ନାରଦଙ୍କ ଦ୍ଵାରା ଭକ୍ତିଦେବୀଙ୍କ କଷ୍ଟ ନିବୃତ୍ତି
ନାରଦଙ୍କ ଦ୍ଵାରା ଭକ୍ତିଦେବୀଙ୍କ କଷ୍ଟ ନିବୃତ୍ତି
ଦେବର୍ଷି ନାରଦଙ୍କ ଦ୍ଵାରା
ଭକ୍ତିଦେବୀଙ୍କ କଷ୍ଟ ନିବୃତ୍ତି
==============
ବିଶାଳନଗରୀରେ ଦିନେ ଦେବର୍ଷି ନାରଦଙ୍କୁ ଖୁବ୍ ଉଦାସ ମନରେ ଦେଖି ସମବେତ ମୁନି ମାନେ ପ୍ରଶ୍ନ କଲେ,ଦେବର୍ଷି ! ଆପଣ ଏପରି ଉଦାସ ଓ ଚିନ୍ତିତ ଜଣା ପଡୁଛନ୍ତି କାହିଁକି। ଆପଣ ସଂସାର କଲ୍ୟାଣ ପାଇଁ ତ ତ୍ରିପୁରରେ ହରିନାମ କୀର୍ତ୍ତନ କରି ଭ୍ରମଣ କରୁଛନ୍ତି। ଆପଣଙ୍କର ପୁଣି କି ଚିନ୍ତା ଥାଇ ପାରେ। ଦୟାକରି ଆପଣ ଆପଣଙ୍କ ଚିନ୍ତାର କାରଣ କଣ ଆମକୁ କୁହନ୍ତୁ ।
ମୁନି ମାନଙ୍କ ପ୍ରଶ୍ନରେ ନାରଦ କହିଲେ, ମୁଁ ଏବେ ପ୍ରୟାଗ,କାଶୀ, ହରିଦ୍ଵାର, ସେତୁବନ୍ଧ ଆଦି ତୀର୍ଥ ସ୍ଥାନ ମାନ ଭ୍ରମଣ କରି ଆସିଲି । ମୋତେ କେଉଁ ଠାରେ ହେଲେ ଶାନ୍ତି ମିଳିଲା ନାହିଁ। ଏବେ ସତ୍ୟ ତପ, ଦାନ, ଦୟା, ପ୍ରଭୃତି ଲୁପ୍ତ ହୋଇ ଗଲାଣି । ଲୋକଙ୍କ ପାଖରେ ସଦାଚାର ନାହିଁ l ଏବେ କେହି ଯୋଗୀ ନାହାଁନ୍ତି, କେହି ସିଦ୍ଧ କିମ୍ବା କେହି ଜ୍ଞାନୀ ନାହାଁନ୍ତି । କେହି ସତକର୍ମ କରୁଥିବା ବ୍ୟକ୍ତି ମଧ୍ୟ ନାହାଁନ୍ତି। ସମସ୍ତେ ନିଜ ନିଜର ଉଦର ପୋଷଣ ପାଇଁ ବ୍ୟସ୍ତ । ମୁଁ ଆଉ ଏକ ବିଚିତ୍ର ଘଟଣା ଯାହା ଦେଖିଲି ତାହା କହୁଛି ଶୁଣ ।
ମୁଁ ଏପରି ବୁଲୁବୁଲୁ ଯାଇ ଦିନେ ଯମୁନା ତଟରେ ପହଞ୍ଚି ଗଲି। ସେଠି ଜଣେ ସ୍ତ୍ରୀ ଲୋକ ଦୁଃଖରେ ବସିଥିଲା। ତା' ପାଖରେ ଦୁଇ ଜଣ ବୃଦ୍ଧ ଅଚେତ ହୋଇ ପଡ଼ି ଥିଲେ। ତରୁଣୀ ଜଣକ ତାଙ୍କ ସେବା କରୁଥାଏ ଏବଂ କାନ୍ଦୁ ଥାଏ। ସେମାନଙ୍କୁ ଅନେକ ସ୍ତ୍ରୀ ଲୋକ ପଙ୍ଖା କରୁଥାନ୍ତି ଏଵଂ ବୁଝାଉଥାନ୍ତି। ମୋତେ ଦେଖିବା ମାତ୍ରେ ସେ ସ୍ତ୍ରୀ ଲୋକ ଜଣକ ଠିଆ ହୋଇ ପଡ଼ି କହିଲା, ହେ ମହାତ୍ମନ୍ ! ମୋ ଦୁଃଖ ଟିକିଏ ଆପଣ ବୁଝନ୍ତୁ ଏବଂ ତାହାର କିଛି ସମାଧାନ କରନ୍ତୁ। ମୁଁ ଆଶ୍ଚର୍ଯ୍ୟହୋଇ ତାଙ୍କୁ କିଏ ତୁମେ, ତୁମର କ'ଣ ହୋଇଛି, ଏ ବୃଦ୍ଧ ଦୁଇଜଣ କିଏ, ଏ ସ୍ତ୍ରୀଲୋ ମାନେ କିଏ ଆଦି ପ୍ରଶ୍ନ କଲାରୁ ସେ କହିଲେ, ମୁଁ ହେଉଛି ଭକ୍ତି, ଏ ଦୁହେଁ ମୋର ଦୁଇ ପୁତ୍ର ଜ୍ଞାନ ଓ ବୈରାଗ୍ୟ । ଏ ଦେବୀମାନେ ହେଲେ, ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ଵତୀ ଆଦି। ମୁଁ ମାଆ ହୋଇ ଯୁବତୀ ଅଛି ମାତ୍ର ମୋର ଏ ପୁଅ ଦୁହେଁ ବୃଦ୍ଧ ହୋଇ ଗଲେଣି। ଏହାହିଁ ମୋ ଦୁଃଖ। ମୁଁ ଏବେ କଅଣ କରିବି।
ପୁଣି ନାରଦ କହିଲେ, ଭକ୍ତି ଦେବୀଙ୍କ କଥା ଶୁଣି ମୁଁ ଜାଣି ପାରିଲି ଯେ ଏହା ହେଉଛି କଳି ଯୁଗର ପ୍ରଭାବ। ଏହି ସମୟରେ ପୁଣି ଭକ୍ତି କହିଲେ, ମୁଁ ଜାଣି ପାରୁ ନାହିଁ, ମହାରାଜ ପରୀକ୍ଷିତ, କାହିଁକି ଏହି ପାପୀ କଳିଯୁଗକୁ ରହିବା ପାଇଁ ପ୍ରଶ୍ରୟ ଦେଲେ। ତାରି ପ୍ରଭାବରୁ ସଂସାରରେ ସବୁ ସଦାଚାର ଲୁପ୍ତ ହୋଇ ଗଲାଣି। ଲୋକମାନେ ଶଠତା ଓ ଦୁଷ୍କର୍ମ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ସଂସାରରେ ଦୁଷ୍ଟ ମାନେ ଅଧିକ ଆନନ୍ଦ ଲାଭ କରୁଛନ୍ତି ଏବଂ ସତ ପଥରେ ଚାଲୁଥିବା ଲୋକ କଷ୍ଟ ପାଉଛନ୍ତି ।
ତାଙ୍କୁ ମୁଁ ଉତ୍ତର ଦେଲି, ଭଗବାନ୍ ଶ୍ରୀକୃଷ୍ଣ ଯେଉଁ ଦିନରୁ ଏ ଧରା ଧାମ ଛାଡ଼ିଗଲେ, ସେହିଦିନ ଠାରୁ କଳିଯୁଗ ଏହି ପୃଥିବୀରେ ପ୍ରବେଶ କଲା। ରାଜା ପରୀକ୍ଷିତ ତାକୁ ଘଉଡେଇଦେବାକୁ ଚେଷ୍ଟା କରି ଥିଲେ। ମାତ୍ର ସେ ତାଙ୍କର ଶରଣ ପଶିଲା। ବାଧ୍ୟ ହୋଇ ରାଜା ତାଙ୍କୁ ରହିବା ପାଇଁ ଦେଲେ । କାରଣ ଅନ୍ୟ ସମସ୍ତ ଯୁଗରେ ତପସ୍ୟା, ଯୋଗ ଏବଂ ସମାଧି ଦ୍ୱାରା ଯେଉଁ ଫଳ ଲାଭ ହୁଏ ନାହିଁ, କଳି ଯୁଗରେ ତାହା ଖାଲି ହରି ନାମ କୀର୍ତ୍ତନ ଦ୍ୱାରା ସୁଲଭ ହୋଇଯାଏ ।
ମୋ କଥା ଶୁଣି, ଭକ୍ତି ଦେବୀ ଆଶ୍ଚର୍ୟ୍ଯ ହେଲେ ଓ କହିଲେ, ମୋର ବଡ଼ ସୌଭାଗ୍ୟ ଆପଣଙ୍କ ସହ ଆଜି ମୋର ଭେଟ ହୋଇଗଲା। ଆପଣଙ୍କ ଦର୍ଶନ ପାଇ ପ୍ରହ୍ଲାଦ, ଧ୍ରୁବ ଆଦି ଭକ୍ତ ମାନେ ଏହି ସଂସାର ସାଗରକୁ ପାର କରିଛନ୍ତି। ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି।
