ସହସ୍ରଶିରା ରାବଣ ବଧ
ସହସ୍ରଶିରା ରାବଣ ବଧ
ସହସ୍ରଶିରା ରାବଣ ବଧ
=============
ମହର୍ଷି ବାଲ୍ମିକୀ କୃତ ଅଦ୍ଭୁତ ରାମାୟଣର କଥା। ପ୍ରଭୁ ଶ୍ରୀରାମ ରାବଣ ନିଧନ କରି ଲଙ୍କାରୁ ମାଆ ଜାନକୀଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରି ଆସିଲେ। ଅଯୋଧ୍ୟା ରାଜ ସିଂହାସନରେ ପ୍ରଭୁଙ୍କ ଅଭିଷେକ ମହା ସମାରୋହରେ ସମାହିତ ହେଲା। ଶ୍ରୀରାମ ଅଯୋଧ୍ୟା ସିଂହାସନରେ ବସି ଆନନ୍ଦରେ ରାଜ୍ୟ ଶାସନ କରିବାକୁ ଲାଗିଲେ । ସମସ୍ତ ପ୍ରଜା ରାମ ରାଜ୍ୟରେ ଅତି ସୁଖ ଶାନ୍ତିରେ କାଳାତିପାତ କରୁଥାନ୍ତି । ନଥାଏ କୌଣସି ଦୁଃଖ କିମ୍ବା ଦୈନ୍ୟ।
ଦିନ ଗଡ଼ି ଚାଲିଥାଏ ଦିନେ ଅଯୋଧ୍ୟାରେ ଆସି ବହୁ ମୁନି ଋଷି ସମବେତ ହେଲେ, ରାମଙ୍କ ଦର୍ଶନ ନିମନ୍ତେ। ବିପ୍ରପ୍ରୀୟ ଧାର୍ମିକ ପ୍ରଭୁ ଶ୍ରୀରାମ ସେମାନଙ୍କ ସମ୍ମାନକରି ତାଙ୍କ ପଦବନ୍ଦନା କଲେ। ପ୍ରଭୁଙ୍କ ଦରବାର ଚାଲି ଥାଏ ୠଷି ମାନେ ସମସ୍ତେ ପ୍ରଭୁଙ୍କ ଭୂରି ଭୂରି ପ୍ରଶଂସା କଲେ। ପ୍ରସଙ୍ଗ କ୍ରମେ ରାବଣ ବଧ କଥା ପଡ଼ିଲା ଓ ମୁନି ମାନେ ପ୍ରଭୁଙ୍କ ଅସୀମ ଧୈର୍ଯ୍ୟ ଏବଂ ବୀରତ୍ବର କଥା ବଖାଣିବାରେ ଲାଗିଲେ । ଉପସ୍ଥିତ ଥାଆନ୍ତି ମାଆ ସୀତା । ସେ ମୁନିମାନଙ୍କ କଥା ଶୁଣି କହିଲେ, ସେହି ଦଶଶିର ରାବଣକୁ ବଧ କରିବା ସେତେ ବଡ଼ କଥା ନୁହେଁ। ମୁଁ ଯେତେବେଳେ ଛୋଟ ଥିଲି ମିଥିଳାରେ ଜଣେ ବ୍ରାହ୍ମଣ ଆସି ମୋତେ କହି ଥିଲେ, ରାବଣର ଆଉ ଜଣେ ବଡ଼ଭାଇ ଅଛି ସହସ୍ରଶିରା ରାବଣ। ସିଏ ରାବଣଠାରୁ କାହିଁ କେତେଗୁଣ ଶକ୍ତିଶାଳୀ । ଏହି ଦଶାନନ ତ, ତା' ଆଗରେ ଶିଶୁଟିଏ ମାତ୍ର । ସେ ହେଉଛି, ପ୍ରକୃତ ରାବଣ । ସହସ୍ରଶିରା ରାବଣ ପୁଷ୍କର ଦ୍ଵୀପରେ ନିର୍ଭୟରେ ରାଜତ୍ଵ କରୁଛି। ତାକୁ ପରାଜିତ କଲାଭଳି ବୀର ଆଉ କେହି ଏହି ପୃଥିବୀରେ ନାହାଁନ୍ତି।
ମୁନିମାନଙ୍କ ସମ୍ମୁଖରେ ଜାନକୀଙ୍କ ଏଭଳି କଥା ଶୁଣି, ପ୍ରଭୁ ଶ୍ରୀରାମ ନିଜକୁ ଟିକିଏ ଅପ୍ରତିଭ ମନେକଲେ। କିନ୍ତୁ ପରମୂହୁର୍ତ୍ତରେ ସେ କହିଲେ, ଆଚ୍ଛା ! ତାହାଲେ ରାବଣଠାରୁ ଶକ୍ତିଶାଳୀ ଏପରି ଜଣେ ଅଜେୟ ରାବଣ ଅଛି ! ତେବେ ଦେଖାଯାଉ, ସେ କିପରି ବୀର ମୁଁ ଏହିକ୍ଷଣି ସହସ୍ରଶିରା ଉପରେ ଆକ୍ରମଣ କରୁଛି। ଏହା କହି ଶ୍ରୀରାମ ଭାଇ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ, ତୁମେ ଅବିଳମ୍ବେ ଆମ ବାନର, ରାକ୍ଷସ ଓ ଭଲ୍ଲୁକ ବାହିନୀକୁ ପ୍ରସ୍ତୁତ କର । ଆମେ ତୁରନ୍ତ ପୁଷ୍କର ବିରୁଦ୍ଧରେ ଯୁଦ୍ଧ ଯାତ୍ରା କରିବା ।
ପ୍ରଭୁ ଶ୍ରୀରାମ ତାଙ୍କ ସୁସଜ୍ଜିତ ସେନାକୁ ଧରି ଯାଇ ପୁଷ୍କର ଦ୍ଵୀପରେ ପହଞ୍ଚିଲେ। ରାମଙ୍କୁ ପ୍ରତିରୋଧ କରିବାପାଇଁ ସହସ୍ରଶିରା ତା ରାକ୍ଷସ ବାହିନୀକୁ ଧରି ଆଗେଇ ଆସିଲା। ଘମାଘୋଟ ଯୁଦ୍ଧ ଲାଗି ଗଲା। ମାତ୍ର କିଛି ସମୟର ଯୁଦ୍ଧ ଭିତରେ ସହସ୍ରଶିରା ପ୍ରଭୁ ଶ୍ରୀରାମଙ୍କ ବିଶାଳ ବାହିନୀକୁ ସମ୍ପୂର୍ଣ୍ଣ ରୂପେ ତ୍ରସ୍ତ କରିଦେଲା। ରାମଙ୍କ ବାହିନୀ ଛତ୍ରଭଙ୍ଗ ଦେଇ ବାନର ମାନେ କିଷ୍କିନ୍ଧ୍ୟାକୁ, ରାକ୍ଷସ ମାନେ ଲଙ୍କାକୁ ଓ ମନୁଷ୍ୟ ସବୁ ଅଯୋଧ୍ୟାକୁ ପଳାୟନ କଲେ।
ଯୁଦ୍ଧଭୂମି ପୁରା ଶୁନସାନ ହୋଇଗଲା।
ଶ୍ରୀରାମ ଖୁବ୍ ରାଗି ଗଲେ ଓ ସହସ୍ରଶିରା ଉପରେ ବ୍ରହ୍ମାସ୍ତ୍ର ପ୍ରହାର କଲେ । ମାତ୍ର ମହା ଶକ୍ତିଶାଳୀ ରାକ୍ଷସ ସେହି ଅସ୍ତ୍ରକୁ କାଟି ପକାଇଲା ଓ ରାମଙ୍କ ଉପରେ ଭୀଷଣ ବାଣ ବର୍ଷାକଲା। ଅସୁରର ବାଣ ଆଘାତରେ ଶ୍ରୀରାମ ସଂଜ୍ଞାହୀନ ହୋଇ ରଣ ଭୂମୀରେ ଭୁପତିତ ହେଲେ ।
ଶ୍ରୀରାମଙ୍କ ଏପରି ଶୋଚନୀୟ ପରାଜୟକୁ ଆଉ ମାଆ ଜାନକୀ ସହି ପାରିଲେ ନାହିଁ। ତୁରନ୍ତ ମାଆ ଜାନକୀ ରଣଚଣ୍ଡୀ ବେଶ ଧରି, ଭଦ୍ରାକାଳୀ ରୂପରେ ଯାଇ ଯୁଦ୍ଧ ଭୂମୀରେ ଉଭା ହେଲେ। ତାଙ୍କ ହସ୍ତରେ ଶଙ୍ଖ, ଚକ୍ର, ଖଡ୍ଗ, ଖର୍ପର, ପ୍ରଭୃତି ଦିବ୍ୟ ଆୟୁଧ ମାନ ଶୋଭା ପାଉଥାଏ । ସେ ତତ୍କ୍ଷଣାତ୍ ସହସ୍ର ଶିରାର ସମସ୍ତ ଶିରକୁ କର୍ତ୍ତନ କରିବାକୁ ଲାଗିଲେ। ତାଙ୍କ ଶରୀରରୁ ଚଣ୍ଡୀ ଚାମୁଣ୍ଡା ସବୁ ଜନ୍ମ ହୋଇ ସହସ୍ରଶିରାର ରୁଧିର ପାନ କରିବାକୁ ଲାଗିଲେ । କିଛି ସମୟ ପରେ ସହସ୍ରଶିରାର