ଭଗବାନଙ୍କ କଳ୍କୀ ଅବତାର
ଭଗବାନଙ୍କ କଳ୍କୀ ଅବତାର
ଭଗବାନଙ୍କ କଳ୍କୀ ଅବତାର
==============
ଦଶାବତାର ତତ୍ତ୍ଵ ଅନୁସାରେ, ଭଗବାନଙ୍କ ଶେଷଅବତାର ହେବେ କଳ୍କୀ। ଯୁଗେ ଯୁଗେ ଭଗବାନ ଧର୍ମର ସଂସ୍ଥାପନ ପାଇଁ ଓ ସାଧୁଙ୍କ ପରିତ୍ରାଣ ପାଇଁ ଅବତାର ଗ୍ରହଣ କରିଥାନ୍ତି l ଏଣୁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ୍ କହିଲେ :-
ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତଃ । ଅଦ୍ଭ୍ୟୁଥାନମଧର୍ମସ୍ୟ ତଦାତ୍ମାନସୃଜାମ୍ୟହମ୍ ।
ପରିତ୍ରାଣାୟସାଧୁନାଂ ବିନାଶୟଚ ଦୁଷ୍କୃତାମ୍ । ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେଯୁଗେ ।
ଶ୍ରୀମଦ୍ ଦ୍ଭଗବତ ଗୀତାର ଏହି ବାର୍ତ୍ତାକୁ ଗୋସ୍ୱାମୀ ତୁଳସୀ ଦାସ ସରଳରେ ବୁଝାଇ ଦେଲେ:-
ଜବ ଜବ ହୋଇ ଧରମ କି ହାନି l
ବଢ଼ଇ ଅସୁର ଅଧମ ଅଭିମାନୀ ll
ତଵତଵ ପ୍ରଭୁ ଧରି ବିବିଧ ଶରୀରା l
ହର ହିଁ କୃପାନିଧି ସଜ୍ଜନ ପିରା ll
ଆମ ହିନ୍ଦୁ ପୁରାଣ ଯଥା ଶ୍ରୀମଦ୍ ଦ୍ଭାଗବତ, ବିଷ୍ଣୁ ପୁରାଣ, ମତ୍ସ୍ୟ ପୁରାଣ ଓ କଳ୍କୀ ପୁରାଣ ପ୍ରଭୃତିରେ କଳ୍କୀ ଅବତାରଙ୍କୁ ଭଗବାନଙ୍କର ଶେଷ ଅବତାରବୋଲି ଚିତ୍ରିତ କରାଯାଇଛି । କଳ୍କୀଙ୍କ ଉଦ୍ଦେଶ୍ୟ କଳି ଯୁଗକୁ ଶେଷ କରି ଏକ ନୁଆଯୁଗ ବା ସତ୍ୟଯୁଗର ଅୟମାରମ୍ଭ କରିବା । କଳିଯୁଗର ସମାପ୍ତି ସହ ଧରାରେ ବ୍ୟାପି ଯାଇ ଥିବା, ଅନ୍ୟାୟ, ଅଧର୍ମ ତଥା ଅନୀତିର ସମାପ୍ତିହେବ ଓ ଏକ ଆଦର୍ଶ ନୂଆ ଯୁଗ ଆରମ୍ଭ ହେବ ଯେଉଁଠୁଁ ପୁଣି ଏକ ଚତୁର୍ଯୁଗ ଶୃଙ୍ଖଳା ଆରମ୍ଭ ହେବ।
ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ସହ ଦ୍ଵାପର ଯୁଗ ଅନ୍ତ ହୋଇଛି ଓ କଳିଯୁଗ ଧରାରେ ପ୍ରବେଶ କରିଛି। ଅର୍ଥାତ୍ ଖ୍ରୀଷ୍ଟ ପୂର୍ବ ୩୧୦୨ ରେ ମହାଭାରତ ଯୁଦ୍ଧ ଶେଷ ହେବା ପରେ କଳି ଯୁଗ ଆରମ୍ଭ ହୋଇଛି l ପୁନଶ୍ଚ ପୁରାଣ ଅନୁସାରେ କଳିଯୁଗର ଆୟୁ ୪୩୨୦୦୦ ବର୍ଷ। ବର୍ତ୍ତମାନ ସୁଦ୍ଧା ଏଥିରୁ ମାତ୍ର ୫୧୨୫ ବର୍ଷ ଭୋଗହୋଇଛି। ଏଣୁ କଳ୍କୀ ଅବତାରଙ୍କ ଜନ୍ମ ବା ଆବିର୍ଭାବ ହେବାକୁ ଆହୁରି ୪୨୬୮୭୫ ବର୍ଷ ବାକି ଅଛି।
କଳ୍କୀ ଅବତାରଙ୍କ କରାଳ ରୂପ ବର୍ଣ୍ଣନାରେ କୁହା ଯାଇଛି ସେ ଦେବଦତ୍ତ ନାମକ ଶ୍ୱେତ ଘୋଡ଼ା ଆରୋହଣ କରି ହାତରେ କରାଳ କରବାଳ ଧରି ମ୍ଳେଚ୍ଛ ମାନଙ୍କୁ ସଂହାର କରିବେ। ଆମ ଉତ୍କଳର ଭକ୍ତ କବି ଶ୍ରୀଜୟଦେବ କୃତ ଦଶାବତାର ସ୍ତୋତ୍ରରେ କଳ୍କୀଙ୍କ ବର୍ଣ୍ଣନା କରା ଯାଇଛି :-
ମ୍ଳେଚ୍ଛନିଵହନିଧନେ କଳୟସି କରବାଳମ୍ ।
ଧୂମକେତୁମିଵ କିମପି କରାଳମ୍ ।।
କେଶଵ ଧୃତ କଳ୍କୀଶରୀର
ଜୟ ଜଗଦୀଶ ହରେ ।।
ଶ୍ରୀମଦ୍ଭାଗବତରେ କଳ୍କୀ ଭଗବାନଙ୍କ ଆବିର୍ଭାବ ସମ୍ବନ୍ଧରେ କୁହା ଯାଇଛି:-
ସେ କାଳେ ବିଷ୍ଣୁଯଶା ଘରେ ।
ଜନ୍ମିବେ କଳ୍କି ଅବତାରେ ॥
ମନହୁଁ ବେଗ ବଳବନ୍ତ ।
ଅଶ୍ୱ ଆରୋହି ଜଗନ୍ନାଥ ॥
ନନ୍ଦକ ଖଡ୍ଗ କରେ ଧରି ।
ଦୁଷ୍ଟ ରାଜାଙ୍କୁ ବେଗେ ମାରି ॥
ଅଳପ ପ୍ରଜାଜନ ଦେଶ ।
ରଖିବେ ପ୍ରଭୁ ପୀତବାସ॥
କଳିଯୁଗର ଅୟମାରମ୍ଭ ବିଷୟରେ ଶ୍ରୀମଦ୍ ଭାଗବତରେ କୁହାଯାଇଛି ଏକମାତ୍ର ପାଦରେ ଠିଆ ହୋଇଥିବା ଗୋଟିଏ ବୃଷଭକୁ ଜଣେ ବଳଶାଳୀ କୃଷ୍ଣକାୟ ବ୍ୟକ୍ତି ଲୁହା ମୁଦ୍ଗରରେ ଖୁବ ଯୋରରେ ପିଟି ଚାଲି ଥାଏ । ବୃଷଭର ଆର୍ତ୍ତନାଦ ଶୁଣି ରାଜା ପରୀକ୍ଷିତ ସେହି କୃଷ୍ଣ କାୟ ବ୍ୟକ୍ତିକୁ ମାରିଦେବାକୁ ଉଦ୍ୟତ ହେବା ମାତ୍ରେ ଉଭୟ ବୃଷଭ ଓ ସେ ବ୍ୟକ୍ତି ଜଣକ ନିଜ ସ୍ବରୂପରେ ପ୍ରକଟ ହୋଇ ଗଲେ । ବୃଷ ରୂପୀ ଧର୍ମ ଗତ ତିନିଯୁଗରେ ଦାନ, ତପସ୍ୟା ଓ ଯଜ୍ଞ ରୂପକ ତିନିଟି ପୁଣ୍ୟକର୍ମ ହରାଇ କେବଳ ଏକ ପାଦରେ ରହିଛନ୍ତି ବୋଲି କହିଲେ। ବଳଶାଳୀ କୃଷ୍ଣକାୟ ବ୍ୟକ୍ତି ଜଣକ ମୁଁ ଯୁଗସମ୍ରାଟ କଳି ବୋଲି ନିଜର ପରିଚୟ ଦେଲେ । ସତ୍ୟଯୁଗ, ତ୍ରେତୟା, ଦ୍ବାପର ଯୁଗ ପରେ, କଳି ଯୁଗର ଆବିର୍ଭାବ ଜାଣି, ରାଜା ପରୀକ୍ଷିତ ଚିନ୍ତିତ ହୋଇ ପଡ଼ିଲେ । କଳି କେବଳ ପାଞ୍ଚଟି ଯାଗାରେ ରହିବ ବୋଲି ପ୍ରତିଶ୍ରୁତି ଦେଇ ସତ୍ୟନିଷ୍ଠ ରାଜା ପରୀକ୍ଷିତଙ୍କ ଠାରୁ ନିଜର ଜୀବନ ଭିକ୍ଷା କଲେ । ସେହି ପାଞ୍ଚୋଟି ଯାଗା ହେଲା, ସ୍ତ୍ରୀ, ସୁବର୍ଣ୍ଣ, ଜମି, ଜୁଆ ଓ ମଦ୍ୟ । କଳି ଯୁଗର ଏହି ପାଞ୍ଚୋଟି ବାସ ସ୍ଥାନକୁ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ ବର୍ଣ୍ଣନା କଲେ:-
ଏ ପଞ୍ଚ ସ୍ଥାନ ପଞ୍ଚ ଗୁଣ l
ବ୍ରାହ୍ମଣେ ସାବଧାନେ ଶୁଣ ll
ମିଥ୍ୟା ବସଇ ଦ୍ୟୁତ ମଧ୍ୟେ l
କାମ କାମିନୀ ମଦ ମଧ୍ୟେ ll
ପ୍ରାଣୀ ମାରଣେ ରଜୋଗୁଣ l
ସୁବର୍ଣ୍ଣ ମଧ୍ୟେ ରିପୁଗଣ ll
ଏ ପଞ୍ଚସ୍ଥାନ ତାରେ ଦେଲା l
ଯହିଁ ଅଧର୍ମ ସଙ୍ଗମେଳା ll
କୁହାଯାଏ ମହାରାଜ ପରିକ୍ଷିତ ଯେଉଁ ସୁବର୍ଣ୍ଣ ରାଜ ମୁକୁଟ ପରିଧାନ କରିଥିଲେ କଳି ତହିଁରେ ପ୍ରବେଶ କରିସାରି ଥିଲା। ଫଳତଃ ସେ ମତିଭ୍ରମ ହୋଇ ତପସ୍ଵୀ ସମୀକ ମୁନିଙ୍କ ଗଳାରେ ମୃତ ସର୍ପ ପକାଇ ଦେଇ ଅଭିଶପ୍ତ ହୋଇ ଥିଲେ । ମହାରାଜ ପରୀକ୍ଷିତ ଯେତେ
ବେଳେ କଳି ଠାରୁ ତାଙ୍କ ଯୁଗର ଲକ୍ଷଣ ବିଷୟରେ ଜାଣିବାକୁ ଚାହିଁଲେ, ଗୋଟିଏ ଶ୍ଳୋକରେ ରାଜାଙ୍କୁ ସେ ବୁଝାଇ ଦେଲେ :-