ମୁଁ ତାଙ୍କୁ କହିଲି, ସତ୍ୟ,ଦ୍ୱାପର ଓ ତ୍ରେତୟା ଏହି ତିନି ଯୁଗରେ ଜ୍ଞାନ ଓ ବୈରାଗ୍ୟ ହିଁ ମାତ୍ର ମୁକ୍ତିର ମାର୍ଗ ଥିଲା, କିନ୍ତୁ କଳି ଯୁଗରେ ଭକ୍ତି ମଧ୍ୟ ମୋକ୍ଷ ପ୍ରଦାନ କରିବାକୁ ସମର୍ଥ। ଯାହାର ହୃଦୟରେ ଭକ୍ତି ନିବାସ କରେ ତାକୁ ଭୂତ, ପ୍ରେତ,ରାକ୍ଷସ ବା କୌଣସି ଅନିଷ୍ଟକର ଶକ୍ତି ସ୍ପର୍ଶ କରିପାରେ ନାହିଁ। ଭଗବାନ୍, ତପ, ବେଦାଧ୍ୟୟନ, ଜ୍ଞାନ, ଜପ, କର୍ମ କୌଣସିରେ ବଶ ହୁଅନ୍ତି ନାହିଁ । କେବଳ ସେ ଭକ୍ତିରେ ହିଁ ବଶ ହୋଇ ଥାନ୍ତି। ପୂର୍ବେ ମହର୍ଷି ଦୁର୍ବାସା ଭକ୍ତିକୁ ତିରସ୍କାର କରି ବହୁତ କଷ୍ଟ ପାଇ ଥିଲେ । ତୀର୍ଥ, ଯୋଗ, ଜାଗ ଆଦି ଅନେକ ଧର୍ମ କର୍ମ କରିବାର କୌଣସି ପ୍ରୟୋଜନ ନାହିଁ। ଏକ ମାତ୍ର ଭକ୍ତିହିଁ ମୁକ୍ତି ପ୍ରଦାନ କରି ପାରେ ।
ଏହା ଶୁଣି ଭକ୍ତିଦେବୀ କହିଲେ, ଦେବର୍ଷି ଆପଣ ଧନ୍ୟ । ଆପଣଂକ ଠାରେ, ମୋର ନିଶ୍ଚଳ ପ୍ରୀତି ରହିଛି। ଦୟାକରି ଆପଣ ମୋର ଅସୁସ୍ଥ ପୁତ୍ରଙ୍କୁ ଆରୋଗ୍ୟ କରି ଦିଅନ୍ତୁ । ଦେବୀଙ୍କ କଥାରେ ମୁଁ ବିଚଳିତ ହୋଇ ବେଦ ଧ୍ଵନୀ ଦ୍ୱାରା ତାଙ୍କର ପୁତ୍ର ଦ୍ବୟଙ୍କୁ ଆରୋଗ୍ୟ କରିବାକୁ ଚେଷ୍ଟା କଲି । କିନ୍ତୁ ଅତି ଅସୁସ୍ଥତା ହେତୁ ସେମାନେ ଚକ୍ଷୁ ଖୋଲିଲେ ନାହିଁ। ଏହି ସମୟରେ ଆକାଶରୁ ବାଣୀ ଶୁଭିଲା, ହେ ମୁନି, ଆପଣ ଏମାନଙ୍କ ପାଇଁ କିଛି ସତକର୍ମ କରନ୍ତୁ । ମୁଁ ଆକାଶକୁ ଚାହିଁ, ପଚାରିଲି, କୁହନ୍ତୁ ! ମୁଁ କି ସତକର୍ମ କରି ପାରିବି ଯାହା ଦ୍ୱାରା ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟଙ୍କୁ ସୁଖ ମିଳି ପାରିବ।
ଏହି ସମୟରେ ସନକ ଆଦି ଋଷିମାନେ ସ୍ବର୍ଗରୁ ଓହ୍ଲାଇଆସି କହିଲେ, ହେ ଦେବର୍ଷି, ତୁମେ ଚିନ୍ତା କରନାହିଁ । ଋଷି ମାନେ ମୋକ୍ଷ ଅର୍ଥେ ସଂସାରକୁ ଦ୍ରବ୍ୟଯଜ୍ଞ, ତପଯଜ୍ଞ, ଜ୍ଞାନ ଯଜ୍ଞ ଆଦି ବହୁ ମାର୍ଗ ଦେଖାଇ ଯାଇଛନ୍ତି । କିନ୍ତୁ ସେ ସବୁ କଷ୍ଟ ସାଧ୍ୟ। ଏଣୁ ପଣ୍ଡିତମାନେ ଭକ୍ତି ଯଜ୍ଞକୁ ସର୍ବ ଶ୍ରେଷ୍ଠ ମୁକ୍ତି ପ୍ରଦାନକାରୀ ସତ୍ କର୍ମ ବୋଲି ଗ୍ରହଣ କରିଛନ୍ତି।
