STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମୋକ୍ଷଦା ଏକାଦଶୀ କଥା 

ମୋକ୍ଷଦା ଏକାଦଶୀ କଥା 

4 mins
6

         ମୋକ୍ଷଦା ଏକାଦଶୀ କଥା     
          ==============
ମାର୍ଗଶିର ମାସ ଶୁକ୍ଳ ପକ୍ଷରେ ପଡ଼ୁ ଥିବା ଏକାଦଶୀର ନାମ ମୋକ୍ଷଦା ଏକାଦଶୀ। ଏହା ମଧ୍ୟ ଗୋମତୀ ବୈକୁଣ୍ଠ ଓ ମୌନୀ ଏକାଦଶୀ ନାମରେ ପରିଚିତ। ମୋକ୍ଷଦା ଏକାଦଶୀର ମାହାତ୍ମ୍ୟ ପଦ୍ମପୁରାଣରେ ବର୍ଣ୍ଣିତ ହୋଇଛି । ଧର୍ମରାଜ ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହି ଏକାଦଶୀର କଥା କହିଛନ୍ତି । ମୋକ୍ଷାଦା ଏକାଦଶୀର ମହାତ୍ମ୍ୟ କହିବାକୁ ଯାଇ ଭଗବାନ୍ ଶ୍ରୀକୃଷ୍ଣ ତାଙ୍କୁ ଏକ ସୁନ୍ଦର ପ୍ରାଚୀନ କାହାଣୀ ଶୁଣାଇଲେ । ବହୁଦିନ ତଳର କଥା, ଏକଦା ଚମ୍ପକ ନାମକ ଏକ ନଗରୀରେ ବହୁ ବୈଷ୍ଣବ ବାସ କରୁ ଥିଲେ । ନଗରର ରାଜା ଥିଲେ ବୈଖାନସ । ସେ ଅତ୍ୟନ୍ତ ପ୍ରଜାନୁରଞ୍ଜକ ଥିଲେ । ଦିନେ ରାଜା ବୈଖାନସ ସ୍ବପ୍ନରେ ଦେଖିଲେ, ତାଙ୍କ ପିତୃପୁରୁଷ ମାନେ ନର୍କ ଭୋଗ କରୁଛନ୍ତି । ସେମାନେ ମୋକ୍ଷ ଲାଭ କରି ନାହାଁନ୍ତି, ନର୍କରେ ପଡ଼ି ଅଶେଷ ଯାତନା ଭୋଗ କରୁଛନ୍ତି । ସେମାନେ ଚିତ୍କାରକରି କହୁଛନ୍ତି, ହେ ବତ୍ସ ! ଆମକୁ ଏ ନର୍କରୁ ଉଦ୍ଧାର କର । ପରଦିନ ସକାଳୁ ରାଜା ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କୁ ଡକାଇ ଦେଖିଥିବା ସ୍ୱପ୍ନ କଥା କହିଲେ । ସେ ପୁଣି କହିଲେ, ମୋପରି ପୁତ୍ର ଥାଉ ଥାଉ ଯଦି ମୋର ପିତୃପୁରୁଷ ମାନେ ନର୍କଭୋଗ କରୁଛନ୍ତି, ତେବେ ମୋ ଜୀବନକୁ ‌ଧିକ୍। ଏହା ଶୁଣି ବ୍ରାହ୍ମଣ, ପଣ୍ଡିତ ମାନେ ତାଙ୍କୁ କହିଲେ, ହେ ରାଜା, ତୁମେ ପର୍ବତ ୠଷିଙ୍କ ପାଖକୁ ଯାଆ। ସେ ତୁମକୁ ଉଚିତ୍ ମାର୍ଗ ଦର୍ଶନ ଦେବେ।
