ଗୋପୀଗୀତ ଓ ଶ୍ରୀକୃଷ୍ଣଙ୍କ ମହାରାସ
ଗୋପୀଗୀତ ଓ ଶ୍ରୀକୃଷ୍ଣଙ୍କ ମହାରାସ
ଗୋପୀଗୀତ ଓ ଶ୍ରୀକୃଷ୍ଣଙ୍କ ମହାରାସ
==================
ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଯେତେ ବେଳେ ବନବାସକୁ ଯାଇ ଦଣ୍ଡକାରଣ୍ୟରେ ବୁଲୁ ଥିଲେ, ସେତେ ବେଳେ ଦଣ୍ଡକ ବନର ତପସ୍ଵୀ ମୁନି ୠଷି ମାନେ ତାଙ୍କ ରୂପରେ ମୋହିତ ହୋଇ ତାଙ୍କୁ ପତି ରୂପେ ପାଇବା ପାଇଁ, କାମନା ପ୍ରକଟ କରିଥିଲେ। ପ୍ରଭୁ ତାଙ୍କୁ ସେତେବେଳେ ବର ଦେଇଥିଲେ, ତୁମ ମାନଙ୍କର ଏ ଅଭିଳାଷ ନିଶ୍ଚୟ ପୂର୍ଣ୍ଣ ହେବ ଦ୍ୱାପର ଯୁଗରେ । ସେହି ବର ଅନୁଯାୟୀ, ତ୍ରେତା ଯୁଗର ସେହି ଦଣ୍ଡକ ବନର ଋଷି ମାନେ ଗୋପୀ ରୂପରେ ଜନ୍ମ ହେଲେ ବ୍ରଜ ପୂରରେ ।
ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ପତି ରୁପେ ପାଇବା ପାଇଁ ଦିନେ ଯମୁନା କୂଳରେ ମାଆ କାତ୍ୟାୟନୀଙ୍କ ପୂଜା କଲେ । ଅଭୀଷ୍ଠ ପ୍ରଦାୟିନୀ ମାଆ ଗୋପୀ ମାନଙ୍କୁ ଇପ୍ସିତ ବର ପ୍ରଦାନକଲେ । ପ୍ରଭୁ ଗୋପୀ ମାନଙ୍କୁ ପ୍ରତିଶ୍ରୁତିଦେଲେ, ଆଗାମୀ ଶରତ ପୂର୍ଣ୍ଣିମାରେ ମୁଁ ତୁମ ମାନଙ୍କ ମନୋବାଞ୍ଛା ପୂରଣ କରିବି । କୃଷ୍ଣଙ୍କ ସେହି ପ୍ରତିଶ୍ରୁତିକୁ ଶ୍ରୀମଦ୍ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ପ୍ରକାଶ କଲେ:-
ଷୋଳ ସହସ୍ର ଗୋପନାରୀ ।
ମୋତେ ବରିଲେ ତପ କରି ।।
ମୁଁ ତାଙ୍କ ପୁରାଇବି ଆଶ ।
ସେ ମୋର ଭକତ ବିଶ୍ୱାସ ।।
ଗୋପୀମାନେ ଅପେକ୍ଷା କରିଥାନ୍ତି । ବୃନ୍ଦାବନରେ ଚାରିଆଡ଼େ ମଲ୍ଲିକା ଫୁଲର ବାସ ଚହଟାଇ କ୍ରମେ ଇପ୍ସିତ ଶରତପୂର୍ଣ୍ଣିମା ଆସିଗଲା। ଗଗନରେ ମଲ୍ଲି ଫୁଲ ଭଳି ପୂର୍ଣ୍ଣ ଚନ୍ଦ୍ରର ଶୋଭା । ଭଗବାନ୍ ତାଙ୍କ ମୋହିନୀ ଶକ୍ତି ବଳରେ, ଏକ ଅପୂର୍ବ ଶୋଭାମୟ ପରିବେଶ ସୃଷ୍ଟି କଲେ । ସେହି ରାତି ହେଲା ଖୁବ୍ ମଧୁମୟ ଓ ଉପଭୋଗ୍ୟ।
