STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାଲକ୍ଷ୍ମୀ ବାପଘର ଗଲେ

ମହାଲକ୍ଷ୍ମୀ ବାପଘର ଗଲେ

3 mins
2

       ମହାଲକ୍ଷ୍ମୀ ବାପଘର ଗଲେ
         ==============
ସେ ଦିନ ଥାଏ ଧନୁ ସଂକ୍ରାନ୍ତିର ଶୀତୁଆ ସକାଳ l ମହାପ୍ରଭୁଙ୍କର ଧନୁମୁଆଁ ସେବନ କରିବାର ଦିନ l ଶ୍ରୀମନ୍ଦିର ସିଂହଦ୍ୱାର ଖୋଲି ନ ଥାଏ l ମହାପ୍ରଭୁ ଶେଯରେ ଘୋଡ଼ି ଘାଡ଼ି ହୋଇ ଅଳସ ଭାଙ୍ଗୁଥାନ୍ତି l ବଡ଼ ପଣ୍ଡା ଏବଂ ସେବକ ମାନେ ଆସି ପହଞ୍ଚିଲେ ପ୍ରାତଃ କାଳୀନ ନୀତି କାନ୍ତି ସବୁ ହେବ l ମଙ୍ଗଳ ଆଳତି ହେବ, ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବେ l ଏହି ଅବସରରେ ମାଆ ମହାଲକ୍ଷ୍ମୀ ହସ୍ତରେ ଆଳତି, ଅର୍ଘ୍ୟଥାଳି ଆଦି ଧରି ଆସି ହଠାତ୍ ପହଞ୍ଚି ଗଲେ l ଠାକୁରାଣୀଙ୍କ ଏଭଳି ପ୍ରବେଶକୁ ଦେଖି ପ୍ରଭୁ ଜଗନ୍ନାଥ ଟିକିଏ ଅପ୍ରତିଭ ହୋଇ ପଡ଼ିଲେ l ବଡ଼ ଠାକୁର ଚୁପ ଚାପ୍ ଉଠି ଯାଇ ରତ୍ନ ସିଂହାସନ ଉପରେ ବସି ପଡ଼ିଲେ,ଭଉଣୀ ସୁଭଦ୍ରା ମଧ୍ୟ ନିଜ ଆସନରେ ବସି ପଡ଼ିଲେ l ଶେଯରେ ବସି ହାଇ ମାରି, ଅଳସ ଭାଙ୍ଗୁ ଭାଙ୍ଗୁ ଜଗନ୍ନାଥ ପଚାରିଲେ, 'ଆହେ ସିନ୍ଧୁ ଜେମା,ଏତେ ସଅଳ ସଅଳ କାହିଁକି? କଣ କିଛି ରାଗ ରୁଷା ହୋଇଛି ନା କଣ?' ମାଆ ଓଢଣାକୁ ଆଗକୁ ଟାଣି ଆଣି ଦେଢ଼ଶୁର ନଣନ୍ଦଙ୍କ ଆଡ଼କୁ କଣେଇ କଣେଇ ଚାହିଁ ସ୍ମିତହାସ୍ୟ କରି କହିଲେ,'ମହାପ୍ରଭୁ ! ମୋର ମାଗୁଣୀଟିଏ, ସତ୍ୟ କଲେ, ତୁଣ୍ଡ ଖୋଲିବି'l ମହାପ୍ରଭୁ ହସି ଉଠିଲେ, ଟିକିଏ ରସିକତା କରି କହିଲେ, ଚଉଦ ବ୍ରହ୍ମାଣ୍ଡର ପାଳନ କର୍ତ୍ତ୍ରୀ, ପଡ଼ିଦାତ୍ରି,ଅନ୍ନଦାତ୍ରୀ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ପୁଣି ମାଗୁଣୀ l "ହଉ,ସତ୍ୟ କଲି, କି ମାଗୁଣୀ ? ପ୍ରକାଶ କରିବା ହୁଅନ୍ତୁ l" ବିନୀତହୋଇ ମହାଲକ୍ଷ୍ମୀ କହିଲେ,ମହାପ୍ରଭୁ ! ବହୁ ଦିନ ହେଲା ବାପା ବାରୁଣଙ୍କ ଘରକୁ ଯିବା ହୋଇ ନାହିଁ l ବାପା ଖୁବ୍ ମନେ ପଡ଼ୁଛନ୍ତି l ଅନୁମତି ଦେଲେ ମୁଁ ବାପ ଘରୁ ଯାଇ ବୁଲି ଆସନ୍ତି ଓ ବାପାଙ୍କୁ ଟିକିଏ ଦେଖି ଆସନ୍ତି l ମହାପ୍ରଭୁ କହିଲେ," ହୁଁ ! ଏତେ ଶୀଘ୍ର କେମିତି l ସାଙ୍ଗରେ ଦାସୀ ପରିବାରି ସବୁ ଯିବେ l ପୁଣି ଖାଲି ହାତରେ ଯିବ କି? ସାଙ୍ଗରେ ତ କିଛି ଉପହାର ନେଇଯିବ,ଏତେ ଶୀଘ୍ର ଏସବୁ ଯୋଗାଡ଼ ହୋଇ ପାରିବ ତ? ତାଛଡ଼ା ଆଜି ପୁଣି ଧନୁ ସଂକ୍ରାନ୍ତି l ଧନୁମୁଆଁ ପ୍ରସ୍ତୁତ କରିବାକୁ ହେବ ଯେ ! ପୁଣି ଏସବୁ କେତେବେଳେ କରିବ? ମାଆ କହିଲେ, ମହାପ୍ରଭୁ ! ସବୁ ପ୍ରସ୍ତୁତ ହୋଇ ରହିଛି l ପୂଜା ପଣ୍ଡା ଆସି ଦ୍ବାରଫିଟା ନୀତି କରୁ କରୁ ସବୁ ଠିକ୍ ହୋଇଯିବ, ଆପଣ ଅନୁମତି ଟିକେ ଦିଅନ୍ତୁ, ମୁଁ ମାସକ ପାଇଁ ଯାଇ, ପିତ୍ରାଳୟ ବୁଲି ଆସେ l ମହାପ୍ରଭୁ ଚମକି ପଡ଼ି କହିଲେ, "କଅଣ ! ମାସେ କାଳ ତୁମେ ଶ୍ରୀମନ୍ଦିର ଛାଡ଼ି ଚାଲି ଯିବ l ଆହେ ଆମ ମାନଙ୍କର କଥା କିଏ ବୁଝିବ? ଏହା ତ ବଡ଼ ଭାଇଙ୍କ ଆଦେଶ ବିନା, ମୁଁ କରିବା ସମ୍ଭବ ନୁହଁ l ମାଆ ହସି ହସି କହିଲେ,ଓଃ,ଏଇ କଥା, ଆପଣ ତ ବଡ଼ ଭାଇଙ୍କୁ ବୁଝାଇବାରେ ସିଦ୍ଧ ହସ୍ତ, ଆପଣ ତାଙ୍କୁ ବୁଝାଇ ଦିଅନ୍ତୁ ନା, ସେ ନିଶ୍ଚୟ ବୁଝି ଯିବେ l ଛତିଶା ନିଯୋଗଙ୍କ ସେବାରେ କିଛି ହେଳା ନାହିଁ l ଡାଲି, ଚାଉଳ, ପରିବା ଘିଅ ସବୁ ମହଜୁଦ ଅଛି l କିଛି ଅସୁବିଧା ନାହିଁ l ମହାପ୍ରଭୁ ପୁଣି ଟିକିଏ ହସି ଦେଇ କହିଲେ, ଯେତେ ଯାହା ହେଉ ଶ୍ରୀଲକ୍ଷ୍ମୀଙ୍କ ସୁନା ଚଟୁ ନ ବାଜିଲେ ଭାଇ ପରା ବାରିନେବେ l ମାଆ କହିଲେ, "ପ୍ରଭୁ ! ମାର୍ଗଶୀର ମାସ ଆସିଲେ ଆପଣଙ୍କର ସେହି ଦ୍ଵାପର