STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାଆ ସୀତାଙ୍କ ଭାଇ ମାମା ପ୍ରୟାଗ ଦାସଙ୍କ କଥା

ମାଆ ସୀତାଙ୍କ ଭାଇ ମାମା ପ୍ରୟାଗ ଦାସଙ୍କ କଥା

6 mins
3

           ମାଆ ସୀତାଙ୍କ ଭାଇ
      ମାମା ପ୍ରୟାଗ ଦାସଙ୍କ କଥା
          =============
ବହୁଦିନତଳେ ନେପାଳର ଜନକପୁରୀରେ ଜଣେ ବିଧବା ବ୍ରାହ୍ମଣୀ ବାସ କରୁ ଥିଲେ। ଜନକ ପୁରୀର ପ୍ରତ୍ୟେକ ମହିଳା ମାଆ ଜାନକୀଙ୍କୁ ନିଜର କନ୍ୟା ବୋଲି ମନେ କରୁଥଲେ। ପ୍ରଥା ଅନୁଯାୟୀ ବୃଦ୍ଧା ବ୍ରାହ୍ମଣୀ ଜଣକ ମଧ୍ୟ ମାଆ ଜାନକୀଙ୍କୁ ନିଜ ଝିଅ ବୋଲି ମନେ କରୁଥିଲେ। ସେହି ବ୍ରାହ୍ମଣୀଙ୍କ ଏକ ମାତ୍ର ପୁତ୍ର ଥିଲେ, ପ୍ରୟାଗ ଦତ୍ତ l ସେ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ପ୍ରୟାଗ ସାଥି ପିଲାମାନଙ୍କ ସାଙ୍ଗରେ ଖେଳୁଥାଏ ଦେଖିଲା ପିଲା ମାନେ ହାତରେ ରାକ୍ଷୀ ବାନ୍ଧିଛନ୍ତି। ସାଥୀମାନଙ୍କୁ ସେ ଇଏ କଅଣ ବୋଲି ପଚାରିବାରୁ ସେମାନେ ତାକୁ ଥଟ୍ଟାକଲେ, ତୋର ତ କେହି ଭଉଣୀ ନାହାଁନ୍ତି। ତୁ ଏ ରାକ୍ଷୀର ମହତ୍ତ୍ଵ କଣ ବୁଝିବୁ? ତାକୁ ଏକଥା ବଡ ବାଧିଲା। ମନ ଦୁଃଖରେ ସେ ଘରକୁ ଫେରି ଆସିଲା।
ଘରକୁ ଆସି ସେ ମାଆଙ୍କୁ ପ୍ରଶ୍ନ କଲା, ଆଜି ସାଥି ପିଲାମାନେ ମୋତେ ଏଭଳି କହିଲେ। ମାଆ ସତରେ ମୋର କଣ କେହି ଭଉଣୀ ନାହାଁନ୍ତି । ମାଆ ଆଉ କଅଣ କହିବେ । ପିଲା ମନକୁ ବୁଝେଇ ଦେବାକୁ କହିଲେ, ହଁ ତୋର ଜଣେ ଭଉଣୀ ଅଛି। ଯେତେ ବେଳେ ତୁ ଛୋଟ ଥିଲୁ ସେ ବାହା ହୋଇ ଯାଇଛି। ଏବେ ସେ ତା' ଶାଶୁ ଘରେ ରହୁଛି। ପ୍ରୟାଗ ଆଉ କି ଛାଡେ। ସଙ୍ଗେ ସଙ୍ଗେ କହିଲା, କହ କିଏ ମୋ ଭଉଣୀ । କିଏ ମୋ ଭିଣୋଇ । କେଉଁଠି ତା' ଶାଶୁ ଘର। ମୁଁ ସେଠାକୁ ଯିବି । ମୋ' ଭଉଣୀକୁ ଦେଖା କରି ଆସିବି। ବ୍ରାହ୍ମଣୀ ଦେଖିଲେ ପୁଅକୁ ଭୂଲେଇ ହେବ ନାହିଁ। ପ୍ରୟାଗକୁ ପାଖରେ ବସାଇ ବ୍ରାହ୍ମଣୀ କହିଲେ, ତୋ ଭଉଣୀ ନାଁ ସୀତା। ତା' ଶାଶୁ ଘର ଅଯୋଧ୍ୟା । ତୋ ଭିଣୋଇ ହେଉଛନ୍ତି ରାମଚନ୍ଦ୍ର । ସେ ମହାରାଜ ଦଶରଥଙ୍କ ପୁତ୍ର। ଅଯୋଧ୍ୟା କାହିଁ କେତେ ଦୂର। ତୁ ଛୋଟ ପିଲା କଅଣ ଏତେ ଦୂର ଯାଇ ପାରିବୁ। ତୋ' ଭିଣୋଇ ରାଜପୁତ୍ର ତୋତେ କଅଣ ସିଏ ଚିହ୍ନିବେ। ପ୍ରୟାଗ ଅଯୋଧ୍ୟା ଯିବଯିବ ବୋଲି ମାଆଙ୍କୁ ସବୁ ବେଳେ ଜିଗର କରେ । ସେ ତାକୁ ବୁଝାସୁଝା କରି ରଖନ୍ତି।
ଏପରି କିଛି ଦିନ ଚାଲିଗଲା । ଅଯୋଧ୍ୟା ଯିବାପାଇଁ ଜନକପୁରୀରୁ ଦଳେ ଲୋକ ବହାରିଲେ । ମାଆଙ୍କୁ କହି, ସେମାନଙ୍କ ସାଙ୍ଗରେ ଯିବ ବୋଲି ପ୍ରୟାଗ ବହାରି ପଡ଼ିଲା। ଗଲା ବେଳେ ପ୍ରୟାଗକୁ ମାଆ କହିଲେ, ଆରେ ତୁ ଭଉଣୀ ଘରକୁ କଅଣ ଖାଲି ହାତରେ ଯିବୁ ମୁଁ ଦିଟା ଆରିସା ପିଠା କରି ଦେଉଛି, ନେଇଯା। ଆରିସା ପିଠା ଧରି ଲୋକ ମାନଙ୍କ ସାଙ୍ଗରେ ପ୍ରୟାଗ ଚାଲିଲା ଅଯୋଧ୍ୟାକୁ । ଲୋକମାନେ ପାଦରେ ଚାଲି ଚାଲି ବିଶ୍ରାମ କରି କରି ଯାଉଥାନ୍ତି। ପ୍ରୟାଗ ମନ ତ ଉଚ୍ଚାଟ କିପରି ଯାଇ ଭଉଣୀକୁ ଦେଖା କରିବ। ଲୋକଙ୍କ ଧିରେ ଧିରେ ଯିବା ଦେଖି କିଛି ବାଟ ଗଲା ପରେ ତାଙ୍କ ସାଙ୍ଗ ଛାଡ଼ି ଦେଇ ଏକଲା ଚାଲିଲା ପ୍ରୟାଗ ଦତ୍ତ ଆଯୋଧ୍ୟା ଅଭିମୁଖେ।
କିଛି ଦିନ ପରେ, ସେ ଯାଇ ଶ୍ରୀରାମ ନଗରୀରେ ପହଞ୍ଚି ଗଲା। ଚାରିଆଡେ଼ ଦେଖିଲା ଖାଲି ଭଜନ କୀର୍ତ୍ତନ ଚାଲିଛି। ଏତେ ବଡ଼ ସ୍ଥାନ ଏଠି କେଉଁଠି ସେ ତା' ଭଉଣୀକୁ ଖୋଜିବ। ସାଧୁ ସନ୍ଥ ମାନଙ୍କୁ ପଚାରିଲା ତୁମେ ମୋ ଭଉଣୀ ସୀତା ଓ ଭିଣେଇ ରାମଙ୍କ ଘର କେଉଁଠି କହିଦିଅ । ଲୋକ ମାନଙ୍କୁ ମଧ୍ୟ ପଚାରିଲା। କେଉଁ ଆଡୁ ପାଗଳଟିଏ ଆସିଛି ଭାବି ଲୋକମାନେ ତାକୁ ବିଭିନ୍ନ ମନ୍ଦିର ଦେଖାଇ କହନ୍ତି, ସେଇଠିକି ଯାଆ ତୋ ଭଉଣୀ ଭିଣୋଇ ଅଛନ୍ତି ଦେଖା କରିବୁ ଯା । ଲୋକ ମାନଙ୍କ କଥା ଅନୁସାରେ ପ୍ରୟାଗ ସବୁ ମନ୍ଦିରକୁ ଯାଇ ଦେଖେ ଦିବ୍ୟ ସିଂହାସନରେ ବସି ପୂଜା ପାଉଛନ୍ତି, ରାମ ସୀତାଙ୍କ ବିଗ୍ରହ। ଏ ସବୁ ଦେଖି ପ୍ରୟାଗର ମନ କିନ୍ତୁ ବୁଝିଲା ନାହିଁ। ନିରାଶ ହୋଇ ସେ ଯାଇ ଏକ ଆମ୍ବ ତୋଟାରେ ବସିଲା । ତା ମନରେ ପ୍ରବଳ ଉତ୍କଣ୍ଠା ଭଉଣୀ ଭିଣୋଇଙ୍କୁ ଦେଖିବାକୁ । ତାର ଏପରି ଉତ୍କଣ୍ଠାକୁ ଆଉ ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀ  ଅଣହେଳା କରିପାରିଲେ ନାହିଁ । କିଛି ସମୟ ପରେ ପ୍ରୟାଗ ଦେଖିଲା ଏକ ଧଳା ହାତୀ ଉପରେ ବସି ତା ଆଡ଼କୁ ଏକ ଦିବ୍ୟ ଦମ୍ପତ୍ତି ଆସୁଛନ୍ତି। ହାତୀଟି ଆସି ତା' ନିକଟରେ ରହିଲା। ହାତୀଉପରୁ ନାରୀ ଜଣକ ଓହ୍ଲାଇ ପଡ଼ି ପ୍ରୟାଗର ହାତ ଧରି ପକାଇ କହିଲେ, ଆରେ ମୋ ଭାଇ ପ୍ରୟାଗ ତୁ କେତେ ମୋତେ ଖୋଜିଲୁଣି ରେ। ତୋ କଷ୍ଟ ଦେଖି, ମୁଁ ଆଉ ସହି ପାରିଲି ନାହିଁ। ମୁଁ ହେଉଛି, ତୋର ସେହି ଭଉଣୀ । ତୋ' ଭିଣୋଇ ହାତୀରେ ବସିଛନ୍ତି ତାଙ୍କୁ ପ୍ରଣାମ କର। ମାଆ କଅଣ ଦେଇଛନ୍ତି ଆଣିଲୁ ଖାଇବା। ଯତ୍ନରେ ରଖି ଥିବା ଆରିସା ପିଠାକୁ ପ୍ରୟାଗ ଗାମୁଛାରୁ ବାହାର କରି ବଢ଼ାଇ ଦେଲା । ଅତି ଖୁସିରେ ମାଆ ସୀତା ଆରିସା ପିଠାକୁ ପ୍ରଭୁ ଶ୍ରୀରାମଙ୍କ ଆଡ଼କୁ ବଢ଼ାଇ ଦେଇ, ନିଜେ ଖାଇଲେ ଏବଂ ପ୍ରୟାଗକୁ ଖୁଆଇ ଦେଲେ । ପ୍ରୟାଗର ଆଖିରୁ ଧାରଧାର ଲୋତକ ବହି ଯାଉଥାଏ । ମାଆ ଲୁଗା କାନିରେ ଲୋତକ ପୋଛି ଦେଇ କହିଲେ, ତୁ କାନ୍ଦନାଁରେ ପ୍ରୟାଗ। ଏବେ ତୁ ଯାଆ। ଆମର କାମ ଅଛି ଯାଉଛୁ। ଯେତେ ବେଳେ ତୁ ଚାହିଁବୁ ଆମେ ଆସି ନିଶ୍ଚୟ ତୋ ପାଖରେ ପହଞ୍ଚି ଯିବୁ। ତୋର କୌଣସି ଅସୁବିଧା ହେଲେ ଆମକୁ କହିବୁ। ଏପରି କହି ରାମ ସୀତା ପ୍ରୟାଗର ମୁଣ୍ଡ ଉପରେ ହାତ ରଖି ହାତୀ ପୃଷ୍ଠରେ ବସି ସେଠାରୁ ଚାଲିଗଲେ । ପ୍ରଭୁ ଓ ଜଗତ ଜନନୀଙ୍କ କର ସ୍ପର୍ଶ ପାଇ ଯୁବକ ପ୍ରୟାଗ ଭାବ ସମୁଦ୍ରରେ ବୁଡ଼ିଗଲା। ସେ ସମାଧିସ୍ଥ ହୋଇ ସେଇଠି ବସି ରହିଲା। ପରଦିନ ପ୍ରଭାତରୁ ସାଧୁ ଶ୍ରୀ ତ୍ରିଲୋଚନ ଦାସ ପବିତ୍ର ସରଯୁରେ ସ୍ନାନ ସାରି ଫେରୁଥିଲା ବେଳେ ପ୍ରୟାଗ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା। ସାଧୁ ପ୍ରୟାଗର ହାବ ଭାବରୁ ଜାଣି ଗଲେ ସେ ଜଣେ ଭକ୍ତ ବୋଲି। ସେ ତାକୁ ଶ୍ରଦ୍ଧାର ସହ ଆଶ୍ରମକୁ ଘେନି ଆସିଲେ ଓ ତା ପରିଚୟ ପଚାରି ବୁଝିଲେ। ପ୍ରୟାଗ ମଧ୍ୟ, କାହିଁକି ଓ କିପରି ଅଯୋଧ୍ୟା ଆସିଲା ତାହା ସାଧୁଙ୍କୁ କହିଲା। ସେଦିନ ସାଧୁଙ୍କ ଆଶ୍ରମରେ ଏକ ଚମତ୍କାର ଘଟଣା ଘଟିଲା। ପ୍ରୟାଗ ଥାଏ ଖୁବ୍ ଭୋକିଲା । ଦୁଇ ଜଣ ସୁନ୍ଦରୀ ତରୁଣୀ, ରାତି ପ୍ରାୟ ଘଡ଼ିଏ ବେଳକୁ ଦୁଇଟି ସୁନା ଥାଳିରେ ପ୍ରସାଦ ଘେନି ଆସି ପହଁଚିଲେ। ସାଧୁଙ୍କ ହାତକୁ ସେମାନେ ଥାଳି ଦୁଇଟିକୁ ଦେଇ କହିଲେ, ଆଜି ଆମ ମନ୍ଦିରରେ ଉତ୍ସବ ଥିଲା। ଏହି ପ୍ରସାଦ ଆମେ ସାଧୁ ସେବା ପାଇଁ ଆଣିଛୁ। ଆପଣ ରଖନ୍ତୁ। ଆମେ ଆସି ପରେ ଥାଳି ଦୁଇଟି ନେଇଯିବୁ। ପଦ୍ମ ପତ୍ରଢଙ୍କା ଥାଳି ନେଇ ସାଧୁ ପତ୍ରକାଢ଼ି ଦେଖନ୍ତି ତ ତା ଭିତରେ ମହ ମହ ବାସୁଥିବା ସବୁ ଦିବ୍ୟ ଅନ୍ନ ବ୍ୟଞ୍ଜନ ରହିଛି। ସାଧୁ ମହାତ୍ମା ବୁଝିଗଲେ କ୍ଷୁଧିତ ଭାଇ ପାଇଁ ଜଗତ ଜନନୀ ମାଆ ଜାନକୀ ଏ ସବୁ ବ୍ୟବସ୍ଥା କରି ଦେଇଛନ୍ତି। ସାଧୁଙ୍କ ଆଶ୍ରମରେ ରହି କିଛିଦିନ ପରେ ଗାଆଁକୁ ଫେରିଲା ପ୍ରୟାଗ ।
ସେ ମାଆଙ୍କୁ ପ୍ରଣାମ କରି ସବୁକଥା କହିଲା। କିଛି ଦିନ ପରେ ପ୍ରୟାଗର ଆଉ ନିଜ ଗାଁ ଜନକପୁରୀରେ ମନ ଲାଗିଲା ନାହିଁ। ଅଗତ୍ୟା ସେ ଗୃହତ୍ୟାଗ କରି ପୁଣି ଯାଇ ଅଯୋଧ୍ୟାରେ ପହଞ୍ଚିଲା। ପୂର୍ବ ପରିଚିତ ସାଧୁ ତ୍ରିଲୋଚନ ଦାସ ତାକୁ ଦେଖି ଆଶ୍ରମକୁ ଡାକିନେଲେ । ପ୍ରୟାଗ ତାଙ୍କ ଆଶ୍ରମରେ ରହିଲା। ତାଙ୍କ ଠାରୁ ଦୀକ୍ଷାନେଇ ତା ନାମ ହେଲା ପ୍ରୟାଗ ଦାସ । ସୀତାଙ୍କ ଭାଇ ବୋଲି ପ୍ରୟାଗକୁ ଅଯୋଧ୍ୟାରେ ସମସ୍ତେ "ମାମୁଁ" ବୋଲି ଡ଼ାକିଲେ । ଏବେ ତାର ପରିଚୟ ହେଲା "ମାମା ପ୍ରୟାଗ ଦାସ"।
