କୃଷ୍ଣଭକ୍ତ ତାଜ ଖାଁଙ୍କ କଥା
କୃଷ୍ଣଭକ୍ତ ତାଜ ଖାଁଙ୍କ କଥା
କୃଷ୍ଣଭକ୍ତ ତାଜ ଖାଁଙ୍କ କଥା
==============
ରାଜସ୍ଥାନର ଏକ କ୍ଷୁଦ୍ର ସହର କରୌଲୀ ନଗର । ସେଇଠାରେ ରହିଛି, ଭଗବାନ୍ ଶ୍ରୀକୃଷ୍ଣଙ୍କର ଏକ ପ୍ରାଚୀନ ମନ୍ଦିର। ସେହି ମନ୍ଦିରରେ ବିଜେ କରିଛନ୍ତି ପ୍ରଭୁ ମଦନ ମୋହନ । ସହରର ଅଧିବାସୀ ମାନଙ୍କର ପ୍ରଭୁ ମଦନ ମୋହନଙ୍କ ଉପରେ ଅତୁଟ ବିଶ୍ୱାସ । ପ୍ରଭୁ ଭାରି ପ୍ରତ୍ୟକ୍ଷ ଠାକୁର । ପ୍ରଭୁଙ୍କ ପାଖରେ କାହାର ମନବାଞ୍ଛା ଅପୂର୍ଣ୍ଣ ରହେନାହିଁ। ଏଠାରେ ବହୁଦିନ ତଳେ, ପ୍ରଭୁ ମଦନ ମୋହନଙ୍କ ଅପାର ମହିମାରୁ ଏକ ଚମତ୍କାର ଘଟଣା ଘଟିଥିଲା ଯାହା ଆଜି ମଧ୍ୟ ସେଠାରେ ଚର୍ଚ୍ଚିତ ହୁଏ ।
କରୌଲୀ ନଗର କଚେରୀରେ ଏକ ଭୃତ୍ୟ ଭାବେ କାମ କରୁଥିଲା ତାଜଖାଁ। ସେ ଥିଲା ଖୁବ୍ ଈଶ୍ୱର ବିଶ୍ବାସୀ ଓ ଜଣେ ନିଷ୍ଠାପର କର୍ମଠ ବ୍ୟକ୍ତି। ସ୍ଵଳ୍ପ ଦରମାରେ ତା'ର ଗରିବ ପରିବାର କଷ୍ଟେ ମଷ୍ଟେ ଚଳି ଯାଉଥିଲା। ଥରେ କିଛି ଆଇନଗତ କାର୍ଯ୍ୟ ପାଇଁ ମନ୍ଦିର ପୂଜକଙ୍କୁ ଡକରା ପଡ଼ିଲା। ଭୃତ୍ୟ ତାଜଖାଁକୁ କଚେରୀର ସନ୍ଦେଶ ଦେଇ ପୂଜକଙ୍କ ପାଖକୁ ପଠାଗଲା । ମୁସଲମାନ ହୋଇ ଥିବାରୁ ସେ ଯାଇ ପ୍ରଭୁ ମଦନ ମୋହନଜୀଉଙ୍କ ମନ୍ଦିର ପାଖରେ ଟିକେ ଆଡ ହୋଇ ଠିଆ ହୋଇ ମନ୍ଦିର ପୂଜକଙ୍କୁ ଡାକ ପକାଇଲା । ଡାକ ଶୁଣି ପୁଜାରୀ ବାହାରି ଆସିଲେ । ତାଜ ଖାଁ ପୂଜାରୀଙ୍କ ହାତକୁ କଚେରୀର ଚିଠିଟି ବଢ଼ାଇ ଦେଲା ।
ତାଜ ମନ୍ଦିର କଡ଼ରେ ଠିଆ ହେବା ଭିତର ତାର ଟିକିଏ ଦୃଷ୍ଟି ପଡ଼ି ଗଲା ପ୍ରଭୁ ମଦନ ମୋହନଙ୍କ କମନୀୟ ବିଗ୍ରହ ଉପରେ, ଆଉ ପ୍ରଭୁଙ୍କ ସେହି ଦର୍ଶନରେ ସେ ଭକ୍ତିରେ ତନ୍ମୟ ହୋଇ ପଡ଼ିଲା। ଶୟନେ ସପନେ ଜାଗରଣେ ପ୍ରଭୁଙ୍କ ରୂପ ତାର ନେତ୍ର ପଥରେ ଭାସି ଉଠିଲା। ସେହି ଦିନଠାରୁ ସେ ପ୍ରଭୁଙ୍କୁ ନିତ୍ୟ ନୈମିତ୍ତିକ ଦର୍ଶନ କରିବାକୁ ଲାଗିଲା । କ୍ରମେ ଏମିତି ହେଲା ସେ ଠାକୁରଙ୍କ ଦର୍ଶନ ବିନା ପାଣି ମଧ୍ୟ ଛୁଇଁଲା ନାହିଁ ।