ଯୁଗ କଥା ମନେ ପଡ଼ି ଯାଏ l ଆଉ ମନେପଡ଼ି ଯାଏ ପାହାନ୍ତି ପହରୁ ମା' ଯଶୋଦାଙ୍କ ହାତରନ୍ଧା ଘିଅମରା ଭାତ ଆଉ ମାଆଙ୍କ ସେ ସ୍ନେହବୋଳା ଡାକ ଦୁଃଖିଧନ, ନୀଳମଣିରେ l ଏ ନୀଳାଚଳରେ କେତେ କଅଣ ବ୍ୟବସ୍ଥା ଥାଇ ମଧ୍ୟ ଆପଣ ସେହି ଦ୍ୱାପର ଯୁଗ କଥା ଝୁରି ହେଉଛନ୍ତି l ଆପଣ ତ ବିଚିତ୍ର କର୍ମା, ସେହି ବ୍ୟବସ୍ଥା ଟା ଯଦି କରି ଦିଅନ୍ତେ ଭାଇ ଓ ଭଉଣୀ ସୁଭଦ୍ରା ବହୁ ଖୁସି ହୁଅନ୍ତେ l ସେହି ଲୀଳା ଭିତରେ ଚାହୁଁ ଚାହୁଁ ମାସେ ବିତି ଯାଆନ୍ତା ଓ ମୁଁ ବାପ ଘର ବୁଲି ଫେରି ଆସନ୍ତି l ମହାପ୍ରଭୁ ହସିହସି କହିଲେ,"ତେବେ ତୁମେ କଣ କହୁଛ, ଏବେ ଶ୍ରୀମନ୍ଦିରରେ ବଲ୍ଲଭ ଭୋଗ ପୂର୍ବରୁ ଆଉ ଗୋଟିଏ ଭୋଗର ବ୍ୟବସ୍ଥା ହେଉ l ଆଛା, ଠିକ ଅଛି, ତେବେ ଆଜି ଠୁଁ ମହାଲକ୍ଷ୍ମୀଙ୍କ ସ୍ମୃତିରେ ସେ ଭୋଗର ବ୍ୟବସ୍ଥାହେବ, ଆଉ ତା'ର ନାମ ହେବ ପହିଲି ଭୋଗ l ଆମେ ଭାଇ ଭଉଣୀ ଖାଇ ସାରି ତାହା ବିମଳା ଠାକୁରାଣୀଙ୍କୁ ସମର୍ପଣ ହେବାପରେ ଭକ୍ତ ମାନେ ସେବନ କରି ପାରିବେ l ମାଆ ଲକ୍ଷ୍ମୀ ଆଳତି ସାମଗ୍ରୀ ସଜାଡ଼ି ଧରିଲେ l ଓଢଣା ଟାଣି ରତ୍ନ ସିଂହାସନ ଆଡ଼କୁ ଟିକିଏ ଲାଜୁଆ ଦୃଷ୍ଟିରେ ଚାହିଁ କହିଲେ, ମହାପ୍ରଭୁଙ୍କର ଜୟ ହେଉ l ହସି ହସି ମହାପ୍ରଭୁ କହିଲେ,"ନାଁ, ନାଁ ଲକ୍ଷ୍ମୀ ସେକଥା ନୁହେଁ l କୁହ ବଡ଼ ଠାକୁରଙ୍କ ଜୟ ହେଉ, ଆଉ ଲକ୍ଷ୍ମୀ ଠାକୁରାଣୀଙ୍କ ଯାତ୍ରା କୁଶଳ ହେଉ l ରତ୍ନସିଂହାସନ ଉପରେ ବଡ଼ ଭାଇ ବଳରାମ ଜଗା ଆଡ଼େ ଗାରଡ଼େଇ ଚାହିଁ ଥିଲେ l ସୁଭଦ୍ରା ମୁରୁକି ମୁରୁକି ହସୁଥିଲେ l                  🙏🙏🙏
                 ଅର୍ଜୁନୀ
              ----------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya story from Inspirational