ସେହି ଭକ୍ତି ଯଜ୍ଞ ହେଉଛି, ଶ୍ରୀମଦ୍ଭାଗବତ ଧ୍ଵନୀ।
ଶ୍ରୀମଦ୍ଭାଗବତ ମହାଧ୍ଵନୀ ଶ୍ରବଣ କରିବା ମାତ୍ରେ କଳିଯୁଗ ଜନିତ, ସମସ୍ତ ଦୋଷ, ଦୁର୍ଗୁଣ ବିନଷ୍ଟ ହୋଇଯାଏ। ଶ୍ରୀମଦ୍ଭାଗବତ ସମସ୍ତ ବେଦ ଏବଂ ଉପନିଷଦର ସାର ତତ୍ତ୍ୱକୁ ନେଇ ସୃଷ୍ଟି ହୋଇଛି। ଭାଗବତ ମହା ଶାସ୍ତ୍ର ମୁକ୍ତି ପ୍ରଦାନ ପାଇଁ ଯଥେଷ୍ଟ ଅଟନ୍ତି । "ଇଦଂ ଭାଗବତଂ ନାମ ପୁରାଣଂ ବ୍ରହ୍ମ ସମ୍ମିତମ୍ । ଭକ୍ତି, ଜ୍ଞାନ, ବିରାଗାଣାଂ, ସ୍ଥାପନାୟ ପ୍ରକାଶିତମ୍" ।
ଅର୍ଥାତ୍ ଏହି ଭାଗବତ ପୁରାଣ ବେଦ ସମତୁଲ୍ୟ ଅଟେ । ଭକ୍ତି, ଜ୍ଞାନ ଏବଂ ବୈରାଗ୍ୟର ସ୍ଥାପନା ହେତୁ ଏହା ପ୍ରକାଶିତ ହୋଇଛନ୍ତି । ଭକ୍ତି, ଜ୍ଞାନ ଓ ବୈରାଗ୍ୟଙ୍କ ଦୁଃଖ ନାଶ ପାଇଁ ଆପଣ ସେମାନଙ୍କୁ ସେହି ଭାଗବତପୁରାଣ ଶୁଣାନ୍ତୁ |
ଏହି କଥୋପକଥନ ଶୁଣି ଭକ୍ତି ଦୁଇପୁତ୍ରଙ୍କ ସହ ବାରମ୍ବାର, " ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେନାଥ ନାରାୟଣ ବାସୁଦେବ" ଉଚ୍ଚାରଣ କରି ପ୍ରଫୁଲ୍ଲିତ ହୋଇ ଉଠିଲେ । ଏପରି ଭାବେ ଭକ୍ତି ଦେବୀଙ୍କ ସମସ୍ତ କଷ୍ଟ ନିବୃତ୍ତ ହେଲା ।
ଭାଗବତ ଶାସ୍ତ୍ର ହେଉଛି ଭକ୍ତିରୂପୀ ଗଙ୍ଗା। ଯେଉଁ ମନୁଷ୍ୟ ପ୍ରତିଦିନ ନାନା ପାପକର୍ମରେ ଲିପ୍ତଥାଏ, ସିଏ କଳିଯୁଗରେ ସପ୍ତାହ ବ୍ୟାପି ଏହି ଭାଗବତଯଜ୍ଞ କରି ପବିତ୍ର ହୋଇଯାଏ । ଏ ଭୂଲୋକରେ ଶ୍ରୀମଦ୍ଭାଗବତ ସ୍ଵୟଂ ପରଂବ୍ରହ୍ମଙ୍କ ବିଗ୍ରହ ଅଟେ। ଭାଗବତର ଆଶ୍ରୟ ଗ୍ରହଣ କରି ଏହା ଶୁଣାଇବା ଦ୍ବାରା ଶ୍ରୋତା ଏବଂ ବକ୍ତା ଉଭୟଙ୍କୁ ଭଗବାନଙ୍କ ସମତା ପ୍ରାପ୍ତ ହୋଇଯାଏ । ତେଣୁ ଏହାକୁ ଛାଡି ଅନ୍ୟ ଧର୍ମରେ କି ପ୍ରୟୋଜନ ।
ଏପରି ମୁନି ମାନଙ୍କୁ, ଭାଗବତ ଶାସ୍ତ୍ରର ମାହାତ୍ମ୍ୟ ଏବଂ ଭକ୍ତିଦେବୀଙ୍କ କଷ୍ଟ ନିବୃତ୍ତି କଥା କହିସାରି ଦେବର୍ଷି ନାରଦ ବ୍ରହ୍ମଲୋକ ଯାତ୍ରା କଲେ ।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