ସେହି ଅପୂର୍ବ ମଧୁମୟ, ଶଶି ଶୋଭିତ ରାତ୍ରୀରେ ଶ୍ରୀକୃଷ୍ଣ ଛୁଟାଇ ଦେଲେ, ତାଙ୍କ ମଧୁର ମୂରଲୀର ଧ୍ଵନି। ସେହି ଧ୍ଵନୀ ଗୋପୀ ମାନଙ୍କୁ ମୋହିତ କରି ଦେଲା। ସେମାନେ ସମସ୍ତେ ସବୁ କାମ ଧନ୍ଦା ଛାଡ଼ି କୃଷ୍ଣଙ୍କ ନିକଟକୁ ଧାଇଁଲେ । ତାଙ୍କ ଭିତରୁ କେଉଁ ଗୋପୀ ଗାଈ ଦୁହୁଁ ଥିଲା ତ, ପୁଣି ପିଲାଙ୍କୁ କେଉଁ ଗୋପୀ କ୍ଷୀର ପିଆଉ ଥିଲା। କିଏ କେଶ ସଜାଉ ଥିଲା ତ କିଏ ପୁଣି ସ୍ଵାମୀ ସେବା କରୁଥିଲା।
ଗୋପୀମାନେ କୃଷ୍ଣଙ୍କ ପାଖରେ ପହଞ୍ଚିବାରୁ କୃଷ୍ଣ ତାଙ୍କୁ ସ୍ବାଗତ କରି କହିଲେ, ମହାଭାଗ୍ୟଶାଳୀନୀ ଗୋପୀମାନେ ତୁମକୁ ସ୍ବାଗତ। କୃଷ୍ଣଙ୍କ ବାକ୍ୟରେ ଗୋପୀମାନେ ଖୁବ୍ ପୁଲକିତ ହୋଇଗଲେ । କିନ୍ତୁ ପର ମୁହୁର୍ତ୍ତରେ କୃଷ୍ଣ କହିଲେ, ତୁମେ ମାନେ ଏହି ନିସ୍ତବ୍ଧ ରାତ୍ରୀରେ ଘର ଦ୍ଵାର ଛାଡ଼ି, କୁଆଡେ ଆସି ଗଲ। ତୁମ ପିତା ମାତା ପତି ପୁତ୍ର ସମସ୍ତେ ଖୋଜୁଥିବେ । ତୁମେମାନେ ଶୀଘ୍ର ଘରକୁ ଫେରି ଯାଅ । ଗୋପୀମାନେ କହିଲେ, ତୁମେ ଇଏ କିପରି କଥା କହୁଛ। ତୁମରି ପାଇଁ ଆମେ ସବୁ ଛାଡ଼ି ଆସିଲୁ। ଆମର ମନକୁ ତୁମେ ଚୋରାଇ ନେଇଛ। ଆମେ ତୁମର ଦାସୀ, ତୁମକୁ ଛାଡ଼ି ଆମେ ପୁଣି କୁଆଡ଼େ ଯିବୁ। ଆମକୁ ଏପରି କଠୋର କଥା କୁହ ନାହିଁ । ତୁମକୁ ଛାଡ଼ି ଆମେ ଗୋଟିଏ ପାଦ ଅଗକୁ ଯାଇ ପାରିବୁ ନାହିଁ। ବର୍ତ୍ତମାନ ଆମ ତନୁ, ମନ, ଚିତ୍ତ ତୁମ ଠାରେ ଲୀନ ହୋଇଛି। ଆମେ ଘରକୁ ଯାଇ କଅଣ କରିବୁ।
ଭଗବାନ୍ ତାଙ୍କୁ, ପତ୍ନୀର ଆଦର୍ଶ, ଗୃହସ୍ଥାଶ୍ରମର ମହତ୍ତ୍ଵ, ପତି ଏବଂ ପୁତ୍ର କନ୍ୟାଙ୍କ ସେବାକୁ ନେଇ ବହୁ ଧର୍ମୋପଦେଶ ଦେଲେ । ଶ୍ରୀକୃଷ୍ଣଙ୍କ କଥାକୁ ଖଣ୍ଡନ ପୂର୍ବକ ଗୋପୀ ମାନେ କହିଲେ, ଏସବୁର ଲକ୍ଷ୍ୟ ହେଉଛି ତୁମକୁ ଲାଭ କରିବା, ତୁମଠାରେ ଚିତ୍ତକୁ ଅର୍ପଣ କରିବା। ବର୍ତ୍ତମାନ ସେହି ସଂସାର ଚକ୍ରକୁ ଆମେ କିପରି ଫେରିଯିବୁ। ଆମର ମନକୁ କଅଣ ତୁମେ ଫେରାଇ ଦେଇ ପାରିବ।
ଗୋପୀ ମାନଙ୍କ ଯୁକ୍ତିରେ ଶ୍ରୀକୃଷ୍ଣ ହାର ମାନିଲେ । ସେ ହସିହସି ତାଙ୍କ ସହ ରାସକ୍ରୀଡ଼ା ଆରମ୍ଭ କରି ଦେଲେ । ଶ୍ରୀକୃଷ୍ଣଙ୍କ ଅଙ୍ଗ ସ୍ପର୍ଶ ଏବଂ ଆଲିଙ୍ଗନ ପାଇ, ଗୋପୀ ମାନଙ୍କ ଆନନ୍ଦ କହିଲେ ନ ସରେ। କୃଷ୍ଣ ତାଙ୍କସହ ହସି ନାଚି, ଆଲିଙ୍ଗନ କରି ଏତେ ସୁଖ ସୌଭାଗ୍ୟ ଦେଇଥିବା ଅନୁଭବ କରି, ତାଙ୍କ ମନରେ ଟିକିଏ ଅହଙ୍କାର ଆସିଗଲା। ସେମାନେ ଭାବିବାକୁ ଲାଗିଲେ, ଆମ ଭଳି ଭାଗ୍ୟଶାଳୀ ଆଉ ଏ ସଂସାରରେ କେହି ନ ଥିବେ।
ଯେତେବେଳେ ଭଗବାନ୍ ଦେଖିଲେ ସେମାନଙ୍କର ଏଭଳି ଅହଙ୍କାର ବଢ଼ି ଯାଇଛି, ପ୍ରଭୁ ତାଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ସଙ୍ଗେ ସଙ୍ଗେ ଅନ୍ତର୍ଦ୍ଧାନ ହୋଇ ଗଲେ। ଗୋପୀମାନେ ତାଙ୍କୁ ନ ଦେଖି ଚାରି ଆଡେ଼ ବୁଲି ଖୋଜିବାରେ ଲାଗିଲେ। ଶ୍ରୀକୃଷ୍ଣଙ୍କ ବିରହର ଭାବାବେଗରେ ସେମାନେ ଚମ୍ପା, ମାଳତୀ, ଅଶ୍ଵତ୍ଥ ଅଶୋକ,ପ୍ରଭୃତି ବୃକ୍ଷଙ୍କୁ ପଚାରିବାକୁ ଲାଗିଲେ। ବାତୁଳି ପ୍ରାୟ ହୋଇ ସେମାନେ କୃଷ୍ଣ ଭାବନାରେ କିଏ କୃଷ୍ଣ ହେଲା ତ କିଏ ଗୋପୀ ପୁଣି ତୃଣାବର୍ତ୍ତ, ବକାସୁର, ଅଘାସୁର ହେଲା। କିଏ ବଂଶୀ ବାଦନ କଲା, କିଏ ଗୋବର୍ଦ୍ଧନ ଧାରଣର ଅଭିନୟ କଲା। ଏପରି ସେମାନେ ବୁଲୁ ବୁଲୁ ଯମୁନା ବାଲିରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ସହ ଆଉ ଜଣଙ୍କ ପାଦ ଚିହ୍ନ ଦେଖିଲେ। ତାହା ଦେଖି ସେମାନେ ଭାବିଲେ, ଏ ଭାଗ୍ୟବତୀ ଜଣକ କିଏ, ଯିଏ ଶ୍ରୀକୃଷ୍ଣଙ୍କ ଏକାନ୍ତ ସଙ୍ଗ ଲାଭ କରିଛି । ସେ ସ୍ତ୍ରୀଟି ନିଶ୍ଚୟ ଶ୍ରୀକୃଷ୍ଣଙ୍କ ବିଶେଷ ଆରାଧନା କରିଛି । ତେଣୁ ଶ୍ରୀକୃଷ୍ଣ ଆମମାନଙ୍କୁ ତ୍ୟାଗ କରି, ତା' ସାଙ୍ଗରେ ଏକାନ୍ତ ସ୍ଥାନକୁ ଚାଲି ଯାଇଛନ୍ତି। ବାଲୁକାଉପରେ କୃଷ୍ଣଙ୍କ ଗଭୀର ପଦ ଚିହ୍ନକୁ ଦେଖି ପୁଣି ସେମାନେ କୁହ କୁହି ହେଲେ, ଦେଖ !! କୃଷ୍ଣ ନିଶ୍ଚୟ କୌଣସି ଓଜନ ଜିନିଷ ଉଠାଇଛନ୍ତି। ଫୁଲ ପଡ଼ିଥିବା ଦେଖି ସେମାନେ କହିଲେ, ଦେଖ ! କୃଷ୍ଣ ତାଙ୍କ ପ୍ରିୟା ପାଇଁ ନିଶ୍ଚୟ ଫୁଲ ତୋଳିଛନ୍ତି। ପୁଣି ସେମାନେ କହିଲେ, ଏହି ନାରୀଟି କେଡେ ଭାଗ୍ୟବତୀ ସିଏ କୃଷ୍ଣଙ୍କୁ ନେଇ ଏକାନ୍ତରେ ରମଣ କଲା। ଓଡ଼ିଆ ଭାଗବତ ଏହା ସୁନ୍ଦର ଭାବେ ବର୍ଣ୍ଣନା କଲେ:-
କୃଷ୍ଣ ଅଧର ସୁଧାପାନ।
ଯାହାଟି ଗୋପୀଙ୍କ ଜୀବନ।।
ଏକାନ୍ତେ ନେଇ ପାନକଲା।
କେତେ ଗୋ ତପ କରି ଥିଲା।।
ଇଆଡ଼େ ଶ୍ରୀକୃଷ୍ଣ ଯେଉଁ ଗୋପୀଟିକୁ ଧରି ଅନ୍ତର୍ହିତ ହୋଇ ଯାଇଥିଲେ ସେହି ଗୋପୀଟି ମଧ୍ୟ ମନରେ ଟିକେ ଗର୍ବ କରି କହିଲା, ହେ କୃଷ୍ଣ, ମୁଁ ଆଉ ଚାଲି ପାରୁନାହିଁ ମତେ ତୁମେ ଟିକିଏ କାନ୍ଧରେ ବସାଇ ନେଇ ଚାଲ । କୃଷ୍ଣ ତାକୁ କାନ୍ଧରେ ବସାଇ ନେଇ କିଛି ଦୂର ଯାଇ ଅନ୍ତର୍ଦ୍ଧାନ ହୋଇ ଯିବାରୁ ଗୋପୀ ଜଣକ ତଳେ ମୁହଁ ମାଡ଼ି ପଡ଼ି ରୋଦନ କରିବାକୁ ଲାଗିଲା। ଶ୍ରୀକୃଷ୍ଣଙ୍କୁ ଖୋଜୁ ଥିବା ଗୋପୀ ମାନେ ତାର କ୍ରନ୍ଦନ ଶୁଣି ଯାଇ ତା' ପାଖରେ ପହଞ୍ଚିଲେ। ତାକୁ ବୁଝା ସୁଝା କରି କହିଲେ, କୃଷ୍ଣ ତ ତୋତେ ନେଇ ଯାଉଥିଲେ, ପୁଣି ଏଠି ଏମିତି ଅନାଥ କରି ଛାଡ଼ି ଦେଇଗଲେ କିପରି। ଆମମାନଙ୍କ ଦଶା ମଧ୍ୟ