ସେ ପ୍ରତ୍ୟହ ଯାଇ କେହି ନଜାଣିଲା ପରି ଲୁଚିକି ପ୍ରଭୁଙ୍କୁ ଚୁପ ଚାପ୍ ଦର୍ଶନ କରି ଚାଲି ଆସେ । କିଛି ଦିନ ପରେ ମନ୍ଦିରର ପୂଜକ ଜାଣିଲେ ଯେ ତାଜ ଖାଁ ପ୍ରତି ଦିନ ଚୁପ ଚାପ ଆସି, ଠାକୁରଙ୍କୁ ଦର୍ଶନ କରି ଯାଉଛି । ସେ ତାକୁ ଶକ୍ତ ମନା କରିଦେଲେ ତୁ ଆଉ ଏଣିକି, ଠାକୁରଙ୍କୁ ଏପରି ଦର୍ଶନ କରିବୁ ନାହିଁ। ତାଙ୍କ ବାରଣ ସତ୍ତ୍ୱେ ବି ତାଜ ଖାଁ ଠାକୁରଙ୍କ ସେହିପରି ଦର୍ଶନ ଚାଲୁ ରଖିଲା। ମନ୍ଦିରର ଜଣେ କର୍ମଚାରୀ ଦିନେ ତାଜ ଖାଁ ଦର୍ଶନ କଲା ବେଳେ ତାକୁ ଦେଖି ଧରି ପକାଇଲେ ଏବଂ ନିର୍ଦ୍ଧୁମ ମାଡ଼ ଚଢ଼ାଇଲେ । ହେଲେ ତାଜ ଖାଁ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ଗୁପ୍ତରେ ତାଜର ଦର୍ଶନ ଚାଲୁରହିଲା ଏବଂ ପୁଣି ଥରେ ଧରା ପଡ଼ି ଲୋକମାନଙ୍କ ଠାରୁ ଭୀଷଣ ମାଡ଼ ଗାଳି ଖାଇଲା। ତାକୁ ଠାକୁରଙ୍କ ଦର୍ଶନ ପୁରା ମନା ହେଲା।
ଏଥିରେ ତାଜ ଖାଁ ବହୁତ ଦୁଃଖୀ ହୋଇ, ପ୍ରଭୁଙ୍କୁ ତାର ଦୁଃଖ ଜଣାଇଲା। ଠକୁରଙ୍କୁ ମନେ ପକାଇ ଆହାର ନିଦ୍ରା ତ୍ୟାଗ କରି ଦିନ ରାତି କାନ୍ଦିବାକୁ ଲାଗିଲା। ତାଜଖାଁର ଅନ୍ତର କଥା ଅନ୍ତର୍ଯ୍ୟାମୀ ପ୍ରଭୁ ମଦନମୋହନ ଶୁଣିଲେ। ସେଦିନ ପ୍ରତିଦିନ ଭଳି ରାତ୍ରୀ ପହୁଡ଼ ସମୟରେ ମହାପ୍ରଭୁଙ୍କୁ ଭୋଗ ଲାଗି ହୋଇ ମନ୍ଦିରରେ ତାଲା ପଡ଼ିଲା ଓ ସେବକ ମାନେ ନିଜ ନିଜ ଘରକୁ ଚାଲି ଗଲେ ।
ଅର୍ଦ୍ଧ ରାତ୍ରୀରେ ଏକ ସେବକ ବେଶ ଧାରଣ କରି ମହାପ୍ରଭୂ ହାତରେ ଭୋଗ ଥାଳି ନେଇ ଚାଲିଲେ ତାଜ ଖାଁ ପାଖକୁ।