ସାଧୁଙ୍କ ଆଶ୍ରମରେ ଦିନେ ସେ ରାମ କଥା ଶ୍ରବଣ କରୁ କରୁ ହଠାତ୍ ତା ମନକୁ ଆସିଲା, ଲକ୍ଷ୍ମଣଙ୍କ ସହ ତା ଭଉଣୀ ଭିଣୋଇ ବନ ବାସରେ ବାହାରି ଯାଇ, ଚିତ୍ରକୁଟରେ ରହୁଛନ୍ତି। ସେ ଭାବିଲା, ମୋ ଭଉଣୀ ଭିଣୋଇ ତ ବଣରେ ଯାଇ ବଡ଼ କଷ୍ଟରେ ରହୁଥିବେ। ସିଏ ଶୋଉଥିବେ କୋଉଠି? ଏପରି ଭାବି, ସେ ତିନୋଟି ଖଟ ଓ ବିଛଣା ପ୍ରସ୍ତୁତ କରି ଯାଇ ଚିତ୍ରକୁଟରେ ପହଞ୍ଚି ଭିଣୋଇ, ଭଉଣୀଙ୍କୁ ଖୋଜିବାକୁ ଲାଗିଲା । ପ୍ରଭୁ ବୁଝିପାରିଲେ ଭକ୍ତର ଭାବନାକୁ। ପ୍ରଭୁ ଅନୁଜ ଲକ୍ଷ୍ମଣ ଓ ସୀତାଙ୍କ ସହ ସେଠାରେ ଆବିର୍ଭୁତ ହୋଇ, ପ୍ରୟାଗକୁ କହିଲେ, ଆରେ ପାଗଳା ! ଏ ଖଟ ଆମର କଅଣ ହେବ । ଆମେ ପରା ଏବେ ବଣରେ ଚଉଦ ବର୍ଷ ପର୍ଯ୍ୟନ୍ତ ସନ୍ନ୍ୟାସୀ ଜୀବନ କଟାଇବୁ। ଏ ଖଟ ଓ ବିଛଣା ସବୁକୁ ନେଇ ତୁ ଅଯୋଧ୍ୟା ଚାଲି ଯା । ବନବାସ ଶେଷ କରି ଆମେ ଫେରିଲେ ତୋ ଖଟ ବିଛଣା ସବୁ ନେଇ ଶୋଇବୁ। ବହୁତ ବୁଝାଇଲା ପରେ ପ୍ରୟାଗ ଖଟ ମୁଣ୍ଡାଇ ଅଯୋଧ୍ୟା ଚାଲିଲା। ଅଯୋଧ୍ୟାରେ ପହଞ୍ଚି, ସେ ଏକ ନିମ ଗଛ ତଳେ ଖଟିଆ, ଗଦି, ତିନୋଟିକୁ ପକାଇ ଦେଲା। ପ୍ରଭୁଙ୍କ ପ୍ରତୀକ୍ଷାରେ ତା ଉପରେ ବସି ପ୍ରଭୁଙ୍କ ନାମ ଜପ କରିବାକୁ ଲାଗିଲା । ଅଯୋଧ୍ୟାରେ ତ ତାଙ୍କୁ ସବୁ ଲୋକ ଚିହ୍ନି ଥିଲେ । ସମସ୍ତେ କହିଲେ :-
"नीम के नीचे खाट बिछी है, खाट के नीचे करवा, प्रयागदास अल्मस्ता सोये, ये राम लला का सरवा" । ଅର୍ଥାତ୍ :-       
     ନିମ ଗଛ ତଳେ   ଖଟିଆ ପକାଇ
            ଜପୁଅଛି ଜପା ମାଳା ।
     ମନ ମଉଜରେ     ପ୍ରୟାଗ ଦାସ ଏ   
              ଶ୍ରୀରାମଚନ୍ଦ୍ରଙ୍କ ଶଳା ।।
ଏହି ଥିଲେ, ମାଆ ଜନକନନ୍ଦିନୀଙ୍କ ପରମ ଭକ୍ତ ପ୍ରୟାଗ ଦାସ। ଏହିପରି ସୀତା ରାମଙ୍କ ଭକ୍ତିରେ ତଲ୍କୀନ ହୋଇ ପ୍ରୟାଗ ଜୀବନ କଟାଇଲେ ଓ ଅନ୍ତ କାଳରେ ପ୍ରଭୂଙ୍କ ପରମ ଧାମକୁ ଯାତ୍ରା କଲେ ।
            ଜୟ ମାଆ ଜାନକୀ
                 🙏🙏🙏
                     ଅର୍ଜୁନୀ
                   -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational