ୍ଷା ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା।
* ପର୍ଶୁରାମଙ୍କ ଦ୍ବାରା ଅଭିଶପ୍ତ ହେବା।
* ବ୍ରାହ୍ମଣଙ୍କ ଦ୍ବାରା ଅଭିଶପ୍ତ ହେବା।
* ଇନ୍ଦ୍ରଙ୍କ ଦ୍ବାରା ତାଙ୍କ କବଚ କୁଣ୍ଡଳ ହରଣ।
ବୃଷାଳୀ ଏସବୁ ଦେଖି ଦେଖି ନିଜ ଛାତିକୁ ପଥର କରି ସ୍ବାମୀଙ୍କ ମନୋବଳ ବଢ଼ାଇବା ପାଇଁ କାର୍ଯ୍ୟ କରୁଥିଲେ। କର୍ଣ୍ଣଙ୍କର ଅନ୍ୟ ଦୁଇ ଜଣ ସ୍ତ୍ରୀ ଥିଲେ ସୁପ୍ରିୟା ଓ ଊର୍ବି। ସମସ୍ତଙ୍କ ମଧ୍ୟରେ ବୃଷାଳୀ ବଡ଼ ଥିଲେ । ସେମାନେ ବୃଷାଳୀଙ୍କୁ ଖୁବ୍ ସମ୍ମାନ କରୁ ଥିଲେ। ବୃଷାଳୀଙ୍କ ଠାରୁ କର୍ଣ୍ଣଙ୍କର ପାଞ୍ଚପୁତ୍ର ଜହ୍ନ ହୋଇଥିଲେ। ସେହି ପୁତ୍ରମାନେ ଥିଲେ ବୃଷସେନ, ପ୍ରସେନ, ଚିତ୍ରସେନ, ସତ୍ୟସେନ ଏବଂ ସୁସେଣ। ଏହି ପୁତ୍ରମାନେ ସମସ୍ତେ କୁରୁକ୍ଷେତ୍ରରେ ନିହତ ହୋଇ ଥିଲେ। ସେ ଦୂର୍ଯ୍ୟୋଧନକୁ ବହୁତ ଘୃଣାଚକ୍ଷୁରେ ଦେଖୁ ଥିଲେ । କର୍ଣ୍ଣଙ୍କ ତାଙ୍କ ସହ ଜଡ଼ିତ ହେବା ସେ ଆଦୌ ପସନ୍ଦ କରୁ ନଥିଲେ । ସେଥି ପାଇଁ କର୍ଣ୍ଣଙ୍କୁ ସେ କହୁଥିଲେ, କୃତଜ୍ଞତାର ଅର୍ଥ ଆତ୍ମ ସମ୍ମାନର ଜଳାଞ୍ଜଳୀ ନୁହେଁ ! ଦୁର୍ଯ୍ୟୋଧନ ଆପଣଙ୍କୁ ସମ୍ମାନିତ କରିଛନ୍ତି, ଭଲ କଥା। କିନ୍ତୁ ଧର୍ମକୁ ପରିତ୍ୟାଗ କରି ପରିଶୋଧ କରା ଯାଉଥିବା ଋଣକୁ ଦାସତ୍ୱ କୁହାଯିବ, ବନ୍ଧୁତା ନୁହେଁ ।
ସେ ଦିନ କୁରୁକ୍ଷେତ୍ରରେ ଥାଏ ସପ୍ତଦଶ ଦିନର ଯୁଦ୍ଧ। କର୍ଣ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ବହୁ ପ୍ରତିକ୍ଷିତ ମହା ସମର। ବ୍ରାହ୍ମଣଙ୍କ ଅଭିଶାପ ସତ ହେଲା । କର୍ଣ୍ଣଙ୍କ ରଥ ଚକକୁ ଧରଣୀ ଗ୍ରାସ କଲା। ସମସ୍ତ ଅସ୍ତ୍ରବିଦ୍ୟା ସେ ବିସ୍ମୃତ ହୋଇଗଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଅର୍ଜୁନ, ବାଣ ବର୍ଷା କରି ମହାବୀର କର୍ଣ୍ଣଙ୍କୁ ଭୂପତିତ କଲେ । ଭୋଗବତୀ ତଟରେ ଜଳି ଉଠିଲା କର୍ଣ୍ଣଙ୍କ ଚିତା। ପୂର୍ବରୁ ପାଞ୍ଚ ପୁତ୍ରଙ୍କୁ ହରାଇ ଥିବା ବୃଷାଳୀଙ୍କ ଆଉ କଅଣ ଥିଲା। ସେ ମଧ୍ୟ ସ୍ଵାମୀଙ୍କ ଚିତାଗ୍ନୀରେ ସତୀ ହୋଇ ସ୍ଵାମୀଙ୍କ ଅନୁଗାମୀନୀ ହେଲେ ।
ଇତିହାସ କେଡ଼େନିଷ୍ଠୁର ହୋଇପାରେ ତାହା ଆମକୁ ଶିକ୍ଷା ଦିଏ ବୃଷାଳୀଙ୍କ କାହାଣୀ ।
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