ମହାପ୍ରଭୁ ବସି କାନ୍ଦୁ ଥିବା ଭକ୍ତ ପାଖରେ ପହଞ୍ଚି କହିଲେ, ନିଅ ତାଜ ! ତିନିଦିନ ହେବ ତୁମେ କିଛି ନ ଖାଇ ଉପାସ ରହିଛ, ମୁଁ ମନ୍ଦିର ପୁଜାରୀ। ତୁମ ପାଇଁ ପ୍ରଭୁଙ୍କ ପ୍ରସାଦ ନେଇ ଆସିଛି। ଏପରି କହି ସେ ପ୍ରସାଦ ଥାଳି ତାଜ ଖାଁକୁ ବଢ଼ାଇ ଦେଇ ଆଖି ପିଛୁଳାକେ କୁଆଡ଼େ ଚାଲିଗଲେ । ତାଜଖାଁ ପ୍ରଭୁଙ୍କୁ ଧ୍ୟାନ କରି ପ୍ରସାଦ ଗ୍ରହଣ କଲେ ।
ଏପଟେ ପ୍ରଭୁ ମଦନ ମୋହନ ରାତିରେ ମନ୍ଦିରର ମୁଖ୍ୟ ପୁଜାରୀଙ୍କୁ ସ୍ୱପ୍ନରେ କହିଲେ, ମୁଁ ତାଜ ଖାଁ ଘରେ ଭୋଗ ଥାଳି ଛାଡ଼ି ଆସିଛି। କାଲି ସେ ଥାଳି ନେଇ ଆସିଲେ, ତାକୁ ମୋ ଦର୍ଶନ ପାଇଁ, ତୁମେ କେହି ମନାକରିବ ନାହିଁ ।
ପର ଦିନ ପ୍ରଭାତରେ ମନ୍ଦିର ଖୋଲିଲା । ସତକୁ ସତ ପୂଜକ ଦେଖନ୍ତିତ ମହାପ୍ରଭୁଙ୍କ ଭୋଗ ଥାଳି ନାହିଁ । ପୂଜାରୀ ଦଉଡ଼ି ଦଉଡ଼ି ଯାଇ, କରୌଲୀ ରାଜାଙ୍କୁ ଖବର ଦେଲେ ଓ ନିଜେ ଦେଖିଥିବା ସ୍ବପ୍ନ ବୃତ୍ତାନ୍ତ କହିଲେ । ଏହା ଶୁଣି ରାଜା ସଙ୍ଗେ ସଙ୍ଗେ ପୁଜାରୀଙ୍କ ସହିତ ଆସି, ମନ୍ଦିର ପାଖରେ ପହଞ୍ଚିଲେ । ଠିକ୍ ସେତିକିବେଳେ ତାଜଖାଁ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ହସ୍ତରେ ଭୋଗଥାଳି ଧରି ଆସି ପହଞ୍ଚିଲେ। କାଲି ରାତ୍ରୀରେ ଘଟି ଯାଇଥିବା ଘଟଣା ବିଷୟରେ ଆଉ କାହାରି କୌଣସି ଶଙ୍କା ରହିଲା ନାହିଁ। ସମସ୍ତେ ବୁଝି ଗଲେ ତାଜଖାଁ ପ୍ରଭୁ ମଦନ ମୋହନଜୀଙ୍କ କେଡ଼େ ବଡ଼ ଭକ୍ତ । ରାଜା ମଧ୍ୟ ତାଜକୁ ଗଳାରେ ଲଗାଇଲେ । ଭକ୍ତ ପ୍ରବର ତାଜଙ୍କ ଜୟ ଜୟ କାର ଧ୍ଵନୀରେ ଗଗନପବନ ମୁଖରିତ ହୋଇ ଉଠିଲା।
କଥା ଗଲାଣି କେଉଁ କାଳରୁ, କିନ୍ତୁ ଲୋକେ ଆଜି ବି ମନେ ପକାଇଥାନ୍ତି ଭକ୍ତ ତାଜଖାଁଙ୍କୁ । ପ୍ରତ୍ୟହ ପ୍ରଭୁଙ୍କ ସନ୍ଧ୍ୟା ଆଳତି ସମୟରେ ଭକ୍ତମାନେ ଗାଇ ଉଠନ୍ତି:-
ତାଜ ଭକ୍ତ ମୁସଲିମ ପେ
ପ୍ରଭୁ ଦୟା କରି ।
ଭୋଜନ ଲେ ଘର ପହୁଞ୍ଚେ
ଦୀନଦୟାଲ ହରି ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