ସମ୍ପୂର୍ଣ୍ଣ ରାକ୍ଷସ ବାହିନୀ ଧ୍ବସ୍ତ ବିଧ୍ବସ୍ତ ହୋଇ ସେ ନିଜେ ରଣଭୂମି ଉପରେ ମରି ଶୋଇଲା । ତଥାପି ଭଦ୍ରାକାଳୀଙ୍କ ଉଗ୍ର ରୂପ ଶାନ୍ତ ହେଉ ନ ଥାଏ। ତାଙ୍କ କୋପରେ ତ୍ରିଭୁବନ ଥର ହର ହେଲା । ଯେପରି ଜଣା ପଡୁ ଥାଏ ସମଗ୍ର ସୃଷ୍ଟି ଧ୍ଵଂସ ହୋଇଯିବ। ଦେବତାଙ୍କ ମଧ୍ୟରେ ଭାଳେଣୀ ପଡ଼ିଗଲା । ମାଆଙ୍କୁ ସମସ୍ତେ ଆସି ଶାନ୍ତ ହେବାକୁ ସ୍ତୁତି କଲେ। କିନ୍ତୁ କ୍ରୋଧିତା ମାଆ କହିଲେ, ମୋର ସ୍ଵାମୀ ସଂଜ୍ଞାହୀନ ହୋଇ ପଡ଼ିଥିବା ବେଳେ ଆପଣମାନେ ମୋତେ କିପରି ଶାନ୍ତହେବାକୁ କହୁଛନ୍ତି। ସୃଷ୍ଟି ଧ୍ବଂସ ହୋଇଯାଉ ମୋର ସେଥିରେ କିଛି ଯାଏ ଆସ ନାହିଁ।
ସର୍ଵ ଶେଷରେ ବ୍ରହ୍ମା ଆସି କମଣ୍ଡଳୁ ଜଳ ସିଂଚି ଶ୍ରୀରାମଙ୍କୁ ଚେତା କରାଇଲେ। ସେ ନିଦ୍ରାରୁ ଉଠିଲାଭଳି ଉଠିପଡ଼ି, ସମ୍ମୁଖରେ ଭୟଂକର ଭଦ୍ରାକାଳୀଙ୍କୁ ଦେଖି, ଅତ୍ୟନ୍ତ ଭୟଭୀତ ହୋଇଗଲେ । ଏହି ସମୟରେ ବ୍ରହ୍ମା ପ୍ରଭୁଙ୍କୁ କହିଲେ, ସେ ହେଉଛନ୍ତି, ସ୍ଵୟଂ ଜାନକୀ । ସହସ୍ରଶିରାର ବଧ ପାଇଁ ସେ ଏହି ଭୟଂକର ଭଦ୍ରାକାଳୀ ରୂପ ଧରିଛନ୍ତି। ଏହା ପରେ ଶ୍ରୀରାମ ମହାକାଳି ସହସ୍ରନାମ ପାଠ କରିବାରୁ, ମହାଦେବୀ ଭଦ୍ରାକାଳୀ ନିଜର ମୂଳ ସ୍ୱରୂପକୁ ଫେରିଆସିଲେ ଓ ଜାନକୀଙ୍କୁ ସାଙ୍ଗରେ ଧରି ପ୍ରଭୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ । ସେଦିନ ସମସ୍ତେ ବୁଝି ଗଲେ, ମାଆ ସୀତା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଆଦ୍ୟାଶକ୍ତି ।
ଅଦ୍ଭୁତ ରାମାୟଣରେ ସହସ୍ର ଶିରା ମର୍ଦ୍ଦିନୀ ମାଆ ଜନକ ନନ୍ଦିନୀଙ୍କ ଭୟଂକର ରୂପ ଏବଂ କୃତ୍ୟକୁ ବର୍ଣ୍ଣନା କରି କୁହା ଯାଇଛି:-
ନର୍ଦନ୍ତଂ ରାକ୍ଷସଂ ଚାପି
ମହାବଲପରାକ୍ରମମ୍ ।
ସାସ୍ଟହାସଂ ବିନାଦ୍ୟୋଚୈ
ସୀତା ଜନକନନ୍ଦିନୀ ।
ସ୍ୱରୁପଂ ପ୍ରଜହଔ ଦେବୀ
ମହାବିକଟରୁପିଣୀ ।
କ୍ଷ୍ୟୁତ୍କ୍ଷାମା କୋଟରାକ୍ଷୀ
ଚକ୍ର ଭ୍ରମିତଲୋଚନା ।
! ଜୟ ମାଆ ଜାନକୀ !
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