ତୋରି ପରି। ତା' ବେଣୁସ୍ଵନ ଶୁଣି ଘରଦ୍ଵାର ଛାଡ଼ି ଆମେ ଧାଇଁ ଆସିଲୁ । କିନ୍ତୁ, ସେ ଆମଙ୍କୁ ଅନାଥ କରି କୁଆଡ଼େ ଚାଲିଗଲା। କେଡ଼େ ନିଷ୍ଠୁର ସିଏ !! ଆଗରୁ ତ ସେ ପୁତନାପ୍ରାଣ ଖାଇଛି, ଏବେ ଆମ ମାନଙ୍କୁ ଖାଇବ।
ଶେଷରେ ଗୋପୀମାନେ ଯାଇ ଯମୁନା ବାଲିରେ, ଅତି ମନ ଦୁଃଖରେ ବସିଲେ । କୃଷ୍ଣଙ୍କ ଲୀଳା କଥା ସୁମରି, କାନ୍ଦି କାନ୍ଦି କହିଲେ, ଆମେ ତ ଘରଦ୍ଵାର ଛାଡ଼ିଆସିଲୁ। ଆମେ ଏଇଠି ମରିବୁ ପଛେ ଆଉ ଘରକୁ ଯିବୁନାହିଁ ।
ଗୋପୀମାନଙ୍କ ସମ୍ପୂର୍ଣ୍ଣସମର୍ପଣ ଦେଖି ତାଙ୍କ ପ୍ରତି କୃଷ୍ଣଙ୍କ ପରୀକ୍ଷା ଶେଷ ହେଲା। ସେ ତାଙ୍କ ପାଖକୁ ଫେରି ଆସିଲେ। ଯମୁନା ପୁଳିନରେ ଭଗବାନଙ୍କ ଗୋପୀ ମାନଙ୍କ ସହିତ ମହାରାସ ଆରମ୍ଭ ହେଲା। ଶ୍ରୀକୃଷ୍ଣ ସେମାନଙ୍କ ସହ ରମଣ କରି ତାଙ୍କୁ ସମ୍ପୂର୍ଣ୍ଣ ପ୍ରେମ ସୁଖ ପ୍ରଦାନ କଲେ। ସର୍ବ ଶେଷରେ ସେ ଗୋପୀଙ୍କୁ କହିଲେ:-
ଗୃହର ମାୟାର ଶାଙ୍କୋଳି ।
ଭାବେ କାଟିଲ ଗୋପବାଳୀ ।।
ତୁମ୍ଭର ଜନ୍ମବନ୍ଧ ନାହିଁ।
ମୋତେ କିଣିଲ ଭାବ ଦେଇ ।।
ଶ୍ରୀକୃଷ୍ଣଙ୍କ ଅନ୍ତର୍ଦ୍ଧାନ ପରେ ଗୋପୀମାନେ ତାଙ୍କୁ ଯେପରି ଭାବାବେଶରେ ଖୋଜିବାକୁ ଲାଗିଲେ, ତାହା ସୁନ୍ଦର ଭାବେ ଶ୍ରୀମଦ୍ ଭାଗବତରେ ବର୍ଣ୍ଣିତ ହୋଇଛି ଦଶମ ସ୍କନ୍ଧ ତ୍ରିଂଶ ଅଧ୍ୟାୟରୁ ଚାରିଟି ଅଧ୍ୟାୟରେ । ଏହା ଗୋପୀ ଗୀତ ନାମରେ ପ୍ରସିଦ୍ଧ। ଯେଉଁ ଗୋପୀଟିକୁ କୃଷ୍ଣ ନେଇ ଅନ୍ତର୍ଦ୍ଧାନ ହୋଇ ଗଲେ ସେହି ଗୋପୀର ନାମ ବୃନ୍ଦାବତୀ ବୋଲି ଓଡ଼ିଆ ଭାଗବତରେ କୁହା ଯାଇଛି। ଓଁ କୃଷ୍ଣାୟ ଗୋବିନ୍ଦାୟ ନମଃ
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