 ପଣ୍ତିତ ମାନଙ୍କ ପରାମର୍ଶ ମାନି ରାଜା ବୈଖାନସ ଯାଇ ପର୍ବତ ୠଷିଙ୍କ ଆଶ୍ରମରେ ପହଞ୍ଚି ମୁନିଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ। ପର୍ବତ ତାଙ୍କର କୁଶଳ ଜିଜ୍ଞାସା କରିବାରୁ ରାଜା କହିଲେ, ହେ ମହାତ୍ମା ! ଆପଣଂକ ଆଶୀର୍ବାଦରୁ ମୋ'ର ସମସ୍ତ କୁଶଳ ଅଛି। କିନ୍ତୁ ଗୋଟିଏ କଥା ପାଇଁ ମୁଁ ଖୁବ୍ ବ୍ୟଥିତ ହୋଇପଡ଼ିଛି । ସେହି କଥାଟି ହେଲା, ମୋ ପିତୃ ପୁରୁଷମାନେ ନର୍କ ଭୋଗ କରୁଛନ୍ତି । ସେମାନେ ଉଦ୍ଧାର ପାଇଁ, ମୋତେ ଚାହିଁ ବସିଛନ୍ତି । ଆପଣ ମୋତେ ଦୟାକରି କିଛି ପନ୍ଥା ବତାନ୍ତୁ, ଯ ଦ୍ୱାରା, ମୁଁ ତାଙ୍କ ମୋକ୍ଷ କରାଇ ପାରିବି। ତାଙ୍କ କଥା ଶୁଣି ପର୍ବତ ୠଷି କହିଲେ, ମାର୍ଗଶିର ମାସର ଶୁକ୍ଳ ପକ୍ଷ ଏକାଦଶୀ ହେଉଛି ମୋକ୍ଷା ବା ମୋକ୍ଷଦା ଏକାଦଶୀ । ତୁମେ ଯାଇ ଏହି ଏକାଦଶୀ ପାଳନ କର । ତାହାର ପୁଣ୍ୟଫଳ ପିତର ଗଣଙ୍କୁ ଦାନ କଲେ, ସେମାନେ ନିଶ୍ଚୟ ମୋକ୍ଷ ପାଇବେ। ପ୍ରାସାଦକୁ ଫେରି ଆସି ମହାରାଜ ବୈଖାନସ ବିଧି ବିଧାନ ସହ ସେହି ଏକାଦଶୀ ପାଳନ କଲେ ଏବଂ ତାହାର ପୁଣ୍ୟ, ନିଜ ପିତୃ ପୁରୁଷଙ୍କୁ ଦାନ କଲେ। ରାଜାଙ୍କର ଏହି କୃତ୍ୟରେ ଅନ୍ତରୀକ୍ଷରୁ ପୁଷ୍ପ ବୃଷ୍ଟି ହେଲା। ତାଙ୍କ ପିତୃଗଣ ମୋକ୍ଷ ଲାଭ କରି ତାଙ୍କୁ ଧନ୍ୟ ଧନ୍ୟ କରି ଦ୍ୟୁଲୋକକୁ ପ୍ରସ୍ଥାନ କଲେ ।
ଉପାଖ୍ୟାନଟି ଶୁଣାଇ ସାରି ଶ୍ରୀକୃଷ୍ଣ ଧର୍ମରାଜଙ୍କୁ କହିଲେ, ଯେଉଁବ୍ୟକ୍ତି ବିଧିମତେ ମାର୍ଗଶିର ଶୁକ୍ଳ ଏକାଦଶୀ ପାଳନ କରନ୍ତି, ତାଙ୍କର ଇହ କାଳର ସମସ୍ତ ପାପ ବିନଷ୍ଟ ହୁଏ ଏବଂ ମୃତ୍ୟୁ ପରେ ସେ ମୋକ୍ଷ ଲାଭ କରନ୍ତି। ଏହି ଏକାଦଶୀ ମୋର ଅତି ପ୍ରିୟ। ଏହି ଏକାଦଶୀର କଥା ଯିଏ ପଢ଼ନ୍ତି ଅବା ଶୁଣନ୍ତି ବା ଶୁଣାନ୍ତି, ସେ ବାଜପେୟ ଯଜ୍ଞର ଫଳ ଲାଭ କରି ଥାନ୍ତି । ଏହା ପାପ ହାରିଣୀ ଭାବରେ ‌ଶ୍ରେଷ୍ଠା। ଏହା ମହା ପାତକ ବିନାଶ କରି ମୋକ୍ଷ ପ୍ରଦାନ କରାଇ ଥାଏ।
ଏହି ଏକାଦଶୀକୁ ଗୋମତୀ ଏକାଦଶୀ କହିବା ପଛରେ ଏକ ସୁନ୍ଦର ପୌରାଣିକ ଗାଥା ରହିଛି । ସ୍କନ୍ଦ ପୁରାଣରେ କୁହା ଯାଇଛି:- ଗୋମତୀ ଗୋମୟ ସ୍ନାନଂ, ଗୋଦାନଂ ଗୋପୀ ଚନ୍ଦନମ୍‌ । ଦର୍ଶନଂ ଗୋପୀନାଥସ୍ୟ ଗକାରାଃ ପଞ୍ଚ ଦୁର୍ଲଭାଃ। ଅର୍ଥାତ୍, ଗୋମତୀ ନଦୀ ଓ ଗୋମୟସ୍ନାନ, ଗୋଦାନ, ଗୋପୀ ଚନ୍ଦନ ଓ ଗୋପୀନାଥଙ୍କ ଦର୍ଶନ ଏହି ପଞ୍ଚ ଗକାର ଅତି ଦୁର୍ଲଭ ଅଟନ୍ତି। ପୁଣ୍ୟଭୂମି ଆର୍ଯ୍ୟାବର୍ତ୍ତରେ ପ୍ରବାହିତ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ନଦୀ । ତାଙ୍କ ମଧ୍ୟରୁ କେତେକଙ୍କୁ ପୁଣ୍ୟଦାୟିନୀ ଭାବେ ପୂଜା କରା ଯାଇଥାଏ। ସେହି ପୂତନୀରା ନଦୀ ସରିତଙ୍କ ମଧ୍ୟରେ, ଗୋମତୀ ଅନ୍ୟତମା । ଭଗବାନ୍ ଶ୍ରୀକୃଷ୍ଣଙ୍କ ଏକ ନାମ ଗୋମତୀକୁ ସଂଯୋଗ କରି ରହିଛି ଗୋମତୀ ପ୍ରିୟ। ପୁରାଣର ବର୍ଣ୍ଣନା ଅନୁସାରେ, ଏକଦା ବ୍ରହ୍ମାଙ୍କର ସନକ ଆଦି ମାନସସନ୍ତାନ ମାନେ ଭଗବାନଙ୍କ ଦର୍ଶନ ପାଇବା ପାଇଁ କଠୋର ତପସ୍ୟାରେ ମଗ୍ନ ହେଲେ। ବହୁ ବର୍ଷ ବିତି ଗଲା । ଦିନେ ସେମାନେ ଭଗବାନଙ୍କ ପ୍ରକଟ ହେବାର ସୂଚନା ପାଇବାରୁ ତାଙ୍କୁ କିପରି ପାଦ୍ୟ ଅର୍ଘ୍ୟ ପ୍ରଦାନ କରିବେ ସେଥି ପାଇଁ ଚିନ୍ତିତ ହୋଇ ନିଜ ପିତାଙ୍କୁ ସ୍ମରଣ କଲେ । ବ୍ରହ୍ମାଙ୍କ ଅନୁରୋଧ କ୍ରମେ, ସରିତା ଶ୍ରେଷ୍ଠା ଗଙ୍ଗା ମର୍ତ୍ତ୍ୟରେ ବ୍ରହ୍ମର୍ଷି ବଶିଷ୍ଠଙ୍କୁ ଅନୁସରଣ କରି କରି ବ୍ରହ୍ମପୁତ୍ର ସନକାଦିଙ୍କ ତପସ୍ୟା ସ୍ଥଳରେ ଆବିର୍ଭୂତା ହେଲେ। ପୁତ୍ରୀ ଭାବରେ ବଶିଷ୍ଠଙ୍କର ଅନୁସରଣ କରୁ ଥିବାରୁ, ତାଙ୍କୁ ସନକାଦି ୠଷିମାନେ ବଶିଷ୍ଠ ପୁତ୍ରୀ ଭାବେ ସମ୍ବୋଧନ କରି ତାଙ୍କୁ ଆରାଧନା କଲେ । ଏଥିରେ ସନ୍ତୁଷ୍ଟ ହୋଇ ତାଙ୍କ ପୁଣ୍ୟ ସଲିଳ ମଧ୍ୟରୁ ମକରକୁଣ୍ଡଳଧାରୀ ଭଗବାନ୍ ବିଷ୍ଣୁ ପ୍ରକଟ ହୋଇ ସନକାଦିଙ୍କ ପାଦ୍ୟାର୍ଘ୍ୟ ଗ୍ରହଣ କରି ତାଙ୍କୁ ଦର୍ଶନ ଦେଲେ। ସେହି ବଶିଷ୍ଠ ପୁତ୍ରୀ ହେଲେ ପୂତସଲିଳା ଗୋମତୀ। ତାଙ୍କ ଜଳରୁ ଭଗବାନ ବିଷ୍ଣୁ ପ୍ରକଟ ହୋଇ ଥିବାରୁ, ତାଙ୍କର ଜଳକୁ ପୁଣ୍ୟ ପ୍ରଦାୟିନୀ ମାନ୍ୟ କରା ଯାଇଥାଏ। ଗୋମତୀ ଅର୍ଥାତ୍, ସ୍ୱର୍ଗରୁ ଆସି ଥିବା ମତି, ଶୁଦ୍ଧ ଚିତ୍ତ ସ୍ୱରୂପିଣୀ। ତାଙ୍କର ଦର୍ଶନ ମାତ୍ରେ ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଯାଏ ବୋଲି କୁହାଯାଏ ।
ରାବଣକୁ ବଧ କରିଥିବାରୁ, ପ୍ରଭୁ ଶ୍ରୀରାମଙ୍କୁ ବ୍ରହ୍ମ ହତ୍ୟା ପାପ ଲାଗିଥିଲା। ଏଣୁ ସେ ଗୁରୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ ଗୋମତୀରେ ସ୍ନାନ କରି ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୋଇଥିଲେ। ପ୍ରଭୁ ଶ୍ରୀରାମ ଯେଉଁ ଠାରେ ଗୋମତୀରେ ସ୍ନାନ କରିଥିଲେ ଧୋପାପ ତୀର୍ଥ ନାମରେ ତାହା ପ୍ରସିଦ୍ଧ। ଗୋମତୀ ନଦୀରୁ ପବିତ୍ର ଗୋମତୀଚକ୍ର ମିଳିଥାଏ। ଏହି ଗୋମତୀ ନଦୀ ହିମାଳୟର ତରାଇ ବନାଞ୍ଚଳରୁ ଗୋମତୀ ତଲାୱ ନାମକ ଏକ ହ୍ରଦରୁ ବାହାରି, ଉପନଦୀ ମାନଙ୍କ ସଂଯୋଗରେ କାଶୀ ଠାରେ ଗଙ୍ଗା ସହ ମିଳିତ ହୋଇଛି । ଭଗବତୀ ଗଙ୍ଗାଙ୍କ ଉପନଦୀ ମାନଙ୍କୁ ନେଇ କଥା ରହିଛି:- ଗୋମତୀ, ଘର୍ଘରା ଗଣ୍ଡକ କୋଶୀ । ଏମାନେ ଯାଇଛନ୍ତି ଗଙ୍ଗାରେ ମିଶି।।
କୁହାଯାଏ ଗ୍ରହଣରେ କାଶୀ, ମକରରେ ପ୍ରୟାଗ, ଚୈତ୍ର ନବମୀରେ ଅଯୋଧ୍ୟା ଓ ଦଶହରାରେ ଧୋପାପରେ ସ୍ନାନ କଲେ ସମସ୍ତପାପ ନାଶହୁଏ । ମାର୍ଗଶିର ଶୁକ୍ଳ ଏକାଦଶୀରେ ଗୋମତିରେ ସ୍ନାନ ଅତ୍ୟନ୍ତ ପୁଣ୍ୟଦାୟୀ। ମାର୍ଗଶୀର ଶୁକ୍ଳ ଏକାଦଶୀର ଅନ୍ୟନାମ ଏଣୁ ଗୋମତୀ ଏକାଦଶୀ । ଏହି ଦିନ ଲକ୍ଷ୍ନୌ ଏବଂ ବାରାଣସୀର ଗୋମତୀ ଘାଟରେ ସ୍ନାନ ପାଇଁ ପ୍ରବଳ ଜନ ସମାଗମ ତଥା ପ୍ରବଳ ଭିଡ଼ ହୋଇଥାଏ।
                🙏🙏🙏
                   ଅର୍ଜୁନୀ
             -------------------
ଅର୍ଜୁନୀ ଚରଣ ବେହେରା 
ମୋ - 7693091971


Rate this content
Log in

Similar oriya story from Inspirational