ଧର୍ମ ସଙ୍କୁଚିତଂ, ତପୋ ବିରହିତ˚, ସତ୍ୟ˚ ଚ ଦୂର˚ଗତଂ ଲୋକଧର୍ମାହତ˚, ଦ୍ବିଜାଶ୍ଚ ଲୋଭିତା, ନାରୀବସା ମାନବାଃ, ନିର୍ବୀର୍ଯ୍ୟା ପୃଥିବୀ ନିରୋଷାଧିରସା ; ନୀଚା ମହତ ଗତ ଭୂପାଲଃ, ସ୍ବ ସ୍ବ ଧର୍ମ କର୍ମ ରହିତା, ବିପ୍ର କୁମାର୍ଗ˚ ଗତା, ଭାର୍ଯ୍ୟା ଭର୍ତ୍ତୁ ବିରୋଧୀନୀ, ପରରତ ପୁତ୍ର, ପିତା ଦ୍ବେଷିଣ, ହା କଷ୍ଟ˚ ଖଳୁ ବର୍ତ୍ତତେ। କଳି ଯୁଗେ ଧନ୍ୟ ନରା, ଯୋ ମୃତା ।
ସ˚କ୍ଷେପରେ ଏହାର ଅର୍ଥ ହେଲା ଏ କଳି ଯୁଗର ଅନ୍ୟାୟ ଅସତ୍ୟ ମଧ୍ୟରେ ବଞ୍ଚିରହିବା କଷ୍ଟକର । କଳି ଯୁଗରେ ଯେଉଁ ନର ମରି ଗଲା, ସିଏ ତରି ଗଲା ବୋଲି ଜାଣ। ଏଥିରୁ ଜଣା ପଡୁଛି ଯେ କଳି ଯୁଗରେ ଅଧର୍ମ, ଅନ୍ୟାୟ ଓ ଅନୀତି ଯାଇ ଚରମ ସୀମାରେ ପହଞ୍ଚିବ। ସମାଜରେ ଅଧର୍ମୀ, ଚୋର, ଖଣ୍ଟଙ୍କ ଉପଦ୍ରବ ବଢ଼ିବ। ଲୋକେ ଅଣନିଃଶ୍ୱାସୀ ହୋଇ ତ୍ରାହି ତ୍ରାହି ଡାକିବେ। ଅର୍ଥାତ ଧର୍ମର ଗ୍ଲାନି ହେବ। ଧର୍ମର ଗ୍ଲାନି ହେଲେ ଧର୍ମ ସଂସ୍ଥାପନ ପାଇଁ ଭଗବାନ ଅବତାର ଗ୍ରହଣ କରିବେ।
ଯୁଗକୁ ଯୁଗ ଏହି ମତେ ।
ପରମାନନ୍ଦ, ଏ ଜଗତେ ।।
ଅର୍ଥାତ୍ ଭଗବାନ୍, ଯୁଗେ ଯୁଗେ ଏପରି ଅବତାର ଗ୍ରହଣ କରିଛନ୍ତି ଏବଂ ଏହି କଳି ଯୁଗରେ ତାଙ୍କର ଅବତାର ହେବ କରାଳ କଳ୍କୀ ଅବତାର ।
କଳ୍କୀ ଅବତାରଙ୍କ ପ୍ରଥମ ଉଦ୍ଦେଶ୍ୟ, କଳି ରୂପକ ଭୟଂକର ରାକ୍ଷସକୁ ବଧ କରି ସତ୍ୟଯୁଗ ପ୍ରତିଷ୍ଠା କରିବା। ଶାସ୍ତ୍ରାନୁସାରେ କଳ୍କୀ କିଙ୍କଟ ନଗରରେ ବିଷ୍ଣୁଯଶାଙ୍କ ଘରେ, ମାତା ସୁମତିଙ୍କ ଗର୍ଭରୁ ଜନ୍ମ ହେବେ। ତାଙ୍କର ତିନି ଭାଇ ହେବେ, କବି,ପ୍ରଜ୍ଞା ଓ ସୁମନ୍ତ୍ର। ସେ ଦୁଇ ରାଜକୁମାରୀ ପଦ୍ମାବତୀ ଏବଂ ରମାଙ୍କୁ ଵିଵାହ କରିବେ। ତାଙ୍କର ଚାରିଜଣ ସନ୍ତାନ ଜନ୍ମ ହେବେ, ଜୟ, ବିଜୟ, ମେଘମାଳା ଓ ବଳାହକ। ସେ ଗୁରୁ ପର୍ଶୁରାମଙ୍କ ଠାରୁ ସମସ୍ତ ବିଦ୍ୟା, ଅସ୍ତ୍ରବିଦ୍ୟା ଓ ଯୁଦ୍ଧବିଦ୍ୟା ଶିକ୍ଷା କରିବେ। କଳ୍କୀ ଚଉଷଠି କଳାରେ ପାରଙ୍ଗମ ହେବେ । ଶିବଙ୍କ ଠାରୁ, ଦିବ୍ୟ ନନ୍ଦକ ଖଡ୍ଗ ତଥା ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ପ୍ରାପ୍ତ ହେବେ। ସେହି ଦିବ୍ୟାସ୍ତ୍ର ମାନଙ୍କ ସାହାଯ୍ୟରେ ସେ କଳିସହ ତା ସହଯୋଗୀ କୋକ ଓ ବିକୋକ ନାମକ ରାକ୍ଷସଙ୍କୁ ମାରିବେ। ଏହିପରି, କଳି ଯୁଗ ଶେଷ ହୋଇ ସତ୍ୟ ଯୁଗର ଅୟମାରମ୍ଭ ହେବ ଏବଂ ସଂସାରକୁ ସମସ୍ତ ନୀତି, ଧର୍ମ, ତପ ଆଦି ଫେରି ଆସିବ। ଲୁପ୍ତ ହୋଇଥିବା ସତ୍ୟ, ଶାନ୍ତି, ଦୟା, କ୍ଷମା ଆଦି ଦିବ୍ୟ ଗୁଣମାନ ପୁନଃ ସଂସାରକୁ ଫେରି ଆସିବ । ହଜାରେ ବର୍ଷ ପର୍ଯ୍ୟନ୍ତ ଭଗବାନ୍ କଳ୍କୀ ସମ୍ଭଳ ଦେଶରେ ରାଜତ୍ୱ କରିବେ। ମ୍ଲେଚ୍ଛ ମାନଂକୁ ସମ୍ପୂର୍ଣ୍ଣ ସଂହାର ପୂର୍ବକ ସେ ସଂସାରରେ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା କରି ତାଙ୍କ ଦୁଇ ପତ୍ନୀ ପଦ୍ମାବତୀ ଓ ରମାଙ୍କ ସହ ପୁନଃ ବୈକୁଣ୍ଠକୁ ଫେରି ଯିବେ।
ରାଜା ପରୀକ୍ଷିତଙ୍କୁ କଳି ତାଙ୍କ ଯୁଗ ଲକ୍ଷଣ କହି କହିଥିଲେ, ମୋର ତ ସବୁ ଦୁର୍ଗୁଣ ରହିଛି । କିନ୍ତୁ ମୋ' ରାଜୁତିରେ ଭଗବାନଙ୍କୁ ପାଇବା ମାର୍ଗ ଖୁବ୍ ସରଳ ହେବ। କଳି କାଳରେ କେବଳ ହରି ନାମ ସଙ୍କୀର୍ତ୍ତନ ଦ୍ୱାରା ଜୀବମାନେ ଏହି ଭବ ସାଗରରୁ ମୋକ୍ଷ ପାଇଯିବେ । ଏଣୁ ଶ୍ରୀ ଚୈତନ୍ୟ କଳିହତ ମାନବକୁ ଉପଦେଶ ଦେଲେ:-
କଳି ଯୁଗେ କର ଭାଇ ନାମ ସଂକୀର୍ତ୍ତନ ।
ଅନ୍ନ ଦାନ, ବସ୍ତ୍ର ଦାନ ବଇକୁଣ୍ଠେ ସ୍ଥାନ ।।
! ଜୟ ପ୍ରଭୁ କଳ୍କୀ ଭଗବାନଙ୍କ ଜୟ !
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
